Unknown

 

 

 

 

 

 

 

 

 

 

 

ପେକିଙ୍ଗ ଅଭିମୁଖେ ସାଥୀ ରୂପକ

ଅକ୍ଷୟ କୁମାର

 

ଏକ

 

ରାତି ଗୋଟାଏ ହେବ ବୋଧହୁଏ—

ଚତୁର୍ଦ୍ଦିଗରେ ବରଫ ଜମିଗଲାଣି । ପଥରର ପିଠି ଉପରେ ତୁଳା ପରି କୋମଳ ବରଫ ଜମାଟ ବାନ୍ଧି ଉଚ୍ଚଖାଲ ସବୁ ସମାନ କରିଦେଇଛି । ଯେଉଁ କଙ୍କରମୟ ପଥ ଦିନରେ ପାଦପୀଡ଼ାଦାୟକ ହେଉଥିଲା, ତାହା ବର୍ତ୍ତମାନ ତୁଷାରଧବଳ କୋମଳ ଶଯ୍ୟାରେ ପରିଣତ ହୋଇଉଠିଛି । ଦିନ ଆଉ ରାତି କେତେ ଅଳ୍ପ ସମୟ ବ୍ୟବଧାନ ଭିତରେ ପ୍ରକୃତି କି ବିରାଟ ପରିବର୍ତ୍ତନ ଆଣି ନ ଦେଇଛି ଏଠି !

ଚନ୍ଦ୍ରକିରଣ ମଳିନ ହୋଇଆସୁଛି ଧୀରେ ଧୀରେ । ରାତି ଗଭୀର ହେଉଛି । ବରଫ ବର୍ଷୁଛି ତୁଳା ପରି । ଧୂଆଁଳିଆ ଦିଶୁଛି ଚାରିଆଡ଼ । ଜଣାଯାଉଛି ଯେମିତି ଆକାଶରେ ଚନ୍ଦ୍ର ନାହିଁ । କିନ୍ତୁ ରାତି ପାହିଆସୁଛି । ରାତି ବେଶ୍‌ ନିସ୍ତବ୍‌ଧ ହେଲେ ବି ଗମ୍ଭୀର ସାଇଁ ଶବ୍ଦ ଭାସିଆସୁଛି କାହିଁ କେତେ ଦୂରରୁ ।

ସେଇ ବିଚିତ୍ର ମରୁଅଞ୍ଚଳର ଠିକ୍‍ ମଝାମଝି ସ୍ଥାନ । ତା’ର ଗୋଟିଏ ପଟରେ ପ୍ରାୟ ମାଇଲିଏ ଦୂରରେ ଜଙ୍ଗଲ । ଅନ୍ୟପଟରେ ପ୍ରାୟ ସେତିକି ଦୂରରେ ସୀମାନ୍ତ ଅଞ୍ଚଳର ଗ୍ରାମଗୁଡ଼ିକ । ସୀମାନ୍ତ ଅଞ୍ଚଳର ଗ୍ରାମ ଏବଂ ଜଙ୍ଗଲ ମଝିରେ ଏହି ଦୁଇ ମାଇଲ ପରିମିତ ବହୁଦୂର ଦୈର୍ଘ୍ୟବିସ୍ତାରୀ ଅଞ୍ଚଳକୁ ଦିନର ପ୍ରକୃତି ଅନୁସାରେ ମରୁଅଞ୍ଚଳ ବା ରାତିର ପ୍ରକୃତି ଅନୁସାରେ ମେରୁପ୍ରଦେଶ ଆଖ୍ୟା ଦିଆଯାଇପାରେ । ସେ ଯାହାହେଉ, ଏହି ଅଞ୍ଚଳଟି ଜନଶୂନ୍ୟ । ସମୟ ସମୟରେ ଭ୍ରାମ୍ୟମାଣ ସୀମାନ୍ତରକ୍ଷୀଙ୍କ ଶିବିର ପଡ଼େ ଏଇଠି । ସୀମାନ୍ତପଟର ଜଙ୍ଗଲରୁ କାଠକଟା ସମୟରେ କଟାଳିମାନଙ୍କର ପଲ କରାଯାଏ ଏଇ ପଟରେ ଜଙ୍ଗଲ କଡ଼େ କଡ଼େ । ଏ ପଟରେ କାଠକଟାଳି ଓ ଶିକାରୀମାନଙ୍କୁ ସବୁବେଳେ ସତର୍କ ଓ ଜାଗ୍ରତ ହୋଇ ରହିବାକୁ ପଡ଼େ । କାରଣ ହିଂସ୍ରଜନ୍ତୁଙ୍କର ଉପଦ୍ରବ ଅନ୍ୟ ଦିଗ ଅପେକ୍ଷା ଏହି ଦିଗରେ ଅଧିକ । ତେଣୁ ଯଥେଷ୍ଟ ଦିନ ଥାଉଁ ଥାଉଁ କାଠକଟାଳି ଦଳ ନିଜ ନିଜ ପଲାକୁ ଫେରିଆସନ୍ତି । ପଲା ଚାରିପଟେ ଖୁବ୍‍ ନିଆଁ ଜାଳି ରହନ୍ତି-। ଶୁଖିଲା କାଠର ଜଳନ୍ତା ଶିଖା ଲହ ଲହ ଭଳି କରି ନାଚୁଥାଏ ରାତିସାରା–ବରଫାବୃତ ରାତିକୁ ଉପହାସ କରି ।

ସେଦିନ ରାତି ଗୋଟାଏ ହେଲେ ବି ସେଇ ତୁଷାରାବୃତ ମେରୁରେ ଗୋଟାଏ ତମ୍ବୁରେ ଆଲୁଅ ମିଞ୍ଜି ମିଞ୍ଜି ହୋଇ ଜଳୁଥିଲା । ଚାରିପଟରେ ଖୁବ୍‍ ବହଳରେ ବରଫ ଜମିଗଲାଣି ସେତେବେଳକୁ । ତମ୍ୱୁର ତଳଠାରୁ ଫୁଟେ ଉପର ପର୍ଯ୍ୟନ୍ତ ବରଫରେ ପୋତି ହୋଇପଡ଼ିଲାଣି । ତମ୍ୱୁ ଉପରଟା ବେଶ୍‍ ଗଡ଼ାଣିଆ ହେଲେ ବି ତୁଳା ପରି ନରମା ବରଫ ଜମିଉଠୁଚି କ୍ରମେ କ୍ରମେ । ତମ୍ୱୁର ପରଦା ଖୁବ୍‍ ଦୃଢ଼ ଭାବରେ ଭିଡ଼ାଯାଇଛି—ବାହାରର ଥଣ୍ତା ଭିତରକୁ ପଶି ନ ଆସିବା ପାଇଁ-। ସେଇଟା ଯେ ଗୋଟାଏ ଶିକାରୀ ତମ୍ୱୁ ଏକଥା ପରିଷ୍କାର ଜାଣିହେଉଛି । ଶିକାରୀ ତମ୍ୱୁକୁ ଜାଣିରଖିବା ପାଇଁ ତା’ର ଉପର ଛାତ କପଡ଼ାଟାକୁ ଗାଢ଼ କଳାରଙ୍ଗ କରିଦିଆଯାଇଛି । ଖାଲି ଏଇ ତମ୍ୱୁଟି ନୁହେଁ; ଶିକାରୀ ତମ୍ୱୁକୁ ଚିହ୍ନିବାପାଇଁ ଏପରି କରିବା ଏ ଅଞ୍ଚଳର ବିଧି କି କ’ଣ ! କାରଣ ପ୍ରତ୍ୟେକ କୁଲି ବସ୍ତି ଭିତରେ ଏଇପରି ଗୋଟାଏ ଯୋଡ଼ାଏ ତମ୍ୱୁ ଦେଖାଯାଏ । ସେଗୁଡ଼ିକହିଁ ଶିକାରୀ ତମ୍ୱୁ ।

ତମ୍ୱୁଭିତରେ ବସିଥିଲେ ଦୁଇ ଜଣ ଯୁବକ । ଦେହରେ ଶିକାରୀ ପୋଷାକ । ଟେବୁଲ ଉପରେ ଥୁଆଯାଇଥିଲା ଦୁଇଟି ଦୋନଳିଆ ବନ୍ଧୁକ । କ୍ୟାଟ୍ରିଜର ମାଳ ଦୁଇଟି ବି ଥୁଆ ହୋଇଥିଲା ତା’ରି ପାଖରେ । ଦୁଇଜଣଯାକ ଦୁଇଟି ଇଜି ଚେୟାରରେ ଆଉଜି ପଡ଼ିଥିଲେ । ହୁଏ ତ ସେ ଦୁହେଁ ଥିଲେ ଗଭୀର ଚିନ୍ତାରେ ମଗ୍ନ । ଲ୍ୟାମ୍ପ୍‌ଟି ଖୁବ୍‍ ଉଜ୍ଜ୍ୱଳ ହୋଇ ଜଳୁଥିଲା ଟେବୁଲର ଆଉ ଗୋଟିଏ ଧାରରେ । ଯୁବକ ଦୁହିଁଙ୍କ ମଧ୍ୟରୁ ଯେଉଁ ଜଣକ ଅପେକ୍ଷାକୃତ ଟିକିଏ ଅଧିକ ବୟସର ଜଣାଯାଉଥିଲେ, ସେ ଜାଗ୍ରତ ଥିଲେ । ଅଳ୍ପବୟସ୍କ ଜଣଙ୍କର ଆଖି ମୁଦି ହୋଇ ରହିଥିଲା । ସେ ଜାଗ୍ରତ ଅବା ସୁପ୍ତ, ତାହା ବାରି ହେଉନଥିଲା ।

 

ଏତିକିବେଳେ ଅଣ୍ତିରା ବିଲୁଆଟାଏ ରଡ଼ି କରିଉଠିଲା ଜଙ୍ଗଲ ଭିତରୁ । ଯେଉଁ ଯୁବକଜଣକ ଜାଗ୍ରତ ଥିଲେ, ସେ ଟିକେ ସତର୍କ ହୋଇଉଠିଲେ । ଶବ୍ଦଟା ନିର୍ଜନ ନିଃଶବ୍ଦ ରାତିରେ ବିଭୀଷିକା ସୃଷ୍ଟି କରୁଥିଲା । ଅଣ୍ତିରା ବିଲୁଆର ରଡ଼ି କରିବା ପଛରେ କେତେ ଯେ ରହସ୍ୟ ଲୁଚି ରହିଥାଏ, ତାହା ଜାଣନ୍ତି କେବଳ ଶିକାରୀମାନେ । ଅଣ୍ତିରା ବିଲୁଆ ବିପଦରେ ନ ପଡ଼ିଲେ ପ୍ରାୟ ରଡ଼ି କରେ ନାହିଁ । ବାଘ ଉପରେ ସେ ସତର୍କ ଦୃଷ୍ଟି ରଖିଖାଏ । ବାଘ ଶିକାରକୁ ବାହାରିଲମାତ୍ରେ ସେ ରଡ଼ି କରି ସମସ୍ତଙ୍କୁ ସାବଧାନ କରାଇଦିଏ । ଶିକାରୀମାନେ ମଧ୍ୟ ସତର୍କ ହୋଇଯାଆନ୍ତି । ତା’ର ବୋବାଳିର ସ୍ୱରରେ ବ୍ୟାକୁଳତା, ବ୍ୟଗ୍ରତାକୁ ଶିକାରୀ ଲକ୍ଷ୍ୟ କରି ପରିସ୍ଥିତ ବୁଝିପାରେ ଏବଂ ନିଜର ପରବର୍ତ୍ତୀ କର୍ମପନ୍ଥା ସ୍ଥିର କରେ ।

 

ଶବ୍ଦଟା ବହୁଦୂରରୁ ଶୁଣାଯାଉଥିଲେ ବି ଗତିର ନୀରବତା ଭିତରେ ତଡ଼ିତ୍‌ ପରି ଗତି କରି ଆସୁଥିଲା ସେ’ଟା । ଥରେ ନୁହେଁ, ଦୁଇ ଥର ନୁହେଁ, ଲାଗ୍‌ ଲାଗ୍‌ ତିନି ଚାରି ଥର ଶବ୍ଦଟା ଶୁଣି ବୟସ୍କ ଯୁବକ ଜଣକ ସିଧା ହୋଇ ବସିଲେ ଚେୟାର ଉପରେ । ତା’ପରେ ବନ୍ଧୁକଟା ଟେବୁଲ ଉପରୁ ଉଠାଇନେଇ ଲୋଡ଼ କରିନେଲେ ଏବଂ ସେ’ଟିକୁ କୋଳରେ ଧରି ପୁଣି ଆଉଜିପଡ଼ିଲେ ଚେୟାର ଉପରେ ।

 

ରାତି ବଢ଼ି ଚାଲିଥିଲା । ମଝିରେ ମଝିରେ ବିଲୁଆର ରଡ଼ି ଶୁଣାଯାଉଥିଲା ବଣଆଡ଼ୁ । ତମ୍ୱୁଭିତରେ ଯୁବକ ଦିହେଁ ପୂର୍ବ ଅବସ୍ଥାରେ ବସିରହିଥିଲେ । ରାତିଟା ଘୋର ଅସ୍ୱସ୍ତିକର ବୋଧ ହେଉଥିଲା କାହିଁକି ସେଦିନ ।

 

ହଠାତ୍‌ ବହୁଦୂରରେ ହେ’ ହେ’ ଚିତ୍କାର ଶୁଣାଗଲା । ଜାଗ୍ରତ ଥିବା ଯୁବକ ଜଣଙ୍କର ଆଖି ଦୁଇଟି ବିସ୍ଫୋରିତ ହୋଇଉଠିଲା । ସେ ଚୌକୀ ଉପରେ ସିଧା ହୋଇ ବସି କାନ ପାତିଲେ । ସେ ପ୍ରଥମେ ଯାହା ଅନୁମାନ କରୁଥିଲେ ତା ଠିକ୍‍ । ଶବ୍ଦଟା ଥିଲା ବହୁତଗୁଡ଼ାଏ ଲୋକଙ୍କର ପାଟିଗୋଳର ଶବ୍ଦ ଏବଂ ସେ’ଟା, ଆସୁଥିଲା ସୀମାନ୍ତ ଗ୍ରାମ ଦିଗରୁ । ଯୁବକ ଜଣକ ଘଟଣଟା କ’ଣ ହୋଇପାରେ ବୋଲି ପ୍ରଥମେ ଜାଣିବାକୁ ଚିନ୍ତାରେ କିଛି ସମୟ ମଗ୍ନ ରହିଗଲେ । ତାଙ୍କର ଏପରି ସନ୍ଦେହ କରି ଚିନ୍ତା କରିବାର ଯଥେଷ୍ଟ କାରଣ ଅବଶ୍ୟ ଥିଲା । ପ୍ରଥମ କାରଣ ହେଲା, ସୀମାନ୍ତ ଅଞ୍ଚଳର ଅଧିବାସୀମାନେ ଏତେ ଶାନ୍ତପ୍ରିୟ ଯେ, ସେମାନଙ୍କ ମଧ୍ୟରେ କୌଣସି ପ୍ରକାର କଳି ଦଙ୍ଗା ହେବା ସମ୍ଭବ ନ ଥିଲା । ଦ୍ୱିତୀୟତଃ, ସମୟ ଥିଲା ନିତାନ୍ତ ଅସମୟ । ଏତେ ରାତିରେ କୌଣସି ଆମୋଦ ଉତ୍ସବଜନିତ କୋଳାହଳ ଆଦୌ ସମ୍ଭବ ନଥିଲା । ତେବେ ଗୋଳମାଳଟାର କାରଣ କ’ଣ ହୋଇପାରେ ?

 

ତାଙ୍କର ଚିନ୍ତା ହୁଏତ ଆହୁରି ଗଭୀର ହୋଇଥାନ୍ତା । ଏଣେ ଗୋଳମାଳ ବେଳୁବେଳ ଅଧିକ ଶୁଣାଯାଉଛି । ହଠାତ୍‌ ଢୁ ଢା ହୋଇ ଦୁଇତିନିଟା ଫାୟାରିଂ ଶବ୍ଦ ଭାସିଆସିଲା ସେଇଆଡ଼ୁ । ଯୁବକ ବ୍ୟଗ୍ରଭାବରେ ଧାଇଁଗଲେ ସେହି ଦିଗରେ ଥିବା ତମ୍ୱୁର ଝରକା ନିକଟକୁ । ଝରକାରୁ କନା ପରଦାଟା ଟେକିଦେଇ ଚାହିଁଲେ ଦୂରକୁ । ଦୂରରେ ବହୁଦୂରରେ ଦେଖାଯାଉଥିଲା ନିଆଁର ଝାପ୍‌ସା ଝାପ୍‌ସା ଶିଖା । ପୁଣି ଥରେ କେତେଟା ଫାୟାରିଂ ଶବ୍ଦ ଭାସିଆସିଲା ସେଇଆଡ଼ୁ । ଯୁବକ ବଡ଼ ବିବ୍ରତ ହୋଇପଡ଼ିଲେ । ଘଟଣାଟା ନିଶ୍ଚୟ ବଡ଼ ସାଂଘାତିକ । ଏ ଅଞ୍ଚଳରେ ଭାରତୀୟ ସୀମାନ୍ତରକ୍ଷୀ ପୋଲିସଙ୍କ ବ୍ୟତୀତ ଅନ୍ୟ କାହାରି ନିକଟରେ ବନ୍ଧୁକ ନାହିଁ । କାଠକଟାଳି ଦଳ ସାଙ୍ଗରେ ଅବଶ୍ୟ କେତେଜଣ ଶିକାରୀ ଅଛନ୍ତି । ସେମାନଙ୍କର ବନ୍ଧୁକ ଅଛି । କିନ୍ତୁ ସେମାନେ ଏତେ ରାତିରେ ତମ୍ୱୁରେ ଆରାମରେ ନ ଶୋଇ ବରଫ ଉପରେ ଦୀର୍ଘ ମାଇଲିଏ ଯାଇ ସୀମାନ୍ତ ଗ୍ରାମରେ ପହୁଞ୍ଚିବେ କାହିଁକି ? ପୁଣି ନିଆଁ ଯେପରି ଦେଖାଯାଉଛି, ଜଣାଯାଉଛି, ଯେପରି ଗୋଟାଏ ଗାଁ ପୋଡ଼ିଯାଉଛି । ଆଉ କ’ଣ ସୀମାନ୍ତରକ୍ଷୀମାନଙ୍କ ସହିତ ସେମାନଙ୍କର କୌଣସି ସଂଘର୍ଷ ଲାଗିଗଲା ?

 

ଆଉ ଚିନ୍ତା କରିବାର ଅବସର ନ ଥିଲା । ଯୁବକ ଝରକାର ପରଦାଟାକୁ ବାଁ ହାତରେ ସେହିପରି ଟେକି ଧରି ମୁହଁ ବୁଲାଇଲେ ଶୋଇଥିବା ଯୁବକ ଜଣକ ଆଡ଼େ । ତା’ପରେ ଖୁବ୍‍ ବ୍ୟସ୍ତ ଭାବରେ ଡାକିଲେ–‘ରୂପକ୍‌ ! ରୂପକ୍‌ !’ ସ୍ୱରରେ ତାଙ୍କର ଭୟ, ବ୍ୟଗ୍ରତା ଏବଂ ବିହ୍ୱଳତା ମିଶାମିଶି ହୋଇ ରହିଥିଲା ।

 

ଡାକ ଶୁଣିଲାମାତ୍ରେ ରୂପକ ଉଠି ଠିଆ ହୋଇଗଲା । ‘କ’ଣ ଭାଇ ?’’ କହିବା ସଙ୍ଗେ ସଙ୍ଗେ ସେ ଏକାଡ଼ିଆଁକେ ଯାଇ ହାଜର ହୋଇଗଲା ଆର ଯୁବକ ପାଖରେ । ଖୋଲା ଝରକାବାଟେ ସୀମାନ୍ତର ଦୃଶ୍ୟ ଏବଂ ଗୋଳମାଳ ରୂପକ ସ୍ପଷ୍ଟ ଦେଖି ଶୁଣିପାରିଲା ।

 

‘‘କିଛି ଅନୁମାନ କରିପାରୁଛୁ ?’’ ପଚାରିଲା ଆର ଯୁବକଟି ।

 

ମୁଣ୍ତ ହଲାଇ ‘ନାହିଁ’ କଲା ରୂପକ ।

 

‘‘ୟେ କିଛି ଗୋଟାଏ ବିତ୍ପାତର ସୂଚନାରେ ରୂପକ ! ଭାବିଥିଲି– କାଶ୍ମୀର ସୀମାନ୍ତ ଯୁଦ୍ଧ ପରେ ଟିକିଏ ବିଶ୍ରାମ ମିଳିବ । ସେଥିପାଇଁ ଶିକାରୀ ଦଳ ସହିତ ମିଶି ଚାଲିଆସିଲେଁ ଏଠିକୁ । କିନ୍ତୁ ଏଠି ବି ସେୟା । ଦୀପକ ଆଉ ରୂପକ, ଏ ଦୁହିଁଙ୍କ ଲଲାଟରେ ଶାନ୍ତି ବୋଲି ଗୋଟାଏ ଜିନିଷ କ’ଣ ତାହା ଭଗବାନ ଦେଇନାହାନ୍ତି । ଚାଲ୍‌ ଏଥର । ଘଟଣାଟା ଥରେ ନ ଦେଖିଲେ ମନଟା ସ୍ଥିର ହେବନାହିଁ ।’’

 

‘‘ପୁଣି ଏଆଡ଼େ ? କାଲି ସକାଳୁ ଗଲେ ଚଳନ୍ତାନି ?’’ ଆଗ୍ରହର ସହିତ ପଚାରିଲା ରୂପକ ।

 

ଦୀପକ ଟିକିଏ ବିରକ୍ତ ହୋଇଉଠି କହିଲା, ‘‘ଦିନକୁ ଦିନ ବଡ଼ ଆଳସ୍ୟପରାୟଣ ତୁ ହୋଇପଡୁଛୁ ରୂପକ ! ନିଦ୍ରାକୁ ହିଁ ସମ୍ୱଳ କଲେ ଜୀବନରେ ମୂଲ୍ୟ ବଢ଼େନି । ସେଥିପାଇଁ କର୍ମ ଦରକାର । ଦେଶ ଆମକୁ ବ୍ୟାକୁଳ ଭାବରେ ଚାହିଁଛି । କୋଟି କୋଟି ଦରିଦ୍ର ନିରନ୍ନ ପରିବାର ମୁହଁକୁ ଖାଦ୍ୟ ମୁଠେ ଜୁଟୁନି । ଏତେବେଳେ ଆମକୁ ଦେଶସେବାରେ ଜୀବନ ଉତ୍ସର୍ଗ କରିଦେବାକୁ ହେବ ।’’

 

ରୂପକ ନିତାନ୍ତ ଲଜ୍ଜିତ ହୋଇ କହିଲା, ‘‘ନା, ନା, ଭାଇ ! ସ୍ୱାର୍ଥ ବିଷୟ ମୁଁ ଆଦୌ ଚିନ୍ତା କରିନି । ମୁଁ କହୁଥିଲି କି ଏତେ ରାତି ହେଲାଣି । ବରଫରେ ଚାରିଆଡ଼ ରୁନ୍ଧି ହୋଇଗଲାଣି । ତୁଷାର ବର୍ଷା ବି ଚାଲିଛି । ଏତେବେଳେ—

 

‘‘ବେଶ୍‌, ବେଶ୍‌, ଆଉ ଦରକାର ନାହିଁ । ଏହି ରାତିହିଁ ଆମ ଯାତ୍ରା ପାଇଁ ସୁଯୋଗ ଆଣିଦେଇଛି । ବର୍ତ୍ତମାନ ବରଫରେ ଉଚ୍ଚଖାଲ ସବୁ ସମାନ ହୋଇ ରହିଛି । ତା ଉପରେ ସୁନ୍ଦର ଚାଲିଯାଇ ହେବ । କିନ୍ତୁ ସକାଳ ହେଲେ ବରଫ ତରଳିଯିବ । ରାସ୍ତା ପୁଣି ଯେଉଁ ପଥରିଆ ଦୁର୍ଗମକୁ ସେଇଆ ହୋଇଯିବ । ଆମ ଯାତ୍ରାରେ ତାହା ଘୋର ଅନ୍ତରାୟ ସୃଷ୍ଟି କରିବ । ତା’ପରେ ପ୍ରଚଣ୍ତ ଖରା ବି । ଆମେ ଏହି ସଙ୍ଗେ ସଙ୍ଗେ ଗଲେ ଯେତେ ବିଷୟ ସନ୍ଧାନ କରିପାରିବା, କାଲି ହୁଏ ତ ସେତେ ନ ପାଇ ପାରୁଁ !’’

 

‘‘ଭଲ । ତେବେ ମୁଁ ପ୍ରସ୍ତୁତ । ଏଣେ ମିଷ୍ଟର ସିଂଙ୍କୁ ତ ଖବର ଦେବାକୁ ହେବ ?’’ ପଚାରିଲା ରୂପକ ।

 

‘‘ଠିକ୍‍ ଅଛି । ମୁଁ ଖଣ୍ତିଏ ଚିଠି ଲେଖି ଏଇ ଟେବୁଲ ଉପରେ ରଖିଦେଉଛି । କାଲି ସକାଳୁ ମିଷ୍ଟର ସିଂ ନିଶ୍ଚୟ ତାହା ପାଇଯିବେ । ଆମେ ହୁଏ ତ କାଲି ସକାଳଓଳି ଆସି ପହଞ୍ଚିଯାଇପାରିବା ବୋଲି ମୁଁ ଆଶା କରୁଚି’’—ଦୀପକ କହିବା ସଙ୍ଗେ ସଙ୍ଗେ ଟେବୁଲ ଡ୍ର’ରୁ କାଗଜ କଲମ ବାହାର କରି ଚିଠି ଲେଖିବାରେ ଲାଗିଗଲା । ରୂପକ ବନ୍ଧୁକ ଇତ୍ୟାଦି ଲୋଡ଼୍‌କରି ପ୍ରସ୍ତୁତ ହୋଇପଡ଼ିଲା । ଅଳ୍ପସମୟ ମଧ୍ୟରେ ଦୁହେଁ ତମ୍ୱୁର ବାହାରକୁ ବାହାରିପଡ଼ିଲେ ।

 

ଜହ୍ନ ବୁଡ଼ିଆସିଲାଣି ସେତେବେଳକୁ । ବରଫରେ ଚାରିଆଡ଼ ଧଳା ଚାଦର ବିଛାଇ ଦେଲା ପରି ଦେଖାଯାଉଛି । ତାଆରି ଉପରେ ଦୁଇଟି ମନୁଷ୍ୟମୂର୍ତ୍ତି ଆଗେଇ ଯାଉଥିଲେ ସୀମାନ୍ତ ଆଡ଼କୁ । ଚିହ୍ନିତ ହେଉ ନ ଥିଲା । ଖାଲି ମୂର୍ତ୍ତି ଦୁଇଟି କ୍ରମଶଃ ଦୂରେଇ ଯିବା ସଙ୍ଗେ ସଙ୍ଗେ ଅସ୍ପଷ୍ଟ ହୋଇଆସୁଥିଲେ କୁହୁଡ଼ି ଧୂଆଁ ଭିତରେ ।

 

ଦୁଇ

 

ପଲ୍ଲୀ ଗାଁଟି ସମ୍ପୂର୍ଣ୍ଣ ପୋଡ଼ିଯାଇଥିଲା; ତା ସାଥିରେ ଲୋକମାନଙ୍କର ସକଳ ସମ୍ପତ୍ତି ମଧ୍ୟ-। ସମ୍ପତ୍ତି କହିଲେ ଟଙ୍କାସୁନା ନୁହେଁ କି ଦାମୀ ଲୁଗାପଟା, ଆସବାପତ୍ର ନୁହେଁ । ଛିଣ୍ତା ଫଟା ଲୁଗାପଟା ଦି’ଖଣ୍ତ, ମକା ବାଜରା ମୁଠାଏ—ଏଇଆ ତଥାପି ସେତକ ପାଇଁ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ଯେ କି ଆତୁର ହୋଇପଡ଼ୁଥାନ୍ତି ତାହା ଦେଖିଲେ କଠିନ ହୃଦୟ ଅବଶ୍ୟ ତରଳିଯିବ ।

 

ମକା, ବାଜରା ପତ୍ର ଛାଉଣୀ ଘରଗୁଡ଼ାକ ପୋଡ଼ି ଭସ୍ମ ହୋଇଯାଇଥିଲା । ଏଠି କେବଳ ଖୁବ୍‍ ଧନୀ ବା ବୁନିଆଦ ଘରେ କାଠ ବାଉଁଶ ଦେଖିବାକୁ ମିଳେ । ଏଇ ଗାଁରେ ମଧ୍ୟ ସେପରି ଘର ଗୋଟାଏ ଦୁଇଟା ଥିଲା । ସେଗୁଡ଼ିକ ମଧ୍ୟ ଏ ଅଗ୍ନିଦାହ—ଭିତରୁ ରକ୍ଷା ପାଇ ନ ଥିଲା । ଦୀପକ ଆଉ ତାର ସାଥୀରୂପକ ସେଠାରେ ପହଞ୍ଚିଲା ପର୍ଯ୍ୟନ୍ତ ଦରପୋଡ଼ା କାଠବାଉଁଶରୁ ନିଆଁ କୁହୁଳି କୁହୁଳି ଉପରକୁ ଉଠୁଥିଲା । ଆଶ୍ରୟ ନେବାକୁ ସ୍ଥାନ ନାହିଁ । ଖାଦ୍ୟ ନାହିଁ, ସାହାଭରସା ନାହିଁ । ବାସ୍ତବିକ କେଡ଼େ ଦରିଦ୍ର, ଅସହାୟ ନୁହନ୍ତି, ଏ ଲୋକଗୁଡ଼ିକ !

 

ଦୀପକ ଏବଂ ରୂପକଙ୍କୁ ଦେଖି ଏମାନେ କ’ଣ ଭାବିଲେ କେଜାଣି, ଭୟରେ ଜଡ଼ସଡ଼ ହୋଇଗଲେ । ବିଶେଷତଃ ଏମାନଙ୍କ ହାତରେ ବନ୍ଧୁକ ଦେଖି ସେମାନେ ସେମାନଙ୍କର ଛୋଟ ଛୋଟ ପିଲାଙ୍କୁ କୋଳ ଭିତରେ ଲୁଚାଇ ରଖି ନିରାପଦ ସ୍ଥାନ ପ୍ରତି ଦୃଷ୍ଟିପାତ କରିବାକୁ ଲାଗିଲେ । ବୟସ୍କା ଯୁବତୀ ଝିଅମାନେ ନିଜକୁ ଲୁଚାଇ ରଖିବାପାଇଁ ଉହାଡ଼ିଆ ଜାଗାକୁ ଚାଲିଗଲେ । ବୟସ୍କ ପୁରୁଷ ଲୋକମାନେ କ୍ରୋଧ ଓ ଭୟର ମିଶାମିଶି ଭାବ ପ୍ରକାଶ କରି ଗୁଣୁଗୁଣୁ ହୋଇ ସେମାନଙ୍କ ଭାଷାରେ କ’ଣ ଗାଳି ଦେବାକୁ ଲାଗିଗଲେ ଯେପରି । ଏମାନଙ୍କର ମନୋଭାବ କ’ଣ, ତା ବେଶ୍‌ ଠଉରାଇ ନେଇପାରିଲେ ଦୁହେଁ । ନିର୍ମମ ଡକାୟତମାନେ ଯେ କାଲି ରାତିରେ ଏମାନଙ୍କର ସର୍ବସ୍ୱ ଲୁଟ୍‌କରି ନେଇଚନ୍ତି, ଏଥିରେ ଆଉ କିଛି ବୁଝିବାକୁ ବାକୀ ରହିଲା ନାହିଁ ସେ ଦୁହିଁଙ୍କର ।

 

ଲୋକମାନଙ୍କର ସେ ଦୁହିଁଙ୍କ ପ୍ରତି ବିଶ୍ୱାସ ଜନ୍ମାଇବା ସେମାନଙ୍କ ପକ୍ଷରେ ଅସମ୍ଭବ ହୋଇପଡ଼ିଲା । ଦୀପକ ଏବଂ ରୂପକ ସେମାନଙ୍କ ଭାଷାରେ ଅଭ୍ୟସ୍ତ ଥିଲେ । ସୁତରାଂ ବୁଝାବୁଝି କରିବାକୁ କଷ୍ଟ ହେଲା ନାହିଁ । ଅସହାୟ ଲୋକମାନଙ୍କ ଭିତରେ କେତେଜଣ ଯୁବକ ଥିଲେ । ସେମାନେ ପ୍ରାୟ ପ୍ରତ୍ୟେକେ ଆହତ ହୋଇଥିଲେ । ସେମାନଙ୍କ ଭିତରେ ଖୁବ୍‍ ଭଦ୍ର ଆଉ ବଳିଷ୍ଠ ବୋଧ ହେଉଥିବା ଯୁବକଟି ଅପେକ୍ଷାକୃତ ଅଳ୍ପ ଭୟ କରୁଥିଲା । ସର୍ବପ୍ରଥମେ ସେଇ କେବଳ ଦୀପକ ଏବଂ ରୂପକଙ୍କ ନିକଟକୁ ଆସି, ସେମାନେ କିଏ, କେଉଁଠୁ ଆସିଛନ୍ତି, କାହିଁକି ଆସିଛନ୍ତି—ଏସବୁ ପଚାରି ବୁଝିଥିଲା ।

 

ଯୁବକଟିର ବ୍ୟବହାରରେ ଦୀପକ ଏବଂ ରୂପକ ସନ୍ତୁଷ୍ଟ ହୋଇଥିଲେ । ଯୁବକଟିର ନାମ ଓ୍ୱାଙ୍ଗ୍‌ଲୁ । ତା’ ଠାରୁ ଦୁହେଁ ସ୍ପଷ୍ଟ ଜାଣିପାରିଲେ ଯେ—ଦୁଇଦିନ ତଳେ ସାତଜଣ ଚୀନା ସୈନ୍ୟ ଆସି ତାଙ୍କ ଗ୍ରାମରେ ପହଞ୍ଚିଲେ । ଅତିଥି ବୋଲି ଗ୍ରାମବାସୀମାନେ ତାଙ୍କୁ ଖୁବ୍‍ ଚର୍ଚ୍ଚା କରୁଥିଲେ । ସେହି ସୈନ୍ୟମାନେ ପ୍ରତି ସନ୍ଧ୍ୟାରେ ଗାଁରେ ସଭା ଡକାଇ ଚୀନ ସରକାର ପ୍ରତି ଅନୁରକ୍ତ ରହି ଭାରତ ବିରୁଦ୍ଧରେ ଠିଆ ହେବାକୁ ମତାଇଲେ । ଗ୍ରାମବାସୀମାନେ ଚିରଦିନ ଭାରତର । ତେଣୁ ସେମାନେ ତାଙ୍କ ପ୍ରସ୍ତାବରେ ରାଜି ହେଲେ ନାହିଁ । ସୈନ୍ୟଗୁଡ଼ା ଗ୍ରାମବାସୀଙ୍କୁ ବହୁ ଧନର ପ୍ରଲୋଭନ ଦେଖାଇଲେ । ମାତ୍ର ସେଥିରେ କିଛି ଫଳ ନହେବାରୁ ଧମକ ଚମକ ଦେଲେ । ସେଥିରେ ମଧ୍ୟ କିଛି ସୁଫଳର ଆଶା ଦେଖାଗଲା ନାହିଁ । ଦିନେ ପ୍ରାୟ ଦି’ପହରବେଳେ ସେମାନେ ଗୋଟାଏ ଯନ୍ତ୍ର ମୁହଁରେ ଲଗାଇ କ’ଣ ସବୁ କଥାବାର୍ତ୍ତା କଲେ କାହା ସହିତ । ତା ପରେ ବେଶପୋଷାକ ହୋଇ ବନ୍ଧୁକ ସଜଡ଼ାସଜଡ଼ି କଲେ । ସନ୍ଧ୍ୟା ହେବା ସଙ୍ଗେ ସଙ୍ଗେ ଗୋଟାଏ ଲରୀରେ ଆଉ କେତେଗୁଡ଼ାଏ ସୈନ୍ୟ ଆସି ପହଞ୍ଚିଗଲେ ଏଠି । ସେତିକିବେଳକୁ ଆରମ୍ଭ ହେଲା ଧୂମ୍‌ଧାମ୍‌ । ଆମକୁ ସବୁ ଗୋଟାଏ ଜାଗାରେ ଠିଆ କରାଇ ଚାରିପଟେ ବନ୍ଧୁକ ଧରି ଜଗି ଠିଆ ହେଲେ । ଆମରି ଆଗରେ ଆମର ପୋଷା ଗାଈଗୋରୁ କୁକୁଡ଼ାଙ୍କୁ ଧରିନେଲେ । ଯିଏ ଟିକିଏ ପ୍ରତିବାଦ କଲା, ନିର୍ମମ ମାଡ଼ ତା ଉପରେ । ମାଡ଼ରେ ଆମ ଭିତରେ ଜଣେ ଦୁଇଜଣ ଅଜ୍ଞାନ ବି ହୋଇଗଲେ । ଶେଷବେଳକୁ ଦୁଇଜଣ ଯୁବତୀ ଝିଅଙ୍କୁ ଧରିନେଇ ସେମାନେ ଚାଲିଗଲେ । ଯିବା ସମୟରେ ଆମେ ସମସ୍ତେ ଏକାଠି ହୋଇ ସେମାନଙ୍କୁ ବାଧା ଦେଇଥିଲୁଁ । ଫଳ ହେଲା ବିଷମ । ସେମାନେ ଗୁଳି ଚଳାଇବା ଆରମ୍ଭ କରିଦେଲେ । ସେତିକିରେ ତାଙ୍କ ମନ ଶାନ୍ତ ହେଲା ନାହିଁ । ପଲା ଘର ଗୁଡ଼ିକରେ ନିଆଁ ଲଗାଇଦେଇ ଗଲେ । ଆମର କିଛି ଉପାୟ ନ ଥିଲା ବାବୁ ! ଡରି ମରି ସବୁ ସହିଯିବାକୁ ପଡ଼ିଲା ।’’

 

ୱାଙ୍ଗ୍‌ଲୁର କରୁଣ କାହାଣୀ ଶୁଣି ଦୀପକ ଆଉ ରୂପକ ଦୁହେଁ ଅତି ମାତ୍ରାରେ ଉତ୍ତେଜିତ ହୋଇପଡ଼ିଥିଲେ; ମାତ୍ର ୱାଙ୍ଗ୍‌ଲୁ ଥିଲା ଶାନ୍ତ । ତା’ର ନିରୀହ ଚାହାଁଣୀରେ କାରୁଣ୍ୟ ଭରି ରହିଥିଲ । ଦୀପକ ଚାହିଁଲା ତା’ଆଡ଼େ ବେଶ୍‌ ବଳିଷ୍ଠ ଯୁବକ । ଦେହରେ ଶକ୍ତି ଖୁନ୍ଦି ହୋଇ ରହିଛି । ଉପଯୁକ୍ତ ଶିକ୍ଷା ପାଇଲେ ଏ ମଧ୍ୟ ଅସାଧ୍ୟ ସାଧନ କରିପାରିବ । କିନ୍ତୁ ଶିକ୍ଷା କାହିଁ ? ଅଭାବ ଦୁଃଖ ଏମାନଙ୍କୁ ନିରୀହ ଏବଂ ଶାନ୍ତ କରିପକାଇଛି । ସବୁ ଅତ୍ୟାଚାର ନୀରବରେ ସହିଯିବା ଛଡ଼ା ଏମାନଙ୍କର ପଦେ ହେଲେ ପାଟି ଫିଟାଇବର ଜୁ ନାହିଁ । ସେଇ ଦୁର୍ବଳତାକୁ ଚୀନା ଡକାୟତମାନେ ଗୋଟାଏ ସୁଯୋଗ ବୋଲି ଧରି ନେଇଛନ୍ତି ।

 

ୱାଙ୍ଗ୍‌ଲୁଠାରୁ ସବୁ ଶୁଣିଲା ପରେ ପ୍ରଥମେ ଦୀପକର ଧାରଣା ହୋଇଥିଲା ଯେ ଏମାନେ ଚୀନା ଡକାୟତ । ମାତ୍ର ପରେ କଥାଟାକୁ ଚିନ୍ତା କରି ପ୍ରଥମ କରିଥିବା ଧାରଣା ଭୁଲ ବୋଲି ବୁଝିପାରଲା । କାରଣ ଡକାୟତମାନେ କେବଳ ଧନସମ୍ପତ୍ତିରେ ଲୋଭ କରନ୍ତି । ମାତ୍ର ଏଠାରେ ତାହା ଜଣାଯାଉନାହିଁ । ତା’ ପରେ ଏମାନେ ଚୀନା ସରକାର ସପକ୍ଷରେ ବା ଲୋକଙ୍କୁ ମତାନ୍ତେ କାହିଁକି ? ସନ୍ଦେହ ଦୂର କରିବାପାଇଁ ସେ ତାକୁ ପଚାରିଲା—‘‘ଆଚ୍ଛା, ୱାଙ୍ଗ୍‌ଲୁ ! ତୁମେ ଏପରି ଲୋକ ଆଗରୁ କେଉଁଠି ଦେଖିଛ ?’’

 

‘‘ବହୁତ !’’ ଭ୍ରୂଲତା ନଚାଇ କହିଲା ସେ । ଏଇ ବାଟ ଦୁଇ ମାଇଲ ହେବ, ଏଇ ଡକାୟତଗୁଡ଼ା ବହୁତ ଅଛନ୍ତି ତମ୍ୱୁ ପକାଇ । ତାଙ୍କ ପାଖରେ ବନ୍ଧୁକ ଗୁଳିଗୁଳା ଗାଡ଼ି ବି ବହୁତ ଅଛି-। ସେଟା ତାଙ୍କ ଦେଶ । ଆମକୁ ଥରେ ନେଇ କାମ କରେଇଥିଲେ ସେଠି ।’’

 

ଦୀପକ ଅଶ୍ଚର୍ଯ୍ୟ ହେଲା ଶୁଣି । ପଚାରିଲା ‘‘କାମ ? କି କାମ ?’’

 

‘‘ଏଇ ରାସ୍ତା ତିଆରି; ପଥର କଟା । ପଇସାପତ୍ର ନାହିଁ । ଖାଲି ମକା ଛତୁ ମୁଠାଏ ଲେଖାଁ ଦିନରେ ଥରେ ମିଳେ । ଆମେ ଲୁଚି ପଲାଇଆସିଲୁଁ । ‘‘ସାଧାରଣ ଭାବରେ ଉତ୍ତର ଦେଲା ୱାଙ୍ଗ୍‌ଲୁ ।

 

ୱାଙ୍ଗ୍‌ଲୁର କଥାଟା ଦୀପକକୁ ଭାରି ଆଶ୍ଚର୍ଯ୍ୟ ବୋଧ ହେଲା । ସେପଟେ ଅବଶ୍ୟ ଚୀନ୍‌ର ସୀମା । ତେବେ ଏତେ ପାଖରେ ତ ନୁହେଁ ! ଏପରି ଭାବରେ ରାସ୍ତା ତିଆରି, ଗୁଳିଗୋଳା ସହ ସୈନ୍ୟ ପଇଁନ୍ତରା ଦେବା ତ ଆନ୍ତର୍ଜାତିକ ନିୟମବିରୁଦ୍ଧ କାମ । ୱାଙ୍ଗ୍‌ଲୁର କଥା ଯଦି ସତ ହୋଇଥାଏ ତେବେ ତା’ର ଫଳାଫଳ ଅତି ସାଂଘାତିକ ନିଶ୍ଚୟ । ମନ କଥା ମନରେ ରଖି ସେ ୱାଙ୍ଗ୍‌ଲୁକୁ ପଚାରିଲା—ଆଚ୍ଛା, ‘‘ଆମକୁ ନେଇଯାଇ ପାରିବୁ ସେ ଜାଗାକୁ ?’’

 

ୱାଙ୍ଗ୍‍ଲୁ ମୁଣ୍ଡ ଟୁଙ୍ଗାରି ସମ୍ମତି ଜଣାଇଲା ।

 

ରାତି ପାହି ପାହି ଆସିଲାଣି ସେତେବେଳକୁ । ଖୁବ୍‍ ବେଶି ହେଲେ ଆଉ ଘଣ୍ଟାକ ପରେ ଆଲୁଅ ଆସିଯିବ । ଖରା ପଡ଼ିବାକୁ ବହୁତ ଡେରି । ତେବେ ଖରା ପଡ଼ିବା ପର୍ଯ୍ୟନ୍ତ ଅପେକ୍ଷା ନ କରି ଫରଚା ହେବା ସଙ୍ଗେ ସଙ୍ଗେ ବାହାରି ପଡ଼ିବାକୁ ମନେ ମନେ ସ୍ଥିର କରିନେଲା ।

 

ରୂପକ ଏଣେ ସେହି ଅସହାୟ ଲୋକମାନଙ୍କ ସହିତ ବେଶ୍‌ ଆଳାପ ସ୍ଥାପନ କରିସାରିଥାଏ । ପୋଡ଼ା ଘରୁ ଯାହା କିଛି ଦରପୋଡ଼ା ଖଣ୍ତେ ଅଧେ ଥିଲା, ତାକୁ ସଜଡ଼ା ସଜଡ଼ି କରିବାରେ ଲାଗିପଡ଼ିଥାନ୍ତି ଲୋକଗୁଡ଼ା । ରୂପକ ସାହାଯ୍ୟ କରୁଥାଏ ସେମାନଙ୍କୁ । ପରେ ପରେ ୱାଙ୍ଗ୍‌ଲୁ ଏବଂ ଦୀପକ ଯାଇ ସେମାନଙ୍କୁ ସାହାଯ୍ୟ କରିବାରେ ଲାଗିପଡ଼ିଲେ । ଏଇ ଅଳ୍ପ ସମୟର କଥାବାର୍ତ୍ତା, ସାହାଯ୍ୟ ସହଯୋଗ ଭିତରେ ସୀମାନ୍ତବାସୀମାନେ ଏ ଦୁହିଁଙ୍କର ଆତ୍ମୀୟତାର ପରିଚୟ ପାଇପାରିଥିଲେ । ଏ ଦୁହିଁଙ୍କ ପ୍ରତି ସେମାନଙ୍କର ବିଶ୍ୱାସ କ୍ରମେ ଦୃଢ଼ ହୋଇଆସୁଥିଲା ।

 

ସକାଳର ପ୍ରଥମ ଆଲୋକ ଦେଖାଯିବାକ୍ଷଣି ଦୀପକ, ରୂପକ ଏବଂ ସେମାନଙ୍କର ପଥପ୍ରଦର୍ଶକରୂପେ ୱାଙ୍ଗ୍‌ଲୁ ବାହାରି ପଡ଼ିଲେ ଗନ୍ତବ୍ୟ ସ୍ଥାନ ସନ୍ଧାନରେ । ତୁଷାର ରାଜ୍ୟର ଆଉ ବର୍ଣ୍ଣନା କ’ଣ କରାଯାଇପାରେ ? ଖାଲି ବରଫ ଆଉ ବରଫ । ଯୁଆଡ଼କୁ ଚାହିଁଲେ—ଧବଳମୟ । ତାହା ପୁଣି କେଉଁଠି ପାହାଡ଼ ଆକୃତିର ବି ହୋଇଯାଇଛି । ଯେତେଦୂର ଦିଗ୍‌ବଳୟ ପର୍ଯ୍ୟନ୍ତ ଦୃଷ୍ଟିପାତ କରାଯାଇପାରେ, ଖାଲି ବରଫ ଛଡ଼ା ଆଉ କିଛି ନାହିଁ ।

 

ଏ ତିନିଜଣ ଆଗେଇ ଯାଉଥିଲେ ତା’ରି ଉପରେ । ଦେହରେ ଯଥେଷ୍ଟ ଗରମ ପୋଷାକ ଥିଲା ରୂପକ ଆଉ ଦୀପକଙ୍କର । କିନ୍ତୁ ୱାଙ୍ଗ୍‌ଲୁର ଯାହା କିଛି ଥିଲା, ଖୁବ୍‍ ସାମାନ୍ୟ । ତଥାପି ସେ ବେଶ୍‌ ଅଭ୍ୟସ୍ତ ଥିଲା ଭଳି ଚଳିଯାଉଥିଲା ଏମାନଙ୍କ ପରି । ବହୁତ ଗୁଡ଼ାଏ ବାଟ ଆସିଗଲା ପରେ ଦୀପକ ଓ୍ୱାଙ୍ଗ୍‌ଲୁକୁ ପଚାରିଲା—‘‘ସେ ଜାଗାଟା କେଉଁଠି ? ଆମେ ବାଟ ଭୁଲି ନ ଥାଇଁ ତ ?’’

 

ଓ୍ୱାଙ୍ଗ୍‌ଲୁ କହିଲା—‘‘ଆମେ ଏ ରାସ୍ତାରେ ଖୁବ୍‍ ଜଣାଶୁଣା । ବାଟ ଭୁଲିଯିବା ଆମ ପକ୍ଷରେ ସହଜ ନୁହେଁ । ଆଉ ଅଳ୍ପ ବାଟ ରହିଲା । ଆଗରେ ଏଇ ଯେଉଁ ପାହାଡ଼ଟା ଦିଶୁଚି, ତା’ର ସେପଟେ ଖଣ୍ତେ ଦୂର ଗଲେ ଜାଗାଟା ପଡ଼ିବ ।’’

 

ଦୀପକ ଦେଖିଲା, ପାହାଡ଼ଟା ପ୍ରକୃତରେ ବେଶି ଦୂର ନାହିଁ—ଖୁବ୍‍ ପାଖରେ । ଓ୍ୱାଙ୍ଗ୍‌ଲୁର କଥା ଯଦି ଠିକ ହୋଇଥାଏ ତେବେ ସେମାନେ ଠିକଣା ଜାଗାରେ ପହଞ୍ଚିଗଲେଣି ବୋଲି ଧରିନେବାକୁ ହେବ । ବରଫର ମୁକ୍ତ ପ୍ରାନ୍ତର ଭିତରେ ସିଧା ସିଧା ସେଠାକୁ ଯିବା ବିପଜ୍ଜନକ । ସେମାନେ ସବୁବେଳେ ସତର୍କ ରହିଥିବା ସୁନିଶ୍ଚିତ । ସିଧା ସିଧା ସେଠାକୁ ଯିବାକୁ ବସିଲେ ସେମାନଙ୍କ ଦୃଷ୍ଟିରେ ପଡ଼ି ବିପଦ ବରଣ କରିବା ମଧ୍ୟ ସୁନିଶ୍ଚିତ । ବର୍ତ୍ତମାନ ପ୍ରଧାନ ଭରସା ହେଉଛି ଏହି ପାହାଡ଼ । ୟାରି ଉପରେ ଚଢ଼ି ଗୋପନରେ ସେମାନଙ୍କର ଗତିବିଧି ଲକ୍ଷ୍ୟ କରିବାକୁ ହେବ ।

 

ଏହିପରି ଭାବୁ ଭାବୁ ସେମାନେ ଆସି ପାହାଡ଼ର ପାଦ ପାଖରେ ପହଞ୍ଚିଯାଇଥିଲେ । ସମୁଦାୟ ପାହାଡ଼ଟା ବରଫ ପଡ଼ି ଏତେ ପିଚ୍ଛିଳ ହୋଇଥିଲା ଯେ ତା ଉପରେ ପାଦ ରଖିବାହିଁ ମୁଷ୍କିଲ ହୋଇପଡ଼ୁଥିଲା । ଆଉ ଦୁଇଘଣ୍ଟା ଅପେକ୍ଷା କରିପାରିଥିଲେ ଏମାନେ ନିରାପଦରେ ପାହାଡ଼ ଚଢ଼ିପାରିଥାନ୍ତେ । କାରଣ ବରଫ ଗୁଡ଼ିକ ତରଳିଯାଇ ଖାଲି ପଥର ରହିଥାନ୍ତା । ମାତ୍ର ଅପେକ୍ଷା କରିବା ପାଇଁ ହାତରେ ସମୟ ଥିଲା ଖୁବ୍‍ ଅଳ୍ପ । ବରଂ ସବୁ କାମ ସାରିଦେଇ ଖରାପଡ଼ିବା ପୂର୍ବରୁ ଏଠାରୁ ଫେରିଯିବା ନିରାପଦ । କାରଣ ଏଠାରୁ ସୀମାନ୍ତ ଗ୍ରାମକୁ ଏବଂ ସେଠାରୁ ପୁଣି ଶିକାରୀ ତମ୍ୱୁକୁ ଫେରିବାକୁ ପଡ଼ିବ । ତେଣେ ମିଷ୍ଟର ସିଂ ହୁଏ ତ ତମ୍ୱୁରେ ଏମାନଙ୍କୁ ନ ଦେଖି ବ୍ୟତିବ୍ୟସ୍ତ ହୋଇପଡ଼ିବେଣି । ଦୀପକ ଚିଠିଖଣ୍ତିଏ ଲେଖିଦେଇ ଆସିଥିଲେ ସୁଦ୍ଧା ସେଥିରେ ବିଶଦ ଭାବରେ କିଛି ଲେଖି ନ ଥିଲା ।

 

ପର୍ବତ ଚଢ଼ା ଆରମ୍ଭ ହେଲା । ୱାଙ୍ଗ୍‌ଲୁ ବରଫ ପାହାଡ଼ ଉପରେ ଚଢ଼ିବାରେ ଖୁବ୍‍ ଅଭ୍ୟସ୍ତ ଥିଲା । ସେ ଭାବିଥିଲା ଯେ, ଏ ଦୁହେଁ ବରଫ ପାହାଡ଼ ଉପରେ ଆଦୌ ଚଢ଼ିପାରିବେ ନାହିଁ । ମାତ୍ର କାମରେ ନିଜ ଭାବନାର ଓଲଟା ଦେଖିଲ ବରଂ । ଦୀପକ ଏବଂ ରୂପକ ଏ କାମରେ ବି ଓସ୍ତାଦ୍‌ !

 

ଅତିରିକ୍ତ ପରିଶ୍ରମ ଯୋଗୁ ଏତେ ଥଣ୍ତା ସତ୍ୱେ ବି ଝାଳ ବୋହିଗଲା ତିନିଜଣଙ୍କ ଦେହରୁ–ଶିଖ ଉପରେ ପହଞ୍ଚିଲାବେଳକୁ । ଶିଖ ଉପରେ ଥାଇ ୱାଙ୍ଗ୍‌ଲୁ ନିର୍ଦ୍ଦେଶ କରୁଥିବା ଦିଗଆଡ଼କୁ ଦୀପକ ଆଉ ରୂପକ ଦୁହେଁ ତୀକ୍ଷ୍‌ଣ ଦୃଷ୍ଟିରେ ଲକ୍ଷ୍ୟ କଲେ । ଖାଲି ଧୂସର କୁହୁଡ଼ି ଛଡ଼ା ଆଉ କିଛି ଦିଶୁନି । ଅନ୍ତତଃ ଖରା ପଡ଼ିଲା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ । ଆଗରେ ଖାଲି ତୁଳା ପରି ଧଳା ଆଉ ନରମ ବରଫର ଖୋଲା ପଡ଼ିଆ । ଗଛଲତା କି ମାଟି ପଥରର ଚିହ୍ନବର୍ଣ୍ଣ ନାହିଁ-। ଯାହା କିଛି ଅଛି, ତାହା ବରଫ ତଳେ ଲୁଚି ରହିଛି । ଖରାରେ ବରଫ ଆସ୍ତରଣ ଖୋଲି ନ ଯିବା ପର୍ଯ୍ୟନ୍ତ ତାହା ଦେଖିବା ସମ୍ଭବ ନୁହେଁ ।

 

ସ୍ଥାନଟାର ପ୍ରକୃତି ସମ୍ୱନ୍ଧରେ ଚତୁର୍ଦ୍ଦିଗ ଲକ୍ଷ୍ୟ କରି ଚିନ୍ତା କରୁ କରୁ କିଛି ସମୟ ଅତିବାହିତ ହୋଇଯାଇଥିଲା । ଏହା ମଧ୍ୟରେ ବହୁ ପରିମାଣରେ କୁହୁଡ଼ି ପରିଷ୍କାର ହୋଇଯାଇଥିଲା । ଦୀପକ ନିଜ କାନ୍ଧରେ ଝୁଲା ହୋଇଥିବା ବ୍ୟାଗରୁ ଶକ୍ତିଶାଳୀ ଦୂରବୀକ୍ଷଣଟିଏ ବାହାର କରି ଆଖିରେ ଲଗାଇଲା । ଏଥର ସବୁ ପରିଷ୍କାର ଦେଖାଗଲା । ଏ ଦୂରବୀକ୍ଷଣ ବିଶେଷ ପ୍ରକାରେ ତିଆରି । ଏଥିରେ କ୍ୟାଟ୍‌ସ୍‌ଆଇ ଗ୍ଳାସ’ ଖଞ୍ଜାଯାଇଛି । ତେଣୁ ଅନ୍ଧାରରେ ଥିବା ଜିନିଷ ମଧ୍ୟ ଏଥିରେ ଖୁବ୍‍ ପରିଷ୍କାର ଦେଖାଯାଇପାରେ ।

 

—ଅନ୍ତତଃ କୋଡ଼ିଏ ପଚିଶଟି ତମ୍ୱୁ ସିଧା ଭାବରେ ଟଣା ହୋଇଥିଲା ସେଠି । ଲୋକବାକ କେହି ବାହାରେ ଥିଲାପରି ଜଣାଯାଉ ନ ଥିଲେ । କେତେଗୁଡ଼ିଏ ମିଲିଟାରୀ ଗାଡ଼ି ତା’ରି ପାଖରେ ଥୁଆଯାଇଥିଲା । ସେଥିରେ ଥିବା ନମ୍ୱର ପ୍ଳେଟ୍‌ର ଚୀନା ଅକ୍ଷରରୁ ସେଗଡ଼ିକ ଚୀନ୍‌ସୈନ୍ୟଙ୍କର ବୋଲି ଜାଣିବାରେ କିଛି ଭୁଲ ହେଉ ନ ଥିଲା । ଦୀପକ ଅନୁମାନ କଲା ଯେ ସ୍ଥାନଟା ଭାରତୀୟ ଇଲାକା ଭିତରେ । ଚୀନ୍‌ ଓ ଭାରତର ସୀମାରେଖାରୂପେ ବହୁକାଳରୁ ରହିଆସିଥିବା ମ୍ୟାକ୍‌ମୋହନ ଲାଇନ୍‌ ରହିଲାଣି କାହିଁ କେତେ ଦୂରରେ । ଏମାନେ ହୁଏ ତ କିଛି ଗୋଟାଏ ଗୁରୁତର ଷଡ଼ଯନ୍ତ୍ରରେ ଲିପ୍ତ ରହିଛନ୍ତି ଏବଂ ସେହି ଉଦ୍ଦେଶ୍ୟରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଯାଉଛନ୍ତି । ଏପରି ଭାବନାରେ ବୁଡ଼ିରହି ଦୀପକ କିଛି ସମୟ ସ୍ଥିର ରହିଗଲା । ଇତିମଧ୍ୟରେ ରୂପକ ଦୂରବୀକ୍ଷଣଟା ନେଇ ସ୍ଥାନଟାକୁ ଭଲଭାବରେ ଲକ୍ଷ୍ୟ କରିନେଲା । ୱାଙ୍ଗ୍‌ଲୁ ତା ଜୀବନରେ ଦୂରବୀକ୍ଷଣ କ’ଣ ତାହା ଜାଣି ନ ଥିଲା । ରୂପକ ତାକୁ ଦୂରବୀକ୍ଷଣରେ ସବୁ ଦେଖାଇଦେଲା । ସେ ଦେଖିଲାମାତ୍ରେ ଆଶ୍ଚର୍ଯ୍ୟରେ ଅଭିଭୂତ ହୋଇପଡ଼ିଲା ।

 

ସେଠାକୁ ଯାଇ, ଘଟଣା କ’ଣ ଦେଖିବାକୁ ଇଚ୍ଛା ଥିଲା ରୂପକର । ମାତ୍ର ଦୀପକ ତାକୁ ବୁଝାଇଦେଲା ଯେ, ବର୍ତ୍ତମାନ ସେଠାକୁ ଯିବା ଅର୍ଥ ବିପଦ ବରଣ କରିବା ଛଡ଼ା ଆଉ କିଛି ନୁହେଁ । ସେମାନଙ୍କ ଦୃଷ୍ଟିରେ ପଡ଼ିଗଲେ କଦାପି ରକ୍ଷା ନାହିଁ । ସେମାନେ ସନ୍ଦେହ ତ ନିଶ୍ଚୟ କରିବେ । କାରଣ ଏମାନଙ୍କ ପାଖରେ ବନ୍ଧୁକ ଅଛି । ଗୁଳି ବି ରହିଛି । ବେଶ ମଧ୍ୟ ଶିକାରୀର । ଦେଖିଲାମାତ୍ରେ ସେମାନେ ହୁଏ ତ ବନ୍ଦୀ କରିବେ କିମ୍ୱା ଗୁଳି କରିବେ । ଚୀନାମାନେ ଯେ କେଡ଼େ ନୃଶଂସ, ତାହା ପୃଥିବୀର କୌଣସି ଲୋକକୁ ଅଜ୍ଞାତ ନୁହେଁ । ବରଂ ରାତିରେ ଲୁଚିଛପି ଏସବୁର ସନ୍ଧାନ କରିବାକୁ ହେବ । ସେମାନେ କିଏ ? ଉଦ୍ଦେଶ୍ୟ କ’ଣ ? କ’ଣ କରୁଛନ୍ତି ? —ଇତ୍ୟାଦି ବହୁ ବିଷୟ ତ ଜାଣିବା ନିଶ୍ଚିତ ଭାବରେ ଦରକାର । ବରଂ ସୁଯୋଗର ଅପେକ୍ଷା କରାଯାଉ ।

 

ଦୀପକର କଥା ଦୁହେଁ ୱାଙ୍ଗ୍‌ଲୁ ଏବଂ ରୂପକ, ଯଥାର୍ଥ ଭାବରେ ଉପଲବ୍‌ଧି କରିପାରିଛନ୍ତି ବୋଲି ଜଣାଗଲା । ସେଠାରେ ଆଉ ଅଧିକ ସମୟ ଅପେକ୍ଷା କରିବା ନିଷ୍ପ୍ରୟୋଜନ ଭାବି ସମସ୍ତେ ଫେରିଲେ ପୁଣି ସୀମାନ୍ତ ଅଭିମୁଖେ ।

 

ସେତେବେଳେକୁ ପୂର୍ବ ଦିଗ୍‌ବଳୟ ତଳେ ସୂର୍ଯ୍ୟୋଦୟ ହୋଇଆସୁଥାଏ । ସୂର୍ଯ୍ୟଙ୍କର ରକ୍ତାଭ କିରଣ ଧୂସର କୁହୁଡ଼ିକୁ ଲାଲ୍‌ କରିଦେଇଥାଏ । ତୂଳାଧବଳ ବରଫ ଉପରେ ନାଲି କଅଁଳ ଖରା ପଡ଼ି ନାଲିରଙ୍ଗର ସ୍ଫଟିକ ପରି ଚିକ୍‌ଚିକ୍‌ କରିଉଠୁଥାଏ ।

 

ମୁକ୍ତ ପ୍ରାନ୍ତରର ମଝାମଝିରେ ଠିଆ ହୋଇ ଦୀପକ ଚାହିଁଲା ଚାରିଆଡ଼କୁ ।–ଜନମାନବଶୂନ୍ୟ ମରୁ । ବରଫ ତରଳିବାକୁ ଆରମ୍ଭ କରୁଚି । ତୁଷାର ଉପରେ ପାଣି ଜକେଇ ଉଠୁଚି । କୁହୁଡ଼ି କ୍ରମେ ପରିଷ୍କାର ହୋଇଆସୁଚି ।

 

ଦୀପକ ପୁଣି ଆଗକୁ ପାଦ ପକାଇ ଚାଲିବାକୁ ଆରମ୍ଭ କରି ରୂପକ ଆଉ ୱାଙ୍ଗ୍‌ଲୁଙ୍କୁ କହିଲା–‘‘ଚାଲ ଏଥର, ଶୀଘ୍ର ।’’

 

ତିନି

 

ତିନିଜଣଯାକ ସୀମାନ୍ତ ଗ୍ରାମରେ ପହଞ୍ଚିଲାବେଳକୁ ମହା ହୁଲସ୍ଥୁଲ କାଣ୍ତ ଘଟିଯାଇଛି ସେଠି । ସେ ଗାଁର ଲୋକଗୁଡ଼ା ସ୍ଥିର ନିଶ୍ଚୟ କରିନେଇଛନ୍ତି ଯେ, ଏ ଦୁଇଜଣ ଚୀନା ଗୁପ୍ତଚର । ୱାଙ୍ଗ୍‌ଲୁକୁ ଶିଖାଇ ବୁଝାଇ ଅଲଗା କରିନେଇଛନ୍ତି ସେମାନଙ୍କଠାରୁ । ସେଇ ବିଷୟରେ ସେମାନଙ୍କ ଭିତରେ ଗୁରୁତର ଆଲୋଚନା ପଡ଼ିଛି । ଏଣେ ୱାଙ୍ଗ୍‌ଲୁର ବୁଢ଼ା ବାପ, ବୁଢ଼ୀ ମା’ ମୁଣ୍ତ କୋଡ଼ି କାନ୍ଦୁଚନ୍ତି । ସେମାନଙ୍କ ଭିତରେ କିଏ କେତେ ପ୍ରକାର କହୁଚନ୍ତି । ସେ ସବୁ କ୍ରମେ ବଡ଼ ଆକାର ଧାରଣ କରୁଛି ବରଂ, କମୁନାହିଁ ।

 

ସେ ଯାହା ହେଉ, ବର୍ତ୍ତମାନ ୱାଙ୍ଗ୍‌ଲୁ ଅକ୍ଷତ ଦେହରେ ଫେରିଆସି ଥିବାର ଦେଖି ସମସ୍ତେ ଆନନ୍ଦିତ ଏବଂ ଆଶ୍ଚର୍ଯ୍ୟାନ୍ୱିତ ହେଲେ । ଦୀପକ ଦେଖିଲା, ଖରା ମାଡ଼ିଆସୁଛି; ଆଉ ଦୁଇଘଣ୍ଟା ପରେ ହୁଏତ ନିଆଁ ପରି ଉତ୍ତାପ ବୃଷ୍ଟି ହେବ । ଲୋକଗୁଡ଼ାକ ଆଶ୍ରୟ ନ ପାଇ ଏ ଶୁଖିଲା ଟାଙ୍ଗରାରେ ପଡ଼ି ମରିବା ଛଡ଼ା ଆଉ କିଛି ହେବ ନାହିଁ । ବରଂ ଏମାନଙ୍କର ଯଦି ଥଇଥାନର ଗୋଟାଏ କିଛି ବ୍ୟବସ୍ଥା କରାଯାଇପାରନ୍ତା ତେବେ କାମକରି କାମଟାଏ ହୁଅନ୍ତା । ଏମାନଙ୍କ ପାଇଁ କି ବ୍ୟବସ୍ଥା କରାଯାଇପାରେ, ତାହାହିଁ ସେ ଚିନ୍ତା କରିବାକୁ ଲାଗିଲା । କିଛି ସମୟ ପରେ ହଠାତ୍‌ ତା’ର ମୁଖମଣ୍ତଳରେ ଆଶା ସଞ୍ଚାର ହେବାର ସୂଚନା ଦେଖାଗଲା । ସେ ରୂପକକୁ ପାଖକୁ ଡାକି ଅନୁଚ୍ଚ ସ୍ୱରରେ କହିଲା, ‘‘ଆଚ୍ଛା, ରୂପକ ! ମିଷ୍ଟର ସିଂଙ୍କର ତ ବହୁତ ଗୁଡ଼ାଏ ଦଦରା ତମ୍ୱୁ ଅଛି । ସେଗୁଡ଼ା ଏମାନଙ୍କୁ ଦିଆଇଦେଲେ କେମିତି ହୁଅନ୍ତା ?’’

 

ରୂପକ ଖୁସି ହୋଇ କହିଲା—‘‘ଖୁବ୍‍ ଭଲ । ମିଷ୍ଟର ସିଂଙ୍କର ବୋଧହୁଏ କୌଣସି ଆପତ୍ତି ଏ କଥାରେ ଉଠିବ ନାହିଁ । କାହିଁକି ନା, ସେଗୁଡ଼ା ଖାଲି ଲଗେଜ୍ ଅଧିକ କରିବା ଛଡ଼ା ଆଉ କିଛି କାମରେ ଲାଗୁ ନ ଥିଲା ତାଙ୍କର ।’’

 

ଆଉ ଅପେକ୍ଷା କଲା ପରି ଅଧିକ ସମୟ ହାତରେ ନ ଥିଲା ସେମାନଙ୍କର । ଦୀପକ ଆଉ ରୂପକ ୱାଙ୍ଗ୍‌ଲୁ ଏବଂ ତାଙ୍କ ଗ୍ରାମର ଦଶ ଜଣ ବଳବାନ ଯୁବକଙ୍କୁ ସାଙ୍ଗରେ ଧରି ବାହାରିପଡ଼ିଲେ ଜଙ୍ଗଲ ଅଭିମୁଖେ ।

 

ୱାଙ୍ଗ୍‌ଲୁ ସାଙ୍ଗରେ କଥାବାର୍ତ୍ତା ହୋଇ ଦୀପକ ବୁଝିଲା ଯେ, ଏଇ ମାଳଭୂମିର ତଳଆଡ଼କୁ ଏପରି ନିଘଞ୍ଚ ବନାନୀ ଥିବା କଥା ସେମାନେ ଜାଣନ୍ତି ନାହିଁ । ଜାଣିବାକୁ ଚେଷ୍ଟା ମଧ୍ୟ କରିନାହାନ୍ତି । ନିଜ ଅଞ୍ଚଳ ଛାଡ଼ି ଅନ୍ୟ ଅଞ୍ଚଳକୁ ଆସିଲେ ସେମାନଙ୍କର ଦେବତା ଅସନ୍ତୁଷ୍ଟ ହେବେ, ଏଇ ଭୟରେ ସେ ବା ତା ପୂର୍ବପୁରୁଷ କେହି ଆଖପାଖରେ କ’ଣ ଅଛି, ଜାଣିବାକୁ ଚେଷ୍ଟା କରିନାହାନ୍ତି ।

 

ୱାଙ୍ଗ୍‌ଲୁର କଥା ଦୀପକ ଏବଂ ରୂପକ ଦୁହିଁଙ୍କୁ ହସିବାକୁ ବାଧ୍ୟ କରିଥିଲା । ଦୀପକ ମନେ ମନେ ଭାବିଲା—ଯାହାହେଉ, ଦେବତାର ଦ୍ୱାହି ଏବଂ ପୁରୁଷାନୁକ୍ରମିକ ସଂସ୍କୃତିକୁ ଜଗିରଖି ଏମାନେ ଯେପରି ନିର୍ଲୋଭ, ତା’ଠାରୁ ଅଧିକ ପରିମାଣରେ ବାହ୍ୟ ଜଗତ ସମ୍ୱନ୍ଧରେ ଜ୍ଞାନାନ୍ଧ ହୋଇଯାଇଛନ୍ତି ।

 

ନିକଟରେ ଅରଣ୍ୟ ଥିବା ବିଷୟ ନ ଜାଣିବାର ଅନ୍ୟ କାରଣ ମଧ୍ୟ ଅଛି । ଜଙ୍ଗଲଟା ହେଲା ମାଳଭୂମିର ଯଥେଷ୍ଟ ତଳେ । ୱାଙ୍ଗ୍‌ଲୁର ଗ୍ରାମ ହେଲା ଉପରେ । ତେଣୁ ଏମାନେ ଜଙ୍ଗଲର ପତ୍ତା ପାଇନାହାନ୍ତି । ଜାଣିଥିଲେ ଅବା ନିଜର ପୁରାତନ ସଂସ୍କୃତିକୁ ଭାଙ୍ଗି ଜଙ୍ଗଲର କାଠବାଉଁଶ ନେଇ ଘର ତିଆରିରେ ବିନିଯୋଗ କରିପାରିଥାନ୍ତେ କି କଣ । ମାତ୍ର ଦେବତାଙ୍କ ଉଦାରତା ସେମାନଙ୍କୁ ସେଥିରୁ ବଞ୍ଚିତ କରିରଖିଛି, ଯାହା ଫଳରେ ସେମାନେ କେଉଁ ଆଦିମ ଯୁଗରୁ ନିଜ ନିଜର ଭିଟା କାମୁଡ଼ି ପଡ଼ିଛନ୍ତି । ସେତିକିରେ ଭାଗ୍ୟର ଗତି ଯେଉଁଆଡ଼କୁ ହେଉ ।

 

ଛୋଟିଆ ଦଳଟି ଗାଁ ବାହାରକୁ ଆସିଲାବେଳକୁ ବରଫ ତରଳି ଛୋଟ ଛୋଟ ସ୍ରୋତ ଆକାରରେ ବହିଯାଉଥିଲା ତଳଆଡ଼କୁ । ସୀମାନ୍ତ ଗ୍ରାମବାସୀମାନଙ୍କ ମନରେ ଅପୂର୍ବ ଆନନ୍ଦ । ସେମାନେ ଯେପରି ଗୋଟାଏ ନୂତନ ସମ୍ପତ୍ତିର ସନ୍ଧାନରେ ଚାଲିଛନ୍ତି ।

 

X X X

 

ମିଷ୍ଟର୍‌ସିଂଙ୍କର ପୂରା ପରିଚୟ ହେଉଛି ମେଜର ଆଦିତ୍ୟନାରାୟଣ ସିଂ । ଘର ରାଜସ୍ଥାନ । ମିଲିଟାରୀ ଫେରନ୍ତା । ବୟସ ପ୍ରାୟ ଚାଳିଶ ହେବ । ବେଶ୍‌ଦୀର୍ଘ, ବାଘୁଆ ଚେହେରା । ଗତ ପ୍ରଥମ ଓ ଦ୍ୱିତୀୟ, ଏ ଦୁଇଟିଯାକ ମହାଯୁଦ୍ଧରେ ଇଂରେଜ ସରକାରଙ୍କ ଅଧୀନରେ ରହି ଖୁବ୍‍ ସୁନାମର ସହିତ ଯୁଦ୍ଧ କରିଆସିଛନ୍ତି । ଏହି ସମୟରେ ସେ ପୃଥିବୀର ବିଭିନ୍ନ ଦେଶ ବୁଲିବାର ସୁବିଧା ସୁଯୋଗ ପାଇଛନ୍ତି; ନାନା ଦେଶର ଭାଷା ଓ ଚାଲିଚଳଣି ଶିକ୍ଷା କରିଛନ୍ତି । ଦ୍ୱିତୀୟ ମହାଯୁଦ୍ଧରେ ସେ ସାଂଘାତିକ ଭାବରେ ଆହତ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ସୁଇଜରଲାଣ୍ତ ପଠାଇ ଦିଆଯାଇଥିଲା । ସେଠାରେ ବ୍ରିଟିଶ ସାମରିକ ହସ୍‌ପିଟାଲରେ ପ୍ରାୟ ଛଅମାସ ରହିଲା ପରେ ଆରୋଗ୍ୟ ଲାଭ କରିଥିଲେ । ମାତ୍ର ତାଙ୍କର ବାଁ ଆଣ୍ଠୁଟି ଅକାମୀ ହୋଇଯାଇଥିଲା । ତେଣୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ତାଙ୍କୁ ସବୁଦିନ ପାଇଁ ଯୁଦ୍ଧବିଭାଗରୁ ସମ୍ମାନର ସହିତ ବିଦାୟ ନେବାକୁ ପଡ଼ିଲା । ବର୍ତ୍ତମାନ ସେ ଜଣେ ପେନ୍‌ସନଭୋଗୀ ।

 

କିନ୍ତୁ ତାଙ୍କ ପରି କର୍ମଠ ଲୋକ ଖୁବ୍‍ କମ୍‌ ଦେଖାଯାନ୍ତି । ଘରେ ବସି ରହିବାକୁ ସେ ଆଦୌ ପସନ୍ଦ କରନ୍ତି ନାହିଁ । ଆଣ୍ଠୁ ଅକାମୀ ହୋଇଯିବା ପରେ ଅବଶ୍ୟ ଦୀର୍ଘକାଳ ପାଇଁ ସେ ଘରେ ବିଶ୍ରାମ ନେଇଥିଲେ । ଶଯ୍ୟାଶାୟୀ ଥିଲେ ମଧ୍ୟ ମନ ତାଙ୍କର ଉଡ଼ି ବୁଲୁଥିଲା । ସେଇ ମନ ବଳରେହିଁ କ୍ରମେ ସେ ପାଦ ଲଗାଇ ଚାଲିଲେ । ଦୌଡ଼ିବାକୁ ଚେଷ୍ଟା କଲେ । ଛୋଟ ପିଲା ଚାଲିଶିଖିବାକୁ ବାରମ୍ୱାର ପଡ଼ିଉଠି ଚେଷ୍ଟା କଲା ପରି ତାଙ୍କର ଅକ୍ଳାନ୍ତ ଚେଷ୍ଟା ତାଙ୍କୁ ଉଦ୍ଦେଶ୍ୟ ସାଧନରେ ବହୁପରିମାଣରେ ସଫଳ କରାଇଲା । ସାଧାରଣ ଭାବରେ, ଅଳ୍ପ ଦିନ ମଧ୍ୟରେ ଚଲାବୁଲା କରିବାପାଇଁ ସେ ସକ୍ଷମ ହେଲେ । ମାତ୍ର ଅତି ସାମାନ୍ୟ ଦୋଷ ରହିଗଲା—ସେ ଟିକିଏ ଛୋଟେଇ ଛୋଟେଇ ଚାଲିଲେ । ଯାହାହେଉ ନା କାହିଁକି, ବିନା ଔଷଧ, ବିନା ଅସ୍ତ୍ରଚିକିତ୍ସାରେ କେବଳ ମନୋବଳ ଦ୍ୱାରା ସେ ନିଜକୁ ଯେପରି ଅଦ୍ଭୁତଭାବରେ ଆରୋଗ୍ୟ କଲେ, ତାହା ବଡ଼ ବଡ଼ ଡାକ୍ତରଙ୍କୁ ମଧ୍ୟ ବିସ୍ମିତ କରିଦେଲା ।

 

ମିଷ୍ଟର ସିଂଙ୍କର ପତ୍ନୀ ମିସେସ୍‌ ସିଂ ଜଣେ ଆଦର୍ଶ ମହିଳା । ଗୃହକର୍ମକୁଶଳା ପରିବାରର ପ୍ରତ୍ୟେକ କାମ ହାତରେ କରନ୍ତି । ସବୁବେଳେ ହସହସ ଭାବ ପରକୁ ବି ସ୍ନେହରେ ବାନ୍ଧିପକାନ୍ତି ପଦେ କଥାରେ । ମିଷ୍ଟର ଆଉ ମିସେସ୍‌ ସିଂଙ୍କ ଭିତରେ ପ୍ରୀତି ଅଭେଦ୍ୟ; ତା’ର ତୁଳନା ନାହିଁ ।

 

ପୁଅ ପ୍ରଦୀପ ଶିକ୍ଷିତ । ମିଷ୍ଟର ସିଂଙ୍କର ସବୁ ଗୁଣ ଅଧିକାର କରିପାରିଛି । ବର୍ତ୍ତମାନ ଇଂଲଣ୍ତର ସାମରିକ କଲେଜରେ ଉଚ୍ଚ ଶ୍ରେଣୀର ଛାତ୍ର । ମେଧାବୀ ଏବଂ ଶିଷ୍ଟ । ତାଙ୍କର ଭବିଷ୍ୟତ ଉଜ୍ଜ୍ୱଳ । କଲେଜର ବିଭିନ୍ନ ପ୍ରତିଯୋଗିତାରେ ପୁରସ୍କାର ଲାଭ କରି ସମସ୍ତଙ୍କର ପ୍ରିୟ ଓ ପ୍ରଶଂସାର ପାତ୍ର ହୋଇପାରିଛନ୍ତି ।

 

ମିଷ୍ଟର ସିଂଙ୍କ ପରିବାର ଭିତରେ ଆଉ ଜଣେ—ସେ ଦୀନେଶ୍‌, ମିଷ୍ଟର ସିଂଙ୍କର ଚାକର-। ବିଚରାର ସଂସାରରେ କେହି ନାହାନ୍ତି । ଆବାଲ୍ୟରୁ ତାକୁ ମିଷ୍ଟର ଓ ମିସେସ୍‌ ସିଂ ପ୍ରତିପୋଷଣ କରିଆସିଛନ୍ତି । ଘରର କାମ ବେଶି କିଛି ନୁହେଁ । ଯାହା ବା କାମ, ତାହା ମିସେସ୍‌ ସିଂଙ୍କୁ ନିଅଣ୍ଟ-। ଦୀନେଶ୍‌ ଉପରେ ବିଶେଷ ଦାୟିତ୍ୱ ନ ଥାଏ । ସେ ଥାଏ ମିଷ୍ଟର ସିଂଙ୍କ ପାଖେ ପାଖେ । ମିଷ୍ଟର ଓ ମିସେସ୍‌ ସିଂ ତାକୁ ପୁଅ ପରି ଭଲ ପାଆନ୍ତି । ସେ କିଛି ପାଠ ମଧ୍ୟ ପଢ଼ିଛି । ତାର ପୋଷାକପତ୍ର ଚାଲିଚଳଣି ଦେଖିଲେ ଚାକର ବୋଲି ଜାଣିହୁଏ ନାହିଁ ।

 

ଏଇ ସୁଖୀ ପରିବାରଟି ସହିତ ଦୀପକ ଏବଂ ରୂପକଙ୍କର ଘନିଷ୍ଠତା ବହୁଦିନରୁ । ପ୍ରଥମ ପରିଚୟ ସେମାନଙ୍କର ହୋଇଥିଲା ବଡ଼ ଦୁର୍ଦ୍ଦିନରେ । ମିଷ୍ଟର ସିଂ ଥରେ ସସ୍ତ୍ରୀକ ଜଳବାୟୁ ପରିବର୍ତ୍ତନରେ ଯାଇଥିଲେ କୌଣସି ଏକ ପାହାଡ଼ିଆ ସ୍ଥାନକୁ । ସେଠାରେ ହଠାତ୍‌ ସେ ସାଂଘାତିକ ଭାବରେ ଅସୁସ୍ଥ ହୋଇପଡ଼ିଥିଲେ । ଚିକିତ୍ସାର କିଛି ବ୍ୟବସ୍ଥା ନ ଥିଲା ସେଠାରେ । ସାଙ୍ଗରେ ଦୀନେଶ ମଧ୍ୟ ନ ଥିଲା । ଅପରିଚିତ ସ୍ଥାନ, ଅପରିଚିତ ଲୋକ । ମିସେସ୍‌ ସିଂ ବଡ଼ ମ୍ରିୟମାଣ ହୋଇପଡ଼ିଥିଲେ । କ୍ରମେ ମିଷ୍ଟର ସିଂଙ୍କ ଅବସ୍ଥା ଖରାପ ଆଡ଼କୁ ଯାଉଥିଲା । ତାଙ୍କର ଶେଯ ପାଖରେ ବସି ଆଖିରୁ ଲୁହ ଗଡ଼ାଇ ଭଗବାନଙ୍କୁ ଡାକିବା ଛଡ଼ା ଅନ୍ୟ ଉପାୟ ନ ଥିଲା ମିସେସ୍ ସିଂଙ୍କର ।

 

ହଠାତ୍‌ ଈଶ୍ୱରପ୍ରେରିତ ଦୂତ ପରି ଦୀପକ ଏବଂ ରୂପକ ଭାଇ ଦୁହେଁ ପହଞ୍ଚିଯାଇଥିଲେ ସେଠାରେ । ପରିଚୟ କିଏ କାହାକୁ ପଚାରୁଛି ଏତେବେଳେ ? ରାତାରାତି ଶହେ ମାଇଲ ଦୂରରୁ ବିଶିଷ୍ଟ ଡାକ୍ତର ଏବଂ ଔଷଧ ଅଣାଇ ଚିକିତ୍ସା କରିବା ଫଳରେ ମିଷ୍ଟର ସିଂ ସେ ଯାତ୍ରାରୁ ରକ୍ଷା ପାଇଗଲେ । ଦୁଇ ଭାଇଙ୍କର ଅକ୍ଳାନ୍ତ ସେବା, ଶିଷ୍ଟତା ଓ ସ୍ନେହପୂର୍ଣ୍ଣ ବ୍ୟବହାର ଦେଖି ମିସେସ୍‌ ସିଂ ସେମାନଙ୍କୁ ନିଜର ଭାଇ ବୋଲି ଭାବିନେଇଥିଲେ । କ୍ରମେ ମିଷ୍ଟର ସିଂ ସମ୍ପୂର୍ଣ୍ଣ ସୁସ୍ଥ ହେଲାରୁ ମିସେସ୍ ସିଂ ତାଙ୍କ ପାଖରେ ସବୁ କଥା କହିଲେ । ମିଷ୍ଟର ସିଂଙ୍କ ମନ ଦୁହିଁଙ୍କ ପ୍ରତି କୃତଜ୍ଞତାରେ ଭରିଉଠିଥିଲା । କିଛି ଦିନ ପାଇଁ ତାଙ୍କ ସାଙ୍ଗରେ ରାଜସ୍ଥାନ ଯିବାକୁ ସେ ଦୁହିଁଙ୍କୁ ଅନୁରୋଧ କରିଥିଲେ । ସେମାନଙ୍କର ଅନୁରୋଧ ରକ୍ଷା କରିଥିଲେ ଦୀପକ ଏବଂ ରୂପକ । କ୍ରମେ ତାଙ୍କ ଜୀବନର ସମସ୍ତ ଇତିବୃତ୍ତି ସେ ଶୁଣାଇ ଚମତ୍କୃତ କରିଦେଇଥିଲେ ମିଷ୍ଟର ଏବଂ ମିସେସ୍‌ ସିଂଙ୍କୁ ।

 

ମିଷ୍ଟର ସିଂ ଏପରି ଦୁଇଜଣ ବିଶିଷ୍ଟ ଚରିତ୍ରର ଯୁବକଙ୍କୁ ହାତଛଡ଼ା କରିବାକୁ ଚାହୁଁ ନ ଥିଲେ । ଦୁହେଁ ଥିଲେ ଶିକ୍ଷିତ, ବହୁଭାଷାବିତ୍‌, ବହୁ ରୂପ ଅନୁକରଣରେ ବିଶେଷଜ୍ଞ । ଡାକ୍ତର, ବୈଜ୍ଞାନିକ, ଗାୟକ, ବାଦକ, ଶିକାରୀ ଖେଳୁଆଡ଼, ଡକାୟତ, ପହିଲିମାନ୍‌ ପ୍ରଭୃତି ଏତେ ଗୁଡ଼ାଏ ପ୍ରତିଭାର ଅଧିକାରୀ ଯେ ଜଣେ ହୋଇପାରେ, ତାହା ତାଙ୍କର କଳ୍ପନାରେ ନ ଥିଲା । ତେଣୁ ସେ ସେହି ଦୁଇଜଣଙ୍କୁ ଶ୍ରଦ୍ଧାର ସହିତ ପାଖରେ ରଖିବାକୁ ଚାହୁଁଥିଲେ, ଅବଶ୍ୟ କୌଣସି ସ୍ୱାର୍ଥ ଉଦ୍ଦେଶ୍ୟରେ ନୁହେଁ ।

 

ଦୀପକ ଏକ ରୂପକ ଦୁହେଁ ମଧ୍ୟ ଅନ୍ୟତ୍ର ଯିବାକୁ ଚାହୁଁ ନ ଥିଲେ । ପ୍ରଥମତଃ ସେମାନଙ୍କର ଘରଦ୍ୱାର ତ କିଛି ନ ଥିଲା । ସେଟା ଅବଶ୍ୟ ବିଶେଷ କାରଣ ନ ଥିଲା ସେମାନଙ୍କ ପକ୍ଷରେ । ଅସଲ କାରଣ ହେଲା, ମିସେସ୍‌ଏବଂ ମିଷ୍ଟର ସିଂ ସ୍ନେହପାଶରେ ଦୁହିଁଙ୍କୁ ଏପରି ବାନ୍ଧି ପକାଇଥିଲେ ଯେ, ସେଥିରୁ ମୁକୁଳିବା ଦୁହିଁଙ୍କ ପକ୍ଷେ କଠିନ ବ୍ୟାପାର ଥିଲା । ଏଣେ କାମ ବି କିଛି ନ ଥିଲା । ଖାଲି ଏଣେ ତେଣେ ବୁଲି ଦିନ ନଷ୍ଟ କରିବା ଅପେକ୍ଷା କରଂ କିଛିଦିନ ବିଶ୍ରାମ କରି ଭବିଷ୍ୟତ ପାଇଁ ଶକ୍ତି ସଞ୍ଚୟ କରିବାକୁ ଦୁହେଁ ସ୍ଥିର କରିଥିଲେ ।

 

ମିଷ୍ଟର ସିଂ ତାଙ୍କର ଅବସର ଦିନଗୁଡ଼ିକୁ ଖାଲି ବସି ନ କଟାଇ ଏକ ବିରାଟ କାଠ ବ୍ୟବସାୟ ଖୋଲିଦେଇଥିଲେ । ଖୁବ୍‍ ଦାମିକା କାଠ ସବୁ କଟାଇ ସେ ବିଦେଶକୁ ପଠାଉଥିଲେ । ଏଥିପାଇଁ ହିମାଳୟ ପାଦଦେଶରେ ଥିବା ଘନ ଜଙ୍ଗଲରୁ ମାଇଲ ମାଇଲ ଧରି ସେ ପଟ୍ଟା ନେଇଥିଲେ । କାମ ଦେଖାଚାହାଁ କରିବାପାଇଁ ତାଙ୍କର ଯଥେଷ୍ଟ କର୍ମଚାରୀ ଥିଲେ ସୁଦ୍ଧା ସେ ନିଜେ ଜଙ୍ଗଲରେ ବୁଲି ବୁଲି କାମ ତତ୍ତ୍ୱାବଧାନ କରୁଥିଲେ । ମଝିରେ ମଝିରେ ତାଙ୍କୁ ହିଂସ୍ରଜନ୍ତୁମାନଙ୍କ ସମ୍ମୁଖୀନ ହେବାକୁ ପଡ଼ୁଥିଲା । କହିବା ବାହୁଲ୍ୟ ଯେ ସେ ନିଜେ ସବୁପ୍ରକାର ଆଗ୍ନେୟାସ୍ତ୍ର ଚାଳନାରେ ଧୁରନ୍ଧର ଥିଲେ ।

 

ଦୀପକ ଏବଂ ରୂପକ ମିଷ୍ଟର ସିଂଙ୍କ ପାଖରେ ରହିବା ଦିନଠାରୁ ତାଙ୍କୁ ଆଉ ଏକୁଟିଆ ଯିବାକୁ ହୁଏ ନାହିଁ । ଏ ଦୁହେଁ ପାଖେ ପାଖେ ଥାଆନ୍ତି । ଏମାନେ ରହିଲା ଦିନରୁ ମିସେସ ସିଂ ମଧ୍ୟ ପାଖରେ । ରୀତିମତ ଗୋଟାଏ ପରିବାର ଧରି ବୁଲିବା କଥା । ସେହି ଅନୁପାତରେ ତମ୍ୱୁ ମଧ୍ୟ । ଦୀପକ ଏବଂ ରୂପକ ତମ୍ୱୁରେ ନ ରହି କୁଲି ବସ୍ତିକୁ ଜଗି ରହନ୍ତି ରାତିରେ । ହିଂସ୍ରଜନ୍ତୁଙ୍କ ଉପଦ୍ରବରୁ ସେମାନଙ୍କୁ ରକ୍ଷା କରିବା ହେଲା ଉଦ୍ଦେଶ୍ୟ; ତା’ସାଙ୍ଗରେ ଆମୋଦ ମଧ୍ୟ ଦୁଃସାହସୀର ଜୀବନ ହେଲା ବିପଦ । ବିପଦ ବିନା ସେ ବଞ୍ଚିପାରିବ ନାହିଁ । ମିସେସ୍‌ ସିଂ କେତେ ବାରଣ କରିଛନ୍ତି; କିନ୍ତୁ ଫଳ କିଛି ହୋଇନାହିଁ । ଦିନଯାକ ଯାହା ହେଉ ପଛେ, ରାତି ଆଠ ବାଜିଗଲେ ବନ୍ଧୁକ କାନ୍ଧରେ ପକାଇ ଦୁଇଭାଇ ବାହାରି ପଡ଼ିବେ ଶିକାରୀ ତମ୍ୱୁକୁ । ଅଟକାଇବାର ଉପାୟ ନାହିଁ । ସେମାନଙ୍କ ସାଙ୍ଗରେ ସାକ୍ଷାତ ପୁଣି ସକାଳେ–ଚା ଟେବୁଲରେ ।

 

ସେଦିନ କିନ୍ତୁ ମିଷ୍ଟର ସିଂ ଏବଂ ମିସେସ୍‌ ସିଂ ବିସ୍ମିତ ହୋଇଯାଇଥିଲେ ଦୁଇଭାଇ ଅନୁପସ୍ଥିତ ହେବାର ଦେଖି । ପୂର୍ବରାତିରେ କିଛି କିଛି କୋଳାହଳ ଶବ୍ଦ ତାଙ୍କର କର୍ଣ୍ଣଗୋଚର ହୋଇଥିଲା । ତାହା ନିତାନ୍ତ ଅସ୍ୱାଭାବିକ ବୋଧ ହୋଇ ନ ଥିଲା ତାଙ୍କୁ । କାରଣ, କୌଣସି ହିଂସ୍ରଜନ୍ତୁ ଆସିବାର ସମ୍ଭାବନା ଜାଣିପାରିଲେ ବସ୍ତିରେ ଥିବା କୁଲିମାନେ ଏପ୍ରକାର ହଲ୍ଲା କରିଥାନ୍ତି-। ଦଳରେ ଥିବା ଶିକାରୀମାନେ ଗୋଟାଏ ଯୋଡ଼ାଏ ଫାଙ୍କା ଆବାଜ ବି କରିଦିଅନ୍ତି । ଗତ ରାତିର ଗୋଳମାଳକୁ ସେ ଏଇ ପ୍ରକାର କିଛି ଗୋଟାଏ ଭାବିନେଇଥିଲେ । ପୁଣି ଆଜି ସକାଳୁ ସକାଳୁ ଦୀପକ ଏବଂ ରୂପକ ଦୁହିଁଙ୍କୁ ଅନୁପସ୍ଥିତ ଦେଖି ସେ ଭାବିନେଲେ ଯେ କାଲି ହୁଏ ତ କିଛି ଗୋଟାଏ ଅଘଟଣ ଘଟିଛି, ଯାହା ଫଳରେ କି ଦୁହେଁଯାକ ଅଟକିଯାଇଛନ୍ତି ।

 

କିଛି ସମୟ ଅପେକ୍ଷା କଲା ପରେ ସେ ଘଟଣାଟା ସମ୍ୱନ୍ଧରେ ଜାଣିବାକୁ ବଡ଼ ବ୍ୟଗ୍ର ହୋଇଉଠିଲେ ଏବଂ ଅପେକ୍ଷା ନ କରି ଏକା ଏକା ଚା ପର୍ବ ଶେଷ କରି କାନ୍ଧରେ ବନ୍ଧୁକଟା ପକାଇ ବାହାରିପଡ଼ିଲେ ଶିକାରୀ ତମ୍ୱୁଆଡ଼େ । ଦିନ ଆଠଟା ହେବ ସେତେବେଳକୁ । ତଥାପି ଖରା ଭଲକରି ପଡ଼ିନି । କୁଲି ବସ୍ତି ଭିତର ଦେଇ ଗଲାବେଳେ ସେ ଦେଖିଲେ–କାଁ, ଭାଁ ଗୋଟାଏ ଅଧେ କୁଲି ଉଠି ତମ୍ୱୁର ଦ୍ୱାର ଖୋଲୁଛନ୍ତି ମାତ୍ର ।

 

କୁଲି ବସ୍ତିଠାରୁ ଟିକିଏ ଛଡ଼ାରେ ଶିକାରୀ ତମ୍ୱୁ । ମିଷ୍ଟର ସିଂ ତମ୍ୱୁ ଦ୍ୱାରରେ ପହଞ୍ଚି ଦେଖିଲେ, ଦ୍ୱାର ମୁଦା ନାହିଁ । ପରଦାଟା ଆଡ଼େଇ ଦେଇ ଭିତରକୁ ପଶିଗଲେ ସେ । ସେ ପର୍ଯ୍ୟନ୍ତ ଟେବୁଲ ଉପରେ ଲ୍ୟାମ୍ପଟା ଖୁବ୍‍ ତେଜରେ ଜଳୁଥିଲା । ଟେବୁଲ ଉପରେ ଚଉଭାଙ୍ଗ ହୋଇ ଥୁଆ ହୋଇଥିଲା ଖଣ୍ତିଏ କାଗଜ । ମିଷ୍ଟର ସିଂ କାଗଜଖଣ୍ତି ଖୋଲି ଦେଖିଲେ—ଚିଠି ଖଣ୍ତିଏ । ତାଙ୍କୁ ହିଁ ଲେଖାଯାଇଛି ।

 

ମିଷ୍ଟର ସିଂ !

 

କୌଣସି ଗୁରୁତର ପରିସ୍ଥିତିର ସମ୍ମୁଖୀନ ହେବୁଁ ବୋଲି ଆଶଙ୍କା କରି ଯାଉଛୁଁ । ନିରାପଦରେ ଫେରିବୁଁ ବୋଲି ଆଶା କରୁଛୁଁ ।

 

—ଦୀପକ

 

ଚିଠିଟା ପଢ଼ି ମିଷ୍ଟର ସିଂଙ୍କର ଚିନ୍ତା ବହୁଗୁଣିତ ହୋଇଗଲା ଯେମିତି । ଘଟଣାଟା କ’ଣ ହୋଇପାରେ ବୋଲି ବହୁ ଚିନ୍ତାକଲେ ସୁଦ୍ଧା କୌଣସି ସ୍ଥିର ନିଶ୍ଚିତ ସିଦ୍ଧାନ୍ତରେ ପହଞ୍ଚିପାରିଲେ ନାହିଁ । କୁଲିମାନଙ୍କ ପାଖରୁ କୌଣସି ଖବର ମିଳିପାରେ ଭାବି ସେ ବସ୍ତି ଆଡ଼କୁ ଆଗେଇଗଲେ ।

 

କୁଲିମାନେ ସମସ୍ତେ ପ୍ରାୟ ଉଠିସାରିଥିଲେ ସେତେବେଳକୁ । ଖୋଦ୍‌ମାଲିକଙ୍କୁ ସକାଳୁ ସକାଳୁ ବସ୍ତି ଭିତରେ ଦେଖି ସମସ୍ତେ ବ୍ୟତିବ୍ୟସ୍ତ ହୋଇପଡ଼ିଲେ । ମିଷ୍ଟର ସିଂ ସେମାନଙ୍କ ଭିତରୁ କେତେଜଣଙ୍କୁ କାଲି ରାତିରେ କିଛି ଗଣ୍ତଗୋଳ ଘଟିଥିବା କଥା ଜାଣନ୍ତି କି ନାହିଁ ବୋଲି ପଚାରିଲେ-। କୁଲିମାନଙ୍କ ମଧ୍ୟରୁ ଅଧିକାଂଶ କିଛି ଜାଣନ୍ତି ନାହିଁ ବୋଲି କହିଲେ । କେବଳ ଜଣେ ଦୁଇ ଜଣ କହିଲେ ଯେ, କାଲି ରାତିରେ ଖୁବ୍‍ ଦୂରରେ ପାଟିଗୋଳ ହେବା ସେମାନେ ଅନେକ ରାତିରେ ଶୁଣିଛନ୍ତି । ସେମାନଙ୍କର ଅନିଶ୍ଚିତ ଉତ୍ତରରେ ସଂପୂର୍ଣ୍ଣ ନିର୍ଭର କରିପାରିଲେ ନାହିଁ ସେ । ଅଗତ୍ୟା ଖୁବ୍‍ ଚିନ୍ତିତ ହୋଇ ସେ ଫେରିଲେ ନିଜ ତମ୍ୱୁକୁ । ମିସେସ୍‌ ସିଂ ମଧ୍ୟ ସମସ୍ତ କଥା ଶୁଣି ବଡ଼ ବ୍ୟସ୍ତ ହୋଇପଡ଼ିଲେ । ସେ ମନେ ମନେ ନାନାପ୍ରକାର ଆଶଙ୍କା କରିବାକୁ ଲାଗିଲେ । ସମୟ ବଢ଼ିବା ସଙ୍ଗେ ସଙ୍ଗେ ତାଙ୍କର ଉଦ୍‌ବେଗ ବଢ଼ିଲା ବରଂ, କମିଲା ନାହିଁ ।

 

ହଠାତ୍‌ କେତେଜଣ କୁଲିଙ୍କ ହଲ୍ଲାରେ ତାଙ୍କର ଭାବନାରେ ବାଧା ପହଞ୍ଚିଲା । ସେ ବାହାରକୁ ଆସି ଦେଖଲେ—କେତେଜଣ କୁଲି ତାଙ୍କରି ତମ୍ୱୁକୁ ଲକ୍ଷ୍ୟ କରି ଚାଲିଛନ୍ତି । ମିସେସ୍‌ ସିଂଙ୍କୁ ଦେଖି କୁଲିମାନେ ଆନନ୍ଦରେ ଚିତ୍କାର କରିଉଠିଲେ, ‘‘ମେମ୍‌ସାହେବ ! ଛୋଟ ସାହେବ ଦିହେଁ ଆସିଲେଣି ।’’ ଦୀପକ ଏବଂ ରୂପକଙ୍କୁ କୁଲିମାନେ ଛୋଟ ସାହେବ ବୋଲି ଡାକୁଥିଲେ । କାରଣ ମିଷ୍ଟର ସିଂ ସମସ୍ତଙ୍କୁ କହିଥିଲେ ଯେ, ଏ ଦୁହେଁ ତାଙ୍କର ସାନ ଭାଇ ।

 

ବର୍ତ୍ତମାନ ଖବରଟ । ଦେବାପାଇଁ ମିସେସ୍‌ ସିଂ ଆନନ୍ଦରେ ଅଧୀର ହୋଇ ଚାଲିଗଲେ ତମ୍ୱୁ ଭିତରକୁ । ମିଷ୍ଟର ସିଂ ଖବରଟା ପାଇ ଧାଇଁଆସିଲେ ବାହାରକୁ । ଦୂରକୁ ଚାହିଁ ଦେଖିଲେ, ଅଳ୍ପ ଦୂରରେ ଦୀପକ ଆଉ ରୂପକ ଦୁହେଁ କେତେଜଣ କୁଲିଶ୍ରେଣୀୟ ଲୋକଙ୍କୁ ନେଇ ଆସୁଛନ୍ତି । ତାଙ୍କର ଏଥିରେ ସାମାନ୍ୟ କୌତୁହଳ ଜନ୍ମିଲା ସତ; କିନ୍ତୁ ସେ ବିସ୍ମିତ ହେଲେ ନାହିଁ ।

 

କ୍ରମେ ଦୀପକ ଏବଂ ରୂପକ ପାଖକୁ ଆସିଗଲେ । ମିଷ୍ଟର ସିଂ ଦେଖିଲେ, ଦୁହେଁ ଅତି କ୍ଳାନ୍ତ ଏବଂ ଅବସନ୍ନ ହୋଇପଡ଼ିଛନ୍ତି । ସେମାନଙ୍କୁ ଡାକିନେଇ ଚା ଟେବୁଲ ପାଖରେ ବସାଇ ସମସ୍ତ ଖବରଟା କଣ ଜାଣିବାକୁ ବ୍ୟଗ୍ର ହୋଇପଡ଼ିଲେ ।

 

ଦୀପକ ଏବଂ ରୂପକ ଦୁହେଁ ଚା’ର ସଦ୍‌ବ୍ୟବହାର କରୁ କରୁ ମିଷ୍ଟର ସିଂଙ୍କୁ ସବୁ କଥା ଜଣାଇଲେ ।

 

ମିଷ୍ଟର ସିଂ ବଡ଼ ଦୟାଳୁ ପ୍ରକୃତିର ଲୋକ ଥିଲେ । ତତ୍‌କ୍ଷଣାତ୍‌ସେ ଅନ୍ତତଃ ପଚାଶଟା ତମ୍ୱୁ ଆଉ ବସ୍ତାଏ ଗହମ ସେ ଲୋକଗୁଡ଼ାଙ୍କୁ ଦେଇଦେବାଲାଗି ଗୋଟାଏ ଖଲାସୀ ସର୍ଦ୍ଦାରକୁ ହୁକୁମ ଦେଇଦେଲେ । ତା’ ଛଡ଼ା କାଠବାଉଁଶ ଯାହା ଦରକାର ତା ବି ସେ ଲୋକମାନଙ୍କୁ ବୋହିନେବାପାଇଁ କହିଦେଲେ ।

 

ଦୀପକ ୱାଙ୍ଗ୍‌ଲୁକୁ ତମ୍ବୁ ଭିତରକୁ ଡାକିନେଇ କେତେ କଥା ଚୁପ୍‌ ଚୁପ୍‌ କରି କହି ତାକୁ ବିଦାୟ ଦେଲା । ସେମାନଙ୍କୁ ବିଦାୟ ଦେଇସାରି ଭବିଷ୍ୟତ କର୍ମପନ୍ଥା କ’ଣ କରାଯାଇପାରେ, ସେ ବିଷୟରେ ତିନିଜଣଯାକ ଆଲୋଚନା କରିବାରେ ଲାଗିଗଲେ ।

 

ଚାରି

 

ସନ୍ଧ୍ୟା.....

 

ସନ୍ଧ୍ୟା ନୁହେଁ ତ ! ପ୍ରକୃତିର ଦୃଶ୍ୟ ପରିବର୍ତ୍ତନ ମାତ୍ର । ହୁଏତ କେଇ ଘଣ୍ଟା ତଳେ ସାହାରର ପ୍ରଚଣ୍ତ ଖରା ଏଇଠି ତାଣ୍ତବ ନୃତ୍ୟ କରୁଥିଲା । ମାତ୍ର ବର୍ତ୍ତମାନ ?-

 

ସୂର୍ଯ୍ୟାସ୍ତ ହେବା ସଙ୍ଗେ ସଙ୍ଗେ ପ୍ରକୃତି ଯେପରି ସେହି ପ୍ରଳୟଙ୍କରୀ ଦୃଶ୍ୟପଟ ଖଣ୍ତି ବାହାର କରି ଫିଙ୍ଗି ଦେଇଛି । ତା ବଦଳରେ ତୁଷାରଶୁଭ୍ର ରୂପସୀ ଶୀତଳ ସନ୍ଧ୍ୟାକୁ ପଠାଇଦେଇଛି ହସାଇ ହସାଇ । କି ବିଚିତ୍ର ! ବାସ୍ତବିକ ବିଚିତ୍ର !

 

ରାତ୍ରି ଗଭୀର ହୋଇନି । ତେଣୁ ଧୂସର କୁହୁଡ଼ି ବରଫ ପାଲଟିଯାଇନାହିଁ ସେତେବେଳ ପର୍ଯ୍ୟନ୍ତ । ଖାଲି ଟାଙ୍ଗରା ପଥର ଚଟାଣ ଉପରେ ପାଣି ଜମିଉଠିଛି ଯାହା । ସେହି ପାଣି ପୁଣି ଆସ୍ତେ ଆସ୍ତେ ଘନ ହୋଇ ଶୁଭ୍ର ତୁଷାର ରୂପ ଧରିବ—ହୁଏତ ଆଉ କେଇ ଘଣ୍ଟା ପରେ । ଆକାଶର ଧୂସର କୁହୁଡ଼ି ତୁହାକୁ ତୁହା ମାଟିକୁ ଛୁଇଁ ଚାଲିଯାଉଛି । ଚନ୍ଦ୍ରୋଦୟ ହେଲାଣି ଅନେକ ବେଳରୁ । କିନ୍ତୁ କୁହୁଡ଼ିପରଦା ଭେଦି ଚନ୍ଦ୍ରକିରଣ ତଳେ ପଡ଼ୁନି । ତଥାପି ଅସ୍ପଷ୍ଟ ଆଲୋକ ବିଛାଡ଼ି ହୋଇପଡ଼ିଚି ତଳେ, ଯାହାକି ନିକଟତମ ପଦାର୍ଥ ଦେଖିବାପାଇଁ ଯଥେଷ୍ଟ ।

 

ଶୀତ ପଡ଼ିଆସୁଚି କ୍ରମେ ।

 

ଠିକ୍‍ ସେତିକିବେଳେ ମିଷ୍ଟର ସିଂଙ୍କ ତମ୍ୱୁରୁ ବାହାରିଆସିଲେ ମିଷ୍ଟର ସିଂ ଦୀପକ ଆଉ ରୂପକ । ପ୍ରତ୍ୟେକଙ୍କର ଶିକାରୀ ପୋଷାକ । ହାତରେ ଶକ୍ତିଶାଳୀ ରାଇଫଲ୍‌ । ମୁଣ୍ତରେ ଲୁହାର ଟୋପି । ପିଠି ପାଖରେ ଛୋଟିଆ ଛୋଟିଆ ବ୍ୟାଗ୍‌ରେ ଭରିରହିଛି ଗୁଳିଗୋଳା ପ୍ରଭୃତି ଏବଂ କେତେକ ଅତି ଆବଶ୍ୟକୀୟ ପଦାର୍ଥ । ମିସେସ୍‌ ସିଂ ହସି ହସି ତିନିଜଣଙ୍କୁ ବିଦାୟ ଦେଲେ । ଦୀନେଶକୁ ପାଖକୁ ଡାକି ତମ୍ୱୁରେ ସତର୍କ ରହିବାକୁ ଉପଦେଶ ଦେଇ ସେମାନେ ଆଗେଇଗଲେ ଆଗକୁ । ପ୍ରାୟ କେତେ ମିନିଟ ମଧ୍ୟରେ ସେଇ ଅସ୍ପଷ୍ଟ ଅନ୍ଧକାର ମଧ୍ୟରେ ସେମାନେ ଲୁଚିଗଲେ ।

 

ୱାଙ୍ଗ୍‌ଲୁର ଗ୍ରାମରେ ପହଞ୍ଚିଲାବେଳକୁ ରାତି ସାଢ଼େ ଆଠଟା ପ୍ରାୟ ହୋଇଯାଇଥିଲା । ଅନ୍ୟଦିନ ହୋଇଥିଲେ ସେହି ଗ୍ରାମର ଅଧିବାସୀମାନେ ସେତେବେଳେକୁ ନିଘୋଡ଼ ନିଦରେ ଶୋଇଯାଆନ୍ତେଣି । ମାତ୍ର ସେଦିନ କେହି ଶୋଇ ନ ଥିଲେ । ଦିନସାରା କାଠ, ବାଉଁଶ ପୋତି ତମ୍ୱୁ ଟାଣିବାରେ ସେମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଥିଲେ ସୁଦ୍ଧା, ଭଲକରି ମୁଠାଏ ଖାଇବାକୁ ମିଳିଥିଲା । ବର୍ଷରେ ମାତ୍ର କେତେ ଦିନ ସେମାନେ ଅଳ୍ପ ଗହମ ଖାଇବାକୁ ପାଆନ୍ତି । ଆଜି ବସ୍ତାଏ ଗହମ ସେମାନଙ୍କୁ ମିଳିଛି । ସେତକ ପ୍ରତ୍ୟେକ ପରିବାର ବାଣ୍ଟିକୁଣ୍ଟି ନେଇଛନ୍ତି । ଆନନ୍ଦର ସୀମା ନାହିଁ । ଯେ ଯାହାର ଇଚ୍ଛା ଅନୁସାରେ ଖାଦ୍ୟ ତିଆରି କରିବାରେ ବ୍ୟସ୍ତ । ଏଣେ ଆଶଙ୍କା ମଧ୍ୟ ଆନନ୍ଦର ପାଖେ ପାଖେ ରହିଛି । କାଳେ ପୁଣି ଚୀନା ଡକେଇତଗୁଡ଼ା ଆସି ପହଞ୍ଚି ନ ଯାଆନ୍ତି ।

 

ଦୀପକ, ରୂପକ ଏବଂ ମିଷ୍ଟର ସିଂ ଯାଇ ସେଠାରେ ପହଞ୍ଚିଲାବେଳକୁ ୱାଙ୍ଗ୍‌ଲୁ ଅପେକ୍ଷା କରି ରହିଥିଲା ସେମାନଙ୍କୁ । ଏମାନେ ଚୁପ୍‌ଚାପ୍‌ ଯାଇ ପହଞ୍ଚିଲେ ଗୋଟାଏ ତମ୍ୱୁରେ । ତମ୍ୱୁଟି ନିହାତି ଛୋଟ ନୁହେଁ–ବେଶ୍‌ ବଡ଼ । ତା’ ଭିତରେ ଆଉ କେତେଜଣ ଯୁବକ ଅପେକ୍ଷା କରିଥିଲେ ସେମାନଙ୍କୁ । ଏ ତିନିଜଣଙ୍କୁ ଖୁବ୍‍ ଆଦର କରି ପାଛୋଟିନେଲେ ସେମାନେ । ବର୍ତ୍ତମାନ କେତେକ ଆଲୋଚନା ପରେ ସ୍ଥିର ହେଲା ଯେ–ଏ ତିନିଜଣଙ୍କ ସହିତ ୱାଙ୍ଗ୍‌ଲୁ ଏବଂ ଆଉ ଦୁଇଜଣ ଯୁବକ–ଏପରି ସର୍ବମୋଟ ଛଅ ଜଣ ଯିବେ ଚୀନା ଡକାୟତଙ୍କ ତମ୍ୱୁକୁ । ଉଦ୍ଦେଶ୍ୟ ହେଲା–ଯେ କୌଣସିପ୍ରକାରେ ହେଉପଛେ, ସେମାନଙ୍କ କବଳରୁ ଯୁବତୀ ଝିଅ କେଇଜଣଙ୍କୁ ଉଦ୍ଧାର କରି ଆଣିବାକୁ ହେବ । ସେଠାରେ ଉପସ୍ଥିତ ଥିବା ଗ୍ରାମବାସୀମାନଙ୍କଠାରେ ଖୁବ୍‍ ଉତ୍ତେଜନା ପ୍ରକାଶ ପାଉଥିଲା ।

 

ରାତି ପ୍ରାୟ ସାଢ଼େ ଦଶଟାବେଳକୁ ଏଇ ଛୋଟିଆ ଦଳଟି ଗ୍ରାମର ସୀମା ଅତିକ୍ରମ କରି ଚାଲିଲେ ଆଗକୁ–ଚୀନା ଡକାୟତଙ୍କ ଆଖଡ଼ା ଆଡ଼େ । ଚନ୍ଦ୍ର ଅସ୍ତ ହୋଇଆସୁଥାନ୍ତି ସେତେବେଳକୁ-। ତଳେ ଅଳ୍ପ ଅଳ୍ପ ବରଫ ଜମିଉଠୁଥାଏ । ଗୁପ୍ତ ଆଲୋକ ସାହାଯ୍ୟରେ ଏମାନେ ରାସ୍ତା ଦେଖି ଯାଉଥାନ୍ତି । ବିଶେଷ କିଛି ଅସୁବିଧା ଘଟୁ ନ ଥାଏ ସେଥିରେ ।

 

କ୍ରମେ ସେମାନେ ପାହାଡ଼ ପାରି ହୋଇଗଲେ । ତେଣିକି ଚୀନା ତମ୍ୱୁ ଅଳ୍ପ ଦୂର । ତେଣୁ ସେମାନେ ଖୁବ୍‍ ସତର୍କ ହୋଇପଡ଼ିଲେ । ମିଷ୍ଟର ସିଂ, ଦୀପକ ଏବଂ ରୂପକ ନିଜ ନିଜର ରାଇଫଲ୍‌ ଏବଂ ରିଭଲଭର୍‌ ଲୋଡ଼୍‌ କରିନେଲେ । ସେଇ ଘୋର ଅନ୍ଧକାର ଭିତରେ ସେମାନେ ଆଗେଇ ଯାଉଥାନ୍ତି । ଚୀନା ଆଖଡ଼ାରେ ଦୂରତ୍ୱ କ୍ରମେ କମି ଆସୁଥାଏ ସେମାନଙ୍କ ନିକଟରେ ।

 

ଆଉ ଥୋଡ଼ାଏ ବାଟ ଆଗେଇ ଗଲାପରେ ସେମାନେ ଆଗରେ ଅସ୍ପଷ୍ଟ ଆଲୋକ ଦେଖିପାରିଲେ । ସେ’ଟା ତମ୍ୱୁ ନୁହେଁ । ତମ୍ୱୁ ବାହାରେ । ମିଷ୍ଟର ସିଂଙ୍କ ନିର୍ଦ୍ଦେଶାନୁସାରେ ସେଠାରେ ସମସ୍ତେ ଅପେକ୍ଷା କରି ରହିଲେ । କେବଳ ଦୀପକ, ରୂପକ ଏବଂ ୱାଙ୍ଗ୍‌ଲୁ, ଏ ତିନିଜଣ ଗଲେ ଆଗକୁ ଘଟଣାଟା କ’ଣ ଜାଣିବାପାଇଁ ।

 

ଆଲୁଅଟା କ୍ରମେ ପାଖେଇ ଆସୁଥିଲା । ଦୀପକ ଏବଂ ତା’ର ସାଥୀମାନେ ଆଗେଇଯାଉଥିଲେ ସେଇଆଡ଼େ । ହଠାତ୍‌ ଥମ୍‌କରି ଆଲୁଅଟା ଅଟକିଗଲା ଗୋଟାଏ ଯାଗାରେ । ତାହା ଦେଖାଦେଖି ଦୀପକ ଓ ରୂପକ ମଧ୍ୟ ଘଟଣାଟା କ’ଣ ଜାଣିବାପାଇଁ ଅଟକିଗଲେ କିଛି ସମୟ-। ଆଲୋକ ଆଉ ସେମାନଙ୍କ ମଧ୍ୟରେ ଦୂରତା ଅବଶ୍ୟ ବେଶ୍ୟ ବେଶି ନ ଥିଲା । ଖୁବ୍‍ ଅସ୍ପଷ୍ଟ ହେଲେ ମଧ୍ୟ ଚାରିଟି ମନୁଷ୍ୟ ସେମାନେ ଦେଖିପାରୁଥିଲେ । ଯାହାହେଉ, ଖୁବ୍‍ ଅଳ୍ପ ସମୟ ମଧ୍ୟରେ ସେ ଚାରିଜଣ ପୁଣି ଆଲୋକ ନେଇ ଫେରିଗଲେ ତମ୍ୱୁଆଡ଼େ ।

 

ବିଶେଷ କିଛି ଗୁରୁତ୍ୱପୂର୍ଣ୍ଣ ଘଟଣା ନ ହେଲେ ମଧ୍ୟ ମନରେ ସନ୍ଦେହ ହେବା ସ୍ୱାଭବିକ । ରାତି ବାରଟା ପ୍ରାୟ ହେଲାଣି । ପ୍ରଚଣ୍ତ ଶୀତ ସାଙ୍ଗକୁ ବରଫ ବର୍ଷା ବି ଚାଲିଛି । ନିତାନ୍ତ ଆବଶ୍ୟକ ନ ହେଲେ ଏପରି ସମୟରେ ବାହାରେ କିଏ ? ତେବେ ସେ ଆବଶ୍ୟକତାଟା କ’ଣ, ଜାଣିବାପାଇଁ ଦୀପକର ମନ ଉଚ୍ଛନ୍ନ ହୋଇଉଠିଲା । ତା’ରି ନିର୍ଦ୍ଦେଶରେ ତିନିଜଣଯାକ ଆଗେଇଲେ ସେଇଆଡ଼େ—ଖୁବ୍‍ ସାବଧାନ ହୋଇ ଏବଂ ତମ୍ବୁଆଡ଼େ ସତର୍କ ସୃଷ୍ଟି ରଖି ।

 

ଅନୁମାନ ଦ୍ୱାର ନିରୂପିତ ସ୍ଥାନରେ ପହଞ୍ଚି ଦୀପକ ଅଟକିଗଲା । ତା ପଛେ ପଛେ ଅନ୍ୟମାନେ ମଧ୍ୟ । ସେ ସେଇ ଅନ୍ଧକାର ଭିତରେ ତୀକ୍ଷ୍‌ଣ ଦୃଷ୍ଟି ପକାଇଲା ଆଗକୁ । ବରଫ ଉପରେ କ’ଣ ଯୋଡ଼ାଏ କଳା କଳା ହୋଇ ପଡ଼ିଥିବା ପରି ବୋଧହେଲା ତାକୁ । ଜିନିଷ ଦୁଇଟା କ’ଣ ହୋଇପାରେ ଜାଣିବାପାଇଁ ମନଟା ତା’ର ବ୍ୟଗ୍ର ହୋଇଉଠିଲା । ସେ ବାରେ ତମ୍ୱୁଆଡ଼େ ଦୃଷ୍ଟି ବୁଲାଇନେଲା । କେହି କୁଆଡ଼େ ନାହାନ୍ତି । ଆଲୋକ ନେଇ ଲୋକ ଚାରିଟା ତମ୍ୱୁ ଭିତରକୁ ଚାଲିଗଲେଣି । ଏଥର ନିର୍ଭୟରେ ପକେଟରୁ ଗୁପ୍ତ ଆଲୋକ କାଢ଼ି ଆଗକୁ ପକାଇଲା ।

 

ଆଲୋକରେଖା ଭୂମି ସ୍ପର୍ଶ କଲାମାତ୍ରେ ସେ ଯାହା ଦେଖିଲା ସେଥିରେ ସେ ଏତେ ଜୋରରେ ଚମକିପଡ଼ିଲା ଯେ, ତାର ପାଦ ଦୁଇଟା ତାର ଅଜଣାରେ ଦୁଇ ପାଦ ପଛକୁ ହଟିଗଲା । ରୂପକ ଏବଂ ୱାଙ୍ଗ୍‌ଲୁ ଟିକିଏ ପଛରେ ଥିଲେ । ଅସ୍ପଷ୍ଟ ଆଲୋକରେ ସେମାନେ କିଛି ଦେଖି ପାରି ନ ଥିଲେ ସୁଦ୍ଧା ଦୀପକର ଫେରିଆସିବା ଲକ୍ଷ୍ୟ କରିଥିଲେ । ଘଟଣାଟା କ’ଣ ଜାଣିବାପାଇଁ କୌତୁହଳୀ ହୋଇ ସେ ଦୁହେଁ ତା ପାଖକୁ ଚାଲିଆସିଲେ ।

ଏଇ କେଇ ମୁହୂର୍ତ୍ତ ମଧ୍ୟରେ ଦୀପକ ପ୍ରକୃତିସ୍ଥ ହୋଇସାରିଥିଲା । ସେ ପୁଣି ଟିକିଏ ଆଗକୁ ଯାଇ ଆଲୁଅ ପକାଇଲା । ଏଥର ରୂପକ ଏବଂ ୱାଙ୍ଗ୍‌ଲୁ ମଧ୍ୟ ଘଟଣାଟା ଦେଖିପାରିଲେ ତାଙ୍କ ଆଗରେ ଦିଶୁଥିବା ବୀଭତ୍ସ ଦୃଶ୍ୟ । ଇସ୍‌ ! କି ବୀଭତ୍ସ ଭାବରେ ହତ୍ୟା କରାଯାଇଚି ଯୁବତୀ ଦୁଇଜଣଙ୍କୁ । ୱାଙ୍ଗ୍‌ଲୁ ଚିହ୍ନିଲା । ସେ ଦୁଇଜଣ ହେଉଛନ୍ତି ତାଙ୍କରି ଗାଆଁର, ଯେଉଁ ଦୁଇଜଣଙ୍କୁ କାଲି ଡକାୟତମାନେ ଧରିଆଣିଥିଲେ । ହତ୍ୟା ବେଶି ଆଗରୁ କରାଯାଇନାହିଁ । ଅଳ୍ପ ସମୟ ହେବ । ସେତେବେଳ ପର୍ଯ୍ୟନ୍ତ ରକ୍ତ ଶୁଖିଯାଇନି । ଦେହାସାରା ବାଇଓନେଟ୍‌ର ଆଘାତ ଚିହ୍ନ ।

ଦୀପକ ଠିକ୍‍ ଅନୁମାନ କରିପାରିଲା ଯେ, ନୃଶଂସମାନଙ୍କ କଥାର ଅବାଧ୍ୟ ହୋଇ ଏମାନେ ଏଇ ଦଶା ବରଣ କରିଛନ୍ତି । ବାଇଓନେଟ୍‌ ମୁନରେ ଏମାନଙ୍କର ଦେହକୁ ଖିନଭିନ କରି ଅଶେଷ ଯନ୍ତ୍ରଣା ଦେଇ ହତ୍ୟା କରିଛନ୍ତି । ଦୀପକ ଏସବୁ ଚିନ୍ତା କରିବା ସଙ୍ଗେ ସଙ୍ଗେ ମନଟା ତା’ର ବିଷାଦପୂର୍ଣ୍ଣ ହୋଇଉଠିଲା । ପର ମୁହୂର୍ତ୍ତରେ ସେ ଠିକ୍‍ କଲା—ନା, ନା, ସେମାନେ ଯାହା କରିଛନ୍ତି; ଠିକ୍‍ କରିଛନ୍ତି । ବରଂ ନିଜ ଧର୍ମକୁ ଆଶ୍ରୟ କରି ମୃତ୍ୟୁ ବରଣ କରିଛନ୍ତି; ତଥାପି ଅନ୍ୟର ମତରେ ଦୀକ୍ଷିତ ହୋଇନାହାନ୍ତି । ସେ ପଛକୁ ବୁଲି ୱାଙ୍ଗ୍‌ଲୁକୁ ଚାହିଁଲା । ତା’ର ଆଖି ଲୁହରେ ଛଳ ଛଳ ହୋଇଉଠିଛି । ମୁହଁରେ ତା’ର ରାଗ, ଘୃଣା, ଦୁଃଖ ଏବଂ ଦୃଢ଼ତା ଫୁଟିଉଠିଛି ।

ମିଷ୍ଟର ସିଂ ମହାଯୁଦ୍ଧର ଯୋଦ୍ଧା ହିସାବରେ ତାଙ୍କ ଜୀବନରେ ବହୁ ବୀଭତ୍ସ ମୃତ୍ୟୁ ଦେଖିଛନ୍ତି । ମାତ୍ର ଆଜିର ଦୃଶ୍ୟ ଦେଖି ସେ ବିମୂଢ଼ ଓ ବାକ୍‌ଶୂନ୍ୟ ହୋଇପଡ଼ିଥିଲେ । ଉପସ୍ଥିତ କ୍ଷେତ୍ରରେ କର୍ତ୍ତବ୍ୟ କ’ଣ ତାହା ସେ ସ୍ଥିର କରିପାରୁ ନ ଥିଲେ ।

ଦୀପକ ମନେ ମନେ ସ୍ଥିର କରିଥିଲା ଯେ, ଏହି ଶବ ଦୁଇଟିକୁ ଗ୍ରାମ ପର୍ଯ୍ୟନ୍ତ ନେଇଯିବାକୁ ହେବ ଏବଂ ସେଠାରେ ପ୍ରଥାନୁଯାୟୀ ସଂସ୍କାର କରିବାକୁ ହେବ । ୱାଙ୍ଗ୍‌ଲୁ ମଧ୍ୟ ସେଥିରେ ସମ୍ମତ ହେଲା । ଫେରିଲାବେଳେ ଯାହା କରାଯିବ ବୋଲି ସମସ୍ତେ ଫେରିବାକୁ ବସିଥିଲେ; ମାତ୍ର ମିଷ୍ଟର ସିଂ ଏଥିରେ ଅସମ୍ମତ ହେଲେ । ସେ କହିଲେ ଯେ, ଆମେ ଫେରିବା ସମୟରେ କି ଅବସ୍ଥାରେ ଯେ ଫେରିବା, ତା’ର କିଛି ଠିକଣା ନାହିଁ । ସେତେବେଳେ ଏ ଦୁଇଟିକୁ ନେବା ହୁଏତ ଆମ ପକ୍ଷରେ ସମ୍ଭବ ହୋଇ ନ ପାରେ । ବରଂ ଆମ ଭିତରୁ ଦୁଇଜଣ ଶବ ଦୁଇଟିକୁ ଥୋଡ଼ାଏ ବାଟ ନେଇଯାଆନ୍ତୁ; ସମ୍ଭବ ହେଲେ ଗାଁ ପର୍ଯ୍ୟନ୍ତ ଚାଲିଯାଆନ୍ତୁ । ଅନ୍ୟମାନେ ଫେରିବାବେଳେ ସେମାନଙ୍କୁ ସାହାଯ୍ୟ କରିବେ । ସମସ୍ତେ ଏ ପ୍ରସ୍ତାବକୁ ସମର୍ଥନ କଲେ । ଏହା ଅବଶ୍ୟ ଗୋଟିଏ ସୁଚିନ୍ତିତ ଯୋଜନା ଥିଲା ।

ୱାଙ୍ଗ୍‌ଲୁର ସାଙ୍ଗରେ ଆସିଥିବା ତା ଗାଁର ଯୁବକ ଦୁଇଜଣଙ୍କ ଜିମାରେ ଶବଦୁଇଟାକୁ ଦେଇ ଏ ଚାରିଜଣ ଆଗେଇଗଲେ ଆଗକୁ—ଆଗ ଅପେକ୍ଷା ଆହୁରି ସତର୍କ ହୋଇ । ତମ୍ୱୁଠାରୁ ସେମାନଙ୍କର ଦୂରତା ଆହୁରି ଆହୁରି କମିଆସୁଥିଲା ।

ଖୁବ୍‍ ପାଖେଇଆସିଲାରୁ ତମ୍ୱୁଭିତରର ଅସ୍ପଷ୍ଟ ଆଲୋକ ସେମାନେ ଦେଖିବାକୁ ପାଇଲେ । ବରଫ ଖୁବ୍‍ ନରମା ଥିଲା । ତେଣୁ ପାଦଶବ୍ଦ ଶୁଣା ଯାଉ ନ ଥିଲା । ତଥାପି ଖୁବ୍‍ ପାଦ ଚିପି ଚିପି ଚାଲିବାକୁ ମିଷ୍ଟର ସିଂ ଇଙ୍ଗିତ କଲେ ସମସ୍ତଙ୍କୁ ।

ତମ୍ୱୁ ନିକଟରେ ପହଞ୍ଚି ସେମାନେ ଦେଖିଲେ ଯେ, ପ୍ରକୃତରେ ଛଅ ସାତଟି ତମ୍ୱୁ ସେଠି ଟଣାଯାଇଛି । ଗୋଟିକ ବ୍ୟତୀତ ଅନ୍ୟଗୁଡ଼ିକ ଅନ୍ଧକାର । ସେଥିରୁ କେତୋଟିରୁ ଶୋଇବା ଲୋକର ଘୁଙ୍ଗୁଡ଼ିଶବ୍ଦ ଶୁଣାଯାଉଛି । ସ୍ଥାନଟା କିପରି ଅପରିଷ୍କାର, ଦୁର୍ଗନ୍ଧମୟ ବୋଧ ହେଲା ସେମାନଙ୍କୁ । ଯେଉଁ ତମ୍ୱୁଭିତରୁ ଆଲୁଅ ଦେଖାଯାଉଥିଲା, ସେହି ତମ୍ବୁର ଦ୍ୱାର ଫାଙ୍କରେ ଠିଆ ହୋଇ ଦୀପକ ଖୁବ୍ ସତର୍କ ଭାବରେ ଚାହିଁଲା ଭିତରକୁ । ଭିତରେ ଗୋଟିଏ ଫୋଲ୍‌ଡ଼ିଂ ଟେବୁଲକୁ ଘେରି ଚାରି ଜଣ ଚୀନା ସାମରିକ ଅଫିସର ମଦ୍ୟପାନରେ ବ୍ୟସ୍ତ । ଆଉ ଜଣେ ଆଉ ଗୋଟିଏ ଛୋଟ ଟେବୁଲ ପାଖରେ ବସି କିଛି ଗୋଟାଏ ସାଙ୍କତିକ ବେତାର ବାର୍ତ୍ତା ଗ୍ରହଣ କରି ଲିପିବଦ୍ଧ କରିବାରେ ଲାଗିଯାଇଚି । ଅଫିସର ଚାରିଜଣ ମଦ୍ୟପାନ କରିବା ସଙ୍ଗେ ସଙ୍ଗେ ଏଇ ଯୁବତୀ ଦୁଇଟି ସମ୍ୱନ୍ଧରେ ଅତି କୁତ୍ସିତ ଆଲୋଚନା ଚଳାଇଛନ୍ତି ।

ଏଠାରେ ଅଧିକ ସମୟ ଅପେକ୍ଷା କରି ସମୟ ନଷ୍ଟ କରିବା ବୃଥା ଭାବି ମିଷ୍ଟର ସିଂଙ୍କୁ ସେଠାରେ ରଖାଇ ଦୀପକ ଏବଂ ଅନ୍ୟମାନେ ଚାଲିଆସିଲେ ସେଠାରୁ ଅନ୍ୟ ଆଡ଼କୁ । କାରଣ ମିଷ୍ଟର ସିଂ ଥିଲେ ବହୁ ଭାଷାରେ ଅଭିଜ୍ଞ ଏବଂ ସତର୍କ ବ୍ୟକ୍ତି । ତାଙ୍କ ବ୍ୟତୀତ ଏ କାମ ଅନ୍ୟ କେହି ପାରନ୍ତାନି । ମିଷ୍ଟା ସିଂ ରିଭଲଭର ହସ୍ତରେ ଜଗିରହିଲେ ସେହି ତମ୍ୱୁଦ୍ୱାରରେ ସେମାନଙ୍କ କଥାବାର୍ତ୍ତା ପ୍ରତି କାନ ଡେରି ।

ଦୀପକ ଖୁବ୍‍ ସତର୍କ ଭାବରେ ପାଖ ତମ୍ୱୁରେ ପଶିଗଲା । ଭିତରଟା ଘୋର ଅନ୍ଧକାର । କେତେଜଣ ଚୀନା ସୈନିକଙ୍କ ଘୁଙ୍ଗୁଡ଼ି ଶବ୍ଦରେ ତମ୍ୱୁଟା କମ୍ପି ଉଠୁଥିଲା । ଭିତରଟା ମଦ ଗନ୍ଧରେ ଭରପୂର । ପକେଟରେ ଗୁପ୍ତ ଆଲୋକ ଥିଲେ ମଧ୍ୟ ସେ ଜଳାଇବାକୁ ସାହସ କରିପାରିଲାନି, ଆପାତତଃ ନିଜର ନିରାପତ୍ତା ଦୃଷ୍ଟିରୁ । ତା ପାଖ ତମ୍ୱୁଟା ଖାଲି ଥିଲା ବୋଧହୁଏ । କାରଣ କୌଣସି ପ୍ରକାର ଶବ୍ଦ ଶୁଣାଯାଉ ନ ଥିଲା ତା ଭିତରୁ । ଦୀପକ୍‌ ଖୁବ୍‍ ଆସ୍ତେ ପରଦା ଆଡ଼େଇ ପଶିଲା ତା ଭିତରେ । ଭିତରେ କେହି ନ ଥିଲେ । ସେ ପକେଟରୁ ଗୁପ୍ତ ଆଲୁଅ କାଢ଼ି ପକାଇଲା ଭିତରେ । ଭିତରେ ତମ୍ୱୁ ଦେହକୁ ଲାଗି ସଜାହୋଇ ଥୁଆହୋଇଛି କେତେ ଖଣ୍ତି ରାଇଫ୍ଳ, ଗୋଟାଏ ହାଲୁକା ମେସିନ୍‌ଗନ୍‌ଆଉ କେତେଗୁଡ଼ାଏ ଗୁଳିଭରା ବାକ୍‌ସ । ଦୀପକର ମୁହଁ ଉଜ୍ଜ୍ୱଳ ହୋଇଉଠିଲା । ‘ଏଇ ସବୁ ତ ନିହାତି ଦରକାର’—ମନେ ମନେ ଏକଥା କହିବା ସଙ୍ଗେ ସଙ୍ଗେ ସେ ବାହାରେ ଥିବା ରୂପକ ଏବଂ ୱାଙ୍ଗ୍‌ଲୁକୁ ଇସାରା ଦେଲା । ସେମାନେ ପାଖକୁ ଆସିଲାରୁ ଇଙ୍ଗିତରେ ସବୁକଥା ସେମାନଙ୍କୁ କହି ଚାରିଟା ରାଇଫ୍ଳ, ଗୋଟାଏ ହାଲୁକା ମେସିନ ଗନ ଏବଂ ଗୋଟାଏ ଗୁଳିବାକ୍‌ସ ଉଠାଇଆଣିଲା ସେଠାରୁ । ତମ୍ୱୁଠାରୁ ଅଳ୍ପ ଦୂରକୁ ଆସି ଅତି ହାଲୁକା ଭାବରେ ପାଟିରେ ଏକପ୍ରକାର ସଙ୍କେତ ଦେଲାମାତ୍ରେ ମିଷ୍ଟର ସିଂ ମଧ୍ୟ ନିଜର ସ୍ଥାନ ଛାଡ଼ି ଆସି ସେଠି ପହଞ୍ଚିଗଲେ । ଏମାନଙ୍କ କାନ୍ଧରେ ଭରା ବୋଝ ଦେଖି ହଠାତ୍‌ କିଛି ଠଉରାଇପାରିଲେ ନାହିଁ ସେ । ସ୍ଥାନଭେଦରେ କିଛି ପଚାରି ପାରିଲେ ନାହିଁ ମଧ୍ୟ । ଖାଲି ନୀରବରେ ସେମାନଙ୍କୁ ଅନୁସରଣ କରି ଚାଲିଲେ ଲମ୍ବ ଲମ୍ବ ପାଦ ପକାଇ ସୀମାନ୍ତ ଗ୍ରାମ ଅଭିମୁଖରେ ।

 

ବାଟରେ ମିଷ୍ଟର ସିଂ କେବଳ ପଦେ କଥା କହିଥିଲେ—‘‘ବଡ଼ ଆଶ୍ଚର୍ଯ୍ୟର କଥା ! ଏମାନେ ଏଡ଼େ ବିପଦ୍‌ଜନକ କାମରେ ହାତ ଦେଇଛନ୍ତି; ଅଥଚ ଜଣେହେଲେ ସେଣ୍ଟ୍ରିର ବ୍ୟବସ୍ଥା ନାହିଁ !’’

 

ଦୀପକ ଉତ୍ତର ଦେଲା, ‘‘ବ୍ୟବସ୍ଥା ନ କରିବାଟା ଆମ ପକ୍ଷରେ ସୌଭାଗ୍ୟର ବିଷୟ । ଏପରି ଦୁର୍ଗମ ସ୍ଥାନରେ ସେମାନେ ଗୋଟାଏ ସେଣ୍ଟ୍ରି ରଖିବାର ଆବଶ୍ୟକତା ଆଦୌ ଉପଲବ୍‌ଧି କରିପାରିନାହାନ୍ତି । ବଳେ କାଲି ସକାଳୁ କରିବେ ।’’

 

ଆଗରୁ ଶବ ଦୁଇଟିକୁ ଧରି ସାଙ୍ଗରେ ଆସିଥିବା ଯୁବକ ଦୁଇଜଣ ଚାଲିଯାଇଥିଲେ । ଏମାନଙ୍କର ଫେରିବା ବିଳମ୍ୱ ଦେଖି ହୁଏତ ସେମାନେ ଅପେକ୍ଷା କରିନାହାନ୍ତି । ଯାହାହେଉ, ଭଲ କରିଛନ୍ତି ବୋଲି ମନେ ମନେ ଧରିନେଲେ ସମସ୍ତେ ।

 

ମିଷ୍ଟର ସିଂଙ୍କ ଛଡ଼ା ଅନ୍ୟମାନଙ୍କ କାନ୍ଧରେ ଶକ୍ତ ବୋଝ ରହିଥିଲା । ଉପରେ ପ୍ରଚଣ୍ତ ଶୀତ । ତଳେ ବରଫ । ଏତେ ଥଣ୍ତାରେ ସୁଦ୍ଧା ଦେହରୁ ପୋଷ ପୋଷ ଝାଳ ନିଗିଡ଼ି ପଡ଼ୁଥିଲା । ତଥାପି କେହି କ୍ଳାନ୍ତି ଅନୁଭବ କରୁ ନ ଥିଲେ । ସମସ୍ତଙ୍କ ମନରେ ଗୋଟାଏ ଅଦମ୍ୟ ନିଶା ଘାରିଥିଲା ଯେମିତି ।

 

ସୀମାନ୍ତ ଗ୍ରାମର ନିକଟବର୍ତ୍ତୀ ହେଲାବେଳକୁ ମିଷ୍ଟର ସିଂ ହାତଘଡ଼ିକୁ ଚାହିଁ ଦେଖିଲେ–ତିନିଟା ବାଜି ଚାଳିଶି ମିନିଟ୍‌ହେଲାଣି ।

 

ପାଞ୍ଚ

 

ଘଟଣାଟା ଖୁବ୍ ଉତ୍ତେଜନା ସୃଷ୍ଟି କରିଥିଲା ସୀମାନ୍ତ ଗ୍ରାମ ଅଧିବାସୀଙ୍କ ମନରେ । ପ୍ରତ୍ୟେକେ ନିଜ ନିଜର ଜୀବନ ବଦଳରେ ଏ ସବୁର ପ୍ରତିଶୋଧ ନେବାକୁ ଚାହୁଁଥିଲେ । ଝିଅ ଦୁଇଟିଙ୍କର ବାପ, ମାଆ ଓ ପରିବାରର ଲୋକେ ଶବ ଦୁଇଟିକୁ ଧରି ବଡ଼ କରୁଣଭାବରେ କନ୍ଦାକଟା ଆରମ୍ଭ କରିଦେଇଥିଲେ । ଆଉ ଗୋଟାଏ ଜାଗାରେ ମୁଖିଆ ମୁଖିଆ କେତେଜଣ ବସି ଏହାର ପ୍ରତିକାର ବ୍ୟବସ୍ଥା କ’ଣ କରାଯାଇପାରେ, ତାହା ଚିନ୍ତା କରୁଥିଲେ । ପ୍ରତ୍ୟେକଙ୍କ ସ୍ୱରରେ ଉତ୍ତେଜନା ପୂର୍ଣ୍ଣ ରହିଥିଲା ।

 

ଏତିକିବେଳେ ସମସ୍ତଙ୍କୁ ବିସ୍ମୟାଭିଭୂତ କରି ଦୀପକ, ରୂପକ, ମିଷ୍ଟର ସିଂ ଏବଂ ୱାଙ୍ଗ୍‌ଲୁ ଆସି ପହଞ୍ଚିଗଲେ ସେଠି । ସେମାନଙ୍କ କାନ୍ଧରେ ଶକ୍ତ ବୋଝ ଦେଖି ସମସ୍ତଙ୍କର ବିସ୍ମୟ ଆହୁରି ବହୁଗୁଣିତ ହୋଇଉଠିଲା । ବନ୍ଧୁକ ଅବଶ୍ୟ ଏମାନେ ଚିହ୍ନନ୍ତି; କିନ୍ତୁ ଏପରି ମାରାତ୍ମକ ଅସ୍ତ୍ର ଯେ ତାଙ୍କ ହାତ ପାଖରେ ପହଞ୍ଚିଯିବ, ଏକଥା ସେମାନଙ୍କର କଳ୍ପନାରେ ସୁଦ୍ଧା ନ ଥିଲା । ବର୍ତ୍ତମାନ ତାହା ଦେଖି ସମସ୍ତେ ଉତ୍ସୁକ ହୋଇ ସେଇଆଡ଼େ ଚାହିଁରହିଲେ ।

 

ହାତରେ ସମୟ ଯଥେଷ୍ଟ ନ ଥିଲା ସେମାନଙ୍କୁ ସାନ୍ତ୍ୱନା ଦେଇପାରିଲା ଭଳି । ଉପସ୍ଥିତ ପରିସ୍ଥିତିରେ କ’ଣ କରାଯାଇପାରେ ତାହାହିଁ ଥିଲା ଚିନ୍ତାର ବିଷୟ । ମିଷ୍ଟର ସିଂଙ୍କ ନିର୍ଦ୍ଦେଶରେ ଗାଁର ମୁଖିଆ କେତେଜଣ ଆସି ଏକାଠି ହେଲେ ଗୋଟାଏ ଜାଗାରେ । ମିଷ୍ଟର ସିଂ ସେମାନଙ୍କୁ ବୁଝାଇ କହିଲେ—‘‘ରାତି ପାହିଲେ ଡକାୟତଗୁଡ଼ାଙ୍କ ଭିତରେ ହୈ ଚୈ ପଡ଼ିଯିବ ନିଶ୍ଚୟ । ସେମାନେ ପୁଣି ଆସି ଗାଁ ଭିତରେ ଜୁଲୁମ ଆରମ୍ଭ କରିଦେବେ । ତୁମେମାନେ ସେଥିରୁ ରକ୍ଷା ପାଇବାପାଇଁ କ’ଣ କରିବାକୁ ଚାହୁଁଛ ?’’

‘‘ଆମେ ପ୍ରତିଶୋଧ ଚାହୁଁ, ପ୍ରତିଶୋଧ !’’ କେତେଜଣ ଗ୍ରାମବାସୀ ଚିତ୍କାର କରିଉଠିଲେ-

ସେମାନଙ୍କର କଥା ଶୁଣି ମିଷ୍ଟର ସିଂଙ୍କୁ ହସ ମାଡ଼ୁଥିଲା । ସେ ଭାବୁଥିଲେ—ଏମାନେ ହୁଏତ ଉତ୍ତେଜନାର ବଶବର୍ତ୍ତୀ ହୋଇ ଏପରି କହୁଛନ୍ତି; କିନ୍ତୁ ସଶସ୍ତ୍ର ଚୀନାମାନଙ୍କ ଆଗରେ ଠିଆହେବା ପାଇଁ ଏମାନଙ୍କର ସାମର୍ଥ୍ୟ ବା କାହିଁ ? ମନର ଭାବ ଗୋପନ ରଖି ସେ କହିଲେ–‘‘ନା, ପ୍ରତିଶୋଧ ନେବାର ବେଳ ବର୍ତ୍ତମାନ ଆସିନି । ତୁମର ମଧ୍ୟ ସେତିକି ଶକ୍ତି ନାହିଁ । ସେମାନଙ୍କ ପାଖରେ ବନ୍ଧୁକ ଅଛି, ଗୁଳି ଅଛି । ତୁମ ପାଖରେ କ’ଣ ଅଛି ?’’

କଥାର ଯଥାର୍ଥତା ସମସ୍ତେ ହୃଦୟଙ୍ଗମ କରିପାରିଲେ । ନିରାଶାରେ ସେମାନଙ୍କର ମୁହଁଟିମାନ ଶୁଖିଗଲା ।

ମିଷ୍ଟର ସିଂ ପୁଣି କହିଲେ—‘‘କେହି ହତାଶ ହୁଅନା । ସେମାନଙ୍କ ଉପରେ ପ୍ରତିଶୋଧ ନେବାର ବେଳ ବଳେଇଯାଇନି, ଆସୁଚି । ତୁମେ ବରଂ ସେଥିପାଇଁ ଶକ୍ତି ସଞ୍ଚୟ କର । ବନ୍ଧୁକ ଚଳେଇ ଶିଖ, ଲଢ଼େଇ କରି ଶିଖ । ତାହାହେଲେ ସେମାନଙ୍କ ଉପରେ ପ୍ରତିଶୋଧ ନେଇପାରିବ-।’’

—‘‘ଆମେ ଶିଖିବୁଁ । କିନ୍ତୁ ଶିଖାଇବ କିଏ ?’’ ସମସ୍ତେ ପୁଣି ଏକ ସ୍ୱରରେ ଚିତ୍କାର କରିଉଠିଲେ ।

—‘‘ସେ ଦାୟିତ୍ୱ ମୋର । ତୁମେମାନେ ଭାରତର ନାଗରିକ । ସୀମାନ୍ତ ରକ୍ଷା କରିବା ଦାୟିତ୍ୱ ତୁମର । ମୁଁ ଏ ବିଷୟ ଶୀଘ୍ର ସରକାରଙ୍କୁ ଲେଖୁଛି । ସେଠାରୁ ଖୁବ୍‍ ସାହାଯ୍ୟ ମିଳିବ । ଖାଲି ତୁମର ସହଯୋଗ ଲୋଡ଼ା ।

—‘‘ଆମେ ପ୍ରସ୍ତୁତ ।’’ ପୁଣି ସମସ୍ତେ ଚିତ୍କାର କରିଉଠିଲେ ।

—‘‘ବେଶ୍‌ ! ତେବେ ଏଇ ମୁହୂର୍ତ୍ତରେ ନିଜ ନିଜର ଯାହା ଜିନିଷପତ୍ର ଅଛି ନେଇ ପଳାଇଚାଲ ଏଠୁ । ନ ହେଲେ କାଲି ସକାଳୁ ଡକାୟତଦଳ କାହାରି ସତ୍ତା ରଖିଦେବେ ନାହିଁ । ଆମେ ନିଜେ ନିରାପଦରେ ରହି ସେମାନଙ୍କ ଉପରେ ଠିକଣା ବେଳରେ ଚଢ଼ାଉ ଆରମ୍ଭ କରିଦେବା । ସେ ସୁଯୋଗ ବର୍ତ୍ତମାନ ସୁଦ୍ଧା ଆସିନି ।’’

ଏଇ ଶେଷ ସିଦ୍ଧାନ୍ତଟା ସମସ୍ତଙ୍କ ନିକଟରେ ପହଞ୍ଚିଯିବା ପାଇଁ ଅଧିକ ସମୟ ଲାଗିଲାନି-। ସମସ୍ତେ ଏକାଠି ହୋଇ ବାହାରିପଡ଼ିବାକୁ ଅଧିକ ବିଳମ୍ୱ ମଧ୍ୟ ହେଲା ନାହିଁ । ଘରକରଣା ସମ୍ପତ୍ତି ବା କେତେ ? ପୋଷା ଜୀବ ଯେ କେତୋଟି ଯାହାର ଥିଲେ ଅଡ଼ାଇ ଅଡ଼ାଇ ଚାଲିଲେ-। ସେମାନଙ୍କର ରକ୍ଷାକାରୀରୂପେ ଦୀପକ, ରୂପକ ଏବଂ ମିଷ୍ଟର ସିଂ ଚାଲିଲେ ଆଗପଛ ହୋଇ-

ଗୋଟିଏ ଗାଁର ସତ୍ତା ବସୁଧାମାଟିରୁ ଲିଭିଗଲା ବର୍ବର ଚୀନ ଅତ୍ୟାଚାରରେ । ବରଫ ଉପରେ ଚାଲିଥିଲେ ଗାଁଟିର ପିଲା, ଛୁଆ, ବୁଢ଼ା, ବୁଢ଼ୀ, ଯୁବକ, ଯୁବତୀ, ଦଳ—ମିଷ୍ଟର ସିଂ ଥିଲେ ପୁରୋଭାଗରେ ।

 

X X X

 

ସକାଳର ପ୍ରଥମ ସୂର୍ଯ୍ୟାଲୋକ ଧରଣୀ ସ୍ପର୍ଶ କଲାବେଳକୁ ମିଷ୍ଟର ସିଂ ସଦଳବଳେ ତାଙ୍କ ଜଙ୍ଗଲ ଅଞ୍ଚଳରେ ପହଞ୍ଚିଯାଇଥିଲେ । ଗତ ରାତିରେ ମିଷ୍ଟର ସିଂଙ୍କୁ ହସି ହସି ବିଦାୟ ଦେଇଥିଲେ ସୁଦ୍ଧା ମିସେସ୍‌ ସିଂ ସ୍ଥିର ରହିପାରି ନ ଥିଲେ । ବଡ଼ ଛଟପଟରେ ରାତିଟା କଟିଥିଲା ତାଙ୍କର । ସେ ଭାବୁଥିଲେ ମିଷ୍ଟର ସିଂକୁ ବରଂ ବାରଣ କରିବା ଉଚିତ ଥିଲା ତାଙ୍କ ପକ୍ଷରେ । ସାରା ଜୀବନ ଯୁଦ୍ଧର ବିଭୀଷିକା ଭିତରେ ଅତିବାହିତ କଲାପରେ ତାଙ୍କୁ ବରଂ ଶାନ୍ତିରେ ରହିବାକୁ ସୁବିଧା ଦେବା ଉଚିତ ଥିଲା । ସେ ଭଲ ଭାବରେ ଜାଣିଥିଲେ ଯେ, ମିଷ୍ଟର ସିଂ ଯଦି ଥରେ ଏଥିରେ ମୁଣ୍ତ ପୂରାଉଛନ୍ତି ତେବେ ୟା’ର ସମାଧାନ ନ କରି ଛାଡ଼ିବେ ନାହିଁ । ତଥାପି ସେ ତାଙ୍କୁ ଅଟକାଇ ରଖିବାକୁ ସାହସ କରି ନ ଥିଲେ, ସେଥିରୁ ସେ ବୁଝିପାରିଥିଲେ ଯେ ଚୀନାମାନେ ଭାରତର ସୀମାନ୍ତରେ । ସେମାନଙ୍କର ଉଦ୍ଦେଶ୍ୟ ହୁଏ ତ ଭଲ ନୁହେଁ । ଏପରି ପରିସ୍ଥିତିରେ ଜନ୍ମଭୂମିର ସେବା କରିବା ଦିଗରେ ବରଂ ଲୋକଙ୍କୁ ଉତ୍ସାହିତ କରିବା ଉଚିତ । କିନ୍ତୁ ବିରତ କରାଇବା ଉଚିତ ନୁହେଁ । ମିଷ୍ଟର ସିଂ ଦୀପକ ଏବଂ ରୂପକଠାରୁ ସବୁକଥା ଶୁଣିସାରି ନିଜ ପକ୍ଷରୁ ଯେପରି ଆଗ୍ରହ ପ୍ରକାଶ କରିଥିଲେ ତାହା ଦେଖି ମିସେସ୍‌ ସିଂ ବାରଣ କରିବାକୁ ସାହସ କରି ନ ଥିଲେ । ତାଙ୍କର ଆଶଙ୍କା ଥିଲା, ମିଷ୍ଟର ସିଂ ତାଙ୍କର ବାରଣ ହୁଏ ତ ମାନିନେଇ ନ ପାରନ୍ତି ।

 

ବର୍ତ୍ତମାନ ସଦଳବଳେ ମିଷ୍ଟର ସିଂଙ୍କୁ ଫେରିଆସିବାର ଦେଖି ତାଙ୍କର ଆନନ୍ଦର ସୀମା ରହିଲା ନାହିଁ । ସାଙ୍କରେ ପିଲା ଛୁଆ ବୁଢ଼ା ମିଶି ଗୁଡ଼ାଏ ଲୋକ । ଏଟା ଅବଶ୍ୟ ନୂତନ ଦୃଶ୍ୟ ନୁହେଁ ତାଙ୍କ ପକ୍ଷରେ । କାରଣ ସମୟ ସମୟରେ କୁଲିଦଳ କାଠ କାଟିବାପାଇଁ ଏହିପରି ଭାବରେ ଆସି ପହଞ୍ଚିଯାଆନ୍ତି । ମିସେସ୍‌ ସିଂ ସେହିପରି କିଛି ଅନୁମାନ କରିଥିଲେ । ତେଣୁ ସେ ବିଶେଷ ଗୁରୁତ୍ୱ ଦେଇ ନ ଥିଲେ ତା ଉପରେ । ବର୍ତ୍ତମାନ ମିଷ୍ଟର ସିଂଙ୍କଠାରୁ ସବୁ କଥା ଶୁଣି ସେ ଭୟ ଓ ବିସ୍ମୟରେ ବୁଡ଼ିଗଲେ ଯେମିତି । ତଥାପି ମନରୁ ସାହସ ତୁଟିଯାଇ ନ ଥିଲା ତାଙ୍କର ।

 

ଲୋକଗୁଡ଼ାଙ୍କୁ ଥଇଥାନ କରିବାପାଇଁ ତରାଇ ଅରଣ୍ୟରେ ଖୋଲା ପଡ଼ିଆର ଅଭାବ ନ ଥିଲା । ସବୁ କାଠକଟାଳୀଙ୍କ ସହଯୋଗରେ ଗୋଟାଏ ବିସ୍ତୀର୍ଣ୍ଣ ପଡ଼ିଆରେ ଏଇ ସୀମାନ୍ତ ଗ୍ରାମବାସୀଙ୍କ ପାଇଁ ଧାଡ଼ି ଧାଡ଼ି ତମ୍ୱୁ ଟଣା ହୋଇଗଲା ଗୋଟାଏ ଓଳି ଭିତରେ । ସବୁ କୁଲିଙ୍କ ତରଫରୁ କିଛି କିଛି ଚାନ୍ଦା କରାଯାଇ ସେମାନଙ୍କ ପାଇଁ ଦୁଇ ତିନି ଦିନର ଖାଦ୍ୟପଦାର୍ଥ ଯୋଗାଡ଼ କରିଦିଆଗଲା । ତେଣିକି ଏମାନେ ନିଜେ କାମଧନ୍ଦା କରି ନିଜର ଖାଦ୍ୟ ଆଦି ଯୋଗାଡ଼ କରିନେଇପାରିବେ ବୋଲି ଠିକ୍‍ କଲେ । କାମ ତ କିଛି ଅଭାନ ନ ଥିଲା ସେଠି । ବହୁତ କାଠ ବ୍ୟବସାୟୀଙ୍କ କୁପ୍‌ରେ କାଠ କଟା ଚାଲିଥାଏ । ଦୀର୍ଘଦିନ ପର୍ଯ୍ୟନ୍ତ ଚାଲିବ ମଧ୍ୟ । ତେଣୁ ଚିନ୍ତାର ଅବକାଶ ନ ଥିଲା । କାରଣ କାଠକଟା ସମୟରେ ସେଠାରେ କୁଲିର ଅଭାବ; କାମର ଅଭାବ ନୁହେଁ । ସମୟ ସମୟରେ ଠିକାଦାରମାନେ ଅଧିକା ମଜୁରୀ ଲୋଭ ଦେଖାଇ କୁଲିମାନଙ୍କୁ ନିଜ ଦଳକୁ ଟାଣିନେଇଥାନ୍ତି ।

 

ଏତେଗୁଡ଼ାଏ ଲୋକଙ୍କୁ ନେଇ ଆପାତତଃ କ’ଣ କରାଯାଇପାରିବ, ତାହାହିଁ ଚିନ୍ତାର ବିଷୟ ହୋଇପଡ଼ିଛି ମିଷ୍ଟର ସିଂ, ଦୀପକ ଏବଂ ରୂପକଙ୍କ ପକ୍ଷରେ । ସେଦିନ ସକାଳେ ଚା’ ଟେବୁଲରେ ସେହି କଥାହିଁ ଆଲୋଚନା ଚାଲିଥିଲା ଖୁବ୍‍ ଗଭୀର ଭାବରେ ।

 

ମିଷ୍ଟର ସିଂ କହିଲେ, ‘‘ମୁଁ ସବୁ ବିଷୟର ଟିକିନିଖି ବିବରଣୀ ତ ମେଜର କପୁରଙ୍କ ନିକଟକୁ ଲେଖିଛି । ଚିଠିଟା ତ ତୁମେ ଦେଖିଛ । ଅନ୍ତତଃ ସପ୍ତାହକ ମଧ୍ୟରେ ତା’ର କିଛି ଗୋଟାଏ ବ୍ୟବସ୍ଥା କରାଯାଇପାରିବ ବୋଲି ମୋର ଆଶା । ମେଜର କପୁର ମୋର ଜଣେ ଅନ୍ତରଙ୍ଗ ବନ୍ଧୁ । ସେ ଅବଶ୍ୟ ଏକଥା ଆର୍ମି ହେଡ଼୍‌କ୍ୱାଟରକୁ ଲେଖିଥିବେ ।’’

 

‘‘ଯଦି ସେଆଡ଼ୁ କିଛି ଉଦ୍ୟମ ନ ହୁଏ ?’’ —ପଚାରିଲା ରୂପକ ।

 

‘‘ତୁମେ ହତାଶ ହୋଇପଡ଼ନା । ସବୁବେଳେ ଆଶାବାଦୀ ହୁଅ । ଉଦ୍ୟମ ଅବଶ୍ୟ ହେବ-। କାରଣ ଏଟା କିଛି ସାମାନ୍ୟ ବ୍ୟାପାର ନୁହେଁ । ଯଦି ତୁମର ଆଶଙ୍କା ସତ୍ୟ ହୁଏ, ତେବେ ଆମ ଦ୍ୱାରା ଯାହା ହୋଇପାରେ ଆମେ କରିବା । ଲୋକଗୁଡ଼ା କିନ୍ତୁ କୋଢ଼ି ଖଣ୍ତିଆ ନୁହନ୍ତି, ଖୁବ୍‍ ପରିଶ୍ରମୀ । ଯେଉଁଠି କାମ କରିବେ ଖାଇବେ । ତାଙ୍କୁ ନେଇ ଆମକୁ ଅଧିକ ମୁଣ୍ତ ଖେଳେଇବା କଥା ମୁଁ ଭାବୁନାହିଁ । ମୁଁ ସେ ଆଡ଼କାର କଥା ଭାବୁଛି ।’’

 

ମିଷ୍ଟର ସିଂ କେଉଁ ଆଡ଼କାର କଥାକୁ ଲକ୍ଷ୍ୟ କରି କହୁଛନ୍ତି, ତାହା ଦୀପକ ଏବଂ ରୂପକ ବୁଝିପାରିଲେ ।

 

‘‘ମୁଁ କିନ୍ତୁ ଅନ୍ୟ ପ୍ରକାର ଭାବୁଥିଲି ।’’ ଦୀପକ କହିଲା ।

 

‘‘କଣ ?’’ –ପଚାରିବା ସଙ୍ଗେ ସଙ୍ଗେ ମିଷ୍ଟର ସିଂ ଭ୍ରୂଲତା ଟେକି ଚାହିଁଲେ ।

 

ମୁଁ କହୁଥିଲି କି, ଆମ ପାଖରେ ହାତହତିଆରର ଅଭାବ ନାହିଁ । ଏମାନଙ୍କ ଭିତରୁ ବୟସ ଅନୁସାରେ କେତେଜଣଙ୍କୁ ନେଇ ଯଦି ଯୁଦ୍ଧବିଦ୍ୟା ଶିକ୍ଷା ଦିଆଯାଇପାରନ୍ତା ତେବେ ସେମାନେ ଭଲ କାମ କରିପାରନ୍ତେ । ଭବିଷ୍ୟତରେ ସୀମାନ୍ତରକ୍ଷୀ କାମ ମଧ୍ୟ ଏମାନଙ୍କ ଦ୍ୱାରା ହୋଇପାରନ୍ତା । କାରଣ ସୀମାନ୍ତର ଦୁର୍ଗମ ଅଞ୍ଚଳ, ଜଳବାୟୁ, ରାସ୍ତାଘାଟ, ଖାଦ୍ୟ ପ୍ରଭୃତି ସହିତ ଏମାନେ ଚିର ଅଭ୍ୟସ୍ତ ।

 

—‘‘ତୁମ କଥା ଖୁବ୍‍ ମୂଲ୍ୟବାନ ପ୍ରକୃତରେ । ମେଜର କପୁରଙ୍କୁ ଏହି ପ୍ରସ୍ତାବଟି ଦେବା-। ମୁଁ ଆଶା କରୁଚି, ସେ ଆନନ୍ଦରେ ରାଜି ହେବେ । ଆଚ୍ଛା, ଦୀପକ୍‌ ! ଏଇ କାମ ମେଜର କପୁରଙ୍କ ଆସିବା ପୂର୍ବରୁ କଲେ କ’ଣ ହୁଅନ୍ତା ? ଆପାତତଃ ଲୋକଗୁଡ଼ା ଟିକିଏ ଟ୍ରେନିଂ ତ ପାଇଯାଇଥାନ୍ତେ-।’’

 

—‘‘ମୁଁ ତ ଠିକ୍‍ ସେୟା ଭାବୁଚି ।’’

 

—‘‘ବେଶ୍‌, ତୁମେ ଆଜି ସେମାନଙ୍କ ଭିତରୁ କେତେଜଣଙ୍କୁ ସିଲେକ୍ଟ କର । ଆଉ ଡେରି କରିବା ଉଚିତ ନୁହେଁ । ସରକାରୀ ଚେଷ୍ଟାକୁ ଅପେକ୍ଷା କରି ବସିଲେ ତ ଚଳିବ ନାହିଁ; ଆମ ଆଡ଼ୁ ଉଦ୍ୟମ ଚାଲିଥାଉ । ତେଣିକି ସରକାରୀ ଭାବରେ ପରେ ଯାହା କରାଯିବ ।’’

 

ବାହାରେ କୁଲିମାନଙ୍କର କୋଳାହଳ ଶୁଣି ତିନିହେଁ ଆଲୋଚନା ବନ୍ଦ କରି ଉଠିଆସିଲେ ପଦାକୁ ।

 

ଛଅ

 

ସକାଳୁ ସକାଳୁ ଚୀନା ଅନୁପ୍ରବେଶକାରୀଙ୍କ ତମ୍ବୁରେ ମହା ହୈ ଚୈ ଆରମ୍ଭ ହୋଇଯାଇଥିଲା । ଯୁବତୀ ଦୁଇଟାଙ୍ଗର ଲାସକୁ ନେଇ ନୁହେଁ, ଯେଉଁ ବନ୍ଧୁକ, ମେସିନ୍‌ଗନ ଏବଂ ଗୁଳିଗୁଡ଼ିକ ହରଣଚାଳ ହୋଇଗଲା, ତାକୁଇ କେନ୍ଦ୍ର କରି । ଏ ଗୁରୁତର ଅପରାଧର ଦଣ୍ତ ଯେ କେତେ କଠୋର ତାହା ଚିନ୍ତା କରି ନିର୍ବାକ୍‌ହୋଇ ବସି ରହିଥିଲେ ଭାରପ୍ରାପ୍ତ କମାଣ୍ତର ଲୁ–ଚୁଆଂ । ସହକର୍ମୀମାନଙ୍କ ଉପରେ ସବୁ ଦୋଷ ସେ ଲଦିଦେଇଥିଲେ ସୁଦ୍ଧା ନିଜ କୃତକର୍ମ ପାଇଁ ସେ ଅନୁତାପ କରୁ ନ ଥିଲେ । ବରଂ କାହା ଉପରେ ଦୋଷଟା ପୂରାମାତ୍ରାରେ ଲଦିଦେଇ ସେ ମୁକ୍ତି ପାଇଁଯିବେ, ତାହା ବସି ନିଜ ସୂକ୍ଷ୍ମ ବୁଦ୍ଧିରେ ବିଚାର କରୁଥିଲେ ।

 

ଲୁ-ଚୁଆଂଙ୍କ ସହକର୍ମୀମାନେ ମଧ୍ୟ ନିଜକୁ ନିରାପଦ ମନେ କରୁନଥିଲେ ଦଣ୍ତ ପାଇବାରୁ-। ନିଜ ବିଚାରରେ ପ୍ରତ୍ୟେକେ ଅଳ୍ପ ବହୁତ ପରିମାଣରେ ନିଜକୁ ଦୋଷୀ ଭାବୁଥିଲେ । ଜୀବନ ଥାଉ ଥାଉ ଅସ୍ତ୍ରଶସ୍ତ୍ର ହାତଛଡ଼ା ହୋଇଯିବା ସାମରିକ ବିଭାଗରେ ଘୋର ଅପରାଧ । ଏ ଅପରାଧର କ୍ଷମାନାହିଁ; ବିଶେଷତଃ ଚୀନ ଦରବାରରେ, ଯେଉଁଠି କି ବିଚାର ପ୍ରଶ୍ନ ମୋଟେ କେବେ ଉଠେନି-

 

ସୈନିକ କେତେଜଣ ସେଇ ନିରାଟ ଶୀତରେ ବି ଆଖପାଖ ଖଣ୍ତେ ଦୂର ପର୍ଯ୍ୟନ୍ତ ତନ୍ନ ତନ୍ନ କରି ଖାନତଲାସ କରିପକାଇଥିଲେ । କିନ୍ତୁ ସକାଳ ହେବା ସଙ୍ଗେ ସଙ୍ଗେ ସୂର୍ଯ୍ୟକିରଣରେ ବରଫ ତରଳିବା ଫଳରେ ଚିହ୍ନବର୍ଣ୍ଣ ଯାହା କିଛି ଥିଲା, ସବୁ ଧୋଇ ସଫା ହୋଇଯାଇଥିଲା । ଅଗତ୍ୟା ସେମାନଙ୍କୁ ନିରାଶ ହେବାକୁ ପଡ଼ିଥିଲା । ମାତ୍ର ନିରାଶାର ବାଣୀ କେହି ଶୁଣାଇ ନ ଥିଲେ ଲୁ–ଚୁଆଂଙ୍କୁ । କାରଣ ଲୁ–ଚୁଆଂ ଥିଲେ ଭୟାନକ କ୍ରୋଧୀ ଏବଂ ନିଷ୍ଠୁର ବ୍ୟକ୍ତି । ପରିଣାମ ସମ୍ୱନ୍ଧରେ ହିତାହିତ ଜ୍ଞାନ ଲୋପ ପାଇଯାଏ ତାଙ୍କର ରାଗ ସମୟରେ । ଦୈବାତ୍‌ ରାଗିଗଲେ ତାଙ୍କର ସର୍ବନିମ୍ନ ଦଣ୍ତ ହେଉଛି—ହତ୍ୟା । ଏଇ ଭୟରେ କେହି ତାଙ୍କୁ ଅସଲ କଥାଟା କହୁ ନ ଥିଲେ । ବରଂ ଏଣୁତେଣୁ ଫନ୍ଦି କରି ‘ସେମାନେ ତା’ର ସନ୍ଧାନ ପାଇଛନ୍ତି ଏବଂ ଖୁବ୍‍ ଶୀଘ୍ର ସବୁ ଜିନିଷ ଉଦ୍ଧାର କରିହେବ’, ଏପରି ଆଶା ଦେଖାଇଥିଲେ ।

 

ଲୁ-ଚୁଆଂ ମଧ୍ୟ ସେମାନଙ୍କ କଥା ଉପରେ ଏତେ ବିଶ୍ୱାସ କରିଯାଇଥିଲେ ଯେ ସାରାଦିନ ପାଇଁ ଅନୁସନ୍ଧାନ କାମ କରିବାକୁ ସେମାନଙ୍କୁ ଛାଡ଼ିଦେଇଥିଲେ । ପ୍ରାୟ ଦଶ ବାର ଜଣ ସୈନିକ ନିତ୍ୟକର୍ମ ଶେଷ କରିଦେଇ ଖୁବ୍‍ ଶୀଘ୍ର ବାହାରିପଡ଼ିଲେ ପୁଣି ସେହି ସୀମାନ୍ତ ଗ୍ରାମକୁ । ଏଥର ଆଶା ବିରାଟ । ଲୋକ ଗୁଡ଼ାଙ୍କୁ ଭୟଭୀତ କରାଇ ଗୁଡ଼ାଏ ଯୁବତୀ ଝିଅଙ୍କୁ ଧରି ଆଣିବାର ଇଚ୍ଛା । ମାତ୍ର ସେଇ ଲୋକମାନେ ଯେ ଚୀନା ତମ୍ୱୁରେ ପଶି ଅଜ୍ଞାତରେ ଏତେଗୁଡ଼ାଏ ଜିନିଷ ହରଣଚାଳ କରିନେଇପାରନ୍ତି, ଏ କଥା ସେମାନେ ଘୁଣାକ୍ଷରେ ସୁଦ୍ଧା କଳ୍ପନା କରି ନ ଥିଲେ । କାରଣ ପୂର୍ବଦିନରୁ ସେମାନେ ଦେଖିଛନ୍ତି—ଲୋକଗୁଡ଼ା କେଡ଼େ ସରଳ, ଭୟାଳୁ ଏବଂ ନିରୀହ । ଏପରି ଲୋକଙ୍କ ଦ୍ୱାରା ଏ କାମ ହେବା ଅସମ୍ଭବ । ତଥାପି ଏଠୁ ଖସି ଚାଲିଗଲେ ଆପାତତଃ କେତେ ଘଣ୍ଟା ପାଇଁ ଲୁ–ଚୁଆଂଙ୍କ ଉପଦ୍ରବରୁ ତ ରକ୍ଷା ମିଳିବ । ଭାଗ୍ୟରେ ଥିଲେ ସେଆଡ଼େ ମଧ୍ୟ କିଛି ଲାଭ ହୋଇପାରେ ।

 

କିନ୍ତୁ ସେମାନେ ଯେଉଁ ବୀରଦର୍ପରେ ଆସିଥିଲେ, ଗାଁରେ ପହଞ୍ଚିଲା ପରେ ତାହା ପାଣିଫୋଟକା ପରି କୁଆଡ଼େ ଉଭେଇଗଲା । ଗାଁଟା ଶୂନ୍ୟ । ଗୋଟାଏ ବିରାଡ଼ି ପିଲା ସୁଦ୍ଧା ନାହିଁ । କାହାରି ଚିହ୍ନବର୍ଣ୍ଣ ସୁଦ୍ଧା ବିବର୍ଜିତ । ଖାଲି ଘରପୋଡ଼ା ଅଙ୍ଗାରଗୁଡ଼ା ଜମା ହୋଇ ରହିଛି ଠାଆକୁଠାଆ । ଗୋଟାଏ ଦିନ ଭିତରେ ଏତେଗୁଡ଼ାଏ ଲୋକ କୁଆଡ଼େ ଯେ ଏପରି ଅନ୍ତର୍ଦ୍ଧାନ ହୋଇଗଲେ ସେ କଥା ବଡ଼ ଆଶ୍ଚର୍ଯ୍ୟ ବୋଧହେଲା ସେମାନଙ୍କୁ । ଆସିଲାବେଳର ସରାଗ ମଉଳିଗଲା ସେମାନଙ୍କ ମନରୁ ।

 

ଏଥର ସମସ୍ତେ ଏକାଠି ହୋଇ ବସି ବିଚାର କଲେ, ଆପାତତଃ କି ଉପାୟ କଲେ ଲୁ–ଚୁଆଂଙ୍କୁ ସନ୍ତୋଷଜନକ ଉତ୍ତର ଦେଇହେବ । ନ ହେଲେ ରକ୍ଷା ନାହିଁ । ସାମରିକ ଅଦାଲତରେ ମୃତ୍ୟୁଦଣ୍ତ ସୁନିଶ୍ଚିତ । ତେବେ ଆସିଛନ୍ତି ଯେତେବେଳେ ଭଲକରି ଗୋଟାଏ ଘେରା ବୁଲିଯିବା ଉଚିତ ।

 

ଦୀପକ ଏବଂ ରୂପକ ଦୁହେଁ ଆଦୌ ନିଶ୍ଚିନ୍ତ ନ ଥିଲେ । ସକାଳୁ ସକାଳୁ ଚୀନାମାନେ ଅନୁସନ୍ଧାନ କରିବାପାଇଁ ଯେ ସେହି ଗାଁକୁ ଆସିବେ ଏ କଥା ସେ ଦୁହେଁ ଭଲଭାବରେ ଜାଣିଥିଲେ-। ତେଣୁ ଲୋକମାନଙ୍କର ଥଇଥାନର ବ୍ୟବସ୍ଥା ଦାୟିତ୍ୱ ମିଷ୍ଟର ସିଂଙ୍କ ଉପରେ ଛାଡ଼ିଦେଇ ସେ ଦୁହେଁ ବାହାରିପଡ଼ିଲେ ପୁଣି ଥରେ ସେହି ଗ୍ରାମ ଅଭିମୁଖରେ । ଉଦ୍ଦେଶ୍ୟ–କେବଳ ଚୀନା ଚରଙ୍କ ଗତିବିଧି ଲକ୍ଷ କରିବା ।

 

ଏ ଦୁହେଁ ଯାଇ ଗ୍ରାମର ସୀମାରେ ପହଞ୍ଚିଲାବେଳକୁ ଚୀନା ଗୁପ୍ତଚରମାନେ ସେଠାରେ ଆସି ପହଞ୍ଚିଯାଇଥିଲେ । ଏମାନେ ସଂଖ୍ୟାରେ ଦୁଇଜଣ ମାତ୍ର । ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ଥିଲେ ସୁଦ୍ଧା ଦଶ ବାର ଜଣ ଲୋକଙ୍କ ସମ୍ମୁଖୀନ ହେବା ସହଜ ବ୍ୟାପାର ନୁହେଁ । ପୁଣି ସିଧାସଳଖ ଗୋଟିଏ ସଂଘର୍ଷ ଆରମ୍ଭ ହୋଇଗଲେ ସବୁକଥା ଜଣାପଡ଼ିଯିବ । ତେଣିକି ପରିସ୍ଥିତି ଭିନ୍ନ ଆକାର ଧରି ଜଟିଳଆଡ଼କୁ ଗତି କରିବ । ୟା ଅପେକ୍ଷା ବରଂ ସେମାନଙ୍କର ଗତିବିଧି ଏବଂ କାର୍ଯ୍ୟକଳାପକୁ ଲକ୍ଷ୍ୟ କରି ଅନୁସାରେ ପ୍ରତିକାର ବ୍ୟବସ୍ଥା କଲେ ଭଲ ହେବ ଭାବି ସେମାନେ ଉପଯୁକ୍ତ ଆଶ୍ରୟସ୍ଥଳର ଅନୁସନ୍ଧାନ କାରିବାକୁ ଲାଗିଲେ ।

 

ଯେଉଁପରି ସ୍ଥାନ ସେ ଦୁହେଁ ଖୋଜୁଥିଲେ ସେପରି ସ୍ଥାନ ଅଭାବ ନ ଥିଲା ସେଠାରେ । ସେହି ଗ୍ରାମର ସୀମାରେ ମୁଣ୍ତିଆ ପାହାଡ଼ଟାଏ । ବଡ଼ ବଡ଼ ପଥରଖଣ୍ତଗୁଡ଼ା ମୁଣ୍ତ ଟେକି ଛିଡ଼ା ହୋଇଛି କେଉଁ ଆଦିମକାଳରୁ । ଦିନରେ ଖରା ଏବଂ ରାତିରେ କାକର ବରଫ ମାଡ଼ ଖାଇ ଶିଉଳି ଲାଗିଯାଇଛି ପଥରଗୁଡ଼ାକ ଦେହରେ । ଦୀପକ ଏବଂ ରୂପକ ଦୁହେଁ ଚଢ଼ିଲେ ସେଇ ପାହାଡ଼ ଉପରେ । ସେଠାରୁ ଗ୍ରାମଟାକୁ ଖୁବ୍‍ ଭଲଭାବରେ ଦେଖିହେଉଥିଲା ଏବଂ ସେଠାରେ ରହିଲେ ଯେ ଚୀନାମାନଙ୍କର ଗତିବିଧି ନିରୀକ୍ଷଣ କରିବାରେ ଅସୁବିଧା ହେବ ନାହିଁ, ଏହା ଦୁହେଁ ଭଲ ଭାବରେ ଉପଲବ୍‌ଧି କରିପାରିଲେ । ଖୁବ୍‍ ନିରାପଦ ସ୍ଥାନ ଦେଖି ଦୁହେଁ ଆତ୍ମଗୋପନ କରି ସେମାନଙ୍କର ବିତିବିଧି ତୀକ୍ଷ୍‌ଣ ଭାବରେ ଲକ୍ଷ୍ୟ କରିବାକୁ ଲାଗିଲେ ।

 

ଗ୍ରାମର ପ୍ରତ୍ୟେକ ଅଂଶକୁ ସେଠାରୁ ଦୁହେଁ ପରିଷ୍କାର ଦେଖିପାରୁଥିଲେ; ଚୀନା ସୈନ୍ୟ କେତେଜଣଙ୍କୁ ମଧ୍ୟ । ସେମାନଙ୍କର କଥାବାର୍ତ୍ତା ଯଦିଓ ସେମାନଙ୍କୁ ଶୁଣାଯାଉ ନ ଥିଲା, ତଥାପି ଗତିବିଧିରୁ ସେମାନେ ମନୋଭାବ ଠଉରାଇ ନେଇପାରୁଥିଲେ । ଅନ୍ତତଃ ଘଣ୍ଟାଏ କାଳ ଗୋଟାଏ ସ୍ଥାନରେ ଗଭୀର ଆଲୋଚନା କଲାପରେ ସେମାନେ ଦୁଇ ଦଳରେ ବିଭକ୍ତ ହୋଇ ଦୁଇ ଦିଗକୁ ଖୋଜିବାକୁ ଚାଲିଗଲେ । କ୍ରମେ ସେମାନଙ୍କ ଦୂରତ୍ୱ ଗ୍ରାମଠାରୁ ଦୂରକୁ ବଢ଼ି ଉଠୁଥିଲା ।

 

ଖୁବ୍‍ ଶୀଘ୍ର ସେମାନଙ୍କର ଫେରିଆସିବାର ସମ୍ଭାବନା ନ ଦେଖି ରୂପକ କହିଲା– ‘‘ଭାଇ-! ଆମେ ଏତେଗୁଡ଼ାଏ ପରିଶ୍ରମ କରି ଆସିଥାଇଁ ଯେତେବେଳେ ଏମାନଙ୍କୁ ଟିକେ ସୂଚନା ଦେଇଯିବା ଉଚିତ । ଏମାନଙ୍କର ଶ୍ରମ ଯେପରି ସାର୍ଥକ ହେବ, ତା’ର ବ୍ୟବସ୍ଥାଟା କରି ନ ଦେଲେ ମୋର ମନରେ ଶାନ୍ତି ଆସିବ ନାହିଁ ।’’

 

ରୂପକର ଚପଳତା ଅବିଦିତ ନୁହେଁ ଦୀପକକୁ । ସେ ହସି ହସି କହିଲା—‘‘କ’ଣ କରିବାକୁ ଚାହୁଁଛୁ ତେବେ ତୁ ?’’

 

‘‘ଦେଖ ମୁଁ କ’ଣ କରୁଛି’’—କହିବା ସଙ୍ଗେ ସଙ୍ଗେ ରୂପକ ଖୁବ୍‍ ଦ୍ରୁତ ବେଗରେ ଓହ୍ଲାଇଗଲା ସେଠାରୁ । ଗାଁର ମଝାମଝିରେ ଥୁଆ ହୋଇଥିଲା ବିଶାଳକାୟ ସାମରିକ ଗାଡ଼ିଟା । ଖୁବ୍‍ ସତର୍କତା ସହିତ ରୂପକ ସେଠାରେ ପହଞ୍ଚିଗଲା । ଚାରିଆଡ଼କୁ ଥରେ ସତର୍କ ଭାବରେ ଲକ୍ଷ୍ୟ କରିନେଇଁ ସେ ଗାଡ଼ିତଳେ ପଶିଗଲା ଏବଂ ଅଳ୍ପ ସମୟପରେ ବାହାରିଆସିଲା । ଖୁବ୍‍ ଦ୍ରୁତଗତିରେ ଆସି ସେ ପୁଣି ଦୀପକ ନିକଟରେ ପହଞ୍ଚିଗଲା ।

 

ଏପରି ଚପଳତାକୁ ଦୀପକ ଅବଶ୍ୟ ପସନ୍ଦ କରେ ନାହିଁ । ତଥାପି ରୂପକର ଏ ଭାବକୁ ସମୟ ସମୟରେ ତାକୁ ସହିନେବାକୁ ପଡ଼େ । ଚପଳ ପ୍ରକୃତି ରୂପକର ମୋଟେ ନୁହେଁ । ସାମୟିକ ଆନନ୍ଦ ଲାଭ ପାଇଁ ସେ ଏଭଳି କାମ କରିଥାଏ । ତେବେ ନିତାନ୍ତ ବୃଥା ନୁହେଁ । କିଛି ହେଲେ ସ୍ୱାର୍ଥ ବା ଉଦ୍ଦେଶ୍ୟ ଜଡ଼ିତ ଥାଏ ସେଥିରେ ।

 

ରୂପକର ହସପୂରା ମୁହଁ ଦେଖି ଦୀପକ ଅନୁମାନ କରିଥିଲା ସବୁ କିଛି । ତଥାପି ସେ ତାକୁ ପଚାରିଲା—‘‘କଣ କିଛି କଲୁ ?’’

 

—‘‘ହଁ, ଭାଇ ! ସବୁ ଠିକ୍‍ ଠାକ୍‌ କରିଦେଇଛି । ଇଞ୍ଜିନର ପେଟ୍ରୋଲ ପାଇପ୍‌କୁ ଫୁଟାଇଦେଇଛି । ଅଳ୍ପ ସମୟ ମଧ୍ୟରେ ସାରା ଇଞ୍ଜିନଟା ପେଟ୍ରୋଲରେ ଧୋଇହୋଇଯିବ । ଏମାନେ ଗାଡ଼ି ଷ୍ଟାର୍ଟ କଲାମାତ୍ରେ ଯେପରି ସେଥିରେ ନିଆଁ ଧରିଯିବ, ତା’ର ସୁବନ୍ଦୋବସ୍ତ ମଧ୍ୟ କରିଦେଇଚି । ଏତକ ନକଲେ ସେମାନଙ୍କର ଏବଂ ଆମର ଶ୍ରମ ସାର୍ଥକ ହୁଅନ୍ତା କିମିତି ?’’

 

ଆପାତତଃ କିଛି ଗୋଟାଏ ହୋଇଛି—ଭାବି ଦୀପକ ମନେ ମନେ ଖୁସି ହେଲା । ଯେକୌଣସି ପ୍ରକାରେ ହେଉ, ଶତ୍ରୁର କ୍ଷୟକ୍ଷତି ଘଟାଇ ତାକୁ ହଇରାଣ କରିବାଟା ହେଉଛି ଯୁଦ୍ଧର କୂଟନୀତି ।

 

ଚୀନାମାନେ ଫେରିଲେ ପ୍ରାୟ ଘଣ୍ଟାକ ପରେ । ସେତେବେଳକୁ ସୂର୍ଯ୍ୟ ମୁଣ୍ତ ଉପରେ ପ୍ରାୟ । ଚାଲିଚଳନରୁ ଜଣାଯାଉଥାଏ, ସେମାନେ ନିରାଶ ହୋଇଛନ୍ତି ନିଶ୍ଚୟ । ଆସି ଗାଡ଼ି ଭିତରେ ଚୁପ୍‌ଚାପ୍‌ ବସିପଡ଼ିଲେ । ଚାଳକ ତାର ଆସନରେ ବସି ଗାଡ଼ି ଷ୍ଟାର୍ଟ ଦେଲା । ଗାଡ଼ିର ଇଞ୍ଜିନ ସଶବ୍ଦେ ଗର୍ଜିଉଠିବା ସଙ୍ଗେ ସଙ୍ଗେ ବହୁପରିମାଣରେ ତଳେ ନିଗିଡ଼ି ପଡ଼ିଥିଲା । ସେଥିରେ ବି ନିଆଁ ଲାଗି ତଳେ ପଥରଗୁଡ଼ା ଜଳିବାକୁ ଲାଗିଲା ।

 

ଏପରି ଆକସ୍ମିକ ଭାବରେ ଯେ ଦୁର୍ଘଟଣାଟାଏ ଘଟିଯିବ, କଳ୍ପନା କରି ନ ଥିଲେ ସେମାନେ । ଚାହୁଁ ଚାହୁଁ ସମୁଦାୟ ଗାଡ଼ିଟା ଏପରିଭାବରେ ଜଳିଉଠିଲା ଯେ, ଚୀନାଗୁଡ଼ା ଓହ୍ଲାଇପଡ଼ିବାକୁ ଅବସର ସୁଦ୍ଧା ପାଇଲେ ନାହିଁ । ଜୀବନ ବିକଳରେ ଯେ ଯେଉଁ ବାଟେ ପାରିଲା, କୁଦିପଡ଼ିଲା । କେତେଜଣଙ୍କର ପୋଷାକରେ ବି ନିଆଁ ଲାଗିଗଲା । ସବୁଠୁ ମାରାତ୍ମକ ବିପଦର କଥା ହେଲା–ଏମାନେ ସିନା ଜୀବନବିକଳରେ ଚାଲିଆସିଲେ; କିନ୍ତୁ ବନ୍ଧୁକ ଆଉ ଗୁଳିଗୋଳା ରହିଲା ଗାଡ଼ିଭିତରେ । ସେଥିରେ ନିଆଁ ଲାଗିବା ନିଶ୍ଚିତ ଏବଂ ନିଆଁ ଲାଗିଲେ ରକ୍ଷା ନାହିଁ । ଭୀଷଣ ବିଷ୍ଫୋରଣ ହେବା ସୁନିଶ୍ଚିତ । ସେପରି ପରିସ୍ଥିତିରେ ଗାଡ଼ିର ପାଖାପାଖି ହୋଇ ରହିବା ଯାହା, ମରଣ ମୁହଁକୁ ସ୍ୱଇଚ୍ଛାରେ ବାଟ ଦେଖିବା ସେଇଆ । ଯାହାହେଉ, ଆତ୍ମରକ୍ଷା ହିଁ ଶ୍ରେଷ୍ଠ ପନ୍ଥା—ଭାବି ସେମାନେ ଦୌଡ଼ି ଦୌଡ଼ି ପ୍ରାୟ ଫର୍ଲଙ୍ଗେ ଦୂର ପର୍ଯ୍ୟନ୍ତ ଚାଲିଗଲେ ।

 

ଗାଡ଼ିଟା ପ୍ରବଳ ବେଗରେ ଜଳୁଥିଲା । ଦୀପକ ଆଉ ରୂପକ ପରସ୍ପରକୁ ଚାହିଁ ହସାହସି ହୋଇ ଓହ୍ଲାଇଗଲେ ତଳକୁ । ଆଉ ଅଧିକ ସମୟ ସେଠାରେ ରହିବାର ଆବଶ୍ୟକତା ସେମାନେ ଉପଲବ୍‌ଧି କରୁ ନ ଥିଲେ । ବରଂ ଯେତେ ଶୀଘ୍ର ପାରନ୍ତି ନିଜର ତମ୍ୱୁ ଅଭିମୁଖରେ ଯାତ୍ରା କରିବାକୁ ଲାଗିଲେ ।

 

ଖଣ୍ତେଦୂର ଗଲାପରେ ପ୍ରଚଣ୍ତ ବିଷ୍ଫୋରଣ କେତେଟା ହେବାର ଶବ୍ଦ ଶୁଣାଗଲା ସେମାନଙ୍କୁ ।

 

ଦୀପକ ଚାହିଁଲା ରୂପକକୁ ଏବଂ ରୂପକ ଚାହିଁଲା ଦୀପକକୁ । ଦୁହିଁଙ୍କ ମନକଥା ଦୁହେଁ ବୁଝିପାରି ହସିଲେ ।

 

ସାତ

 

ଜେନେରାଲ କପୁର ଆସି ଯଥାସମୟରେ ପହଞ୍ଚିଯାଇଥିଲେ ମିଷ୍ଟର ସିଂଙ୍କ ପାଖରେ । ପୂର୍ବରୁ ଖବର ପାଇ ମିଷ୍ଟର ସିଂ ତାଙ୍କୁ ପାଛୋଟି ଆଣିବାପାଇଁ ଯାଇଥିଲେ । ରେଲଷ୍ଟେସନ ସେଠାରୁ ପ୍ରାୟ ଶହେ ମାଇଲ ଦୂର । ତଥାପି ମିଷ୍ଟର ସିଂ ସେତେ ଦୂର ପର୍ଯ୍ୟନ୍ତ ଯାଇଥିଲେ । ଦୁହେଁ ଗତ ମହାଯୁଦ୍ଧ ସମୟରେ ଥିଲେ ଅନ୍ତରଙ୍ଗ ବନ୍ଧୁ । ପରସ୍ପର ମଧ୍ୟରେ ପତ୍ର ବିନିମୟ ନିୟମିତ ଚାଲୁଥିଲେ ସୁଦ୍ଧା ସାକ୍ଷାତର ସୁଯୋଗ ଘଟିନଥିଲା । ବର୍ତ୍ତମାନ ଉଭୟେ ଉଭୟଙ୍କୁ ଦେଖି ଆନନ୍ଦରେ ବିଭୋର ହୋଇଉଠିଥିଲେ ଏବଂ ସ୍ଥାନ, କାଳ ପାତ୍ର ଭୁଲିଯାଇ ଶିଶୁଙ୍କ ପରି କୋଳାକୋଳି ହୋଇଗଲେ । ଏପରି ବନ୍ଧୁତା ଷ୍ଟେସନ ପ୍ଳାଟଫର୍ମରେ ସୁଦ୍ଧା ବହୁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

 

ଉଭୟଙ୍କର ବିଭୋରତା କଟିଯିବା ପରେ ଏଣୁତେଣୁ ଶୁଭାଶୁଭ ସମାଚାର ଆଲୋଚନା କରୁ କରୁ ଦୁହେଁ ଆସି ବାହାରେ ଅପେକ୍ଷା କରି ରହିଥିବା ଜିପ୍‍ ରେ ବସିଲେ । ଜେନେରାଲ କପୁର ଏକୁଟିଆ ନ ଥିଲେ । ତାଙ୍କ ସାଥିରେ ଦୁଇ ଜଣ ସାମରିକ ଅଫିସର ମଧ୍ୟ ଥିଲେ । ସେ ଦୁହିଁଙ୍କ ମଧ୍ୟରୁ ଜଣେ ଚାଳକ ଆସନରେ ବସି ଗାଡ଼ିରେ ଷ୍ଟାର୍ଟ ଦେଲେ । ମିଷ୍ଟର ସିଂ ଏବଂ ଅନ୍ୟମାନେ ବସି ଦୁଇପାଖର ଦୃଶ୍ୟ ଉପଭୋଗ କରିବାରେ ଲାଗିଗଲେ । ବେଳେବେଳେ ମିଷ୍ଟର ସିଂ ଅଙ୍ଗୁଳି ନିର୍ଦ୍ଦେଶ କରି ଦୂରର ସ୍ଥାନସବୁକୁ ଦେଖାଇ ଜେନେରାଲ କପୁରଙ୍କୁ ଚିହ୍ନାଇଦେଉଥାନ୍ତି । ମଝିରେ ମଝିରେ ଚାଳକ ଆସନରେ ଥିବା ଅଫିସରଙ୍କୁ ରାସ୍ତା ସମ୍ୱନ୍ଧରେ ନିର୍ଦ୍ଦେଶ ମଧ୍ୟ ଦେଉଥାନ୍ତି । ଏହିପରି ଭାବରେ ଶହେଟି ମାଇଲ କିପରି ଯେ କଟିଗଲା, ତାହା ଜଣାପଡ଼ିଲା ନାହିଁ ।

 

ଅତିଶୟ କ୍ଳାନ୍ତି ହେତୁରୁ ସାରାଦିନଟି ବିଶ୍ରାମ କଲେ ଜେନେରାଲ କପୁର । ସେଦିନ ସନ୍ଧ୍ୟାରେ ଗୋଟିଏ ଛୋଟକାଟର ଆଲୋଚନାସଭାରେ ସବୁ ବିଷୟ ପଡ଼ିଲା । ମିଷ୍ଟର ସିଂ ଜେନେରାଲ କପୁରଙ୍କୁ ଦୀପକ ଆଉ ରୂପକଙ୍କର ଅସାଧାରଣ ପ୍ରତିଭା ବିଷୟରେ ବହୁତ କିଛି ସୂଚାଇ ଦେଇଥିଲେ । ତେଣୁ ବର୍ତ୍ତମାନ ଆଉ ପରିଚୟ ଆଦାନପ୍ରଦାନ ବିଶେଷ ଆବଶ୍ୟକ ହେଲା ନାହିଁ ।

ମିଷ୍ଟର ସିଂ ପ୍ରଥମେ ସମୁଦାୟ ଘଟଣାଟି ଆମୂଳଚୂଳ ବର୍ଣ୍ଣନା କରିଗଲେ ଜେନେରାଲ କପୁରଙ୍କ ପାଖରେ । ଜେନେରାଲ କପୁର ସବୁ ବିଷୟ ମନଯୋଗ ସହକାରେ ଶୁଣିସାରି କହିଲେ, ‘‘ଏହା ପଛରେ ଯେ ଗୋଟାଏ ଭୀଷଣ ଓ ବିରାଟ କାରସାଦି ରହିଚି, ତାହା ଅବଶ୍ୟ ଯେ କେହି ବିଶ୍ୱାସ କରିବାକୁ ବାଧ୍ୟ ହେବ । ତେବେ କଥା ହେଉଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଚୀନ ଭାରତର ବନ୍ଧୁ ରାଷ୍ଟ୍ର । ସେ ପଞ୍ଚଶୀଳ ନୀତିରେ ଆବଦ୍ଧ ମଧ୍ୟ । ଉପଯୁକ୍ତ ପ୍ରମାଣ ଅଭାବରେ ସିଧାସଳଖ କିଛି ଗୋଟାଏ କରିବାକୁ ମୁଁ ସୁବିଧାଜନକ ମନେ କରୁନାହିଁ ।

ମିଷ୍ଟର ସିଂ କହିଲେ—‘‘ଆନ୍ତର୍ଜାତିକ କ୍ଷେତ୍ରରେ ଜଟିଳତା କେତେଦୂର, ତାହା ମୁଁ ମଧ୍ୟ ହୃଦୟଙ୍ଗମ କରିପାରିଛି । ତେବେ ଆମ ସରକାରଙ୍କୁ ଏ ବିଷୟରେ ଚେତାଇଦେବା ଉଚିତ । ସେମାନେ ଭାରତ ବିରୁଦ୍ଧରେ ଘୋର ଷଡ଼ଯନ୍ତ୍ର ଚଳାଇଛନ୍ତି । ସୀମାରେଖା ଅତିକ୍ରମ କରି ସେମାନେ ଭାରତୀୟ ଗ୍ରାମ ଲୁଣ୍ଠନ କରିବା କ’ଣ ଅପରାଧ ନୁହେ ? ଏ ଦୁର୍ଗମ ଅଞ୍ଚଳରେ ସେମାନେ ଅସ୍ତ୍ରଶସ୍ତ୍ର ଏବଂ ବଡ଼ ସାମରିକ ଗାଡ଼ି ଆଣି ରଖିଛନ୍ତି । ତାହା ତ ସ୍ଥଳପଥରେ ସଡ଼କରେ ଆଣିଥିବେ । ଏଥିରୁ କ’ଣ ଜଣାଯାଉନାହିଁ ଯେ, ସେମାନେ ସୀମାନ୍ତ ଅଞ୍ଚଳରେ ସଡ଼କ ତିଆରି କରିଗଲେଣି । ନିୟମ ଅନୁସାରେ ତାହା ଆମ ସରକାରକୁ ତ ଜଣାଇବାର କଥା । ସେପରି କିଛି ଜଣାଇଥିବା ସମ୍ୱାଦ ଆପଣ ଜାଣନ୍ତି ?’’

 

—‘‘ନା । ମୋର ଯେତେଦୂର ମନେହୁଏ, ସେପରି କିଛି ଖବର ସେମାନେ ଆମକୁ ଦେଇନାହାନ୍ତି । ଆପଣ ଏଟା ନିଶ୍ଚିତ ବୋଲି ଧରିନେଇପାରନ୍ତି ମଧ୍ୟ ।’’ କିଛି ସମୟ ଚିନ୍ତା କରି କହିଲେ ଜେନେରାଲ କପୁର ।

 

ଦୀପକ ଏତେବେଳଯାଏ ନୀରବରେ ବସିରହି ଉଭୟଙ୍କର କଥା ହିଁ ଶୁଣୁଥିଲା । ମିଷ୍ଟର କପୁରଙ୍କ କଥା ଶୁଣି ସେ କହିଲା—‘‘ତେବେ ତ ସେମାନଙ୍କର ଆକ୍ରମଣାତ୍ମକ ମନୋଭାବ ଆଉ ଅସ୍ପଷ୍ଟ ନୁହେଁ । ଆମ ପକ୍ଷରୁ ଆକ୍ରମଣ ନ ହେଲେ ମଧ୍ୟ ପ୍ରତିରକ୍ଷାମୂଳକ ବ୍ୟବସ୍ଥା ତ କରାଯାଇପାରେ !’’

 

‘‘ହଁ, ତା କରାଯାଇପାରେ; କିନ୍ତୁ ପ୍ରଥମେ ଯଦି ଆମଆଡ଼ୁ ଆକ୍ରମଣ କରାଯାଏ ତେବେ ତାହା ଶୋଭନୀୟ ହେବନି । ବରଂ ବିଶ୍ୱ ଅଦାଲତରେ ସମସ୍ତେ ଆମକୁ ନିନ୍ଦିବେ । ଆମେ ସେମାନଙ୍କୁ ସେ ସୁବିଧା ଦେବା କାହିଁକି ?’’ —କହିଲେ ଜେନେରାଲ କପୁର ।

 

‘‘ତେବେ ପ୍ରତିରକ୍ଷାମୂଳକ ବ୍ୟବସ୍ଥା କ’ଣ କରାଯାଇପାରେ ତାହାହିଁ ସ୍ଥିର କରାଯାଉ ।’’ ରୂପକ ପ୍ରସ୍ତାବ କଲା ।

 

ଜେନେରାଲ କପୁର ମଫଲରଟାକୁ ବେକଚାରିପଟେ ଭଲକରି ଥରେ ଗୁଡ଼ାଇଦେଇ ସଜାଡ଼ିହୋଇ ବସିଲେ । ତା’ପରେ ଚୁରୁଟ୍‌କେସ୍‌ ଖୋଲି ସମସ୍ତଙ୍କ ହାତକୁ ଖଣ୍ତେ ଖଣ୍ତେ ବଢ଼ାଇଦେଇ ନିଜେ ଖଣ୍ତକରେ ନିଆଁ ଧରାଇଲେ ।

 

କେତେ ସମୟ ପାଇଁ ଧୂମପୂର୍ଣ୍ଣ ହୋଇଉଠିଲା ତମ୍ବୁଭିତରଟା । ଜେନେରାଳ କପୁର ଗଳାଟା ଥରେ ସଫା କରିନେଇ ଆରମ୍ଭ କଲେ—‘‘ପ୍ରଥମେ ଆମର ବିଶେଷ ଦରକାରୀ ବିଷୟ ହେଲା ସେମାନଙ୍କର ମନୋଗତ ଭାବ ଜାଣିବା । ସେମାନେ ପ୍ରକୃତରେ ଯୁଦ୍ଧ ପାଇଁ ସଜ ହେଉଛନ୍ତି କି ଅନ୍ୟ କୌଣସି ଉଦ୍ଦେଶ୍ୟରେ ସୀମାନ୍ତ ଅଞ୍ଚଳରେ ପ୍ରବେଶ କରିଛନ୍ତି ତାହା ଦେଖିବା ଉଚିତ ।’’

 

—‘‘ତାହା ହେଲେ ତ ଆମକୁ ପୂରାପୂରି ତାର ଆଭ୍ୟନ୍ତରୀଣ ଅନୁସନ୍ଧାନ କରିବାକୁ ହେବ ।’’ ମିଷ୍ଟର ସିଂ କହିଲେ ।

 

ଜେନେରାଲ କପୁର କହିଲେ—‘‘ଖୁବ୍‍ ସୁଦକ୍ଷ ଗୁପ୍ତଚର ନ ହେଲେ ସେ କାମ କରିବା କଷ୍ଟ । ତା’ପରେ ହିନ୍ଦୁସ୍ଥାନୀଙ୍କ ପକ୍ଷରେ ଚୀନରେ ଯାଇ ଗୁପ୍ତଚର ବୃତ୍ତି କରିବା ଆହୁରି କଠିନ । ସେମାନଙ୍କର ଆକୃତି, ପୋଷାକ, ଖାଦ୍ୟ, ଚାଲିଚଳଣ, ସବୁ କିଛି ନିଖୁଣ ଅନୁକରଣ କରିବାକୁ ହେବ । ସେହିପରି ଗୋଟିଏ ଗୁପ୍ତଚର ପାଞ୍ଚଶହ ସଶସ୍ତ୍ର ସୈନିକଙ୍କ ସହିତ ସମାନ ।’’

 

—‘‘ମୁଁ ସେ କାମ କରିବାକୁ ପ୍ରସ୍ତୁତ ।’’ ହଠାତ୍‌ ଗମ୍ଭୀର ଭାବରେ କହିଉଠିଲା ରୂପକ ।

 

—‘‘ତୁମେ ? ମିଷ୍ଟର ରୂପକ !’’ ଆଶ୍ଚର୍ଯ୍ୟ ହୋଇ କହିପକାଇଲେ ମିଷ୍ଟର ସିଂ ।

 

—‘‘ହଁ ! ରୂପକହିଁ ସେ କାମକୁ ଉପଯୁକ୍ତ ବୋଲି ମୁଁ ବିବେଚନା କରୁଚି । ସେ ଅତି ସୁନ୍ଦର ଭାବରେ ସବୁ କାମ ତୁଲାଇ ନେଇପାରିବ ବୋଲି ମୋର ନିଶ୍ଚିତ ଧାରଣା ।’’ ରୂପକର କଥାକୁ ସମର୍ଥନ କରି କହିଲା ଦୀପକ ।

 

ଜେନେରାଲ କପୁରଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ ଏଥିରେ । ଚୀନରେ ଯାଇ ଗୁପ୍ତଚର ବୃତ୍ତି କରିବା ଯେ କେଡ଼େ ମାରାତ୍ମକ ବ୍ୟାପାର, ତାହା ଭାଷାରେ କୁହାଯାଇପାରେ ନାହିଁ । ଦୈବାତ୍‌ ଧରାପଡ଼ିଗଲେ ଜୀବନ ଯିବା ତ ସୁନିଶ୍ଚିତ । ତେବେ ଯେଉଁ ଅକଥନୀୟ ଯନ୍ତ୍ରଣା ସହିବାକୁ ପଡ଼ିବ, ତାହା ଭାବିଲେ ଦେହ ଶିହରିଉଠେ । ସେ ଥରେ ରୂପକକୁ ଚେତେଇଦେବା ଉଦ୍ଦେଶ୍ୟରେ କହିଲେ—‘‘ଏ କାମ ଅତି କଠିନ କିନ୍ତୁ ମିଷ୍ଟର ରୂପକ !’’

 

—‘‘ତା ମୁଁ ଜାଣେ । ମୁଁ ତ ସେଇଥିପାଇଁ ଏଥିରେ ହାତ ଦେବାକୁ ଯାଉଛି । ଆପଣ ଦେଖିବେ—ମୁଁ ସୁନ୍ଦର ଭାବରେ ମୋର କାମ ତୁଲାଇ ଅକ୍ଷତ ଦେହରେ ପୁଣି ଆପଣଙ୍କ ନିକଟକୁ ଫେରିଆସିବି ।’’

 

ଜେନେରାଲ କପୁରଙ୍କର ଆଉ କିଛି କହିବାର ନ ଥିଲା । କାରଣ ଦୀପକ ଏବଂ ରୂପକ, ଦୁଇଭାଇଙ୍କ ଅଦ୍ଭୁତ ଶକ୍ତି ବିଷୟରେ ବହୁତ କଥା ସେ ଶୁଣିଥିଲେ ମିଷ୍ଟର ସିଂଙ୍କଠାରୁ । ବର୍ତ୍ତମାନ ସେହି କଥାର ସତ୍ୟତା ପରୀକ୍ଷାର ସମୟ ବୋଲି ଭାବି ନୀରବ ରହିଗଲେ ।

 

ଗୁପ୍ତଚର ହିସାବରେ କାମ କରିବାକୁ ହେଲେ ମୁଖ୍ୟତଃ କେଉଁ ବିଷୟ ପ୍ରତି ଦୃଷ୍ଟି ଦେଇ କିପରି ସୂତ୍ରରେ ଖବର ସଂଗ୍ରହ କରିବାକୁ ହେବ ସେ ବିଷୟରେ ଖୁବ୍‍ ଗୋପନ ଆଲୋଚନା ଆହୁରି କିନ୍ତୁ ସମୟ ଧରି ଚାଲିଥାନ୍ତା କି କ’ଣ, ମଝିରେ ମିସେସ୍‌ ସିଂ ଆସି ରାତ୍ରି ଭୋଜନ କଥା ମନେପକାଇଦେଲେ । ସେ ମଧ୍ୟ ଶୁଣିପାରିଲେ ରୂପକର ଯିବା କଥା ।

 

ମିସେସ୍ ସିଂ ଅତ୍ୟନ୍ତ ସ୍ନେହଶୀଳା । ରୂପକକୁ ନିଜର ସାନଭାଇଠାରୁ ବଳି ସ୍ନେହ କରୁଥିଲେ ସେ । ବର୍ତ୍ତମାନ ତା’ର ଚାଲିଯିବା ଖବର ତାଙ୍କୁ ଏତେ ଦୂର ଦୁଃଖାଭିଭୂତ କରିପକାଇଲା ଯେ, ସେ ଅଧୀରା ହୋଇପଡ଼ିଲେ । କୌଣସିପ୍ରକାରେ ସେ ରୂପକକୁ ଛାଡ଼ିଦେବାକୁ ଇଚ୍ଛା କରୁ ନ ଥିଲେ । ବଡ଼ କଷ୍ଟରେ ତାଙ୍କୁ ବୁଝାଇ ସମ୍ମତ କରାଇଲେ ସମସ୍ତେ ।

 

ଖୁବ୍‍ ଗାମ୍ଭୀର୍ଯ୍ୟପୂର୍ଣ୍ଣ ବାତାବରଣ ଭିତରେ ସେଦିନ ରାତ୍ରିଭୋଜନ ସମାପ୍ତ ହେଲା । ଭୋଜନ ପରେ ଖାଇବା ଟେବୁଲ ପାଖରେ ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ପୁଣି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚାଲିଲା । ତା’ପରେ ସମସ୍ତେ ସମସ୍ତଙ୍କୁ ଶୁଭରାତ୍ରି ଜଣାଇ ସେ ରାତି ପାଇଁ ବିଦାୟ ନେଇ ବିଶ୍ରାମ କରିବାକୁ ଗଲେ ।

 

ଆଠ

 

ଜେନେରାଲ କପୁର ବିଦାୟ ନେଇ ଗଲେଣି ତାଙ୍କର କର୍ମକ୍ଷେତ୍ରକୁ ପ୍ରାୟ ପନ୍ଦର ଦିନ ହେବ । ତା ପୂର୍ବରୁ ଘୋର ବିପଦପୂର୍ଣ୍ଣ କର୍ତ୍ତବ୍ୟପଥରେ ରୂପକ ଚାଲିଯାଇଛି । ସେ ପୁଣି ଗଲା ଘୋର ଝଡ଼ଝଞ୍ଜାପୂର୍ଣ୍ଣ ଅନ୍ଧକାରମୟ ରାତିରେ । ଦୀପକ ତାକୁ ଚୀନା ତମ୍ୱୁ ନିକଟରେ ବିଦାୟ ଦେଇ ଆସିଲା । ସେଠାରୁ ସେ କିପରି ଗଲା, କ’ଣ କଲା, କେଉଁଠି ରହିଲା ତା’ର କିଛି ପତ୍ତା ସୁଦ୍ଧା ଆଜିପର୍ଯ୍ୟନ୍ତ ନାହିଁ । ମିଷ୍ଟର ସିଂ, ମିସେସ୍‌ ସିଂ ଏବଂ ଦୀପକ ଏଥିପାଇଁ ଖୁବ୍‍ ଚିନ୍ତିତ ଥିଲେ । ଦୀପକ କିନ୍ତୁ ସମ୍ପୂର୍ଣ୍ଣ ହତାଶ ହୋଇପଡ଼ି ନ ଥିଲା । କାରଣ ରୂପକର ବାହୁ ପରାକ୍ରମ ଉପରେ ତା’ର ବିଶ୍ୱାସ ଥିଲା ଅମାପ । ଖୁବ୍‍ ଶୀଘ୍ର ସେ ତା’ ଠାରୁ କିଛି ଚମକପ୍ରଦ ସମ୍ୱାଦ ଆଶା କରୁଥିଲା ।

 

ମିଷ୍ଟର ସିଂ ଏବଂ ଦୀପକ, ଦୁହିଁଙ୍କ ଉଦ୍ୟମରେ ୱାଙ୍ଗ୍‌ଲୁ ଏବଂ ତା’ର ଦଳର ଯୁବକମାନେ ଦିନକୁଦିନ ସାମରିକ ତାଲିମରେ ଅଭ୍ୟସ୍ତ ହୋଇଉଠୁଥିଲେ । ଅତି ପ୍ରତ୍ୟୁଷରୁ ଏ ପ୍ରବଳ ଥଣ୍ତା ଓ ବରଫ ସତ୍ୱେ ବି ପ୍ରତ୍ୟେକଙ୍କୁ ଶାରୀରିକ ଶିକ୍ଷା ପାଇବାକୁ ହେଉଥିଲା । ସ୍ୱୟଂ ମିଷ୍ଟର ସିଂ ମଧ୍ୟ ଏ ବୃଦ୍ଧ ବୟସରେ ଉତ୍ସାହର ସହିତ ଉପସ୍ଥିତ ରହି ସେମାନଙ୍କୁ ଶିକ୍ଷା ଦେଉଥିଲେ-। ସୀମାନ୍ତ ଅଧିବାସୀମାନେ ମଧ୍ୟ ଆନନ୍ଦର ସହିତ ପ୍ରତ୍ୟେକ ବିଷୟ ଏପରି ନିର୍ଭୁଲ ଭାବରେ ଗ୍ରହଣ କରିପାରୁଥିଲେ ଯେ, ତାହା ଦେଖି ମିଷ୍ଟର ସିଂ ଏବଂ ଦୀପକ ଆଶ୍ଚର୍ଯ୍ୟ ହୋଇଯାଉଥିଲେ-। ଉପଯୁକ୍ତ ଶିକ୍ଷା ପାଇଲେ ଏମାନେ ଯେ ଗୋଟିଏ ବୀର ଓ ଯୋଦ୍ଧା ଜାତିଭାବରେ ସୀମାନ୍ତ ରକ୍ଷା କାର୍ଯ୍ୟ ସୁଚାରୁରୂପେ ତୁଲାଇପାରିବେ, ଏପରି ଧାରଣା ଦୁହିଁଙ୍କ ମନରେ ଦୃଢ଼ ଓ ନିଶ୍ଚିତ ଭାବରେ ଜାତ ହୋଇଥିଲା । ଦୂର ସ୍ଥାନକୁ ରାଇଫ୍ଳରେ ଲକ୍ଷ୍ୟ ରଖି କ୍ଷିପ୍ରଭାବରେ ଗୁଳିଚାଳନା କରିବା, ମେସିନଗନ୍‌ ଚଳାଇବା, ଆଲୋକ ସଙ୍କେତ ଦେବା, ଗରିଲା ଯୁଦ୍ଧ କରିବା, ରିଭଲଭର ଚଳାଇବା, ବାହୁଯୁଦ୍ଧ କରିବା ପ୍ରଭୃତିରେ ସେମାନେ ଅପୂର୍ବ ସଫଳତା ଦେଖାଇଥିଲେ ।

 

ମିଷ୍ଟର ସିଂ ତତ୍ତ୍ୱାବଧାରକ ଭାବରେ ପ୍ରତ୍ୟେକ ବିଷୟ ତତ୍ତ୍ୱାବଧାନ କରୁଥାନ୍ତି । ଦୀପକ ହିଁ ପ୍ରତ୍ୟେକ ବିଷୟରେ ଏକମାତ୍ର ଶିକ୍ଷାଦାତା । ଦୀପକ ଏକୁଟିଆ ଏତେଗୁଡ଼ାଏ ବିଦ୍ୟାରେ କିପରି ପାରଦର୍ଶିତା ଲାଭ କରିପାରିଛି ତାହା ଦେଖି ମିଷ୍ଟର ସିଂ ବଡ଼ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ପୂର୍ବରୁ ଦୀପକ ପ୍ରତି ତାଙ୍କର ଯେତିକି ସ୍ନେହଭାବ ଥିଲା, ଏବେ ଏହି ଘଟଣାରୁ ତାହା ବହୁଗୁଣରେ ବଢ଼ିଯାଇଛି । ସବୁ କାମ ଠିକ୍‍ ଠିକ୍‍ ଚାଲିଛି; ତଥାପି ରୂପକର ଅଭାବ ସମସ୍ତେ ସବୁବେଳେ ଅନୁଭବ କରୁଛନ୍ତି । ବିଶେଷ କରି ମିସେସ ସିଂ । କାରଣ ସେ ତାକୁ ନିଜର ସାନଭାଇଟି ପରି ସ୍ନେହ କରୁଥିଲେ । ରୂପକର ଉତ୍ତରକୁ ସବୁଠାରୁ ଅଧିକ ବ୍ୟଗ୍ରତାର ସହିତ ସେ ପ୍ରତୀକ୍ଷା କରୁଥିଲେ-। ଦିନକୁ ଦିନ ତାଙ୍କର ବ୍ୟଗ୍ରତା ବଢ଼ୁଥିଲା ଏବଂ ସେ ହତାଶ ହୋଇପଡ଼ୁଥିଲେ । ମନରେ ନାନାପ୍ରକାର ଆଶଙ୍କା ଉଙ୍କି ମାରୁଥିଲା । ଚୀନାମାନଙ୍କ ପ୍ରକୃତି ଯେ ରାକ୍ଷସ ପ୍ରକୃତି ସହିତ ସମାନ, ତାହା ସେ ପୂର୍ବରୁ ବହୁ ଥର ଶୁଣିଥିଲେ । ତେଣୁ ତାଙ୍କର ମନରେ ନାନା ପ୍ରକାର ଆଶଙ୍କା ଜାତ ହେବା ସ୍ୱାଭାବିକ ।

 

ଦିନେ ସାଧାରଣ କଥାବାର୍ତ୍ତା ହେଉ ହେଉ ମିଷ୍ଟର ସିଂ ପଚାରିଲେ, ‘‘ଆଚ୍ଛା, ଦୀପକ ! ଏମାନେ ତ ପ୍ରାୟ ସବୁ ପ୍ରକାର ଟ୍ରେନିଂ ପାଇଗଲେଣି । ବର୍ତ୍ତମାନ ଏମାନଙ୍କୁ ନେଇ କଣ କରିବାକୁ ହେବ କୁହ ତ ?’’

 

ମିଷ୍ଟର ସିଂଙ୍କ ଏପରି ପ୍ରଶ୍ନରେ ଦୀପକ ଖାଲି ହସିଲା । କିଛି ସମୟ ପରେ ହସ ସମ୍ୱରଣ କରି କହିଲା—‘‘ସୀମାନ୍ତ ଅଞ୍ଚଳରେ ଅସଂଖ୍ୟ ଗ୍ରାମ ରହିଛି । ସେଥିରେ ବାସ କରୁଥିବା ହଜାର ହଜାର ଅଧିବାସୀ ଚୀନାଙ୍କ ଦ୍ୱାରା ନିଶ୍ଚୟ ନିର୍ଯ୍ୟାତିତ ହେଉଥିବେ । ଏଇ ତାଲିମପ୍ରାପ୍ତ ଯୁବକମାନଙ୍କୁ ପଠାଇ ସେଠିକାର ଯୁବକମାନଙ୍କୁ ଟ୍ରେନିଂ ଦିଆଯିବ । ଆପଣ ଦେଖିବେ, ଖୁବ୍‍ ଅଳ୍ପ ଦିନ ମଧ୍ୟରେ ଆମେ ଏକ ବିଶାଳ ସୀମାନ୍ତରକ୍ଷୀ ବାହିନୀ ଗଢ଼ିପାରିବା । ଖାଲି ପ୍ରତିରକ୍ଷା ପାଇଁ ସେମାନଙ୍କୁ ହାତହତିଆର ଯୋଗାଇଦେଲେ ହେଲା ।’’

 

ଦୀପକର ଦୂରଦୃଷ୍ଟିରେ ମୁଗ୍‌ଧ ହୋଇ ମିଷ୍ଟର ସିଂ କହିଲେ—‘‘ବାସ୍ତବିକ, ତୁମର ଯୋଜନା ପ୍ରଶଂସନୀୟ । ତୁମର ଯୋଜନାଟି ଯଦି କାର୍ଯ୍ୟକାରୀ ହୋଇପାରନ୍ତା, ତେବେ ସୀମାନ୍ତରକ୍ଷା ବ୍ୟବସ୍ଥା ଅତି ଦୃଢ଼ ହୋଇଯାଆନ୍ତା, ଏଥିରେ ସନ୍ଦେହ ନାହିଁ । ଏଥିପାଇଁ ସମ୍ୱଳ ମଧ୍ୟ ଅଧିକ ଦରକାର ନାହିଁ, କାରଣ ଏହି ଲୋକମାନଙ୍କର ଆବଶ୍ୟକତା ଖୁବ୍‍ କମ୍‌ । ନିଜ ଗ୍ରାମରେ ଏମାନେ ଗୁଜୁରାଣ ମେଣ୍ଟାଇ ସାମାନ୍ୟ ପାରିଶ୍ରମିକ ବା ଆର୍ଥିକ ସାହାଯ୍ୟ ପାଇଲେ ଏ କାମ ତୁଲାଇପାରିବେ । ହଉ, ଦେଖାଯାଉ, ଜେନେରାଲ କପୁର କି ସୁବିଧା କରିପାରୁଛନ୍ତି । ତା’ପରେ ଆମେ ଅନ୍ୟ ଉପାୟ ଦେଖିବା ।’’

 

X X X

 

ଏତେ ସକାଳୁ ଦୀପକର ଘନ ଘନ ଡାକରାରେ ବାଧ୍ୟ ହୋଇ ବିଛଣା ଛାଡ଼ି ଉଠିଆସିଲେ ମିଷ୍ଟର ସିଂ । ତାଙ୍କ ପଛେ ପଛେ ମିସେସ୍‌ ସିଂ ମଧ୍ୟ । ମିଷ୍ଟର ସିଂ ଖୁବ୍‍ ବଡ଼ ଧରଣର କିଛି ଗୋଟାଏ ଆଶଙ୍କା କରୁଥିଲେ ଦୀପକର ଏତେବେଳେ ଡାକିବା ଦେଖି । ସାଧାରତଃ ଦୀପକ ସକାଳଓଳି କେବେହେଲେ ଆଗ ଆସେ ନାହିଁ । ବରଂ ନିତ୍ୟକର୍ମ ଶେଷ କରି ଜଳଖିଆ ଖାଇବା ଟେବୁଲକୁ ଡାକନ୍ତି ସେ ଆଗ ଦୀପକକୁ । ଆଜି କିନ୍ତୁ ସଂପୂର୍ଣ୍ଣ ଓଲଟା କଥା । ସେଇଟା ତାଙ୍କୁ କିଛି ଗୋଟାଏ ଦୁର୍ଘଟଣା ଘଟିବାର ଆଶଙ୍କା କରିବାରେ ସାହାଯ୍ୟ କରିଥିଲା ।

 

ବାହାରକୁ ଆସି ସେ ଦୀପକର ଆନନ୍ଦୋଜ୍ୱଳ ଭାବ ଦେଖିପାରି ଟିକିଏ ଆଶ୍ୱସ୍ତ ହେଲେ-! ତାଙ୍କୁ ଦେଖିଲାମାତ୍ରେ ଦୀପକ ଚିତ୍କାର କରିଉଠିଲା ‘‘ସୁ ଖବର ! ରୂପକଠାରୁ ଖବର ମିଳିଛି-।’’

 

‘‘ସତେ ? କଣ ଖବର ?’’ ଆନନ୍ଦରେ ହସୁ ହସୁ କହିପକାଇଲେ ମିଷ୍ଟର ସିଂ ଏବଂ ମିସେସ୍‌ ସିଂ ଦୁହେଁ ଏକସମୟରେ ।

 

ଦୀପକର ଆନନ୍ଦ କହିଲେ ନ ସରେ । ସେ ଆନନ୍ଦ ଆବେଗରେ କହିପକାଇଲା, ‘‘ଆଜି ଖୁବ୍‍ ସକାଳୁ ହଠାତ୍‌ ମୋ ଓୟାରଲେସ୍‌ଟାର ଆଲାର୍ମ ବାଜିଉଠିଲା । ମୁଁ ଭାବିଲି, ହୁଏ ତ ଜେନେରାଲ କପୁରଙ୍କଠାରୁ କିଛି ଖବର ଆସିଗଲା ବୋଲି । କିନ୍ତୁ ରିସିଭ କରି ଦେଖେଁ ତ ରୂପକ କହୁଛି ସିଧା ପେକିଂରୁ ।

 

‘‘ପେକିଂ– ?’’ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ମିଷ୍ଟର୍‌ ସିଂ । ଆଶ୍ଚର୍ଯ୍ୟରେ ତାଙ୍କର ଭ୍ରୂଲତା ଦୁଇଟା ଉପରକୁ ଉଠିଗଲା ଯେପରି ।

 

‘‘ହଁ ! ଏକାଥରେ ଚୀନର ଛାତି ଉପରୁ । ମୁଁ ଜାଣେ ପରା, ଭାଇ ମୋର ହାରିବ ନାହିଁ କେବେ !’’ ଦୀପକର ଆନନ୍ଦ ସୀମା ମାନୁ ନ ଥିଲା ।

 

‘‘କଣ ସବୁ ଖବର ଦେଇଛି ରୂପକ ?’’ ଆଗ୍ରହ ଦେଖାଇ ପଚାରି ବସିଲେ ମିଷ୍ଟର ସିଂ ।

 

‘‘ଚାଲନ୍ତୁ ଭିତରକୁ; ସବୁ କହୁଛି’’—କହିବା ସଙ୍ଗେସଙ୍ଗେ ଦୀପକ ମିଷ୍ଟର ସିଂଙ୍କ ତମ୍ୱୁ ଭିତରକୁ ଗଲା । ତା ପଛେ ପଛେ ମିଷ୍ଟର ଏବଂ ମିସେସ୍‌ ସିଂ ମଧ୍ୟ ।

 

‘‘ତମ୍ୱୁ ଭିତରେ ଦୀପକ ଏବଂ ମିଷ୍ଟର ଓ ମିସେସ୍ ସିଂ ଆସନ ଗ୍ରହଣ କଲା ପରେ, ଦୀପକ କହିଲା–‘‘ରୂପକକୁ ମୁଁ ସେଦିନ ଚୀନା ତମ୍ୱୁପାଖରେ ଛାଡ଼ିଦେଇ ଆସିଲାବେଳେ ପ୍ରବଳ ଝଡ଼ତୋଫାନ ତ ହେଉଥିଲା । ସେତେବେଳେ ପର୍ଯ୍ୟନ୍ତ ସେମାନଙ୍କ ତମ୍ୱୁରେ ଆଲୁଅ ଜଳୁଥିଲା । ରୂପକ ମୋ’ଠାରୁ ବିଦାୟ ନେଇ ସେଇ ଘୋର ଅନ୍ଧକାର ଭିତରେ କୁଆଡ଼େ ଅଦୃଶ୍ୟ ହୋଇଗଲା । ମୁଁ ସେଠାରେ ପ୍ରାୟ ଘଣ୍ଟାଏ କାଳ ଅପେକ୍ଷା କଲାପରେ ଫେରିଆସିଲି । କିନ୍ତୁ ସେ ତମ୍ୱୁର ଚାରିପଟେ ଘୁରି ସୁଯୋଗର ଅପେକ୍ଷା କଲା । ବାହାରେ ସେପର୍ଯ୍ୟନ୍ତ ସେଣ୍ଟ୍ରି ଖୁବ୍ ସତର୍କ ଥିଲା । ରୂପକ ସୁଯୋଗ ଦେଖି ତାକୁ ଆକ୍ରମଣ କରି କାବୁ କରିନେଲା ଏବଂ ବେହୋସ କରାଇଦେଇ ତା’ର ପୋଷାକରେ ଛଦ୍ମବେଶ ଧରିନେଲା । ଏଥର ସେ ସ୍ୱଚ୍ଛନ୍ଦରେ ଆଲୁଅ ଜଳୁଥିବା ତମ୍ୱୁ ନିକଟକୁ ଆସି ସେମାନଙ୍କ କଥାବାର୍ତ୍ତା ଶୁଣିଲା । ତାଙ୍କ କଥାରୁ ସେ ଜାଣିପାରିଲା ଯେ, ସେଇ ଅଳ୍ପସମୟ ଭିତରେ ଗୋଟାଏ ଗାଡ଼ି ଚୀନ ଅଭ୍ୟନ୍ତରର ଗୋଟାଏ ଛାଉଣୀକୁ ଯିବ । ସେଇ ସୁଯୋଗରେ ସେ ସେଇ ଗାଡ଼ିରେ ସେ ଚୀନା ତମ୍ୱୁ ଗୋପନରେ ତ୍ୟାଗ କଲା । ରାତି ପାହାନ୍ତା ହେଲାବେଳକୁ ସେ ଗୋଟାଏ ଚୀନା ଗାଁ ନିକଟରେ ପହଞ୍ଚିଯାଇଥିଲା । କୌଶଳକ୍ରମେ ସମସ୍ତଙ୍କ ଅଜ୍ଞାତରେ ସେ ଗାଡ଼ିରୁ ଓହ୍ଳାଇଆସିଲା । ଜଣେ ଚୀନା ସାଧୁର ଛଦ୍ମବେଶରେ ସେ ସେଇ ଗାଁରେ ରହି ପ୍ରାୟ ଦୁଇଦିନ କଟାଇଦେଲା । ସେଠାରୁ ପୁଣି ସେ ପେକିଂ ଯାତ୍ରା କଲା ଏବଂ ଜଣେ ଚୀନା ବଣିକର ଛଦ୍ମବେଶରେ ବର୍ତ୍ତମାନ ଏକ ବିଳାସବ୍ୟସନପୂର୍ଣ୍ଣ ହୋଟେଲରେ ରହୁଛି । ସେଠାରେ ବଡ଼ ବଡ଼ ରାଜନୀତିଜ୍ଞ, ସାମରିକ ଅଫିସରମାନଙ୍କର ଆଡ଼୍‌ଡ଼ା । ବର୍ତ୍ତମାନ ସେଠାରେ ସେ ୟାଂ-ଚାଂ ନାମରେ ପରିଚିତ । ନିଜର ବ୍ୟବହାର ଏବଂ ଟଙ୍କା ବଳରେ ସେ ସମସ୍ତଙ୍କୁ ବଶୀଭୂତ କରିବାକୁ ଚେଷ୍ଟା କରୁଛି । ମୋଟାମୋଟି କହିବାକୁ ଗଲେ ଏପର୍ଯ୍ୟନ୍ତ ସେ ସଫଳତା ଦିଗରେ ଆଗେଇ ଚାଲିଛି ।’’

 

‘‘ସାବାସ୍‌ ! ରୂପକର ଏ ଅପୂର୍ବ ସଫଳତାରେ ଆମର ଗର୍ବ କରିବାର କଥା । ଜଣେ ପ୍ରବୀଣ ଗୁପ୍ତଚରଠାରୁ ମଧ୍ୟ ଏତେ ଦୂର ଆଶା କରାଯାଇ ନ ପାରେ ।’’ ମିଷ୍ଟର ସିଂ ମଧ୍ୟ ଆନନ୍ଦାତିଶଯ୍ୟରେ ଅଧୀର ହୋଇପଡ଼ିଥିଲେ ।

 

—ମୁଁ ‘‘ତେବେ ଆଳି ଓୟାର୍‌ଲେସ୍‌ରେ ଡାକି ଜେନେରାଲ କପୁରଙ୍କୁ ମନେପକାଇଦିଏଁ ସବୁ କଥା । ତାଙ୍କଠାରୁ ଉତ୍ତର ମିଳିବାରେ ଯଥେଷ୍ଟ ଡେରି ହେଲାଣି ।’’ ଦୀପକର ସ୍ୱରରେ ସାମାନ୍ୟ ବିରକ୍ତି ।

 

‘‘ତା ହେବାର କଥା । କାରଣ ଏଟା କପୁରଙ୍କ ବ୍ୟକ୍ତିଗତ ବ୍ୟାପାର ନୁହେଁ । କାମଟା ସ୍ତର ସ୍ତର ହୋଇ ହେବ । ସବୁଆଡ଼ୁ ଅନୁମୋଦନ ନ ପାଇଲେ ତ ସେ କିଛି କରିପାରିବେ ନାହିଁ । କାରଣ ଏଟା ତ ଆଉ ଲାଲ ଚୀନ ନୁହେଁ । ଏଟା ହିନ୍ଦୁସ୍ଥାନ—ଗଣତନ୍ତ୍ର ରାଷ୍ଟ୍ର । ସଦ୍ଭାବ ଓ ଶାନ୍ତି ହେଲା ଏହାର ମୌଳିକ ନୀତି । ଆଚ୍ଛା, ଆଉ ଦୁଇ ଦିନ ଅପେକ୍ଷା କର ।’’

 

‘‘ପ୍ରାତଃଭୋଜନ ପ୍ରସ୍ତୁତ ।’’ —ମିସେସ୍‌ ସିଂଙ୍କ ଡାକରା ପାଇ ଦୁହେଁ ଉଠିଗଲେ । ଦୁହିଁଙ୍କର ଫୁର୍ତ୍ତିର ସୀମା ନ ଥିଲା ସେଦିନ ।

 

ନଅ

 

ପେକିଂ– ।

 

କମ୍ୟୁନିଷ୍ଟ ଚାଇନାର ହୃତ୍‌ପିଣ୍ତ । ରାସ୍ତାଘାଟରେ ବଢ଼ନ୍ତା ନଦୀର ସ୍ରୋତ ପରି ଜନସମୁଦ୍ର ଭାସି ଚାଲିଛନ୍ତି । ଯେତେକ ଅପରାଧ, ବୀଭତ୍ସତା, ସମାଜବିରାଧୀ କାର୍ଯ୍ୟକଳାପ ସବୁ ସେଇଠି ଘଟୁଛି ପ୍ରତି ମୁହୂର୍ତ୍ତରେ । ରାସ୍ତାର ଦୁଇ ଧାରରେ ସୁସଜ୍ଜିତ ଦୋକାନ, ହୋଟେଲ, ଆଭିଜାତ୍ୟପୂର୍ଣ୍ଣ ପାନଶାଳା । ମାତ୍ର ତା’ର ପଛରେ ଲୁଚିରହିଚି ହତ୍ୟା; ବୀଭତ୍ସତା । ମୋଟ ଉପରେ କହିବାକୁ ଗଲେ ଆଧୁନିକ ଜଗତର ଆଡ଼ମ୍ୱର ଓ ଆଭିଜାତ୍ୟପୂର୍ଣ୍ଣ ନର୍କ ସହିତ ଏହି ସହର ତୁଳନୀୟ ।

 

ସହରର କେନ୍ଦ୍ରସ୍ଥାନରେ ଏକ ବିରାଟ ହୋଟେଲ । ହୋଟେଲ ପ୍ରାସାଦ ଯେପରି ବିଶାଳ, ସେଇପରି ମନୋରମ । ଯେଉଁ କେତୋଟି ଖୁବ୍‍ ସୁନ୍ଦର ଆଉ ବିଶାଳ ପ୍ରାସାଦ ପେକିଂ ସହରରେ ଦେଖିବାକୁ ମିଳେ, ସେଗୁଡ଼ିକ ମଧ୍ୟରେ ଏହି ହୋଟେଲ ହେଉଛି ଗୋଟିଏ । ଏଠାରେ ପାନ, ଭୋଜନ, ଆବାସ, ଉପଭୋଗ ଆଦି ସବୁ ପ୍ରକାର ବ୍ୟବସ୍ଥା ରହିଛି । ଭୋଗବିଳାସୀମାନଙ୍କର ଉପଭୋଗ ଓ ଆନନ୍ଦ ପାଇଁ ଏଠାରେ ବିଭିନ୍ନ ଦେଶର ରୂପଜୀବୀମାନଙ୍କର ପସରା ସେମାନଙ୍କ ପାଇଁ ସବୁବେଳେ ଉନ୍ମୁକ୍ତ । ଏହି ରୂପଜୀବୀମାନେ ବେତନଭୋଗ୍ୟା ହୋଟେଲ ପକ୍ଷରୁ ଏମାନେ ନିଯୁକ୍ତ । ତଳ ମହଲାର ଗୋଟିଏ ପ୍ରକାଣ୍ତ ପ୍ରକୋଷ୍ଠରେ ସେଠାରେ ଥିବା ରୂପଜୀବୀମାନଙ୍କର ସୁଦୃଶ୍ୟ ଫଟୋ ଟଙ୍ଗାଯାଇଛି । ସେଇ ଫଟୋ ତଳେ ତାର ସଂକ୍ଷିପ୍ତ ପରିଚୟ ଏବଂ ତାହା ସହିତ ଆଳାପାଦିର ଖର୍ଚ୍ଚ ଲେଖାଯାଇଛି । ଇଚ୍ଛାନୁସାରେ ଯେ କେହି ଟଙ୍କା ଦାଖଲ କଲେ ପରିଚାରିକା ନେଇ ଠିକଣା ଜାଗାରେ ପହଞ୍ଚାଇଦିଏ-। କୌଣସି ବ୍ୟବସ୍ଥାରେ ଟିକିଏ ହେଲେ ଏପଟ ସେପଟ ନାହିଁ । ହୋଟେଲର ଏହି ବ୍ୟବସାୟକୁ ସେ ଦେଶର ସରକାର ଅନୁମୋଦନ କରିଛନ୍ତି । ବଡ଼ ବଡ଼ ସରକାରୀ ଓ ସାମରିକ କର୍ମଚାରୀମାନେ ପ୍ରାୟ ସେଠାରେ ଧରାବନ୍ଧା ଗ୍ରାହକ । ସେଥିପାଇଁ ହୋଟେଲଟିର ଉତ୍ତରୋତ୍ତର ଉନ୍ନତି ଘଟୁଛି ।

ହୋଟେଲଟିକୁ ତା’ର ପରିବେଷ୍ଟନୀ ଉନ୍ନତ କରିଛି କହିଲେ ଚଲେ । ଏହି ହୋଟେଲର ଚାରିପଟେ ଯେତେକ ସରକାରୀ ବେସରକାରୀ ଏବଂ ସାମରିକ କର୍ମଚାରୀଙ୍କ ଦପ୍ତର ଅବସ୍ଥିତ । ଅବସର ପାଇଲାମାତ୍ରେ ଏଠାରୁ କର୍ମଚାରୀମାନେ ହୋଟେଲରେ ଆସି ଆଡ଼୍‌ଡ଼ା କରନ୍ତି । ନାନାପ୍ରକାର କୂଟ ରାଜନୀତି ଖେଳର ଯୋଜନା କରାଯାଏ ଏହି ହୋଟେଲର ପାନୀୟ ଟେବୁଲ ନିକଟରେ । ଏ ପ୍ରକାର ଆଲୋଚନାର ଚାହିଦା ଦୃଷ୍ଟିରୁ କେତୋଟି ଗୁପ୍ତ କୋଠରୀ ମଧ୍ୟ ଏଠାରେ ରହିଛି । ସେଠାରେ ବସି କେତେଜଣ କୌଣସି ଗୋପନୀୟ ଆଲୋଚନା କରିପାରନ୍ତି । ଗୋପନୀୟତା ରକ୍ଷା ଦିଗରୁ ସ୍ଥାନଟା ଯଥାସମ୍ଭବ ନିରାପଦ, ଏଥିରେ ସନ୍ଦେହ ନାହିଁ । ଏହି କୋଠରୀକୁ ପୂର୍ବରୁ ରିଜର୍ଭ କରିବାକୁ ହୁଏ । ସ୍ଥୂଳ ବା ସୂକ୍ଷ୍ମ, ଯେକୌଣସି ଭାବରେ ହେଉ, ଦେଖିବାକୁ ଗଲେ ଏହି ହୋଟେଲଟି କମ୍ୟୁନିଷ୍ଟ ଚୀନ ଆଦର୍ଶର ଗୋଟିଏ ମୁନା ବା ମ୍ୟୁଜିଅମ୍‌ କହିଲେ ଚଳେ । ହୋଟେଲକୁ ଗ୍ରାହକ ସଂଗ୍ରହ ପାଇଁ ପ୍ରତ୍ୟେକ ରେଳ ଷ୍ଟେସନ, ବିମାନଘାଟୀ, ବନ୍ଦରଠାରେ ଏହାର ଦଲାଲ ବା ଏଜେଣ୍ଟମାନେ ରହିଛନ୍ତି । ଏମାନେ ବି କମ୍‌ ନୁହନ୍ତି—ପ୍ରତ୍ୟେକେ ଜଣେ ଜଣେ ମାର୍କାମରା ଓସ୍ତାଦ୍‌ ।

ପେକିଂ ରେଳଷ୍ଟେସନରେ ପହଞ୍ଚି ଚୀନା ଭଦ୍ରବ୍ୟକ୍ତିଜଣକ ସେଦିନ ବଡ଼ ଇତଃସ୍ତତଃ ହୋଇପଡ଼ିଥିଲେ । ହୁଏ ତ ସେ ଏଠାରେ ସଂପୂର୍ଣ୍ଣ ନୂତନ କିମ୍ୱା କୌଣସି ମାନସିକ ଚଞ୍ଚଳତା ହେତୁରୁ ସେ ଏପରି ହୋଇପଡ଼ିଛନ୍ତି ତାହା ସ୍ଥିର କରିବା କଠିନ । ଜିନିଷପତ୍ର ତାଙ୍କର ବିଶେଷ କିଛି ନ ଥିଲା । ହାତରେ ଖଣ୍ତିଏ ଛୋଟ ଚମଡ଼ା ସୁଟ୍‌କେଶ ଆଉ ଚମଡ଼ା ବ୍ୟାଗ୍‌ । ବେଶପୋଷାକରୁ ସେ ଜଣେ ବିଶିଷ୍ଟ ଓ ଧନାଢ଼୍ୟ ବ୍ୟକ୍ତି ବୋଲି ନିଃସନ୍ଦେହରୂପେ ଜାଣିହେଉଥିଲା ।

ତାଙ୍କର ଇତସ୍ତତଃ ଭାବ ଦଲାଲ ଆଖିକୁ ଏଡ଼ାଇ ଦେଇ ପାରି ନ ଥିଲା । ବିଶେଷ କରି ସେମାନେ ଲୋକର ହାବଭାବ ଦେଖି ଅବସ୍ଥା ଜାଣିବାରେ ବିଶେଷ ପାରଙ୍ଗମ । ବର୍ତ୍ତମାନ ଭଦ୍ରଲୋକଙ୍କର ଭାବ ଦେଖି ସେ ପାଖକୁ ଧାଇଁ ଆସି ପଚାରିଲା—‘‘ଆଜ୍ଞା, ହୋଟେଲ ?’’

—‘‘ହଁ, ହୋଟେଲ ଦରକାର; କିନ୍ତୁ ଖୁବ୍‍ ଆଦବ କାଇଦାର !’’ ଭଦ୍ରଲୋକ ଗମ୍ଭୀର ଭାବରେ ଉତ୍ତର ଦେଲେ ।

—‘‘ଓ ! ଇନ୍ଦ୍ରଭୁବନ ! ବିଶାଳ ପ୍ରାସାଦ, ଏଆର୍ କଣ୍ତିସନ୍‌ଡ଼୍‌ ରୁମ୍‌, ଶ୍ରେଷ୍ଠ ଖାଦ୍ୟ, ଶ୍ରେଷ୍ଠ ପାନୀୟ, ଶ୍ରେଷ୍ଠ ସୁନ୍ଦରୀଗଣ, ଶ୍ରେଷ୍ଠ—’’

—‘‘ବାସ୍‌ ବାସ୍‌, ଯଥେଷ୍ଟ । ସେତିକି ହେଲେ ଖୁବ୍‍ ଚଳିବ ।’’ ଦଲାଲ କଥାରେ ବାଧା ଦେଇ କହିଲେ ଭଦ୍ରଲୋକ ।

ଦଲାଲ ଆନ୍ଦରେ ସିଟି ବଜାଉ ବଜାଉ ଭଦ୍ରଲୋକଙ୍କର ଚମଡ଼ା ସୁଟ୍‌କେଶଟି ହାତରେ ଧରି ପ୍ଳାଟ୍‌ଫର୍ମ ଉପରେ ଆଗେଇଗଲା ଫାଟକ ଅଭିମୁଖରେ । ତାକୁ ଅନୁସରଣ କରି ପଛେ ପଛେ ଚାଲିବାକୁ ଲାଗିଲେ ଭଦ୍ରବ୍ୟକ୍ତି ଜଣକ ।

 

ଫାଟକ ବାହାରେ ଦାମୀ କାର୍‌ ଅପେକ୍ଷା କରି ରହିଥିଲା । ଭଦ୍ରବ୍ୟକ୍ତି ଏବଂ ଦଲାଲ ଉଭୟେ ଆସନ ଗ୍ରହଣ କଲାପରେ କାର୍‌ ଡ୍ରାଇଭର ପୂରା ସ୍ପିଡ଼୍‌ରେ ଗାଡ଼ି ଛୁଟାଇଦେଲା ଜନଗହଳି ରାଜପଥ ଉପରେ । ଭଦ୍ରବ୍ୟକ୍ତି ଜଣକ ଉଭୟପଟର ଜନଗହଳି ଏବଂ ସୁ-ଦୃଶ୍ୟ ସୁ-ଉଚ୍ଚ ଅଟ୍ଟାଳିକା ଉପରେ ଦୃଷ୍ଟି ରଖିଥାନ୍ତି ।

 

ପ୍ରାୟ କେତେ ମାଇଲ ଗଲାପରେ ଗୋଟାଏ ବିଶାଳ ପ୍ରାସାଦ ସମ୍ମୁଖରେ କାର୍‌ବ୍ରେକ୍‌ କଲା । ଭଦ୍ରବ୍ୟକ୍ତି ବୁଝିଲେ ଏଇଟା ଉଦ୍ଦିଷ୍ଟ ହୋଟେଲ୍‌ ହେବ ବୋଧହୁଏ । ତାଙ୍କର କିଛି ପଚାରିବାକୁ ଅପେକ୍ଷା ନ କରି ଦଲାଲଜଣଙ୍କ କାର୍‌ର ଦରଜା ଖୋଲି ସୁଟ୍‌କେଶ୍‌ ଧରି ବାହାରିପଡ଼ିଲା ଏବଂ ତାଙ୍କ ଯିବା ପର୍ଯ୍ୟନ୍ତ ଦରଜା ଖୋଲି ଧରିଲା । ଭଦ୍ରବ୍ୟକ୍ତି ବାହାରକୁ ଆସିବାମାତ୍ରେ ସେ ଦରଜା ବନ୍ଦ କରି ଆଗେ ଆଗେ ଚାଲିଲା । ତା’ପଛେ ପଛେ ଚାଲିଲେ ଭଦ୍ରବ୍ୟକ୍ତି ଜଣକ ।

 

ମ୍ୟାନେଜରଙ୍କ ନିକଟର ଭଦ୍ରବ୍ୟକ୍ତି ନିଜର ପରିଚୟ ଦେଇ କହିଲେ—ତାଙ୍କର ନାମ ହେଉଛି ୟାଂଚାଂ । ବ୍ୟବସାୟ ହୀରା, ଜହରତ ପ୍ରଭୃତି । ବ୍ୟବସାୟ ଉଦ୍ଦେଶ୍ୟରେ ଏଠାକୁ ଆସିଚନ୍ତି-। ମାସେଖଣ୍ଡେ ଏଇ ହୋଟେଲରେ ଜଣେ ପ୍ରଥମଶ୍ରେଣୀ ଗ୍ରାହକ ଭାବରେ ରହିବେ । ଦରକାର ହେଲେ ଅଧିକ ସମୟ ମଧ୍ୟ ରହିପାରନ୍ତି ।

 

ଭଦ୍ରବ୍ୟକ୍ତିଙ୍କର ମଧୁର ଓ ମାର୍ଜିତ କଥାବାର୍ତ୍ତା ଶୁଣି ମ୍ୟାନେଜର ସନ୍ତୁଷ୍ଟ ହୋଇଥିଲେ । ଭଦ୍ରବ୍ୟକ୍ତି ତାଙ୍କୁ ଏକମାସର ଖର୍ଚ୍ଚ ଅଗ୍ରୀମ ଦେଇଦେଲେ । ମ୍ୟାନେଜରଙ୍କ ନିର୍ଦ୍ଦେଶରେ ଦଲାଲ ଜଣକ ତାଙ୍କୁ ଉପର ମହଲାର ଗୋଟିଏ କୋଠରୀକୁ ନେଇ ଦ୍ୱାର ଖୋଲିଦେଲା ।

 

ୟାଂଚାଂ କୋଠରୀ ଭିତରେ ପ୍ରବେଶ କରି ଦେଖିଲେ, ସବୁ ଠିକ୍‍ ଠାକ୍‌ ଅଛି । ଆବଶ୍ୟକୀୟ ଜିନିଷମାନଙ୍କ ଭିତରୁ କିଛି ଗୋଟିଏ ହେଲେ ବାଦ୍‌ ଯାଇନି । ସବୁ ଜିନିଷ ଯଥାସ୍ଥାନରେ ସୁସଜ୍ଜିତ ଅବସ୍ଥାରେ ରଖାଯାଇଛି । ୟାଂଚାଂ ହୋଟେଲ ବ୍ୟବସ୍ଥାରେ ସନ୍ତୋଷ ପ୍ରକାଶ କରି ନିଜର ବ୍ୟାଗ୍‌ଖୋଲିଲେ ।

 

ଦଲାଲ ଜଣକର ଲୋଲୁପ ଦୃଷ୍ଟିକୁ ସେ ସହଜରେ ଲକ୍ଷ୍ୟ କରିନେଇଥିଲେ । ବିନା ବାକ୍ୟବ୍ୟୟରେ ସେ କେତେଖଣ୍ତ ନୋଟ୍‌କାଢ଼ି ତା ହାତରେ ଦେଇ କହିଲେ—‘‘ୟେ ତୁମର ବକ୍‌ସିସ୍‌ । ମୋତେ ତୁମ ଅବସର ସମୟରେ କେତେବେଳେ ଆସି ଏ ହୋଟେଲର ପ୍ରତ୍ୟେକ ଅଂଶ ଥରେ ବୁଲାଇ ଦେଖାଇ ଦେଇଯିବ ।’’

 

ଏତେ ମୋଟା ଅଙ୍କର ବକ୍‌ସିସ୍‌ ହୁଏ ତ ଦଲାଲ ତା ଜୀବନରେ କେବେ ପାଇ ନ ଥିଲା କି ଆଜି ପାଇବ ବୋଲି ଆଶା ମଧ୍ୟ କରି ନ ଥିଲା । ଆଜି ହଠାତ୍‌ ଏତେଗୁଡ଼ାଏ ଟଙ୍କା ପାଇ ଭଦ୍ରବ୍ୟକ୍ତିଙ୍କ ପ୍ରତି ତା’ର ଅନ୍ତର ଶ୍ରଦ୍ଧାରେ ଭରିଉଠିଥିଲା । ସେ ଖୁବ୍‍ କୃତଜ୍ଞତା ଓ ନମ୍ରତାର ସହିତ ନିଜର ସମ୍ମତି ଜଣାଇ ସେଠାରୁ ବିଦାୟ ନେଲା ।

 

ମାତ୍ର ଦୁଇଟି ଦିନ ରହଣି—

 

ସେତିକି ସମୟ ଭିତରେ ୟାଂଚାଂ ହୋଟେଲର ବୟଠାରୁ ଆରମ୍ଭ କରି ମେନେଜର ପର୍ଯ୍ୟନ୍ତ ସମସ୍ତଙ୍କୁ ବଶୀଭୂତ କରିପାରିଛନ୍ତି—ଖାଲି ବକ୍‌ସିସ୍‌ଦ୍ୱାରା । ଯେ ସାକ୍ଷାତ କରିବାକୁ ଆସିଲା ସଙ୍ଗେ ସଙ୍ଗେ ପାନୀୟ ନିମନ୍ତ୍ରଣ । ଅତି ମୂଲ୍ୟବାନ ପାନୀୟ । ତା ସାଙ୍ଗକୁ ମଧୁର ବ୍ୟବହାର । ଆଗନ୍ତୁକ ଏ ଆପ୍ୟାୟନରେ ମୁଗ୍‌ଧ । ଏଣେ ହୋଟେଲରେ ମଧ୍ୟ ଜିନିଷ କାଟ୍‌ତି ହେବାଯାଗୁଁ ମେନେଜର ଖୁସି । ବୟ୍‌ବେହେରାମାନେ ପାନୀୟ ପରିବେଷଣ କରି ମୋଟା ବକ୍‌ସିସ୍‌ପାଇ କୃତକୃତ୍ୟ । ୟାଂଚାଂଙ୍କ ମୁହଁରୁ ବରାଦ ବାହାରିବାକୁ ସମସ୍ତେ ଟାକି ବସିଥାନ୍ତି ଯେମିତି । ସେଥିରେ ଲାଭ ଅଛି କି ନା !

 

ୟାଂଚାଂଙ୍କ ପାଇଁ ହୋଟେଲର ପ୍ରତ୍ୟେକ ଅଂଶ ଅବାରିତ । ନିଜ ଇଚ୍ଛା ଅନୁସାରେ ସେ ଯେତେବେଳେ ଯେଉଁଠାରେ ଇଚ୍ଛା କରନ୍ତି ଯାଇ ବୁଲାବୁଲି କରିପାରନ୍ତି । ହୋଟେଲର ଭଡ଼ାଟିଆ ଏବଂ ରୂପଜୀବୀମାନେ ସମସ୍ତେ ପ୍ରାୟ ତାଙ୍କର ଚିହ୍ନା ହୋଇଗଲେଣି । ସମସ୍ତେ ଜାଣିଗଲେଣି ଯେ ଲୋକଟା ଖାଲି ଅସମ୍ଭବ ପ୍ରକାରେ ଧନାଢ଼୍ୟ ନୁହେଁ, ବଡ଼ ମିଷ୍ଟଭାଷୀ, ବନ୍ଧୁପ୍ରେମୀ ଏବଂ ଅମିତବ୍ୟୟୀ ମଧ୍ୟ । ଅର୍ଥଗୃଧ୍ନ ଚୀନାମାନେ ନାନାପ୍ରକାର ବନ୍ଧୁତାର ଆଳ ଦେଖାଇ ତାଙ୍କଠାରୁ ଅର୍ଥ ବା ପଦାର୍ଥ ଆକାରରେ ଫାଇଦା ଉଠାଇବାରେ ତତ୍ପର ହୋଇପଡ଼ିଥାନ୍ତି । ୟାଂଚାଂ ମଧ୍ୟ ସହରର କେତେକ ବିଶିଷ୍ଟ ବ୍ୟକ୍ତି ଏବଂ ଉଚ୍ଚ ସାମରିକ କର୍ମଚାରୀଙ୍କ ସହିତ ବେଶ୍‌ ବନ୍ଧୁତା ସୃଷ୍ଟି କରିସାରିଲେଣି । ଉପହାର ଦ୍ୱାରା କ’ଣ ବା ଅସମ୍ଭବ ଦୁନିଆରେ ?

 

ଦଶ

 

ସକାଳ ଆଠଟା ହେବ ।

 

ହୋଟେଲର ଚିତ୍ର କୋଠରୀରେ ଚାଂଚାଂ ଭିନ୍ନ ଭିନ୍ନ ରୂପାଜୀବାଗଣଙ୍କର ଫଟୋଗ୍ରାଫ୍‌ଦେଖିବାରେ ତନ୍ମୟ । ଖୁବ୍‍ ନିବିଷ୍ଟ ଭାବରେ ପ୍ରତ୍ୟେକ ଫଟୋ ତଳେ ଲେଖାଥିବା ପରିଚୟ ବିବରଣୀ ପଢ଼ୁଥାନ୍ତି । ଏହିପରି ଭାବରେ ପ୍ରାୟ ସବୁ ଫଟୋ ଦେଖିସାରିଲା ପରେ ପୁଣି ଥରେ ସବୁଗୁଡ଼ିକ ମଧ୍ୟରୁ ଭଲ ବାଛିବାକୁ ଲାଗିଲେ । ତାଙ୍କର ମନୋଭାବ ଦେଖିଲେ ଜଣାଯାଏ, ଯେପରି ଏତେଗୁଡ଼ିଏ ସୁନ୍ଦର ଫଟୋ ଭିତରୁ ଶ୍ରେଷ୍ଠକୁ ସେ ବାଛିପାରୁନାହାନ୍ତି । ପୃଥିବୀର ଅଧିକାଂଶ ଦେଶର ତରୁଣୀଙ୍କର ଫଟୋ ରହିଛି ସେଠାରେ । ପ୍ରତ୍ୟେକର ଭିନ୍ନ ଭଙ୍ଗୀ, ଭିନ୍ନ ଫେସନ ।

 

ତାଙ୍କର ପଛପଟରେ ହୋଟେଲର ପରିଚାରିକାଟିଏ ଠିଆହୋଇ ମୁରୁକି ମୁରୁକି ହସୁଥିଲା । କୌଣସି ଆଗନ୍ତୁକଙ୍କର ଏ ପ୍ରକାର ଭାବ ଅବଶ୍ୟ ନୂଆ ନୁହେଁ ତା ନିକଟରେ । କାରଣ ପ୍ରତ୍ୟେକ ପରିଦର୍ଶକ ଫଟୋ ଘରେ ସବୁଠାରୁ ଭଲ ବାଛିବାରେ ପ୍ରାୟ ଏହିପରି ଦ୍ୱନ୍ଦର ସମ୍ମୁଖୀନ ହୋଇଥାନ୍ତି । ସେ ୟାଂଚାଂଙ୍କ ଆଗକୁ ଆସି ହସି ହସି ପ୍ରଶ୍ନ କଲା—‘‘କ’ଣ ସାହେବ, କେହି ମନକୁ ଆସିଲା ?’’

 

ପରିଚାରିକାର ଏପରି ପ୍ରଶ୍ନରେ ୟାଂଚାଂ ନିଜକୁ ଟିକାଏ ଲଜ୍ଜିତ ବୋଧକଲେ । ସେ ଈଷତ୍‌ କୁଣ୍ଠିତ ହୋଇ କହିଲେ—

 

‘‘ହଁ, ହଁ, ପସନ୍ଦ ମୁଁ କରିନେଇଛି । ଏଇ ସେଇ ଯେଉଁ ଫଟୋଟି-।’’

 

‘‘ଓ ! ସେ ଫରାସୀ ଲିଲି ! ସେ ତ ଏୟାର ମାର୍ଶାଲଙ୍କର ମନୋହାରିଣୀ ।’’

 

‘‘ଉତ୍ତମ । ତେବେ ତ ଜଣେ ମହୀୟସୀ ମହିଳାଙ୍କ ସହିତ ଆଳାପ ହେବ; ତା ସଙ୍ଗେ ସଙ୍ଗେ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ମଧ୍ୟ । ତୁମେ ତା’ର ବନ୍ଦୋବସ୍ତ କର । ଆଜିରେ ହିଁ ମୁଁ ସାକ୍ଷାତ ଚାହେଁ ।’’

 

‘‘ଏ କାମ କିନ୍ତୁ ଟିକିଏ କଠିନ, ସାହେବ !’’

 

‘‘ଚିନ୍ତା ନାହିଁ । ସେଥିପାଇଁ ମୁଁ ପ୍ରସ୍ତୁତ ।’’ କହିବା ସଙ୍ଗେ ସଙ୍ଗେ ୟାଂଚାଂ ଖଣ୍ତିଏ ନୋଟ୍‌ ଗୁଞ୍ଜିଦେଲେ ପରିଚାରିକା ହାତରେ ।

 

ବିନା କାରଣ ଓ ବିନା ପରିଶ୍ରମରେ ଗୁଡ଼ାଏ ଲାଭ ପାଇ ପରିଚାରିକା କୃତଜ୍ଞତା ଦେଖାଇ କହିଲା–‘‘ମୁଁ ମୋର ପ୍ରାଣପଣେ ଚେଷ୍ଟା କରିବି । ସେ କାମ ଯେକୌଣସି ପ୍ରକାରେ ହେଉ, ମୁଁ ନିଶ୍ଚୟ କରାଇବି ।’’

 

ୟାଂଚାଂ ସାହେବ ଖୁସି ହୋଇ କହିଲ ‘‘ଠିକ୍‍ ଅଛି । ତୁମେ ଯଦି ସେତକ କରାଇଦେଇପାରିବ, ତେବେ ମୁଁ ତୁମକୁ ଏତେ ପୁରସ୍କାର ଦେବି ଯେ, ତୁମେ କଳ୍ପନା ସୁଦ୍ଧା କରି ନ ଥିବ ।’’

 

X X X

 

ସେ ଦିନ ସନ୍ଧ୍ୟା–

 

ହୋଟେଲର ମ୍ୟାନେଜର ହଠାତ୍‌ ଆସି ଉପସ୍ଥିତ ହେଲେ ୟାଂଚାଂଙ୍କ କୋଠରୀରେ । ୟାଂଚାଂ ସେତେବେଳକୁ ବାହାରକୁ ବୁଲିଯିବାପାଇଁ ସୁସଜ୍ଜିତ ହୋଇ ବସିଥାନ୍ତି । ହଠାତ୍‌ ମ୍ୟାନେଜରଙ୍କୁ ଦେଖି ତାଙ୍କର ବିସ୍ମୟର ସୀମା ରହିଲା ନାହିଁ । ମାତ୍ର ମ୍ୟାନେଜରଙ୍କଠାରେ ସେପରି ଗମ୍ଭୀରଭାବ କିଛି ନ ଥିଲା । ସେ ତାଙ୍କ ପାଖକୁ ଆସି ଖୁବ୍‍ ବିନୀତ ଭାବରେ କହିଲେ—‘‘କ୍ଷମା କରିବେ, ଆଜ୍ଞା ! ଆପଣଙ୍କର ସେବା କରିବାରୁ ଆମକୁ ବାଧ୍ୟ ହୋଇ ବଞ୍ଚିତ ହେବାକୁ ପଡ଼ୁଚି । କାରଣ ମିସ୍‍ ଲିଲି ଏୟାର ମାର୍ଶାଲଙ୍କର ରିଜର୍ଭ । ବଡ଼ ବିଚିତ୍ର ପ୍ରକୃତିର ଲୋକ ମାର୍ଶାଲ୍‌ଚେନ୍‍-ଲି । ଦୈବାତ୍‌ଯଦି ସେ ବିଗିଡ଼ିଯାଆନ୍ତି, ତେବେ ଆମର ବ୍ୟବସାୟ ସରିଗଲା ବୋଲି ଜାଣନ୍ତୁ । ସେଥିପାଇଁ.... ।’’ ଅବଶିଷ୍ଟ କଥାତକ ପ୍ରକାଶ ନ କରି ସେ ଗୁଁ ପୁଁ ହେବାକୁ ଲାଗିଲେ ।

 

ତାଙ୍କର ଏ ଭାବ ଦେଖି ହୋ ହୋ ହେଇ ହସିଉଠିଲେ ୟାଂଚାଂ । କିଛି ସମୟ ପରେ ହସ ସମ୍ୱରଣ କରି ସେ କହିଲେ, ‘‘ଆପଣ ଆପାତତଃ ନିଶ୍ଚିନ୍ତ ରହନ୍ତୁ ମ୍ୟାନେଜର ! ମାର୍ଶାଲ ଚେନ୍‍ଲିଙ୍କୁ ମୁଁ ଜାଣେ । କୌଣସି ପ୍ରକାର ଅପ୍ରୀତିକର ଘଟଣାର ଅବତାରଣା ହେବା ପୂର୍ବରୁ ମୁଁ ଦୂରେଇଯିବି । କେବଳ ବନ୍ଧୁତା ବ୍ୟତୀତ ମୁଁ ଆଉ କିଛି ଚାହୁଁନି ।’’

 

ୟାଂଚାଂଙ୍କ କଥା ଶୁଣି ମ୍ୟାନେକରଙ୍କ ଦେହରେ ଜୀବନ ପଶିଗଲା ଯେମିତି । ସେ ପ୍ରଥମେ ଆଶଙ୍କା କରିଥିଲେ ଯେ, ୟାଂଚାଂଙ୍କୁ ନିରାଶ କରିବା ଦ୍ୱାରା ସେ ହୁଏତ ଅସନ୍ତୁଷ୍ଟ ହୋଇ ହୋଟେଲ ପରିତ୍ୟାଗ କରିପାରନ୍ତି । ଏହା ତାଙ୍କ ହୋଟେଲ ପକ୍ଷରେ କମ୍‌ ନିନ୍ଦାର କଥା ନୁହେଁ । ମାତ୍ର ବର୍ତ୍ତମାନ ୟାଂଚାଂଙ୍କ କଥା ଶୁଣି ତାଙ୍କ ମନରୁ ସବୁ ଆଶଙ୍କା ଉଭେଇଗଲା । ୟାଂଚାଂଙ୍କ କଥା ଶୁଣଇ ତାଙ୍କ ମନରୁ ସବୁ ଆଶଙ୍କା ଉଭେଇଗଲା । ୟାଂଚାଂଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ବହୁଗୁଣରେ ବଢ଼ିଗଲା । ଆଉ ଘଣ୍ଟାକ ପରେ ସେ ସାକ୍ଷାତର ବନ୍ଦୋବସ୍ତ କରୁଛନ୍ତି ବୋଲି କହିଗଲେ ।

 

ତାଙ୍କର ଗଲା ପରେ ପରେ ୟାଂଚାଂ ଟିକିଏ ଚଞ୍ଚଳ ହୋଇପଡ଼ିଲେ । ସେ ତାଙ୍କର ଚମଡ଼ା ସୁଟ୍‌କେଶ୍‌ ଖୋଲି କ’ଣ ସବୁ ଖେଳା ଖେଳି କଲେ କିଛି ସମୟ ପର୍ଯ୍ୟନ୍ତ । ତା’ପରେ ପ୍ରସ୍ତୁତ ହୋଇ ବସିଲେ ଡାକରାକୁ ଅପେକ୍ଷା କରି ।

 

ପ୍ରାୟ ଅଧଘଣ୍ଟାକ ପରେ ତାଙ୍କର ଟେଲିଫୋନ୍‌ ରିଂ କରିଉଠିଲା । ସେ ଉଠିଯାଇ ରିସିଭର କାନରେ ଲଗାଇଲେ । କିଛି ସମୟ ପରେ ରିସିଭରଟି ଥୋଇଦେଇ ହସ ହସ ମୁହଁରେ ଉଠିଆସି ବାହାରକୁ ଯିବାପାଇଁ ନିଜର ହାତବାଡ଼ି ଖଣ୍ତକୁ କାଖ ତଳେ ଜାକି ବିରାଟ ଦର୍ପଣଟାର ସମ୍ମୁଖରେ ଛିଡ଼ା ହୋଇ ନିଜକୁ ଟିକିଏ ସଜାଡ଼ିନେବାକୁ ଲାଗିଲେ ।

 

ଏତିକିବେଳେ ବାହାରେ ଖୁବ୍‍ ମୃଦୁ ଠକ୍‌ ଠକ୍‌ ଶବ୍ଦ ଶୁଣି ସେ ବୁଝିପାରିଲେ ଯେ, ପରିଚାରିକା ଆସି ସଙ୍କେତ ଦେଉଛି । ସେ କୋଠରୀ ଭିତରେ ଥରେ ସତର୍କ ଦୃଷ୍ଟି ବୁଲାଇ ନେଇ ବାହାରିପଡ଼ିଲେ ବାହାରକୁ ।

 

ଯଥାର୍ଥରେ ଜଣେ ପରିଚାରିକା ତାଙ୍କୁ ଅପେକ୍ଷା କରି ରହିଥିଲା । ସେ ନୀରବରେ ତାକୁ ଅନୁସରଣ କଲେ । ସବା ଉପର ମହଲା ହେଉଛି ରୂପଜୀବୀମାନଙ୍କର ନିବାସ ଓ ବିଳାସ କକ୍ଷ । ସେ ମହଲାକୁ ପରୀ ମହଲ କହିଲେ ଅତ୍ୟୁକ୍ତି ହେବ ନାହିଁ । ସେଠାରେ ପାଦ ଦେଉ ଦେଉ ସ୍ଥାନଟାର ମାହାତ୍ମ୍ୟ ବୁଝିବାପାଇଁ ୟାଂଚାଂଙ୍କ ପରି ବୁଦ୍ଧିମାନ ଲୋକ ପକ୍ଷରେ ବିଳମ୍ୱ ହେଲା ନାହିଁ ।

 

ମହଲାଟିର ସାଜସଜ୍ଜା ଚମତ୍କାର ଏବଂ ଅତି ଆଧୁନିକ । ଏହାର ସାଜସଜ୍ଜା ହିଁ ଦର୍ଶକପ୍ରାଣକୁ ଆକୃଷ୍ଟ କରିପାରେ । ମାତ୍ର ଏହି ଚମତ୍କାରିତା ଭିତରେ ବୀଭତ୍ସତା ପୂର୍ଣ୍ଣ ହୋଇ ରହିଥିଲା । ବିଭିନ୍ନ ଭଙ୍ଗୀରେ ପୁରୁଷ ଏବଂ ସ୍ତ୍ରୀମାନଙ୍କର ଅଶ୍ଳୀଳ ମୂର୍ତ୍ତି କଳଙ୍କ ପରି ବୋଳିହୋଇଥିଲା ତା ଭିତରେ । ତାହା ସବୁ ଦେଖିବା ସଙ୍ଗେ ୟାଂଚାଂଙ୍କ ମନରେ ଶିଳ୍ପୀ ପତି ପ୍ରଶଂସା ଓ ଘୃଣା ଜାତ ହେଉଥିଲା ।

 

ସାରା ମହଲାଟିର ବାହାରପଟଟି ରଙ୍ଗବେରଙ୍ଗର ମରକୁରୀ ଲାଇଟ୍‌ରେ ଉଦ୍ଭାସିତ । କିନ୍ତୁ କେତେଗୁଡ଼ିଏ କୋଠରୀର ଦ୍ୱାର ସେପର୍ଯ୍ୟନ୍ତ ବନ୍ଦ ଥିଲା ଭିତରୁ । ଶୁଭୁଥିଲା ଚାପା ହସ ଏବଂ କଥା । କେଉଁଠି ଗ୍ଳାସ୍‌ ବୋତଲର ଟୁଂ ଟାଂ ଶବ୍ଦ, କେଉଁଠି ବା ଘୁଙ୍ଗୁରର ରୁଣୁଝୁଣ ଧ୍ୱନି । ଏଇ ସବୁ ବିଚିତ୍ର ଦୃଶ୍ୟ, ବିଚିତ୍ର ଶବ୍ଦ ଉପଭୋଗ କରି ଯାଉ ଯାଉ ପରିଚାରିକା ଗୋଟିଏ କୋଠରୀର ଦ୍ୱାରରେ ଅଟକିଗଲା । ଥରେ ଦୁଇ ଥର କବାଟରେ ଠକ୍‌ ଠକ୍‌ କଲାପରେ ଭିତରପଟରୁ ଖୋଲିବାର ଶବ୍ଦ ହେଲା । ପରମୁହୂର୍ତ୍ତରେ ଜଣେ ତରୁଣୀ କବାଟଟିକୁ ଅଳ୍ପ ଖୋଲା କରି ଟିକିଏ ମୁହଁ ଦେଖାଇ ଚାହିଁଲା ପରିଚାରିକାଟିକୁ ।

 

ପରିଚାରିକା ଅଳ୍ପ ହସି କହିଲା, ‘‘ଏ ହେଉଛନ୍ତି ମହାମାନ୍ୟ ୟାଂଚାଂ ! ଆଜି ରାତି ପାଇଁ ତୁମର ଅତିଥି ।’’ ଏହା କହି ସେ ବିଦାୟ ନେଲା ସେଠାରୁ । ୟାଂଚାଂ ନିର୍ଭୟରେ ଦ୍ୱାରଟା ପୂରା ଖୋଲିଦେଇ ଭିତରେ ପ୍ରବେଶ କଲେ ।

 

ଭିତରେ ପ୍ରବେଶ କଲାମାତ୍ରେ ସେ ସଂପୂର୍ଣ୍ଣଭାବରେ ତରୁଣୀଟିକୁ ଦେଖିବାର ସୁଯୋଗ ପାଇଲେ । ତାଙ୍କ ମନ ଘୃଣାରେ ବିଷାକ୍ତ ହୋଇଉଠିଲା ଭିତରେ ଭିତରେ । କାରଣ ତରୁଣୀଟିର ବୟସ ଫଟୋଗ୍ରାଫ୍‌ଦେଖି ସେ ଯାହା ଅନୁମାନ କରିଥିଲେ, ପ୍ରକୃତ କ୍ଷେତ୍ରରେ ତାହା ଦେଖିଥିବାଠାରୁ ପ୍ରାୟ ଦଶ ପନ୍ଦର ବର୍ଷ ଅଧିକ ହେବ ବୋଲି ତାଙ୍କର ଧାରଣା ହେଲା । ଏଟା ଯେ ଚୀନା ବ୍ୟବସାୟୀଙ୍କର ଦଲାଲି ବୁଦ୍ଧି, ସେ ବୁଝିପାରିଲେ । ସେ ଅନୁମାନ କଲେ, ତରୁଣୀଟି ଦିନେ ଅବଶ୍ୟ ରୂପବତୀ ଥିଲା । ମାତ୍ର ରୂପ ହଜିଗଲାଣି କେବଠାରୁ । ଆଜି କେବଳ ସେଇ ରୂପକୁ ବଜାୟ ରଖିବା ପାଇଁ ନାନାପ୍ରକାର କୃତ୍ରିମତାର ସାହାଯ୍ୟ ନେଇଛି ସେ ।

Unknown

 

ନିଜର ମନୋଭାବକୁ ଖୁବ୍‍ ଚାପିରଖି ସେ ସେଇ ଫରାସୀ ତରୁଣୀ ମିସ୍‍ ଲିଲି ସହିତ ପ୍ରାଣଖୋଲା କଥାବାର୍ତ୍ତା କରିବାର ନିଖୁଣ ଅଭିନୟ ଆରମ୍ଭ କରିଦେଲେ । ଅଳ୍ପ ସମୟ କଥାବାର୍ତ୍ତା ପରେ ୟାଂଚାଂ ପକେଟରୁ ଅତି ଚମତ୍କାର ହୀରା ପଥରବସା ନେକ୍‌ଲେସ୍‌ଟିଏ ପିନ୍ଧାଇଦେଲେ ମିସ୍‍ ଲିଲି ଗଳାରେ ।

 

ମିସ୍‌ ଲିଲି ତା ଜୀବନରେ ଏତେବଡ଼ ମୂଲ୍ୟବାନ୍‌ ଅଳଙ୍କାର ଉପହାର ପାଇବା ପ୍ରଥମ ବୋଧହୁଏ । ସେ ଅତି କୃତଜ୍ଞା ହୋଇପଡ଼ିଲା ପରି ଜଣାଗଲା ୟାଂଚାଂଙ୍କ ପ୍ରତି । ନାନାଦି ଘରୋଇ କଥାବାର୍ତ୍ତାରେ କୌଣସି ପ୍ରକାର ସମୟ ନଷ୍ଟ କରିବାକୁ ଚାହୁଁଥିଲେ ୟାଂଚାଂ । କ୍ରମେ ରାତି ବାରଟା ବାଜିବାର ସୂଚନା ଦେଲା କାନ୍ଥ ଘଣ୍ଟା । ୟାଂଚାଂ ଗୋଟାଏ ଆବେଗରେ ମିସ୍‍ ଲିଲିର ହାତ ଦୁଇଟାକୁ ମୁଠାଇ ଧରି କହିଲେ—‘‘ମୁଁ କେବଳ ସମକକ୍ଷ ବନ୍ଧୁତା ଚାହେଁ, ମିସ୍‌ ଲିଲି ! ଶହ ଶହ ମାଇଲ ଦୂରରେ ପରିବାର, ଆତ୍ମୀୟସ୍ୱଜନ, ବନ୍ଧୁବାନ୍ଧବ ଛାଡ଼ି ମୁଁ ରହିଛି ଏଠି । ତୁମମାନଙ୍କ ମେଳରେ ମୋର ହସଖୁସିରେ କଟିଯାଉ ସମୟ । ଶୁଣିଚି—ମାର୍ଶାଲ ଚେନ୍‍-ଲି ଜଣେ ବଡ଼ ବନ୍ଧୁପ୍ରେମୀ ଲୋକ । ସେ ତୁମର ଅତ୍ୟନ୍ତ ପ୍ରିୟ । ମୋତେ ତାଙ୍କ ସହିତ ଟିକେ ବନ୍ଧୁତା କରେଇଦେବନି ?’’

 

ୟାଂଚାଂ ଯେତେ ମୂଲ୍ୟବାନ ଉପହାର ଦେଇଥିଲେ ତାହା ତୁଳନାରେ ସେ ଗୋଟାଏ ବଡ଼ ଦାବି କିଛି କରିପାରନ୍ତି ବୋଲି ମିସ୍‍ ଲିଲି ଆଶା କରିଥିଲା । ମାତ୍ର ବର୍ତ୍ତମାନ ଏ ସାମାନ୍ୟ ବ୍ୟାକୁଳ ଅନୁରୋଧ ପ୍ରତି ସେ ସ୍ୱାଗତ ଜଣାଇ କହିଲା—‘‘ଆଚ୍ଛା, ଏଇ ସାମାନ୍ୟ କଥା ! ମୁଁ ତା’ର ବ୍ୟବସ୍ଥା ଶୀଘ୍ର କରାଇଦେବି । କିନ୍ତୁ ଚେନ୍‍-ଲିଙ୍କ ସମ୍ୱନ୍ଧରେ ଆପଣ ଯାହା ଶୁଣିଛନ୍ତି ତାହା ହୁଏତ ମିଥ୍ୟା । କାରଣ ସେତେ ସାଧାସିଧା ମଣିଷ ସେ ନୁହନ୍ତି ।’’

 

‘‘କ’ଣ ଖୁବ୍‍ କ୍ରୋଧୀ ?’’ ବିସ୍ମୟ ପ୍ରକାଶ କରି ପ୍ରଶ୍ନ କଲେ ୟାଂଚାଂ ।

 

—‘‘ଖାଲି ସେତିକି ନୁହେଁ । ସେ ଗୋଟିଏ ନର-ରାକ୍ଷସ । ସେପରି ଲୋକକୁ ଗୁଳି କରିଦେବାକୁ ଇଚ୍ଛା ହୁଏ ।’’ ଏତିକି କହିଦେଇ ମିସ୍‍ ଲିଲି ଚମକିପଡ଼ିଲା ଯେପରି । ତା’ପରେ କଥାଟାକୁ ସଂଶୋଧନ କରିନେବାପାଇଁ ୟାଂଚାଂଙ୍କ ହାତଟାକୁ ଧରିପକାଇ କହିଲା—‘‘ଦେଖନ୍ତୁ ୟାଂଚାଂ ସାହେବ ! ମୁଁ କହୁ କହୁ ନିତାନ୍ତ ଅପ୍ରୀତିକର କଥାଟାଏ କହିପକାଇଛି । ଆପଣ ଏକଥା ଯଦି ପ୍ରକାଶ କରିଦିଅନ୍ତି ତେବେ ମୋର ଜୀବନ ରହିବ କି ନା ସନ୍ଦେହ । ଏଠି ଏ ପ୍ରକାର କଥାବାର୍ତ୍ତା କରିବା ବିପଦ୍‌ଜନକ । ଖାଲି ଆପଣଙ୍କ ପାଖରେ ପ୍ରାଣ ଖୋଲି କହିପକାଇଲି ।’’

 

ମିସ୍‌ ଲିଲିର ଛଳଛଳ ଆଖି, ଭୀତତ୍ରସ୍ତ ମୁଖମଣ୍ତଳ ଦେଖି ୟାଂଚାଂ ସବୁ ଠଉରାଇ ନେଇପାରିଲେ । ତା’ପରେ ମିସ୍‌ ଲିଲିକୁ ନିଜ ଆଡ଼କୁ ଟିକିଏ ଆଉଜାଇ ଆଣି କହିଲେ—‘‘ତୁମେ ନିଶ୍ଚିନ୍ତ ରୁହ, ମିସ୍‌ ଲିଲି ! ଜଗତରେ କେହି ଏ କଥାର ଗନ୍ଧ ସୁଦ୍ଧା ପାଇବ ନାହିଁ । ଆଚ୍ଛା ମିସ୍‌ ! ତୁମେ ଏ ହୋଟେଲ ଛାଡ଼ିଦେଉନା ?’’

 

‘‘ସେ ଉପାୟ ମୋର ନାହିଁ । ବାହାରକୁ ପାଦ ପକାଇଲେ ହିଁ ମୋର ମୃତ୍ୟୁ ସୁନିଶ୍ଚିତ । ତିଳ ତିଳ କରି ଏଇଠି ମରିବା ମୋର ଭାଗ୍ୟରେ ଅଛି । ତୁମେ ମୋତେ ଆଉ କିଛି ପଚାର ନା ୟାଂଚାଂ ସାହେବ !’’ —ମିସ୍‌ ଲିଲିର କୋହ ଉଠିଆସୁଥିଲା ।

 

ୟାଂଚାଂ ଦେଖିଲେ, ଔଷଧ ଗୁଣ କରିବାପାଇଁ ପ୍ରଶସ୍ତ କ୍ଷେତ୍ର ରହିଛି । ଶୁଭରାତ୍ରି ଜଣାଇ ମିସ୍‍ ଲିଲିଠାରୁ ବିଦାୟ ନେଇଆସିଲେ ସେ । ତାଙ୍କ ଓଠ କଣରେ କୁଟୀଳ ହସ ଟିକିଏ ଫୁଟିଉଠିଥିଲା ।

 

ଏଗାର

 

ସୀମାନ୍ତରେ ବିଦ୍ରୋହର ନିଆଁ ଉଳିଉଠିଛି ୟା ମଧ୍ୟରେ । ଜେନେରାଲ କପୁର ସୀମାନ୍ତର ସୁରକ୍ଷା ପାଇଁ ଖୁବ୍‍ କଡ଼ାକଡ଼ି ଏବଂ ବିଧିବଦ୍ଧ ବ୍ୟବସ୍ଥା କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି-। ସେଥିପାଇଁ ପ୍ରଚୁର ଗୁଳିଗୋଳା ବନ୍ଧୁକ ମଧ୍ୟ ଯୋଗାଇଦେଇଛନ୍ତି । କେତେ ଜଣ ସାମରିକ ବିଶେଷଜ୍ଞ ଆସି ସୀମାନ୍ତବାସୀମାନଙ୍କୁ ତାଲିମ ଦେବାରେ ଦିନରାତି ତତ୍ପର ହୋଇପଡ଼ିଛନ୍ତି-। ଜେନେରାଲ ସିଂ ଏବଂ ଦୀପକ ହିଁ ସେମାନଙ୍କର ପ୍ରଧାନ ସହାୟକରୂପେ ପ୍ରତି କ୍ଷେତ୍ରରେ ସାହାଯ୍ୟ କରୁଛନ୍ତି ।

 

ଚୀନାମାନଙ୍କ ପକ୍ଷରୁ ସମଧିକ ତତ୍ପରତା ମଧ୍ୟ ପ୍ରକାଶ ପାଇଛି ସୀମାନ୍ତରେ । ଦିନକୁଦିନ ସୀମାନ୍ତରେ ନୂତନ ରାସ୍ତା ନିର୍ମାଣ ଚାଲିଛି । ଶିବିର ସ୍ଥାପିତ ହେଉଛି । ଗୁଳିଗୋଳା ବୋଝେଇ ହୋଇ ଖୁବ୍‍ ବଡ଼ ବଡ଼ ସାମରିକ ଗାଡ଼ିଗୁଡ଼ାକ ଅନବରତ ଧାଇଁବାରେ ଲାଗିଛି ପେକିଂରୁ ସୀମାନ୍ତ ଯାଏ । ସୀମାନ୍ତ ଗ୍ରାମମାନଙ୍କରେ ଚୀନା ସୈନ୍ୟଙ୍କ ଅତ୍ୟାଚାରରେ ଭାରତୀୟ ସୀମାନ୍ତ ଅଧିବାସୀମାନେ ଗାଁ ଛାଡ଼ି ପଳାଇଆସୁଛନ୍ତି ସହର ଆଡ଼କୁ । ଯେ କେତେଜଣ ବାଟରେ ଚୀନାଙ୍କ ହାବୁଡ଼ରେ ପଡ଼ୁଛନ୍ତି ସେମାନଙ୍କର ନିସ୍ତାର ନାହିଁ । ଚୀନାମାନେ ସେମାନଙ୍କୁ ଧରିନେଇ ରାସ୍ତା ତିଆରି କାମରେ ଲଗାଇଦେଉଛନ୍ତି । ମଜୁରୀ ନାହିଁ । କେବଳ ଖାଦ୍ୟ ସାମାନ୍ୟ । ସେଥି ଉପରକୁ କାମରେ ଟିକିଏ ହେଲା କଲେ ନିର୍ମମ ଅତ୍ୟାଚାରର ସୀମା ନାହିଁ । ସ୍ଥାନେ ସ୍ଥାନେ ଏଇ ଅଧିବାସୀମାନଙ୍କ ସହିତ ଭୀଷଣ ସଂଘର୍ଷ ମଧ୍ୟ ଘଟିଯାଉଛି ଚୀନାମାନଙ୍କର । ଉଭୟ ପକ୍ଷରୁ ଅଳ୍ପ ବହୁତ ମୃତାହତ ହେଉଛନ୍ତି ଫଳରେ । ତଥାପି ଶାନ୍ତିପ୍ରିୟ ଭାରତୀୟ ଜବାନଗଣ ଏପର୍ଯନ୍ତ ଅସ୍ତ୍ର ଉତ୍ତୋଳନ କରିନାହାନ୍ତି ସେମାନଙ୍କ ବିରୁଦ୍ଧରେ । କେବଳ ସୀମାନ୍ତରେ ନିଜର ଘାଟୀକୁ ଦୃଢ଼ ମନୋବଳ ନେଇ ଜଗି ରହିଛନ୍ତି ।

 

ଏ ତ ଗଲା ଭାରତ ସୀମାନ୍ତର ଅବସ୍ଥା । ତେଣେ ଚୀନ୍‌ସୀମାନ୍ତ ମଧ୍ୟ ଶାନ୍ତ ନୁହେଁ । ସୀମାନ୍ତର ଶାନ୍ତ ଓ ନିରୀହ ଅଧିବାସୀଗଣଙ୍କ ଉପରେ ସ୍ୱଦେଶୀ ସୈନ୍ୟବାହିନୀର ଅତ୍ୟାଚାର ସୀମା ଅତିକ୍ରମ କରିଛି । ଏହାର ମୁଖ୍ୟ କାରଣ ହେଲା ଖାଦ୍ୟ । ଚୀନା ସୈନ୍ୟଙ୍କୁ ସେ ଦେଶର ସରକାର ଯଥୋପଯୁକ୍ତ ପରିମାଣରେ ଖାଦ୍ୟ ଯୋଗାଇପାରିନାହାନ୍ତି । ଫଳରେ ସୈନ୍ୟମାନେ କ୍ଷୁଧାର ତାଡ଼ନାରେ ସ୍ୱଦେଶୀ ଗ୍ରାମ ଲୁଣ୍ଠନ କରି ଗ୍ରାମବାସୀଙ୍କ କଷ୍ଟାର୍ଜିତ ଖାଦ୍ୟମୁଠିକ ଛଡ଼ାଇନେବାକୁ କୁଣ୍ଠିତ ହେଉନାହାନ୍ତି । ପବିତ୍ର ବୌଦ୍ଧମଠଗୁଡ଼ିକରୁ ସନ୍ନ୍ୟାସୀ, ସନ୍ନ୍ୟାସିନୀମାନେ ତଡ଼ା ଖାଇ ଆଶ୍ରୟ ପାଇଁ ଏଣେତେଣେ ମୁଣ୍ତ ଗୁଞ୍ଜୁଚନ୍ତି । ବୌଦ୍ଧମଠ ସୈନ୍ୟବାହିନୀର କାର୍ଯ୍ୟକଳାପରେ ପ୍ରତିବାଦ କରିବାର ଉପାୟ ନାହିଁ । ପ୍ରତିବାଦ କଲାମାତ୍ରେ ଗୁଳି, ସଙ୍ଗୀନ୍‌ । ଉପରେ ମହଲରେ ଅଭିଯୋଗ କଲେ କେହି ଶୁଣିବାକୁ ନାହିଁ । ନ୍ୟାୟ ବିଚାର ଆଶା କରିବା ବୃଥା-। ଚୀନ ଶାସକଗୋଷ୍ଠୀ ଯୁଦ୍ଧ ମନୋବୃତ୍ତି ନେଇ ମାତି ରହିଥିଲାବେଳେ ଅଧିବାସୀମାନେ ସେମାନଙ୍କୁ ସମର୍ଥନ ଦେଉ ନ ଥିଲେ । ବରଂ ସେମାନେ ଶାନ୍ତିରେ ରହିବାକୁ ଚାହୁଁଥିଲେ । ଏହିପରି ଭାବରେ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଅସହଯୋଗ ଲାଗି ରହିଥିଲା । ଫଳରେ ଚୀନ୍‌ଭିତରେ ହିଁ ଯୁଦ୍ଧ ବିରୁଦ୍ଧରେ ପ୍ରବଳ ଜନମତ ଗୋପନରେ ପ୍ରକାଶ ପାଉଥିଲା ।

 

ଚୀନ୍‌ର ଏହି ଆଭ୍ୟନ୍ତରୀଣ ବିପ୍ଳବର ସୁଯୋଗ ପୂରାପୂରି ଗ୍ରହଣ କରିଛନ୍ତି ଦୀପକ ଏବଂ ୱାଙ୍ଗ୍‌ଲୁ ପ୍ରଭୃତି ତା’ର ବିଶ୍ୱସ୍ତ ଅନୁଚରଗଣ । ଦିନ ନାହିଁ, ରାତି ନାହିଁ, ଖରା, ବର୍ଷା, ଶୀତ ନାହିଁ, ସେମାନେ ଘୁରି ଘୁରି ବୁଲୁଚନ୍ତି ଚୀନ ଓ ଭାରତର ସୀମାନ୍ତ ଗ୍ରାମେ ଗ୍ରାମେ । କେଉଁଠି କି ରୂପରେ କି ବେଶରେ—ତା’ର ସ୍ଥିରତା ନାହିଁ । ଖାଇବା, ରହିବା, ଶୋଇବାର ଠିକ୍‍ ନାହିଁ । ଜୀବନପ୍ରତି ମମତା ମଧ୍ୟ ତିଳେ ହେଲେ ନାହିଁ । କେବଳ ଉଦ୍ଦେଶ୍ୟ ହେଲା ଏକ—ମାତୃଭୂମିର ପରିତ୍ର ମାଟିରୁ ଆକ୍ରମଣକାରୀକୁ ହଟାଇ ସ୍ୱାଧୀନତା ରକ୍ଷା କରିବା ।

 

X X X

 

ହୋ-ଲୁଂ ଗ୍ରାମର ସେଇ ବିଶାଳ ବୌଦ୍ଧମଠଟି । ତିନିଦିନ ହେଲା ତା’ର ଶାନ୍ତି ନଷ୍ଟ ହୋଇଯାଇଛି । ସେଠାରେ ଆଉ ଲାମା ଜଣେ ହେଲେ ନାହାନ୍ତି । ସନ୍ଧ୍ୟା ଆରତୀ, ପ୍ରାର୍ଥନା ସଙ୍ଗୀତ ଶୁଣାଯାଉନାହିଁ । ତା ପରିବର୍ତ୍ତେ ମଦ୍ୟପ ଚୀନ ସୈନ୍ୟମାନଙ୍କର ଉନ୍ମତ୍ତ ଚିତ୍କାର ଏବଂ ବନ୍ଧୁକ, ସଙ୍ଗୀନର ଝନ୍‌ଝନ୍ ଶବ୍ଦ କାନ ବଧିରା କରିପକାଉଛି । ମଠ ବାହାରେ ଭିତରେ ହାଡ଼, ଭଙ୍ଗା ଗ୍ଳାସ୍‌, ଅଇଁଠା ପତ୍ର ପ୍ରଭୃତି ଜମା ହୋଇଗଲାଣି । ବୌଦ୍ଧ ସନ୍ନ୍ୟାସୀମାନଙ୍କର ସଯତ୍ନବର୍ଦ୍ଧିତ ଉଦ୍ୟାନ ନଷ୍ଟ ଭ୍ରଷ୍ଟ ହେବାକୁ ବସିଲାଣି ଚୀନା ସୈନ୍ୟଙ୍କ ଦୌରାତ୍ମ୍ୟରେ ।

 

ତିନି ଦିନ ତଳର କଥା–

 

ସେ ଥିଲା ଗୋଟିଏ କମ୍ର ମଧୁର ସନ୍ଧ୍ୟା ।

 

ମଠରେ ଜ୍ୱଳନ୍ତ ପ୍ରଦୀପ ସମ୍ମୁଖରେ ବସି ପ୍ରଧାନ ଲାମା ଶାନ୍ତିମନ୍ତ୍ର ଉଚ୍ଚାରଣ କରି ବିଶ୍ୱର କଲ୍ୟାଣ କାମନା କରୁଥିଲେ । ଶତ ଶତ ଶିକ୍ଷ୍ୟଙ୍କ କଣ୍ଠରେ ସେହି ଶବ୍ଦର ପୁନରାବୃତ୍ତି ହେଉଥିଲା ମଧୁର ସ୍ୱରରେ । ଧୂପର ସୁମଧୁର ଗନ୍ଧରେ ପ୍ରାର୍ଥନା କକ୍ଷଟି ଆମୋଦିତ ହୋଇଉଠିଥିଲା ।

 

ଠିକ୍‍ ସେତିକିବେଳେ ବିଶାଳକାୟ କୋଡ଼ିଏଟି ସାମରିକ ଗାଡ଼ି ସୈନ୍ୟସାମନ୍ତଙ୍କୁ ବହନ କରି ଆସି ହଠାତ୍‌ ଅଟକିଗଲା ଏଇଠି । ଭାରୀ ବୁଟ ଶବ୍ଦରେ କମ୍ପି ଉଠିଲା ସ୍ଥାନଟା । ଦଳ ଦଳ ହୋଇ ଚୀନ ସୈନ୍ୟ ଓହ୍ଲାଇଆସିଲେ ତା ଭିତରୁ । କମାଣ୍ତରଙ୍କ ଆଦେଶରେ ସମସ୍ତେ ଭୁଷ୍‌ ଭୁଷ୍‌ ହୋଇ ପଶିଗଲେ ଭିତରକୁ । ଅନୁମତି ବା ବାକ୍ୟବ୍ୟୟର ପ୍ରୟୋଜନ ହେଲା ନାହିଁ । ସଙ୍ଗୀନ ମୁନ ଦେଖାଇ ଗୋଟି ଗୋଟି କରି ସନ୍ନ୍ୟାସୀମାନଙ୍କୁ ବାହାରକରି ଦିଆଗଲା ବାହାରକୁ । ପ୍ରଧାନ ଲାମା ସାମାନ୍ୟ ଆପତ୍ତି କରି ନିର୍ଘାତ ବୁଟ୍‌ ଆଘାତଟିଏ ପାଇଁ ଭୂତଳଶାୟୀ ହୋଇଥିଲେ । ସେଇ ଶୀତରାତିରେ ଲାମା ଓ ସନ୍ନ୍ୟାସୀମାନେ କିଏ କୁଆଡ଼େ ଯେ ଜୀବନ ନେଇ ପଳାଇଲେ ତା’ର ଠିକଣା ରହିଲା ନାହିଁ । ସେତିକିବେଳକୁ ସାମରିକ ରାଜତ୍ୱ ଆରମ୍ଭ ହେଲା ସେଇଠି ।

 

ସୈନ୍ୟମାନଙ୍କ ପାଇଁ ଖାଦ୍ୟ ତ ଦରକାର । ଚାଲିଲା ଲୁଣ୍ଠନ ଆଖପାଖ ଗ୍ରାମରେ । ଗ୍ରାମବାସୀଙ୍କର କୁକୁଡ଼ା, ଗୋରୁ, ଛେଳି, ମେଣ୍ତା, ଘୁଷୁରୀ, କେହି ଗୋଟିଏ ହେଲେ ବାଦ ଗଲେ ନାହିଁ ସେଥିରୁ । ଖାଦ୍ୟ ତ ଯାହା ଥିଲା ସେତକ ସହଜରେ ଆୟତ୍ତ କରିନେଲେ ସେମାନେ । ପାଟି ଫିଟାଇବାର ଉପାୟ ନାହିଁ । ଫିଟାଇଲେ ରକ୍ଷା ନାହିଁ । ଜୀବନକୁ ଡରି ତୁନି ରହିବା ଛଡ଼ା ଉପାୟ ନ ଥିଲା ଲୋକଙ୍କର । କେବଳ ଯେଉଁମାନେ ସୈନ୍ୟମାନଙ୍କର ଆନୁଗତ୍ୟ ସ୍ୱୀକାର କଲେ, ସେମାନଙ୍କୁ ଛାଡ଼ ମିଳିଲା । ସେମାନେ ସୈନ୍ୟମାନଙ୍କର ବଳକା ପ୍ରସାଦ ଖାଇ କ୍ରୀତଦାସ ପରି ରହିଥାନ୍ତି ସେଠି । ଖୁବ୍‍ ନିକଟ ଭବିଷ୍ୟତରେ ସେଠାରୁ ସେମାନଙ୍କର ଯିବାର ନ ଥିଲା । ତେବେ ଆଦେଶ ପାଇଲା ମାତ୍ରେ ସିଧା ସୀମାନ୍ତକୁ ଯିବାର ଥିଲା ସେମାନଙ୍କର । ସେପର୍ଯ୍ୟନ୍ତ ନିକଟବର୍ତ୍ତୀ ଗ୍ରାମମାନଙ୍କରୁ ଖାଦ୍ୟ ସଂଗ୍ରହ କରି ଚଳିବା ନିର୍ଦ୍ଦେଶ ମିଳିଥିଲା ସେମାନଙ୍କୁ ସାମରିକ ଉଚ୍ଚ କର୍ତ୍ତୃପକ୍ଷଙ୍କଠାରୁ ।

 

ତୃତୀୟ ଦିନର ସନ୍ଧ୍ୟା ଆସନ୍ନ ପ୍ରାୟ—

 

ସମୟ ନିର୍ଘଣ୍ଟ ଅନୁଯାୟୀ ସନ୍ଧ୍ୟା ହେବାକୁ ଆହୁରି ଅଧଘଣ୍ଟାଏ ବିଳମ୍ୱ । ମାତ୍ର ପାଗ ପ୍ରଭାବରୁ ଅଧଘଣ୍ଟା ପୂର୍ବ ସମୟ ପ୍ରାୟ ଘଣ୍ଟାଏ ଆଗେଇଯିବାର ସୂଚନା ଦେଉଛି । ବାହାରେ ଝଡ଼ବର୍ଷାର ବିରାମ ନାହିଁ । ଶୀତଦିନିଆ ବର୍ଷା ଥଣ୍ତାରେ ଦେହ ବରଫ ପାଲଟିଯାଉଛି ଯେମିତି ।

 

ଏଣେ ବୌଦ୍ଧମଠ ଭିତରେ ସୈନ୍ୟମାନଙ୍କର ଆନନ୍ଦ ଉତ୍ସବର ସୀମା ନାହିଁ । ଡ୍ରମ୍‌ ପରେ ଡ୍ରମ୍‌ ମଦ ଖୋଲା ଚାଲିଛି । ସମସ୍ତଙ୍କ ହାତରେ ଗୋଟାଏ ଗୋଟାଏ ଗ୍ଳାସ୍‌ । ସେଦିନର ଲୁଣ୍ଠିତ ପଦାର୍ଥ ପ୍ରଚୁର । ରନ୍ଧନଶାଳାରୁ ସୁସ୍ୱାଦୁ ଖାଦ୍ୟର ବାସ୍ନା ଆସୁଛି । ମଠର ପ୍ରତ୍ୟେକ କଠୋରୀ ମହମବତୀର ଆଲୋକରେ ଉଦ୍ଭାସିତ । ଚିନ୍ତା ନାହିଁ, ଦକ ନାହିଁ । ସୁରାର ରଙ୍ଗୀନ ନିଶାରେ ଅଣଆୟତ୍ତ ହୋଇପଡ଼ିଛନ୍ତି ସମସ୍ତେ ।

 

ଠିକ୍‍ ସେତିକିବେଳେ ଜଣେ ବୌଦ୍ଧସନ୍ନ୍ୟାସୀ ଆଉ ତାଙ୍କର ଶିଷ୍ୟ ଆସି ପହଞ୍ଚିଗଲେ ମଠ ଦ୍ୱାରରେ । ମଠ ଦ୍ୱାରରେ ଜଗୁଆଳୀ ଜଣକ ନିଶାରେ ବିଭୋର ସେତେବେଳକୁ । ସନ୍ନ୍ୟାସୀ ଦୁହେଁ ଏକତାରା ବଜାଇ ଗୀତ ଆରମ୍ଭ କରିଦେଲେ । ସେ ଗୀତ କିନ୍ତୁ ବୁଦ୍ଧଙ୍କର ଶାନ୍ତିମନ୍ତ୍ର ନୁହେଁ–ସୈନିକମାନଙ୍କୁ ଉତ୍ସାହିତ କରିବାପାଇଁ ଉଚ୍ଚ ପ୍ରଶଂସାସୂଚକ ରଚନା । ଗୀତ ଶୁଣି ଜଗୁଆଳୀ ଜଣକ ମୁଗ୍‌ଧ ଦୃଷ୍ଟିରେ ଚାହିଁଲା ଦୁହିଁଙ୍କୁ । ଦୁହେଁ ବୃଦ୍ଧ । ହେବ ଦୁର୍ବଳ । ହୁଏତ ସାରାଦିନ ଖାଦ୍ୟ କିଛି ଜୁଟିନି ଏମାନଙ୍କୁ ।

 

ପ୍ରହରୀ ସପ୍ରଶଂସ ଦୃଷ୍ଟିରେ ନିଶାବିଭୋର ଆଖିକୁ ଅଧା ଖୋଲି ଚାହିଁଲା ସେ ଦୁହିଁଙ୍କୁ । ବୋଧହୁଏ ଦୁହିଁଙ୍କର ଅବସ୍ଥା ଦେଖି ତା’ର ଦୟା ହେଲା କି କ’ଣ, ସେ ଉଠିଗଲା ଭିତରକୁ । ତା’ର ଫେରି ଆସିବା ପର୍ଯ୍ୟନ୍ତ ଦୁହେଁ ଯେପରି ପାଦେ ଆଗେଇ ନ ଆସନ୍ତି ସେଥିପ୍ରତି ସାବଧାନ କରିଦେଇଗଲା ଦୁହିଁଙ୍କୁ । ଦୁହେଁ ଭୀତ, ଶଙ୍କିତ ହୃଦୟରେ ଅପେକ୍ଷା କରି ରହିଲେ ସେଠି । ପଳାୟନର ଉପାୟ ନ ଥିଲା । କାରଣ ବାହାରେ ଅବିରାମ ଗତିରେ ତୋଫାନ, ବର୍ଷା ପିଟୁଥିଲା ।

 

କିଛି ସମୟ ପରେ ପ୍ରହରୀ ଟଳି ଟଳି ପୁଣି ଫେରିଆସିଲା ଦ୍ୱାର ପାଖକୁ । ଲୋକଟା ନିଶାରେ ଏତେ ଅଶକ୍ତ ହୋଇ ପଡ଼ିଥିଲା ଯେ ତା’ର ପାଟିରୁ କଥା ସୁଦ୍ଧା ସ୍ପଷ୍ଟ ଉଚ୍ଚାରିତ ହୋଇ ପାରୁ ନ ଥିଲା । ସେ ସେଇପରି ଅସଂଲଗ୍ନ କଥାରେ ଦୁହିଁଙ୍କୁ ଲକ୍ଷ୍ୟ କରି କହିଲା–‘‘ଚାଲ, କମାଣ୍ତର ସାହେବ ଡାକୁଚନ୍ତି ତୁମକୁ ।’’ –ଏତକ କହିବା ସଙ୍ଗେ ସଙ୍ଗେ ସେ ମାର୍ଚ୍ଚିଂ କଲା ଭଙ୍ଗୀରେ ପଛକୁ ବୁଲିପଡ଼ି ପୁଣି ଭିତରକୁ ପାଦ ବଢ଼ାଇଲା । ସନ୍ନ୍ୟାସୀ ଦୁହିଁଙ୍କର ଅନ୍ୟ ଉପାୟ ନ ଥିଲା ତାକୁ ଅନୁସରଣ କରିବା ଛଡ଼ା । ଦୁହେଁ ଭୀତ, ସନ୍ତ୍ରସ୍ତ ହୋଇ ତା ପଛେ ପଛେ ଚାଲିଲେ । ଦୁହେଁଯାକ ପ୍ରହରୀ ପଛେ ପଛେ ଯିବା ସଙ୍ଗେ ସଙ୍ଗେ ମଠର ପ୍ରତ୍ୟେକ ଅଂଶକୁ ଭଲଭାବରେ ଲକ୍ଷ୍ୟ କରିଯାଉଥାନ୍ତି ।

 

କମାଣ୍ତରଙ୍କ ସାମନାରେ ଦୁହିଁଙ୍କୁ ହାଜର କରିଦେଇ ପ୍ରହରୀ ଫେରିଗଲା । ସେଠାରେ କମାଣ୍ତର ଏକୁଟିଆ ନ ଥିଲେ । ତାଙ୍କ ସାଙ୍ଗରେ ଆଉ କେତେଜଣ ସାମରିକ କର୍ମଚାରୀ ମଧ୍ୟ ଥିଲେ-। ସମସ୍ତେ ଯେ ନିଶାରେ ବିଭୋର ଥିଲେ ଏକଥା ନିଃସନ୍ଦେହରେ କୁହାଯାଇପାରେ । ସନ୍ନ୍ୟାସୀ ଦୁହେଁ ଖୁବ୍‍ ସଙ୍କୁଚିତ ହୋଇ କୋଠରୀ କାନ୍ଥର ଗୋଟାଏ କଡ଼କୁ ଲାଗି ଠିଆ ହେଲେ । ସେଠାରେ ଉପସ୍ଥିତ ଥିବା କର୍ମଚାରୀଙ୍କ ଭିତରୁ ଜଣେ ଏକତାରାଟାକୁ ଟାଣିନେଇ ଟିକିଏ ଟୁଂ ଟୁଂ କରି ବଜାଇଦେଲା । ତା ହାତରୁ ଆଉ ଜଣେ ସେଟାକୁ ଟାଣିନେଇ ଟିକିଏ ମୋଡ଼ାମୋଡ଼ି କରି ଦେଖିଲା-। ତା ଭିତରୁ ଆଉ ଜଣେ ବେଶ୍‌ ମାତଲାମି କରି ଗୀତର ସୁର୍‌ ଧରିଲା । ତା ସାଙ୍ଗରେ ଅନ୍ୟ ସମସ୍ତେ ବି ସେଇ ଗୀତରେ ତାଳ ଦେଲେ । ସମସ୍ତେ ଗୀତରେ ଭୋଳ ।

 

ଇତିମଧ୍ୟରେ ସନ୍ନ୍ୟାସୀ ଦୁଇଜଣ ସମସ୍ତଙ୍କ ଅଲକ୍ଷ୍ୟରେ ଖସିଆସିଲେ ସେଠାରୁ । କୋଠରୀଗୁଡ଼ାକରେ ସୈନ୍ୟଗୁଡ଼ାକ ମାତାଲ ହେଇ ଗଡ଼ିବାରେ ବ୍ୟସ୍ତ । ଭିତର ବାରଣ୍ତାରେ ଘୋର ଅନ୍ଧକାର । ଏ ଦୁହେଁ ସେଇ ଅନ୍ଧକାର ଭିତରେ ଖସିଆସିଲେ ସେଠାରୁ । ଅଳ୍ପ ସମୟ ପାଇଁ ଗୋଟାଏ ଖୁଣ୍ଟ ଉହାଡ଼ରେ ଦୁହେଁ ଠିଆହୋଇ ଖୁବ୍‍ ଅନୁଚ୍ଚ ସ୍ୱରରେ କେତୋଟି ମୁହୂର୍ତ୍ତ କ’ଣ କଥାବାର୍ତ୍ତା ହେଲେ । ତା ପରେ ବୟସ୍କ ସନ୍ୟାସୀଜଣକ ନିଜ ଝୁଲାରୁ କ’ଣ ଗୋଟାଏ କାଢ଼ି ସେଇ ପଥର ଖୁଣ୍ଟ ସନ୍ଧିରେ ଗୁଞ୍ଜିଦେଲେ । ତା’ପରେ ଖୁବ୍‍ ଦ୍ରୁତଗତିରେ ବାହାରି ଆସିଲେ ଦ୍ୱାରକୁ ଲକ୍ଷ୍ୟ କରି । ଦ୍ୱାରରେ ସେ ପର୍ଯ୍ୟନ୍ତ ପ୍ରହରୀଟି ଅର୍ଦ୍ଧଚେତନ ଅବସ୍ଥାରେ ଜଗିରହିଥିଲା । ତା’ର ପାଖାପାଖି ହୋଇ ଦୁହେଁ ଖୁବ୍‍ ସତର୍କ ହୋଇଗଲେ । ଯୁବକ ସନ୍ନ୍ୟାସୀ ଜଣକ ପାଦ ଚିପି ଚିପି ଯାଇ ବାଘ ପରି କୁଦିପଡ଼ିଲେ ତା’ର ଗଳାକୁ ଲକ୍ଷ୍ୟ କରି । ସାମାନ୍ୟ ଟିକିଏ ଧସ୍ତାଧସ୍ତି ପରେ ସବୁ ଚୁପ୍‌ ଚାପ୍‌ ହୋଇଗଲା । ତା’ପରେ ଦିଆସିଲି କାଠିଟିଏ ମୁହୂର୍ତ୍ତ କେତୋଟି ପାଇଁ ଜଳିଉଠି ଲିଭିଗଲା । କିନ୍ତୁ ଜୁଳୁଜୁଳିଆ ପୋକଠାରୁ ଆହୁରି ଛୋଟ ନିଆଁଝୁଲଟିଏ ଜଳି ଜଳି ଯାଉଥିଲା ଭିତରକୁ । ହଠାତ୍‌ କେହି ଜଣେ ହୁଏତ ତାକୁ ଲକ୍ଷ୍ୟ କରିପାରନ୍ତା ନାହିଁ । ସନ୍ନ୍ୟାସୀ ଦୁଇଜଣ ସେଇ ସୂଚ୍ୟଭେଦ୍ୟ ଅନ୍ଧକାର ଭିତରେ ଅଦୃଶ୍ୟ ହୋଇଯାଇଥିଲେ । ଝଡ଼ବର୍ଷାର ଗତିରେ ଆଦୌ ବିରାମ ନ ଥିଲା ପୂର୍ବପରି ।

 

ପ୍ରାୟ ତିନି ଚାରି ମିନିଟ ପରେ ଗୋଟାଏ ପ୍ରଚଣ୍ତ ବିସ୍ଫୋରଣ ଶବ୍ଦ ଶୁଣାଗଲା ମଠ ଭିତରୁ । ତା ସଙ୍ଗେ ସଙ୍ଗେ ସମୁଦାୟ ପ୍ରକାଣ୍ତ କୋଠାଟା ଖଣ୍ତ ଖଣ୍ତ ହୋଇ ଅଜାଡ଼ି ହୋଇପଡ଼ିଲା । ସେହି ମୁହୂର୍ତ୍ତରେ ଏତେ ଜୋରରେ ନିଆଁ ଜଳିଉଠିଲା ଯେ କେତେ ମାଇଲ ଧରି କିଛି ସମୟ ପାଇଁ ଆଲୋକିତ ହୋଇଉଠିଥିଲା । ବିସ୍ଫୋରଣର ଭୟାବହ ଶବ୍ଦରେ କେତେ ସମୟ ପାଇଁ ଥରିଉଠିଲା ଭୂଇଁଟା । ଏତେବଡ଼ ବିରାଟ ପ୍ରାସାଦ, ଏତେ ସୈନ୍ୟ, ଗୁଳିଗୋଳା ସବୁ ଯେପରି ରାତିର ସେଇ ଘୋର ଅନ୍ଧକାର ଭିତରେ ଅଦୃଶ୍ୟ ହୋଇଗଲା ।

 

ବାର

 

ସନ୍ଧ୍ୟା ଉତ୍ତୀର୍ଣ୍ଣ ହୋଇଯାଇଥିଲା ଅନେକବେଳୁ । ୟାଂଚାଂ ସାହେବ ହୋଟେଲର ନିଜ କୋଠରୀରେ ବସି ଝରକାବାଟେ ପେକିଂର ଜନଗହଳି ରାସ୍ତାର ଦୃଶ୍ୟ ଉପଭୋଗ କରୁଥିଲେ । ନାନାଦି କାର୍ଯ୍ୟ ଉପଲକ୍ଷରେ ସେ ପୃଥିବୀର ବହୁଦେଶ ଭ୍ରମଣ କରିଛନ୍ତି; ମାତ୍ର ଏପରି ଜନଗହଳି ରାସ୍ତା ସେ ଅନ୍ୟ କେଉଁଠି ଦେଖିନାହାନ୍ତି ପେକିଂ ଛଡ଼ା ।

 

ହଠାତ୍‌ ଟେବୁଲ ଉପରେ ଟେଲିଫୋନ୍‌ର କ୍ରିଂ କ୍ରିଂ ଶବ୍ଦରେ ତାଙ୍କର ବିଭୋରଭାବ କଟିଗଲା । ସେ ସେଠାରୁ ଉଠିଆସି ଟେଲିଫୋନ୍‌ ରିସିଭର କାନରେ ଲଗାଇଲେ । ସଙ୍ଗେ ସଙ୍ଗେ ତାଙ୍କ ଓଠ କଣରେ ହସ ଫୁଟିଉଠିଲା । ସେ ହସ ହସ ହୋଇ କହିଲେ—

 

‘‘ହଁ, ହଁ, ମୁଁ ପ୍ରସ୍ତୁତ ଅଛି ।’’

 

ସେପଟରୁ ଫରାସୀ ସୁନ୍ଦରୀ ଲିଲିର କଣ୍ଠ ଶୁଣାଯାଉଥିଲା ।

 

......................

 

‘‘......ସତେ ? ମାର୍ଶାଲ ମୋତେ ସାକ୍ଷାତ୍‌ କରିବାପାଇଁ ବ୍ୟଗ୍ର ? ମୋର ବଡ଼ ଭାଗ୍ୟ ତାହାହେଲେ ।’’

 

...................

 

‘‘ଏଇ ବାହାରିଲି । ମାତ୍ର ପାଞ୍ଚ ମିନିଟ୍‌ ।’’—ରିସିଭର୍‌ଟା ଥୋଇଦେଇ ୟାଂଚାଂ ନିଜର ସୁଟ୍‌କେଶଟି ଖୋଲି ଏଣତେଣୁ କେତେ ଜିନିଷ ଖେଳାଖେଳି କରି ପକେଟରେ ରଖିଲେ । ତା’ପରେ ନିଜର ସୁନା ଛାଉଣୀକରା ହାତବାଡ଼ିଟି ଧରି କାହାରିପଡ଼ିଲେ ବାହାରକୁ ।

 

ସବା ଉପର ମହଲରେ ମିସ୍‌ ଲିଲିର ଦ୍ୱାରରେ କଲିଂବେଲ୍‌ର ସ୍ୱିଚ୍‌ ଟିପିଲାମାତ୍ରେ ଦ୍ୱାର ଖୋଲି ହସ ହସ ମୁହଁରେ ସ୍ୱାଗତ ଜଣାଇଲା ମିସ୍‍ ଲିଲି । ବିନା ବାକ୍ୟବ୍ୟୟରେ ସେ ଭିତରକୁ ଆସିବାକୁ ଆଖିରେ ଇଙ୍ଗିତ କଲା ୟାଂଚାଂଙ୍କୁ ।

 

ଭିତରେ ଯାଇ ୟାଂଚାଂ ଦେଖିଲେ, ମାର୍ଶାଲ ଗୋଟାଏ ସୋଫା ଉପରେ ଅର୍ଦ୍ଧଶାୟିତ । ଦୃଷ୍ଟିପାତମାତ୍ରେ ୟାଂଚାଂଙ୍କର ମନେହେଲା, ଲୋକଟା ନର୍କରୁ ଉଠିଆସିଛି ଯେମିତି । କି କଦର୍ଯ୍ୟ ଚେହେରା ! ମିସ୍‍ ଲିଲି ଯେ ଜୀବନ ଭୟରେ ଏପରି ଲୋକଟାକୁ ଆଦର କରିଛି ସେକଥା ଭାବିଲାବେଳକୁ କାରୁଣ୍ୟରେ ମନ ତାଙ୍କର ଭରିଉଠିଲା । ମନୋଭାବ ଗୋପନ ରଖି ସେ ଧୀରେ ଧୀରେ ସୋଫା ନିକଟକୁ ଯାଇ ଠିଆ ହେଲେ ।

 

ମାର୍ଶାଲ ଚେନ୍‌-ଲି ବୋଧହୁଏ ଅତ୍ୟଧିକ ପାନୀୟ ସେବନ ଯୋଗଁ ସମ୍ପୂର୍ଣ୍ଣ ଚେତନାରହିତ ହୋଇପଡ଼ିଥିଲେ କି କଣ ! ମିସ୍‍ ଲିଲି ତାଙ୍କୁ ଥରେ ଘୃଣାପୂର୍ଣ୍ଣ ଦୃଷ୍ଟିରେ ଚାହିଁ ଦୃଷ୍ଟି ଫେରାଇଲା ୟାଂଚାଂଙ୍କ ଆଡ଼କୁ । ୟାଂଚାଂ ବୋଧହୁଏ ମିସ୍‍ ଲିଲିର ମନୋଭାବ ଜାଣିପାରିଥିଲେ । ସେ ମିସ୍‌ ଲିଲି ସହିତ ଦୃଷ୍ଟି ବିନିମୟ କରିବା ସଙ୍ଗେ ସଙ୍ଗେ ମିସ୍‍ ଲିଲି ଟିକିଏ ହସିଦେଲା । ବଡ଼ ବିଚିତ୍ର ଏବଂ ଅର୍ଥପୂର୍ଣ୍ଣ ସେ ହସ । ୟାଂଚାଂ ବୁଝି ନ ବୁଝିଲା ପରି ନୀରବ ରହିଗଲେ ।

 

ମିସ୍‌ ଲିଲି ଚେନ୍‍-ଲିଙ୍କ ବାହୁ ଟିକିଏ ଝାଙ୍କିଦେଇ କହିଲା–‘‘ଦେଖନ୍ତୁ ମିଷ୍ଟର ଲି ! ଆପଣଙ୍କର ଅତିଥି ଆସିଗଲେଣି । ଅଥଚ ଆପଣ—’’

 

ମିସ୍‌ ଲିଲିର କଥା ଶେଷ ନ ହେଉଣୁ ଚେନ୍‌-ଲି ଧଡ଼ପଡ଼ ହୋଇ ଉଠି ସିଧା ହୋଇ ବସିଗଲେ । ସଙ୍ଗେ ସଙ୍ଗେ କରମର୍ଦ୍ଦନ କରିବାକୁ ହାତ ବଢ଼ାଇଦେଲେ ୟାଂଚାଂଙ୍କ ଆଡ଼କୁ । ୟାଂଚାଂ କରମର୍ଦ୍ଦନ କଲାପରେ ଆସନ ଗ୍ରହଣ କଲେ ।

 

ପ୍ରଥମେ ନୀରବତା ଭଙ୍ଗ କରି ମାର୍ଶାଲ ସାହେବ କହିଲେ—‘‘ଆପଣଙ୍କ ବିଷୟରେ ବହୁତ କିଛି ଶୁଣିଛି ମୁଁ ଏଇ ଲିଲିଠାରୁ ।’’

 

—‘‘ମୁଁ କିନ୍ତୁ ପ୍ରତିଦନି ଆପଣଙ୍କ ପ୍ରଶଂସା ଶହ ଶହ ଲୋକଙ୍କ ମୁହଁରୁ ଶୁଣୁଛି, ଶହ ଶହ ଖବରକାଗଜରେ ପଢ଼ୁଛି । ଆପଣ କେବଳ ମିସ୍‍ ଲିଲିଠାରୁ ମୋ ବିଷୟରେ ଶୁଣିଛନ୍ତି ମାତ୍ର । ସେଇଟାହିଁ ‘‘ବଡ଼ ସୌଭାଗ୍ୟର ବିଷୟ ମୋ ପକ୍ଷରେ ।’’

 

ୟାଂଚାଂ ଆହୁରି କ’ଣ କହିଥାନ୍ତେ କି କ’ଣ, ପ୍ରଶଂସାରେ ଭାରି ଉତ୍‌ଫୁଲ୍ଲ ହୋଇ ଚେନ୍‍-ଲି ହସିପକାଇଲେ ନିତାନ୍ତ ଅଭଦ୍ରଙ୍କ ପରି । ସେପରି ହସରେ ୟାଂଚାଂ ବଡ଼ ବିସ୍ମିତ ହୋଇପଡ଼ିଲେ-। ଆପାତତଃ ଜଣେ ଏତେବଡ଼ କର୍ମଚାରୀଙ୍କ ପକ୍ଷରେ ଟିକିଏ ଶିଷ୍ଟତା ରହିବା ଦରକାର ବୋଲି ସେ ଭାବୁଥିଲେ । ମାତ୍ର ତାଙ୍କର ବ୍ୟବହାର ଦେଖି ସେ ଯେ ଅତିମାତ୍ରାରେ ନିଶାସକ୍ତ ସେକଥା ବୁଝିପାରିଲେ । ତେଣୁ ସେ ନୀରବ ରହିବାକୁ ଉଚିତ ମନେକଲେ ।

 

ୟାଂଚାଂଙ୍କ ନୀରବତା ଦେଖି ଚେନ୍‍-ଲି ପୁଣି ବାଚାଳଙ୍କ ପରି କହିବାକୁ ଆରମ୍ଭ କଲେ–‘‘ଶୁଣିଚି, ଆପଣ ଜଣେ ଖୁବ୍‍ ବଡ଼ ବ୍ୟବସାୟୀ ବୋଲି । ଯାହାହେଉ, ଲିଲି ମାରଫତ୍‌ରେ ଯେ ଚିହ୍ନା ପରିଚୟ ହେଲା ଭଲ ହେଲ । ଦେଶର ପରିସ୍ଥିତି ତ ଦେଖୁଛନ୍ତି । ଆପଣମାନଙ୍କ ପରି ଲୋକ ଏ ବେଳରେ ଦେଶ ପାଇଁ ବହୁତ ତ୍ୟାଗ କରିବା ଦରକାର ।’’

 

—‘‘ମୁଁ ପ୍ରସ୍ତୁତ ଅଛି । କ’ଣ କରିବାକୁ ହେବ, କହନ୍ତୁ ମୋତେ ।’’ ୟାଂଚାଂ ଆଗଭର ହୋଇ କହିପକାଇଲେ ।

 

—‘‘ଆପଣମାନଙ୍କର ଦାୟିତ୍ୱ ବହୁତ ବେଶି, ୟାଂଚାଂ ସାହେବ ! ଆପଣମାନେ ଦେଶବିଦେଶର ନାନା ସ୍ଥାନରେ ବୁଲି ଲୋକମତ ସଂଗ୍ରହ କରନ୍ତୁ । ଦେଖୁଛନ୍ତି ତ ଚୀନରେ ବର୍ତ୍ତମାନ ସ୍ଥାନ ଓ ଖାଦ୍ୟ ଉଭୟର ଅଭାବ । ଆମେ ଯଦି ପଡ଼ୋଶୀ ରାଜ୍ୟରୁ କିଛି ଜାଗା ଦଖଲ କରି ନ ନେବା, ତେବେ ଚଳିବା କିପରି ?’’

 

—‘‘ଠିକ୍ କଥା । ଆମର ସ୍ଥାନ ଅବଶ୍ୟ ଦରକାର । ପଡ଼ୋଶୀ ରାଜ୍ୟର ଜାଗା ଅଛି ବହୁତ । ସେ ଯଦି ଆମକୁ ଖୁସିରେ ସେତକ ଛାଡ଼ି ନ ଦେଲା, ତେବେ ଆମେ ଦଖଲ କରିଗଲେ କିଛି କ୍ଷତି ନାହିଁ । ସେ ଯୁଦ୍ଧ କରି ଛଡ଼େଇନେଉ ।’’

 

—‘‘ତୁମେ ଆମର ପଲିସି ଠିକ୍‍ ବୁଝିଛ, ୟାଂଚାଂ ସାହେବ ! ଯୁଦ୍ଧ କରି ଆମେ ନିଶ୍ଚୟ ହିନ୍ଦୁସ୍ଥାନରୁ ପୁଳାଏ ଗ୍ରାମ କରିବୁଁ । ସେଇ ଆୟୋଜନ ତ ଲାଗିଚି ଖୁବ୍‍ ଜୋର୍‌ ସୋର୍‌ରେ । ଆମେ ତ ସେଠାରେ ବସବାସ କରିବାର ସବୁ ପ୍ଳାନ୍‌କରି ନେଲୁଣି । ଆଉ ହୁଏତ, ଖୁବ୍‍ ବେଶି ହେଲେ, ମାସକ ଭିତରେ କାମ ହାସଲ ହୋଇଯିବ ।’’

 

—‘‘ତା ହବା ଉଚିତ । ଯେତେ ଶୀଘ୍ର ହେଇପାରେ ଭଲ । ଆପଣଙ୍କ ପରି ବିଦ୍ୱାନ, ବୁଦ୍ଧିମାନ, ବୀରର ଅସାଧ୍ୟ କ’ଣ ଅଛି ସଂସାରରେ ?’’ ଖୁବ୍‍ ପ୍ରଶଂସା କଲା ଭଙ୍ଗୀରେ ୟାଂଚାଂ ସାହେବ କହିଲେ ।

 

—‘‘ଆପଣ ବାସ୍ତବିକ ଜଣେ ଗୁଣଗ୍ରାହୀ ଭଦ୍ରଲୋକ, ୟାଂଚାଂ ସାହେବ ! ଆପଣଙ୍କ ସହିତ ମୋର ପରିଚୟ ବହୁତ ଆଗରୁ ହେବା ଉଚିତ ଥିଲା । ମୁଁ ଆପଣଙ୍କୁ ମୋର ପ୍ଳାନ୍‌ ସବୁ ଦେଖାଇଦେବି । ଆପଣ ଦେଖିବେ, ଆମେ କେତେ ସହଜରେ କାମ ହାସଲ କରିବାର ଯୋଜନା କରିପାରିଛୁଁ ।’’

 

ଚେନ୍‌-ଲି ନିଶା ଝୁଙ୍କରେ ପ୍ରଗଳ୍‌ଭ ହୋଇଉଠିଥିଲେ । ଜଣେ ସର୍ବଦାୟିତ୍ୱ ସମ୍ପନ୍ନ ଏବଂ ସର୍ବୋଚ୍ଚ ସାମରିକ କର୍ମଚାରୀ ବୋଲି ତାଙ୍କର ଜ୍ଞାନ ନ ଥିଲା ବୋଧହୁଏ ।

 

ସୁଯୋଗ ସମୟ ଦେଖି ୟାଂଚାଂ ପକେଟରୁ ଗୋଟିଏ ଅତି ଚମତ୍କାର ଗଢ଼ଣର ହୀରା ପଥରବସା ଟାଇ-ପିନ୍‌ ବାହାର କରି ଚେନ୍‌-ଲିଙ୍କ ହାତରେ ଦେଇ କହିଲେ—‘‘ମୋ ପ୍ରତି ଆପଣ ଯେଉଁ ଅନୁଗ୍ରହ ଦେଖାଇଛନ୍ତି, ସେହି ମୁହୂର୍ତ୍ତକୁ ମନେପକାଇବାପାଇଁ ମୋ ପରି ଜଣେ ଅଧମର ଏ ସାମାନ୍ୟ ଉପହାର ମାତ୍ର ।

 

ମୂଲ୍ୟବାନ ଏବଂ ସୁନ୍ଦର ଟାଇ-ପିନ୍‌ଟିକୁ ଦେଖି ତା ଉପରେ ଥରେ ଲୋଲୁପ ଦୃଷ୍ଟି ପକାଇଲେ ଚେନ୍‍-ଲି । ସେହି ମୁହୂର୍ତ୍ତରେ ତାଙ୍କର ନିଶା ଛାଡ଼ିଗଲା ଯେପରି । ମୂଲ୍ୟବାନ ଏବଂ ଦୁଷ୍ପ୍ରାପ୍ୟ ହୀରାବସା ଟାଇ-ପିନ୍‌, ଯାହାର ମୁଲ୍ୟ ଅନ୍ତତଃ ପନ୍ଦର ହଜାର ଟଙ୍କା ହେବ, ଏତେ ମୂଲ୍ୟବାନ ଜିନିଷକୁ ଯେ ଉପହାର ଦେଇପାରେ ଯେ କେତେ ଧନୀ ନୁହେଁ—ଏକଥା ମନେ ମନେ ଭାବୁଥିଲେ ଚେନ୍‌-ଲି ।

 

ଭଲଭାବରେ ଟାଇ-ପିନ୍‌ଟିକୁ ନିରୀକ୍ଷଣ କରି ସେଇଟିକୁ ପକେଟରେ ଯତ୍ନର ସହିତ ରଖିଲେ । ତା’ପରେ ମୁଗ୍‌ଧ ଦୃଷ୍ଟିରେ ୟାଂଚାଂଙ୍କୁ ଚାହିଁ କହିଲେ—‘‘ମୁଁ ଆପଣଙ୍କର ବନ୍ଧୁତାକୁ ସାଦରେ ଗ୍ରହଣ କଲି । ଆପଣ କାଲି ଅପରାହ୍ନରେ ଆମ କୁଡ଼ିଆରେ ଟିକେ ପାଦ ପକେଇଆସିବେ । ଆପାତତଃ ମିସେସ୍‌ ଚେନ୍‌-ଲିଙ୍କ ସନିତ ପରିଚୟଟା ହେବା ନିହାତି ଦରକାର-।’’

 

ୟାଂଚାଂ ଆନନ୍ଦରେ ଗଦ୍‌ଗଦ ହୋଇ କହିଲେ, ‘‘ସେ ମୋର କୋଟିଗୁଣ ତପସ୍ୟାର ଫଳ, ଆଜ୍ଞା ! ହଁ, ମୁଁ ଆପଣଙ୍କର ବଙ୍ଗ୍‌ଲୋକୁ ବିନା ଅନୁମତି ପତ୍ରରେ ଯାଇପାରିବି ତ ?’’

 

–‘‘ନିଶ୍ଚୟ ପାରିବେ । ତେବେ ନିଅନ୍ତୁ ଏଇ ଅନୁମତିପତ୍ର । କହିବା ସଙ୍ଗେ ସଙ୍ଗେ ଚେନ୍‌-ଲି କୋଟ୍‌ ପକେଟରୁ କାର୍ଡ଼ ଖଣ୍ତିଏ ବାହାର କରିଦେଲେ ତାଙ୍କ ହାତରେ ।

 

ୟାଂଚାଂ ଅନୁମତିପତ୍ର ଖଣ୍ତିକ ଅତି ଯତ୍ନରେ କୋର୍ଟ ପକେଟରେ ସାଇତି ରଖିଲେ । ଚେନ୍‌-ଲିଙ୍କର ବିଭୋରତା ଟିକେ ଟିକେ କମିଆସୁଥିଲ । ମିସ୍‍ ଲିଲି ସେ ପର୍ଯ୍ୟନ୍ତ ନୀରବରେ ଗୋଟିଏ ସୋଫା ଉପରେ ବସି କ’ଣ ଗୋଟାଏ ବୁଣାବୁଣି କରିବାରେ ମନୋନିବେଶ କରିଥାଏ । ୟାଂଚାଂ କିଛି ଉତ୍କୃଷ୍ଟ ପାନୀୟ ପାଇଁ ମେନେଜରଙ୍କୁ ଫୋନ କରିବାକୁ ଅନୁରୋଧ କଲେ ତାକୁ । ମିସ୍‍ ଲିଲି ରିସିଭର ଉଠାଇଲ ।

 

ଅଳ୍ପ ସମୟ ପରେ ପାନୀୟ ସହ ପ୍ରବେଶ କଲା ଜଣେ ବୟ । ମିସ୍‌ ଲିଲି ତା’ର ହାତରୁ ଟ୍ରେ’ଟି ନେଇ ପରିବେଷଣ କଲେ । ମାର୍ଶାଲ ଚେନ୍‌-ଲିଙ୍କର ବିଭୋରତା ଟିକିଏ କମିଆସିଥିଲେ ସୁଦ୍ଧା ସମ୍ପୂର୍ଣ୍ଣ ହିତାହତ ଜ୍ଞାନ ଫେରି ନ ଥିଲା । ସେ ପୁଣି ଆକଣ୍ଠ ପାନ କରିବାରେ ଲାଗିଗଲେ । ମୁହଁଟାକୁ କିଛି ସମୟ ପାଇଁ ବିକୃତ କରି ସେ ପୁଣି ଟଳିପଡ଼ିଲେ ସୋଫା ଉପରେ ।

 

ୟାଂଚାଂ ଚେନ୍‌-ଲିଙ୍କର ପାନୀୟ ପ୍ରତି ଏ ପ୍ରକାର ଲୋଲୁପତାରେ ବିସ୍ମିତ ହୋଇ ଚାହିଁଲେ ମିସ୍‌ ଲିଲି ଆଡ଼େ । ତାଙ୍କର ମନୋଭାବ ବୁଝିପାରି ମିସ୍‌ ଲିଲି ଖାଲି ହସିଲା ଟିକିଏ ।

 

ବାହାରେ ରାତି କ୍ରମେ ଗଭୀର ହେଉଥିଲା । ଥଣ୍ତା ବି ଖୁବ୍‍ ଅଧିକ ପରିମାଣରେ ଅନୁଭୂତ ହେଉଥିଲା । ମିସ୍‍ ଲିଲି ବିନୀତ ଭାବରେ ଖୁବ୍‍ ଚାପା କଣ୍ଠରେ ୟାଂଚାଂଙ୍କ କାନପାଖରେ ମୁହଁ ଲଗାଇ କହିଲା ‘‘ଏ ବିଭୋରତା ସକାଳ ପୂର୍ବରୁ କଟୁନାହିଁ ବୋଧହୁଏ । ବରଂ ଆପଣ ବିଶ୍ରାମ ନେବା ଉଚିତ ।’’

 

ୟାଂଚାଂ ମଧ୍ୟ ଯଥାଶୀଘ୍ର ସେଠାରୁ ବିଦାୟ ଚାହୁଁଥିଲେ । କାରଣ ସେ ଯାହା ଆଶା କରିଥିଲେ ତାହା ପୂର୍ଣ୍ଣ ହୋଇସାରିଥିଲା । ସେ ମିସ୍‌ ଲିଲିଙ୍କୁ ଶୁଭ ରାତ୍ରି ଜଣାଇ ବିଦାୟ ନେଇଆସିଲେ ।

 

ନିଜ କୋଠରୀରେ ପହଞ୍ଚି ୟାଂଚାଂ ଭଲ ଭାବରେ ଝରକା କବାଟ ସବୁ ବନ୍ଦ କରିଦେଲେ । ତା’ପରେ ହାତଘଡ଼ିଟିକୁ ଫିଟାଇ ତା’ର ଡାଏଲଟିକୁ ଉଠାଇ ଦେଇ ମୁହଁରେ ଲଗାଇଲେ । କିଛି ସମୟ ଧରି କ’ଣ କଥାବାର୍ତ୍ତା କଲାପରେ ତାକୁ ପୂର୍ବ ପରି ସଜାଡ଼ିଦେଇ ରଖିଲେ । ତାଙ୍କର ମୁଖମଣ୍ତଳର ଭାବ ବେଶ୍‌ ପ୍ରଫୁଲ୍ଲ ଜଣାପଡ଼ୁଥିଲା ।

 

ତେର

 

ସେଦିନ ୟାଂଚାଂଙ୍କର ବ୍ୟସ୍ତତାର ସୀମା ନ ଥାଏ । କିମିତି ଚାରିଟା ବାଜିବ, ସେଥିପାଇଁ ସେ ବାରମ୍ୱାର ହାତଘଡ଼ିକୁ ଚାହୁଁଥାନ୍ତି । ମାତ୍ର ଚାରିଟା ବାଜିବାକୁ ସେତେବେଳକୁ ଆହୁରି ଦୁଇଘଣ୍ଟା ବିଳମ୍ୱ । ମାର୍ଶାଲ ଚେନ୍‍-ଲିଙ୍କ ଘରକୁ ଯିବାପାଇଁ ସେ ବେଶପୋଷାକ ହୋଇସାରିଥାନ୍ତି । ଆଜିର ବେଶ ଟିକିଏ ସ୍ୱତନ୍ତ୍ର ପ୍ରକାରର । ଦେହରେ ମୂଲ୍ୟବାନ ଏବଂ ସୁନ୍ଦର ପୋଷାକ । ବାଟଗଲା ଲୋକ ଅବଶ୍ୟ ଟିକିଏ ଚାହିଁବ ।

 

ଏତେ ସମୟ ଅପେକ୍ଷା କରିବାକୁ ବଡ଼ ଦୁର୍ବହ ବୋଧ ହେଉଥିଲା ତାଙ୍କୁ । ତେଣୁ ଆପାତତଃ କିଛି ସମୟ ମିସ୍‌ ଲିଲି ସହିତ କଥାବାର୍ତ୍ତାରେ କଟାଇଦିଆଯାଇପାରେ ଭାବି ସେ ଉପରେ ମହଲାଆଡ଼େ ପାଦ ପକାଇଲେ ।

 

ମିସ୍‌ ଲିଲି ସେତେବେଳକୁ ମଧ୍ୟାହ୍ନ ବିଶ୍ରାମ ଶେଷ କରି ବସିଥାଏ । ଦିନସାରା କାମ କିଛି ନ ଥାଏ ଶୋଇବା ଛଡ଼ା । ଯଥେଷ୍ଟ ଶୋଇସାରିଲା ପରେ ଅବଶିଷ୍ଟ ସମୟତକ ଖାଲି ଏପଟ ସେପଟ ହେବା ଛଡ଼ା ଉପାୟ ନାହିଁ । ତେଣୁ ସେ ବଡ଼ ନିଃସଙ୍ଗ ବୋଧ କରୁଥିଲା । ବର୍ତ୍ତମାନ ଦୁଆରେ ୟାଂଚାଂଙ୍କୁ ଦେଖି ସ୍ୱାଗତ ଜଣାଇ ଭିତରକୁ ଡାକିନେଲା ।

 

ଭିତରେ ଗୋଟାଏ ସୋଫା ଉପରେ ୟାଂଚାଂ ଆସନ ଗ୍ରହଣ କଲେ । ମିସ୍‍ ଲିଲି ସାମନାରେ ଆଉ ଗୋଟାଏ ସୋଫାରେ ବସି ଦୁନିଆଆଡ଼ୁ ଗପ ଯୋଡ଼ିବସିଲା । ପ୍ରତି କଥାରେ ୟାଂଚାଂ ମିସ୍‍ ଲିଲିର ଅନ୍ତରଗତ ଭାବ ଜାଣିବାକୁ ଚେଷ୍ଟା କରୁଥାନ୍ତି । କଥା ମଝିରେ ସେ ଖୁବ୍‍ ସହଜ ଭାବରେ ପଚାରିଲେ, ‘‘ଆଚ୍ଛା, ମିସ୍‍ ଲିଲି, ମୁଁ ଯଦି ତୁମକୁ ଏଠାରୁ ଉଦ୍ଧାର କରିନେବାକୁ ଚାହେଁ, ତେବେ ତୁମେ କ’ଣ ଅସମ୍ମତ ହେବ ?’’

 

ହଠାତ୍‌ ୟାଂଚାଂଙ୍କ ମୁହଁରୁ ଅଖାଡ଼ୁଆ ପ୍ରଶ୍ନଟାଏ ଶୁଣି ମିସ୍‍ ଲିଲି କଣ ଭାବିଲା କେଜାଣି, ସ୍ଥିରଭାବରେ ଚାହିଁରହିଲା ତାଙ୍କ ଆଡ଼େ । ନାନାପ୍ରକାର ଭାବନାରେ ମନ ତା’ର ବିଚଳିତ ହୋଇପଡ଼ିଲା । ସେଇ ଭାବନାଟା ରୂପ ନେଲା ଅଶ୍ରୁ ଆକାରରେ । ତା’ର ଦୁଇ ଆଖିରୁ ଦୁଇ ଧାର ଲୁହ ଗଡ଼ିପଡ଼ିଲା ।

 

ୟାଂଚାଂ ଦେଖିଲେ, ବଡ଼ ବିଷମ ପରିସ୍ଥିତି ଉପସ୍ଥିତ । ଏଇ ସାମାନ୍ୟ କଥାରେ ମିସ୍‍ ଲିଲି ଯେ ଏତେ ବିଚଳିତ ହୋଇପଡ଼ିବ, ତାହା ତାଙ୍କର କଳ୍ପନାର ଅତୀତ ଥିଲା । ବର୍ତ୍ତମାନ ପରିସ୍ଥିତିରେ ସେ ନିଜକୁ ଦୋଷୀ ବୋଲି ଭାବିବାକୁ ଲାଗିଲେ । ସାନ୍ତ୍ୱନା ଦେବାପାଇଁ ମିସ୍‍ ଲିଲି ପାଖକୁ ଉଠିଯାଇ ସେ ତା’ର ଆଖିରୁ ନିଜର ରୁମାଲରେ ମୁହଁ ପୋଛିଦେଇ କହିଲେ—‘‘ମୋତେ କ୍ଷମା କର ମିସ୍‌ ! କଥାଟା ତୁମକୁ ଏତେ ଆଘାତ ଦେବ ବୋଲି ମୁଁ ଭାବି ନ ଥିଲି । ମୋର ଭୁଲ ପାଇଁ ମୁଁ ଅନୁତପ୍ତ ।’’

 

ଲିଲି କୋହ ସମ୍ଭାଳିନେଇ କହିଲା—‘‘ମୁଁ ଅପମାନିତ ହୋଇ କାନ୍ଦୁ ନାହିଁ । ଦୁଃଖ ମୋର କେବଳ ଏଇଥିପାଇଁ ଯେ, ମୁକ୍ତି ପାଇଲେ ବି ମୋର କୌଣସିଠାରେ ଆଶ୍ରୟ ନାହିଁ । କାରଣ, ମୋର ପଥ ସବୁଦିଗରୁ ରୁଦ୍ଧ । ମୁଁ କେବଳ ମୃତ୍ୟୁ ବ୍ୟତୀତ ଆଉ କିଛି କାମନା କରେ ନାହିଁ-। ଦୟା କରି ମୋତେ ସେତକ ଦେଇପାରିବ ୟାଂଚାଂ ସାହେବ ?’’

 

—‘‘ଅବଶ୍ୟ ଖୁବ୍‍ ସହଜରେ । ତେବେ ତା ପୂର୍ବରୁ ତୁମେ ଚାହିଁଲେ ତୁମର ମୁକ୍ତି ପାଇଁ ମୁଁ ପ୍ରାଣପଣେ ଚେଷ୍ଟା କରନ୍ତି । ଯଦି ଚେଷ୍ଟାରେ ସଫଳ ହୁଏଁ ତ ଭଲ । ନଚେତ୍‌ ତୁମେ ଯାହା କାମନା କରୁଛ, ତାହା ପାଇବା କଷ୍ଟକର ହେବ ନାହିଁ ।’’ ଖୁବ୍‍ ସାଧାରଣ ଭାବରେ କହିଲେ ୟାଂଚାଂ-

 

—‘‘ମୁଁ ରାଜି । ଯେକୌଣସି ପ୍ରକାରେ ହେଉ, ଏ ନର୍କରୁ ଉଦ୍ଧାର ପାଇବାକୁ ମୁଁ ଚାହେଁ; ବିଶେଷ କରି ଏଇ ମାର୍ଶାଲ ଚେନ୍‌-ଲି କବଳରୁ ।’’

 

ୟାଂଚାଂଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ଚେନ୍‌-ଲି ଯେ କଣ ଏମିତି—

 

ତାଙ୍କର ମନୋଭାବ ଲକ୍ଷ୍ୟ କରି ମିସ୍‌ ଲିଲି କହିବାକୁ ଲାଗିଲା—‘‘ଆପଣ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ । ଚେନ୍‌-ଲିଙ୍କ ପରିଚୟ ଆପଣେ ବଳେ ପାଇବେ । ଲୋକଟା କି ପଶୁପ୍ରକୃତିର ତାହା କହି ବୁଝାଇହେବ ନାହିଁ । ସେଇ ତ ମୋତେ ଆଜି ପଣ୍ୟା କରିଦେଇଛି । ନ ହେଲେ ମୁଁ ଆଜି ମହା ସୁଖରେ ଫ୍ରାନ୍‌ସର କେଉଁ ସହରରେ ଥାଆନ୍ତି । ମୋତେ ଏଠାରୁ କୌଣସି ପ୍ରକାରରେ ମୁକ୍ତ କରନ୍ତୁ ୟାଂଚାଂ ସାହେବ ! ମୁଁ ମୋର ଜନ୍ମଭୂମିକୁ ଏ କଳଙ୍କିତ ଚରିତ୍ର ନେଇ ଫେରିବାକୁ ଚାହେଁନି । ମୁଁ ପୃଥିବୀର ଅନ୍ୟ ଯେକୌଣସି ଦେଶରେ କରଂ ଭିକ୍ଷାବୃତ୍ତି କରି ବଞ୍ଚିବି ।’’

 

ୟାଂଚାଂ କଥାଟାକୁ ଶୁଣିବା ସଙ୍ଗେ ସଙ୍ଗେ ବଡ଼ ଦୁଃଖିତ ହୋଇପଡ଼ୁଥିଲେ । ବାସ୍ତବିକ ଏ ଚୀନା ଲମ୍ପଟୀଙ୍କ ଫାନ୍ଦରେ ପଡ଼ି କେତେ ସରଳା ତରୁଣୀ ଯେ ନର୍କରେ ଘାଣ୍ଟି ହେଉଛନ୍ତି ତାହା ଭାବିଲେ ଥଳକୂଳ ମିଳେନି । ସେ ଖୁବ୍‍ ଗମ୍ଭୀର ହୋଇ କହିଲେ ‘‘ତମେ ଶାନ୍ତ ହୁଅ, ମିସ୍ ଲିଲି ! ମୁଁ ତୁମକୁ ମୁକ୍ତ କରିବାର ନିର୍ଭର ପ୍ରତିଶ୍ରୁତି ଦେଉଛି; ଖୁବ୍‍ ଶୀଘ୍ର ମଧ୍ୟ । କିନ୍ତୁ ତୁମେ ମୋ ଉଦ୍ଦେଶ୍ୟ ସାଧନରେ ମୋତେ ସାହାଯ୍ୟ କରିବ ।’’

 

ମିସ୍‌ ଲିଲି ନୀରବରେ ନିଜର ସମ୍ମତି ଜଣାଇଲା ।

 

କାନ୍ଥ ଘଡ଼ିରେ ଠନ୍‌ ଠନ୍‌ ହୋଇ ବାଜିଲା ଚାରି । ୟାଂଚାଂ ଚମକିପଡ଼ିଲେ ଯେପରି । ‘‘ରେ ! ମାର୍ଶାଲ ଚେନ୍‌-ଲିଙ୍କ ବଙ୍ଗଳାକୁ ଯିବାକୁ ହେବ ଯେ’’—କହି ଉଠିଲେ । ମିସ୍‍ ଲିଲି ଦ୍ୱାର ପର୍ଯ୍ୟନ୍ତ ବଳେଇଦେବାକୁ ଆସି ବିଦାୟ ଦେଇ କହିଲା—‘‘ସେଠାରୁ ଫେରିଲା ପରେ ଯଦି ସମୟ ହୁଏ, ତେବେ ଆସିବେ ନିଶ୍ଚୟ ।’’

 

–‘‘ନିଶ୍ଚୟ ! ନିଶ୍ଚୟ ।’’ କହି ଦ୍ରୁତଗତିରେ ପାଦ ଆଗକୁ ପକାଇଲେ ୟାଂଚାଂ ସାହେବ ।

 

X X X

 

ମାର୍ଶାଲ ଚେନ୍‌-ଲିଙ୍କୁ ସାକ୍ଷାତ କରିବାରେ କଟକଣା ଥିବ ନିଶ୍ଚୟ; କିନ୍ତୁ ଏତେ କଡ଼ା କଟକଣା ଯେ ଥିବ, ସେ କଥା ୟାଂଚାଂଙ୍କ ଧାରଣାରେ ହିଁ ନ ଥିଲା । ବ୍ୟବସ୍ଥାଟା ବଡ଼ ବିଚିତ୍ର ମନେହେଲା ତାଙ୍କୁ । ଯାହାକୁ ବଙ୍ଗ୍‌ଲୋରେ ସାକ୍ଷାତ କରିବାପାଇଁ ଏତେ କଟକଣା, ସେ ପୁଣି ହୋଟେଲରେ ଏକା ଏକା ମାତାଲ ହୋଇ ରାତିସାରା ଗଡ଼ୁଛି ! ଅଥଚ ନିରାପତ୍ତା ବ୍ୟବସ୍ଥାର ଅଭାବ ନାହିଁ । ଏ’ଟା ଗୋଟାଏ ଦେଖାଣିଆ ଛଡ଼ା ଆଉ କିଛି ନୁହେଁ ବୋଲି ତାଙ୍କର ମନେହେଲା ।

 

ୟାଂଚାଂଙ୍କ କାର୍‌ ଖଣ୍ତି ଫାଟକ ପାଖରେ ପହଞ୍ଚିଲା ମାତ୍ରେ ସଶସ୍ତ୍ର ପ୍ରହରୀଙ୍କ ଦ୍ୱାର ତା’ର ଗତିରୋଧ ହେଲ । ୟାଂଚାଂ ପକେଟରୁ କାର୍ଡ଼ଖଣ୍ତିକ ବାହାର କରି ଦେଖାଇଲେ । ସେଖଣ୍ତକୁ ନେଇ ପ୍ରହରୀ ଅଭ୍ୟର୍ଥନାକାରୀଙ୍କ ଅଫିସରେ ଦାଖଲ କଲା । ଅଭ୍ୟର୍ଥନାକାରୀ ସେଖଣ୍ତିକୁ ମାର୍ଶାଲଙ୍କର ଘରୋଇ ସେକ୍ରେଟାରୀଙ୍କ ପାଖକୁ ପଠାଇଲେ । ଘରୋଇ ସେକ୍ରେଟ ରୀ ତାହା ମାର୍ଶାଲଙ୍କ ନିକଟକୁ ପଠାଇ ଅନୁମତି ଚାହିଁଲେ । ମାର୍ଶାଲ ଅନୁମତି ଦେଲେ । ଠିକ୍‍ ସେହିପରି ସ୍ତର ସ୍ତର ହୋଇ ଅନୁମତିପତ୍ର ଫେରିଲା ୟାଂଚାଂଙ୍କ ପାଖକୁ । ଜଣେ ସ୍ୱତନ୍ତ୍ର ପ୍ରହରୀ ସହିତରେ ତାଙ୍କୁ ଯିବାକୁ ହେଲା ମାର୍ଶାଲଙ୍କ କୋଠରୀ ପର୍ଯ୍ୟନ୍ତ ।

 

ଯେଉଁ କକ୍ଷରେ ୟାଂଚାଂ ପହଞ୍ଚିଲେ, ସେ’ଟା ମାର୍ଶାଲଙ୍କର ବ୍ୟକ୍ତିଗତ ଦପ୍ତର । କେବଳ ମାର୍ଶାଲ ସେଠାରେ ବସି ଅଫିସ କାଗଜପତ୍ର ଦେଖନ୍ତି; ନ ହେଲେ ବନ୍ଧୁମାନଙ୍କ ସହିତ ଘରୋଇ କଥାବାର୍ତ୍ତା କରନ୍ତି ।

 

ୟାଂଚାଂ ପହଞ୍ଚିଲବେଳକୁ ମାର୍ଶାଲ ଚେନ୍‌-ଲି ବସି କ’ଣ ଗୋଟାଏ ଫାଇଲ ଦେଖୁଥିଲେ-। ୟାଂଚାଂ କୋଠରୀଦ୍ୱାରରେ ପହଞ୍ଚିଲା ମାତ୍ରେ ସେ ତାଙ୍କୁ ଖୁବ୍‍ ଅଭ୍ୟର୍ଥନା କରି ଡାକିନେଲେ ଭିତରକୁ । ନାନାଦି କଥା ଭିତରେ ୟାଂଚାଂ କେବଳ ଚେନ୍‌-ଲିଙ୍କ ପ୍ରଶଂସାହିଁ କରୁଥା’ନ୍ତି-। ମାର୍ଶାଲ ତାଙ୍କ କଥାରେ କ୍ରମେ ମୁଗ୍‌ଧ ଓ ବିଭୋର ହୋଇଉଠୁଥାନ୍ତି । ସେ ମନେ ମନେ ୟାଂଚାଂଙ୍କୁ ଜଣେ ଖୁବ୍‍ ଦେଶପ୍ରେମୀ ସାଧୁ ପ୍ରକୃତିର ଧନବାନ୍‌ ଭଦ୍ରଲୋକ ବୋଲି ଧାରଣା କରିନେଇଥାଆନ୍ତି-

 

କଥାବାର୍ତ୍ତା ଛଳରେ ୟାଂଚାଂ କହିଲେ—‘‘ମିସେସ୍‌ଲି ବର୍ତ୍ତମାନ ବ୍ୟସ୍ତ ବୋଧହୁଏ ! ତାଙ୍କୁ ଦେଖୁନି ଯେ’’–

 

ଚେନ୍‍-ଲି ସ୍ମିତ ହସି କହିଲେ —‘‘ନା, ନା, ସେ ସାମାନ୍ୟ ଅସୁସ୍ଥ । ଅବଶ୍ୟ ଆପଣଙ୍କ ସାଙ୍ଗରେ ସାକ୍ଷାତ୍‌ କରିପାରୁନାହାନ୍ତି ବୋଲି ଦୁଃଖ ପ୍ରକାଶ କରିଛନ୍ତି । ମୁଁ ତ ଆପଣଙ୍କୁ ସେ କଥା ଆରମ୍ଭରୁ କହିବାକୁ ଭୁଲିଯାଇଚି ।’’

 

—‘‘ମୋର ଦୁର୍ଭାଗ୍ୟ !’’ —କହି ଦୀର୍ଘନିଃଶ୍ୱାସ ପକାଇଲେ ୟାଚାଂ । ତାପରେ ପକେଟରୁ ରୂପାର ଡବାଟିଏ ବାହାର କରି ତାକୁ ଖୋଲି ଧରିଲେ ଚେନ୍‌-ଲିଙ୍କ ସାମନାରେ । ଚେନ୍‌-ଲି ଦେଖିଲେ, ତା ଭିତରେ ଦୁଇଟି ମୂଲ୍ୟବାନ ମୋତିବସା କାନଫୁଲ । ମୋତି ଦୁଇଟାରେ ବିଭିନ୍ନ ରଙ୍ଗ ଇନ୍ଦ୍ରଧନୁର ରଙ୍ଗ ପରି ଝଲସି ଉଠୁଛି । ଫୁଲ ଦୁଇଟିର କାରୁକାର୍ଯ୍ୟ ଦେଖି ତାଙ୍କର ଆଖି ଝଲସି ଉଠିଲା । ସେ ଅନୁମାନ କଲେ—ମୂଲ୍ୟ ଅନ୍ତତଃ ଦଶହଜାର ଟଙ୍କାରୁ ଊଣା ହେବନି । ଯାହାହେଉ, ଏପରି ଲୋକକୁ ହାତଛଡ଼ା କରିବା ଉଚିତ ନୁହେଁ । କମ୍ୟୁନିଷ୍ଟ ରାଷ୍ଟ୍ରରେ ତାଙ୍କର ଚାକିରୀ ବା କେତେ ଦିନ ? ଟଙ୍କାପଇସା ରଖିବା ନିରାପଦ ନୁହେ । ବରଂ ଏଇ ପ୍ରକାର ଅଳଙ୍କାର ନିରାପଦ । ସମୟରେ ଏହାର ବିନିମୟ କଲେ ବର୍ଷ ବର୍ଷ ଚଲିଯାଇ ହେବ ।

 

ମୁଖର ଭାବଭଙ୍ଗୀରୁ ୟାଂଚାଂ ସ୍ପଷ୍ଟ ଲକ୍ଷ୍ୟ କରିପାରୁଥିଲେ ଚେନ୍‌-ଲିଙ୍କର ମନକଥା ।

 

—‘‘ଆପଣଙ୍କର କ’ଣ ଜହରତ୍‌ର ଖଣି ଅଛି ନା କଣ ?’’ ...ବିସ୍ମୟ ପ୍ରକାଶ କରି କହିଲେ ମାର୍ଶାଲ ।

 

—‘‘ଆପଣଙ୍କର ଅନୁମାନ ଠିକ୍‍ । ପୁରୁଷାନୁକ୍ରମେ ଆମର ଏଇ ବ୍ୟବସାୟ ଥିଲା । ଏ ସବୁ ଭାରତରେ ଭଲ ମିଳେ । ଆଜିକାଲି ସୀମାନ୍ତରେ ଗଣ୍ତଗୋଳ ଯୋଗୁ ଏଭଳି ଜିନିଷ ଆଣିହେଉନି । ତେବେ ଏ ଆଗର ଜିନିଷ ।’’

 

—‘‘ଆଚ୍ଛା ! ସୁବିଧା କରିଦେଲେ ଆପଣ ଏ ବ୍ୟବସାୟ ଆଜିକାଲି କରିପାରିବେ ?’’ ଚେନ୍‌-ଲି ପଚାରିଲେ ।

 

—‘‘ହଁ ! ଖୁବ୍‍ ଖୁସିରେ । ସେଠି ଆମର ଚିହ୍ନା ଦଲାଲ ସବୁ ଅଛନ୍ତି; ସେମାନଙ୍କ ମାରଫତ୍‌ରେ କାରବାର ହୁଏ, ଅବଶ୍ୟ ଖୁବ୍‍ ବିପଦ୍‌ଜନକ ସେଟା; ତେବେ ଟଙ୍କା ବଳରେ ସବୁ କରିହୁଏ ।’’

 

—‘‘ତେବେ ମୁଁ ଭାରତକୁ ଯିବାର ଆପଣଙ୍କୁ ସୁବିଧା କରି ଦେବି, ଆପଣ ବ୍ୟବସାୟ ଚାଲୁ କରିଦିଅନ୍ତୁ ।’’–ଉତ୍ସାହିତ ହେଲା ପରି କହିଲେ ଚେନ୍‍-ଲି ।

 

—‘‘ତେବେ ମୁଁ ଗୋଟାଏ ବର୍ଷରେ ଆପଣଙ୍କୁ ଲକ୍ଷପତି କରିଦେବି । ଆପଣ ଗୋଟାଏ ପାର୍ଟନର ହେଇପଡ଼ନ୍ତୁ ନା ମୋର । ମୁଁ ସବୁ କରିବି; ଆପଣ କେବଳ ଯିବାଆସିବାର କଥା ଜାଣନ୍ତି-।’’

 

କିଛି ସମୟ ପାଇଁ ଚିନ୍ତାର ରେଖା ଫୁଟିଉଠିଲା ମାର୍ଶାଲଙ୍କ ମୁଖମଣ୍ତଳରେ । ପରକ୍ଷଣରେ ପୁଣି ଆଶାର ଉଜ୍ୱଳ ରେଖା ଫୁଟିଉଠିଲା । ସେ ଖୁବ୍‍ ଚାପା ଗଳାରେ କହିଲେ–‘‘ଆଚ୍ଛା, ମୁଁ ଏ କଥାର ସିଦ୍ଧାନ୍ତ ଆପଣଙ୍କୁ କାଲି ସନ୍ଧ୍ୟା ସୁଦ୍ଧା ଜଣାଇବି । ଆପଣ ଜାଣନ୍ତି ତ ଏଟା କମ୍ୟୁନିଷ୍ଟ ରାଜ୍ୟ । ଏସବୁ ଯଦି କୌଣସି ପ୍ରକାରେ ଧରାପଡ଼େ, ତେବେ ବିଚ୍‌ ରାସ୍ତାରେ ପ୍ରାଣଦଣ୍ତ ଛଡ଼ା ଲଘୁ ଦଣ୍ତ ନାହିଁ । ଆପଣ ଯେପରି ଘୁଣାକ୍ଷରେ କେଉଁଠି ଏକଥା ପ୍ରକାଶ ନ କରନ୍ତି-।’’

 

—‘‘ଆହା ହା ! ଆପଣ କାହିଁକି ଏତେଦୂର ଆଶଙ୍କା କହୁଛନ୍ତ ? ଦୈବାତ୍‌ଯଦି ଧରାପଡ଼େ, ତେବେ ତା’ର ଉପାୟ ମୁଁ କରିଦେବି । ଆପଣ ନିର୍ଭର କରନ୍ତୁ ମୋ ଉପରେ । କୌଣସିପ୍ରକାର ଆଞ୍ଚ ଆସିବ ନାହିଁ ଆପଣଙ୍କ ଉପରେ । କେବଳ ହିନ୍ଦୁସ୍ଥାନ ସୀମା ଡେଇଁଯିବାପାଇଁ ବ୍ୟବସ୍ଥା କରିଦେଲେ ମୋ ପାଇଁ ଯଥେଷ୍ଟ ।’’

 

ମାର୍ଶାଲ ଚେନ୍‌-ଲି କଥାଟାକୁ ଚିନ୍ତା କରି ଦେଖିଲେ, ମନ୍ଦ ନୁହେଁ । ଲୋକଟା ଯଦି ହିନ୍ଦୁସ୍ଥାନରେ ଧରାପଡ଼େ ତେବେ କିଛି ଯାଏଆସେ ନାହିଁ । ଆଉ ଯଦି ଚୀନରେ ଧରାପଡ଼େ, ତେବେ ତାକୁ ସଫା କରିଦେବା ତାଙ୍କ ପକ୍ଷରେ କଷ୍ଟକର ନୁହେଁ । ବରଂ ଯେତେ ଦିନ ବଞ୍ଚିଥିବ, ହଜାର ହଜାର ମିଳୁଥିବ । ଭବିଷ୍ୟତ ଜୀବନପାଇଁ ବିରାଟ ସମ୍ୱଳ ଲୋଡ଼ା ତାଙ୍କର । ଏହି କାମଟି କିପରି ହେଇପାରିବ ସେକଥା ସେ ବିଚାରୁଥିଲେ ।

 

ମାର୍ଶାଲ ଚେନ୍‌-ଲିଙ୍କର ଉଦ୍ଦେଶ୍ୟ ନିତାନ୍ତ ଅବୋଧ୍ୟ ନ ଥିଲା ୟାଂଚାଂଙ୍କ ନିକଟରେ । ତାଙ୍କର ସେଦିନ ସେଠାକୁ ଆସିବାର ଉଦ୍ଦେଶ୍ୟ ଥିଲା ଭିନ୍ନ; ମାତ୍ର ଚେନ୍‍-ଲି ପୂରାପୂରି ସଚେତନ । ତେଣୁ ତାଙ୍କୁ ପାନୀୟ-ବଶ ନ କଲା ପର୍ଯ୍ୟନ୍ତ କିଛି କରି ହେବ ନାହିଁ ବୋଲି ଜାଣିପାରିଥିଲେ । ତେଣୁ ପରବର୍ତ୍ତୀ ସୁଯୋଗର ଅପେକ୍ଷାରେ ରହିଲେ ସେ । ସେ ଦିନଟାପାଇଁ ସେ ବିଦାୟ ଚାହିଁଲେ ଚେନ୍‍-ଲିଙ୍କ ଠାରୁ । ରାତି ମଧ୍ୟ ସାଢ଼େ ଆଠଟା ବାଜିଯାଇଥିଲା ପ୍ରାୟ ।

 

ମାର୍ଶାଲ ଚେନ୍‍-ଲି ତାଙ୍କୁ ବଳେଇଦେବାପାଇଁ ବଙ୍ଗ୍‌ଲୋର ଫାଟକ ପର୍ଯ୍ୟନ୍ତ ଆସିଲେ । ସେଠାରେ ଥିବା ପ୍ରହରୀ ଓ ଅଫିସରମାନଙ୍କର ବିସ୍ମୟର ସୀମା ରହିଲା ନାହିଁ । କାରଣ, ଖୁବ୍‍ ବିଶିଷ୍ଟ ବ୍ୟକ୍ତି ବା ଅତିଥି ନ ହେଲେ ମାର୍ଶାଲ ସାହେବ ବଳେଇ ଦେବାପାଇଁ ଫାଟକ ପର୍ଯ୍ୟନ୍ତ ଆସନ୍ତି ନାହିଁ । ୟାଂଚାଂ ଯେ ଜଣେ ବିଶିଷ୍ଟ ବ୍ୟକ୍ତି, ଏ କଥା ସେମାନେ ନିଶ୍ଚିତ ଧାରଣା କରିନେଲେ-। ଫାଟକ ନିକଟରେ କରମର୍ଦ୍ଦନ କରି ବିଦାୟ ନେଲେ ଦୁହେଁ ପରସ୍ପରଠାରୁ । କୁଟୀଳତାରେ ଦୁହେଁ ଦୁହିଁଙ୍କୁ ବଳିଯାଇଛନ୍ତି ବୋଲି ଭାବୁଥିଲେ ।

 

ହୋଟେଲରେ ପହଞ୍ଚି ୟାଂଚାଂ ପ୍ରଥମେ ନିଜ କୋଠରୀକୁ ନ ଯାଇ ମିସ୍‌ ଲିଲିଙ୍କ କୋଠରୀକୁ ଗଲେ । ମିସ୍‌ ଲିଲି ଖୁବ୍‍ ବିଷଣ୍ଣ ଦେଖାଯାଉଥିଲେ ସେଦିନ । ୟାଂଚାଂଙ୍କ କଥାର ପ୍ରଭାବରେ ଯେ ଏପରି ହୋଇଛି ତାହା ସେ ବୁଝିପାରିଥିଲେ । ତେଣୁ ହଠାତ୍‌ ତାଙ୍କୁ ଖୁସି କରାଇବାପାଇଁ ସେ କହିପକାଇଲେ–‘‘ତୁମ ମୁକ୍ତିର ସବୁପ୍ରକାର ଆୟୋଜନ ମୁଁ କରିଦେଇଛି, ମିସ୍‌ ଲିଲି ! ଆଉ ସେ ସୁଦିନ ହୁଏତ ତ ଡେରି ନାହିଁ ।’’

 

ସମ୍ୱାଦଟା ମିସ୍‌ ଲିଲିଙ୍କ ପକ୍ଷରେ ଏତେ ଆନନ୍ଦଦାୟକ ଥିଲା ଯେ, ଶୁଣିବାମାତ୍ରେ ତାଙ୍କର ବାକ୍‌ସ୍ଫୁର୍ତ୍ତି ହେଲା ନାହିଁ । ବରଂ ଆନନ୍ଦର ଆଧିକ୍ୟରେ ଲୁହ ଦି’ଧାର ବହିଆସିଲା ତାଙ୍କ ଆଖିରୁ ।

 

ଚଉଦ

 

ସୀମାନ୍ତ ପରିସ୍ଥିତି ଖୁବ୍‍ ଜଟିଳ ଆକାର ଧାରଣା କରିଥିଲା । ସମଗ୍ର ଚୀନର ହଜାର ହଜାର ଯୁବକ, ପ୍ରୌଢ଼, ବୃଦ୍ଧ, ଶିକ୍ଷିତ, ଅଶିକ୍ଷିତ ନିର୍ବିଶେଷରେ ସୈନ୍ୟବାହିନୀରେ ନାମ ଲେଖାଉଥିଲେ । ଦେଶର ମାନ ରକ୍ଷାପାଇଁ ନୁହେଁ, ନିଜର ଖାଦ୍ୟପେୟ ସମସ୍ୟାର ସମାଧାନ ପାଇଁ-। କାରଣ ଚୀନର ଜନସଂଖ୍ୟା ଏତେ ପ୍ରବଳଭାବରେ ବୃଦ୍ଧି ହୋଇଥିଲା ଯେ, ଲୋକମାନଙ୍କ ପାଇଁ ଖାଦ୍ୟ ଯଥେଷ୍ଟ ନ ଥିଲା । ଅଧିକାଂଶ ଲୋକ ଅଭୁକ୍ତ ବା ଅର୍ଦ୍ଧଭୁକ୍ତ ଅବସ୍ଥାରେ ରହୁଥିଲେ-। କମ୍ୟୁନିଷ୍ଟ ସରକାର ଜନସାଧାରଣଙ୍କୁ ଖାଦ୍ୟ, ବସ୍ତ୍ର ଯୋଗାଇବାରେ ଉଦାସୀନ ନୀତି ଅବଲମ୍ୱନ କରିଥିଲେ । ତେଣୁ ଅନାହାରରେ ବା ଅଭୁକ୍ତ ଅବସ୍ଥାରେ ପଡ଼ି ମରିବା ଅପେକ୍ଷା ବରଂ ବଞ୍ଚିବାପାଇଁ ଚେଷ୍ଟା କରିବା ଦରକାର । ହେଉ ପଛେ ସେ ସୈନ୍ୟବାହିନୀ କାମ । ଆପାତତଃ ସେଠାରେ ମୁଠାଏ ଖାଇବାକୁ ଏବଂ ଖଣ୍ତେ ପିନ୍ଧିବାକୁ ତ ମିଳିବ । ତା’ଛଡ଼ା ଲୁଟତରାଜ କଲେ ମଧ୍ୟ ଖାଦ୍ୟ, ଧନ କାହିଁରେ ଅଭାବ ରହିବ ନାହିଁ ।

 

ଚୀନା ସାମରିକ କର୍ତ୍ତୃପକ୍ଷ ବି ତତୋଽଧିକ ବୁଦ୍ଧିମାନ । ଯେତେ ଲୋକ ସୈନ୍ୟବାହିନୀରେ ଯୋଗ ଦେଉଛନ୍ତି ଦିଅନ୍ତୁ । ସେମାନେ ଉପଯୁକ୍ତ ତାଲିମ୍‌ ପାଆନ୍ତୁ ବା ନ ପାଆନ୍ତୁ ସେଥିରେ କିଛି ଯାଏ ଆସେ ନାହିଁ । ଖାଲି ସେମାନଙ୍କୁ ବୋହିନେଇ ସୀମାନ୍ତରେ ଛାଡ଼ିଦେଲେ ଦାୟିତ୍ୱ ଶେଷ । ତେଣିକି ଖାଦ୍ୟ ଅଭାବରେ ସେମାନେ ବାଟ ଖୋଜିବେ । ପେଟବିକଳରେ ସେମାନେ ନିଜ ଦେଶକୁ କେବେ ଫେରିଆସିବେ ନାହିଁ । କାରଣ ଫେରିଲେ ପୁଣି ଅନାହାରରେ ସଢ଼ି ମରିବାକୁ ହେବ । ବରଂ ଖାଦ୍ୟପାଇଁ ସେମାନେ ରାକ୍ଷସଙ୍କ ପରି ଭାରତ ଭିତରକୁ ମାଡ଼ିଯିବେ । ହିନ୍ଦୁସ୍ଥାନ ଅହିଂସା ଓ ସତ୍ୟର ଦେଶ । ସେଠାରେ ସୈନ୍ୟମାନେ ସହଜରେ ଅସ୍ତ୍ର ଚାଳନା କରିବେ ନାହିଁ କେବେହେଲେ । ସେଇ ସୁଯୋଗରେ ଯଦି ସେଠିକାର କିଛି ଅଂଶ ଦଖଲ କରିନେଇ ହେବ, ତେବେ ଭଲ କଥା । ଏଇ ମସୁଧା କମ୍ୟୁନିଷ୍ଟ ଚାଇନାର ନେତୃବର୍ଗ କରିସାରିଲା ପରେ ଯଥେଷ୍ଟ ସୈନ୍ୟ ଠୁଳ କରାଉଥିଲେ ସୀମାନ୍ତରେ । ସେମାନଙ୍କର ଚିନ୍ତାଧାରା ସଙ୍ଗରେ ସମତାଳ ଦେଇ ସୈନ୍ୟମାନେ ବି କାମ କରି ଚାଲିଥିଲେ ।

 

ଭାରତୀୟ ଜବାନମାନେ ନିଜ ଦେଶର ସୀମା ଭିତରେ ରହି କେବଳ ସେମାନଙ୍କର ଗତିବିଧି ପର୍ଯ୍ୟବେକ୍ଷଣ କରୁଥିଲେ । ଏତେ ବେଶିସଂଖ୍ୟକ ଚୀନା ଆକ୍ରମଣକାରୀଙ୍କୁ ଦେଖି ସେମାନେ ଭୀତ ବା କାତର ହୋଇ ନ ଥିଲେ । ସେମାନଙ୍କର ମନୋବଳ ଯଥେଷ୍ଟ ଦୃଢ଼ ଥିଲା । ବରଂ ସେମାନେ ଭାରତୀୟ ସୀମାନ୍ତ ଅଞ୍ଚଳର ଗ୍ରାମଗୁଡ଼ିକର ସୁରକ୍ଷା ପାଇଁ ପ୍ରାଣପଣେ ଲାଗିପଡ଼ିଥିଲେ ।

 

ଚୀନାମାନେ ଯେ ବନ୍ଧୁତ୍ୱର ଦ୍ୱାହି ଦେଇ ଅଚାନକଭାବରେ ଏପରି ମାଡ଼ିଆସିବେ, ସେ କଥା କଳ୍ପନାର ବାହାରେ ଥିଲା ଭାରତୀୟମାନଙ୍କର । ବର୍ତ୍ତମାନ ଚୀନର ଦୁରଭିସନ୍ଧି ପଦାରେ ପଡ଼ିଯିବା ଦ୍ୱାରା ଭାରତ ବିଶ୍ୱାସଘାତକ ବନ୍ଧୁକୁ ଚିହ୍ନିଲା । ସାରା ବିଶ୍ୱରେ ଚୀନ ବିଶ୍ୱାସଘାତକ ବୋଲି ଚିହ୍ନା ପଡ଼ିଲା ଏବଂ ନିନ୍ଦିତ ହେଲା । ଭାରତୀୟ ଜବାନଙ୍କ ପାଇଁ ଦେଶର କୋଟି କୋଟି ଜନସାଧାରଣ ଅକାତରରେ ଟଙ୍କା, ସୁନା ପ୍ରଭୃତି ଦାନ କଲେ । ବିଦେଶରୁ ମଧ୍ୟ ବହୁପରିମାଣରେ ସାହାଯ୍ୟ ପହଞ୍ଚିଗଲା । ଚୀନର ସାମରିକ ଶକ୍ତିକୁ ଧ୍ୱଂସ କରିଦେବାପାଇଁ ଭାରତ ଅତି ଶୀଘ୍ର ଶକ୍ତି ସଞ୍ଚୟ କରିନେଇପାରିଲା । ସୀମାନ୍ତରେ ଚୀନ ସୈନ୍ୟଙ୍କୁ ବଳପ୍ରୟୋଗ କରି ଅଟକାଇ ରଖିଲାପରି ସାମର୍ଥ୍ୟ ଖୁବ୍‍ ଅଳ୍ପ ସମୟ ମଧ୍ୟରେ ସେମାନେ ହାସଲ କରିନେଇପାରିଲେ ।

 

ଉଦରଜ୍ୱାଳା ସହି ନ ପାରି ଏକାବେଳକେ ହଜାର ହଜାର ଚୀନା ସୈନ୍ୟ ସମୟ ସମୟରେ ଭାରତୀୟ ଘାଟୀ ଅତିକ୍ରମ କରି ଭିତରକୁ ପଶିଆସିବାପାଇଁ ଚେଷ୍ଟା କରୁଥିଲେ । ସେପରି ସ୍ଥଳରେ ତୁମୂଳ ସଂଘର୍ଷର ସୃଷ୍ଟି ହେଲା । ଭାରତୀୟ ଜବାନ୍‌ମାନେ ବୀର ଏବଂ ଉତ୍ତମରୂପେ ତାଲିମପ୍ରାପ୍ତ । ସେମାନେ ଅଳ୍ପସଂଖ୍ୟକ ହେଲେ ସୁଦ୍ଧା ଅନାୟାସରେ ନିଜ ପକ୍ଷର କୌଣସି କ୍ଷୟକ୍ଷତି ହେବାକୁ ନ ଦେଇ ଅଶିକ୍ଷିତ ଚୀନା ଆକ୍ରମଣକାରୀଙ୍କୁ ବହୁସଂଖ୍ୟାରେ ହତାହତ କରିବାରେ ଲାଗିଲେ । ଚୀନା ସୈନ୍ୟମାନଙ୍କ ଭିତରୁ ଯିଏ ମଲେ ତ ଚିରଦିନ ପାଇଁ ମୁକ୍ତି ପାଇଗଲେ । ଯେଉଁମାନେ ଆହତ ହେଲେ ସେମାନଙ୍କର ଦୁଃଖର ସୀମା ରହିଲା ନାହିଁ । ପ୍ରତ୍ୟେକ ନିଜ ନିଜର ପେଟଚିନ୍ତା କରିବାରେ ବ୍ୟସ୍ତ; ଆହତଙ୍କ କଥା ବୁଝୁଛି କିଏ ? ଆହତମାନେ ସେଇ ପଥୁରିଆ ମାଟି, ବରଫ ଉପରେ ପଡ଼ିରହିଲେ ସେମିତି । କେତେ ସମୟ ପଡ଼ିରହିବା ପରେ ସେମାନଙ୍କୁ ବଡ଼ କରୁଣଭାବରେ ପ୍ରାଣ ବିସର୍ଜନ କରିବାକୁ ହେଉଥିଲା । ଏହିପରି ଭାବରେ ଚୀନାସୈନ୍ୟଙ୍କ ଶବରେ ସୀମାନ୍ତ ଭୂମି ପରିପୂର୍ଣ୍ଣ ହୋଇଗଲା ।

 

ମିଷ୍ଟର ସିଂ ଏବଂ ଦୀପକଙ୍କୁ ମୁହୂର୍ତ୍ତେ ହେଲେ ସମୟ ଯେ ଅବସର ପାଇଁ ନାହିଁ, ଏକଥା କହିବା ବାହୁଲ୍ୟ । ସୀମାନ୍ତ ଅଞ୍ଚଳରେ ସୈନ୍ୟ ପରିଚାଳନା ଏବଂ ପରିସ୍ଥିତି ଅନୁଧ୍ୟାନ ପାଇଁ ବିଶେଷ କ୍ଷମତା ପାଇଁ ଜେନେରାଲ କପୁର ଆସିଯାଇଛନ୍ତି । କାରଣ ସୀମାନ୍ତ ପରିସ୍ଥିତି ସମ୍ପର୍କରେ ସର୍ବପ୍ରଥମେ ସେ ରିପୋର୍ଟ ଦେଇଥିଲେ ।

 

ଜେନେରାଲ କପୁର ଆସି ଆତିଥ୍ୟ ଗ୍ରହଣ କରିଛନ୍ତି ମିଷ୍ଟର ସିଂଙ୍କର । ରୂପକ ଯେ ପେକିଂରେ ରହି କିପରି ଭାବରେ ନିୟମିତ ସମ୍ୱାଦ ପଠାଇଦେଉଛି ଏବଂ ଦିନକୁ ଦିନ ନିଜ କାମରେ ଅଗ୍ରଗତି କରୁଛି, ସେକଥା ଶୁଣି ଜେନେରାଲ କପୁର ବିସ୍ମିତ ହୋଇପଡ଼ିଛନ୍ତି । ଦୀପକ ଏବଂ ରୂପକ ଦୁଇଭାଇ ଯେ ସାଧାରଣ ଶକ୍ତିସମ୍ପନ୍ନ ନୁହନ୍ତି, ଏ ଧାରଣା ତାଙ୍କର ଦୃଢ଼ୀଭୂତ ହୋଇଛି-

 

ସୀମାନ୍ତ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦେଖି ଘାଟୀ ନିର୍ମାଣ, ସୈନ୍ୟ ପରିଚାଳନା, ଗୁଳିଗୋଳା ଏବଂ ଖାଦ୍ୟ ଯୋଗାଣରେ ମିଷ୍ଟର ସିଂ, ଦୀପକ ଏବଂ ୱାଙ୍ଗ୍‌ଲୁ ପ୍ରଭୃତି ବିଶେଷ ସହାୟକ ହୋଇଛନ୍ତି । ସେମାନଙ୍କର ଅକ୍ଳାନ୍ତ ପରିଶ୍ରମ ଓ ଯତ୍ନ ଫଳରେ ଭାରତୀୟ ଜବାନବାହିନୀ ଏପର୍ଯ୍ୟନ୍ତ କୌଣସି ଅସୁବିଧାର ସମ୍ମୁଖୀନ ହୋଇନାହାନ୍ତି । ୱାଙ୍ଗ୍‌ଲୁର ପାହାଡ଼ିଆ ସୀମାନ୍ତ ଅଧିବାସୀ ଯୁବକମାନେ ଦିନରେ ଗୁପ୍ତରେ କାମରେ ଲାଗିଯାଉଛନ୍ତି । ରାତି ହେଲାମାତ୍ରେ ଭାରତୀୟ ଶିବିରରେ ପହଞ୍ଚି ସବୁ ସମ୍ୱାଦ ଦେଇଯାଉଛନ୍ତି । ବେଳେବେଳେ ଗରିଲା ଆକ୍ରମଣ କରି ଦେଉଛନ୍ତି ଚୀନା ଶିବିର ଉପରେ । ସେଠାରୁ ଅସ୍ତ୍ରଶସ୍ତ୍ର ଲୁଟିକରି ଆଣୁଛନ୍ତି । ଏଇ ଗରିଲାମାନଙ୍କୁ ଚୀନାମାନେ ପ୍ରାଣପଣେ ଭୟ କରିଗଲେଣି । ଏମାନଙ୍କ ଉତ୍ପାତରୁ ରକ୍ଷା ପାଇବାପାଇଁ ନିଜ ଶିବିରରେ ଯେତେ ପ୍ରକାର ନିରାପତ୍ତା ବ୍ୟବସ୍ଥା କରାଯାଇପାରେ ତାହା କରିବାକୁ ଛାଡ଼ିନାହାନ୍ତି । ତଥାପି ନିସ୍ତାର ନାହିଁ ଏମାନଙ୍କ ହାତରୁ । କ୍ରମେ ଚୀନା ଅସ୍ତ୍ରଶସ୍ତ୍ର ଲୁଟିନେଇ ଏହି ଗରିଲାମାନେ ବଳଶାଳୀ ହୋଇ ଉଠୁଛନ୍ତି ବରଂ ।

 

ଚୀନର ଏହି ଅଶିକ୍ଷିତ ସୈନ୍ୟମାନଙ୍କୁ ବଳପୂର୍ବକ ଠେଲି ଭାରତ ଭିତରକୁ ଆଗେଇଦେବାପାଇଁ ଚୀନ କମ୍ୟୁନିଷ୍ଟ ନେତାମାନଙ୍କ ଭିତରେ ଭିତିରି ମସୁଧା ଚାଲିଛି । ଏମାନଙ୍କ ପାଇଁ ବହୁପ୍ରକାର ମାରଣାସ୍ତ୍ର, ପ୍ରଚୂର ପରିମାଣ ଗୁଳିଗୋଳା ତିଆରି ଚାଲିଛି । ପେକିଂ ସହର ଉପକଣ୍ଠରେ ଗୋଟାଏ ପର୍ବତର ପାଦଦେଶରେ ବିଶାଳ ବାରୁଦକାରଖାନା । ସେଇଠି ତିଆରି ଚାଲିଛି ଗୁଳିଗୋଳା ଦୀର୍ଘ କେତେ ମାସ ଧରି । ସ୍ଥାନଟାର ଏପରି ନିରାପତ୍ତା ବ୍ୟବସ୍ଥା ହୋଇଛି ଯେ ଗୋଟାଏ ଚଢ଼େଇ ସୁଦ୍ଧା ଇଡ଼ିଯାଇ ପାରିବ ନାହିଁ ତା’ଉପରଦେଇ । କେବଳ ଉଚ୍ଚ ସାମରିକ କର୍ମଚାରୀଙ୍କ ବ୍ୟତୀତ ଅନ୍ୟମାନଙ୍କ ପକ୍ଷେ ସେଠାକୁ ପ୍ରବେଶ ନିଷିଦ୍ଧ ।

 

ଚୀନର ବିଶ୍ୱାସଘାତକତା ଯୋଗୁ ଭାରତ ଏକ ଘଡ଼ିସନ୍ଧି ମୁହୂର୍ତ୍ତର ସମ୍ମୁଖୀନ ହୋଇଛି । ତଥାପି ତା’ର ବୀର ଜବାନମାନେ ସ୍ୱାଧୀନତାର ସୁରକ୍ଷା ପାଇଁ ଦୃଢ଼ ମନୋବଳ ନେଇ ଅସ୍ତ୍ର ଧାରଣ କରିଛନ୍ତି । ସାରା ଦେଶର ପ୍ରତ୍ୟେକ ଅନୁଷ୍ଠାନରେ ସାମରିକ ଓ ବେସାମରିକ ବିଭାଗ ପକ୍ଷରୁ ପ୍ରତିରକ୍ଷା ବ୍ୟବସ୍ଥା ସମ୍ପର୍କରେ ଶିକ୍ଷା ଦିଆଯାଉଛି । ଦେଶରେ ଅଦ୍ଭୁତପୂର୍ବ ଜନଜାଗରଣ ଦେଖାଦେଇଛି । କୃଷିକ୍ଷେତ୍ରରେ କୃଷକ, କଲକାରଖାନାରେ ଶ୍ରମିକ, ଦେଶର କୋଟି କୋଟି ଜନସାଧାରଣ ନିଜର ଖର୍ଚ୍ଚ କମାଇ ଉତ୍ପାଦନ ବଢ଼ାଇବାରେ ଲାଗିଛନ୍ତି ଜବାନମାନଙ୍କ ପାଇଁ ।

 

X X X

 

ହୋଟେଲର ପ୍ରାଇଭେଟ୍‌ ଚେମ୍ୱରରେ ବସି କିଛି ଗୋଟାଏ ଖୁବ୍‍ ଗୋପନ ଆଲେଚନା କରୁଥିଲେ ମାର୍ଶାଲ୍‌ ଚେନ୍‌-ଲି ଏବଂ ୟାଂଚାଂ କକ୍ଷଟିରେ ଖୁବ୍‍ ଅଳ୍ପ ଶକ୍ତିର ଗାଢ଼ ନୀଳବର୍ଣ୍ଣର ଆଲୋକରେ ଦୁହେଁ ବୁଡ଼ିରହିଥିଲା ପରି ଜଣାଯାଉଥିଲା । ଦୂରରୁ କେହି ଦେଖିଲେ ହଠାତ୍‌ ସେ ଦୁହିଁଙ୍କୁ ଚିହ୍ନିପାରିବା ସହଜ ନ ଥିଲା । କକ୍ଷର ବାହାରପଟରେ ଯଥେଷ୍ଟ ଦୂରରେ ଚେନ୍‍-ଲିଙ୍କର ଜଣେ ଦେହରକ୍ଷୀ ସତର୍କଭାବରେ ପହରା ଦେଉଥିଲା । ମାର୍ଶାଲ ପ୍ରାୟ ବିନାରକ୍ଷୀରେ ବରାବର ହୋଟେଲକୁ ଆସନ୍ତି । ମାତ୍ର ଆଜି ରକ୍ଷୀ ସାଙ୍ଗରେ ଘେନି ଆସିବା ଘଟଣାକୁ କେନ୍ଦ୍ର କରି ସମସ୍ତଙ୍କ ମନରେ ଚମକ ଏବଂ ବିସ୍ମୟ ସୃଷ୍ଟି ହୋଇଥିଲା ।

 

ଚେନ୍‍-ଲି ଖୁବ୍‍ ବ୍ୟଗ୍ର ଥିଲାପରି ଜଣାପଡ଼ୁଥିଲେ । ସେ ଚାରିଆଡ଼କୁ ଥରେ ସତର୍କ ଦୃଷ୍ଟି ପକାଇ ଖୁବ୍‍ ଚାପାଗଳାରେ କହିଲେ ‘‘ଏତକ କାମ କରିବାକୁ କେତେ ଯେ ପରିଶ୍ରମ କରିବାକୁ ପଡ଼ିଚି ତାର ସୀମା ନାହିଁ । ଏ ଦପ୍ତରରୁ ସେ ଦପ୍ତର, ଯେ ଅଫିସରଙ୍କ ପାଖରୁ ସେ ଅଫିସରଙ୍କ ପାଖ ଧାଇଁ ଧାଇଁ ତ ମୁଁ ନାକେଦମ୍‌ହେଲିଣି । ଆପଣ କିନ୍ତୁ ୟାର ସଦ୍‌ବ୍ୟବହାର କରିପାରିଲେ ହେଲା ।’’

 

—‘‘ଆପଣ ଦେଖିବେ, ମୁଁ ତା’ର ଆଶାତୀତ ସଦ୍‌ବ୍ୟବହାର କରିପାରିବି । ଏକାଥରକେ ମୁଁ ଆପଣଙ୍କୁ ପଚାଶ ହଜାରରୁ କମ୍‌ ଦେଖାଇଦେବି ନାହିଁ । ବର୍ଷ ଭିତରେ ଯଦି ମୁଁ ଅନ୍ତତଃ ଚାରିଥର ଯାଆସ କରେ ତେବେ ଦୁଇଲକ୍ଷ ଟଙ୍କା ଅତି କମ୍‌ରେ ଆପଣଙ୍କର ପ୍ରାପ୍ୟ । ଖାଲି ସୁବିଧାଟା ଆପଣ କରାନ୍ତୁ । ଆଉ ସବୁ ମୋର ।’’

 

—‘‘ସେ ସୁବିଧା ତ ମୁଁ କରିଦେଇଛି । ଆପଣଙ୍କର ଅସୁବିଧା ଆଉ କଣ ଅଛି ? ବର୍ତ୍ତମାନ ଆପଣ ଆଉ ବ୍ୟବସାୟୀ ୟାଂଚାଂ ନୁହନ୍ତି—ଜଣେ ଉଚ୍ଚ ସି.ଆଇ.ଡି. ଆର୍ମି ଅଫିସର । ଏଇ ଆପଣଙ୍କର ଅନୁମତିପତ୍ର । ଏହାବଳରେ ଆପଣ ଚୀନର ପ୍ରତ୍ୟେକ ଗୋପନୀୟ ସ୍ଥାନକୁ ଯାଇ ଯାଞ୍ଚ୍‌ କରିପାରିବେ । ଯେ କୌଣସି ଏୟାର ଫିଲ୍‌ଡ଼୍‌ରୁ ପ୍ଳେଟ୍‌, ହେଲିକପ୍‌ଟର ଯାହା ଚାହିଁବେ, ପାଇବେ । ଆଉ କ’ଣ ଲୋଡ଼ା ଆପଣଙ୍କର ?’’

 

ୟାଂଚାଂ ଖାଲି ଶୁଣି ଯାଉ ନ ଥିଲେ । ତାଙ୍କ ଛାତି ଭିତରଟା ଆନନ୍ଦରେ ମନ୍ଥି ହେଉଥିଲା । ଗୋଟାଏ ଗ୍ଳାସରେ କିଛି ପାନୀୟ ଗଡ଼ାଇ ବଢ଼ାଇଦେଲେ ସେ ମାର୍ଶାଲ ଚେନ୍‍-ଲିଙ୍କ ଆଡ଼କୁ । ଚେନ୍‍-ଲି ସେତକ ଗଳାଧଃକରଣ କରିଦେଇ ରୁମାଲରେ ମୁହଁଟା ଥରେ ପୋଛିନେଇ ଉତ୍‌ଫୁଲ୍ଲ ହୋଇ ସଜାଡ଼ି ବସିଲେ । ସୁଯୋଗ ବେଳ ଜାଣି ୟାଂଚାଂ କହିଲେ, ‘‘ହଁ, ଏସବୁ ଠିକ୍‍ ଠିକ୍‍ ହେଇଗଲା । ଆଉ ଗୋଟିଏ ଖୁବ୍‍ ଗୁରୁତର କାମ ରହିଗଲା ।’’

 

‘‘କ’ଣ ସେ କାମ ?’’ –ଟେବୁଲ ଉପରକୁ ଝୁଙ୍କିପଡ଼ି ପଚାରିଲେ ମାର୍ଶାଲ ଖୁବ୍‍ ବ୍ୟଗ୍ର ଭାବରେ ।

 

‘‘ସେ କାମଟା ହେଉଛି: ମୁଁ ତ ଗୁପ୍ତଚର ବିଭଗର ବଡ଼ ଅଫିସର ହୋଇ ବର୍ତ୍ତମାନ ହିନ୍ଦୁସ୍ଥାନକୁ ଚାଲିଯିବି; ଆମର ଗୁପ୍ତଚରମାନେ ସେଠାରେ ଠିକ୍‍ ଭାବରେ କାମ କରୁଛନ୍ତି କି ନାହିଁ ଦେଖିବାପାଇଁ । କିନ୍ତୁ ମୁଁ ତ ସେମାନଙ୍କର ଲିଷ୍ଟ ଏପର୍ଯ୍ୟନ୍ତ ପାଇଲି ନାହିଁ । ସେମାନଙ୍କର ଗୋଟାଏ ତାଲିକା ମୋତେ ଯୋଗାଇ ଦିଅନ୍ତୁ । ଭାରତରେ ପହଞ୍ଚି ଯେପରି ମୁଁ ସେମାନଙ୍କୁ ଗୋଟାଏ ତାଗିଦ୍‌ ଦେଇଆସିବି । ନିଜେ ମଧ୍ୟ ସେଠିକାର ପରିସ୍ଥିତି ସେମାନଙ୍କୁଠାରୁ ଜାଣି, ଏଠାକୁ ଫେରି ଗୋଟାଏ ରିପୋର୍ଟ ଦେବି । ୟା ଦ୍ୱାରା ମୁଁ ମୋର କର୍ତ୍ତବ୍ୟ ମଧ୍ୟ କିଛି କରିପାରିବି । ତା ସଙ୍ଗେ ସଙ୍ଗେ ଆମର ଲାଭ ବି ହେବ ।’’

 

ଚେନ୍‍-ଲି କଥାଟାକୁ ବୁଝି ସନ୍ତୁଷ୍ଟ ହେଲାପରି ଜଣାଗଲା । ସେ ଟିକିଏ ପରେ କହିଲେ–‘‘ଆପଣ ଯାହା କହିଲେ ଯଥାର୍ଥ । ମୁଁ ଆପଣଙ୍କ ଦରକାର ମୁତାବକ ଗୋଟାଏ ତାଲିକା କାଲି ଭିତରେ ଯୋଗାଇଦେଉଛି ।’’

 

ୟାଂଚାଂ ପୁଣି ଗୋଟାଏ ଗ୍ଳାସ ବଢ଼ାଇଦେଲେ ମାର୍ଶାଲଙ୍କ ଆଡ଼କୁ । ଚେନ୍‍-ଲି ତତ୍‌କ୍ଷଣାତ୍‌ କଣ୍ଠସ୍ଥ କରିଦେଲେ ସେତକ । ତାଙ୍କର ତୃଷାର ଅନ୍ତ ନାହିଁ ଯେପରି । ତା’ପରେ ଗୋଟାଏ ଚୁରୁଟ୍‌ରେ ନିଆଁ ଲଗାଇ ଟାଣିବାକୁ ଲାଗିଲେ । କ୍ରମେ କ୍ରମେ ତାଙ୍କର ତନ୍ମୟତା ଆସିଯାଉଥିଲା ।

 

ୟାଂଚାଂ ଦେଖିଲେ—ଯଦି ଚେନ୍‍-ଲି ଅତିମାତ୍ରାରେ ପିଇଦେଇ ଏକାଠି ଭୋଳ ହୋଇଯାଆନ୍ତି, ତେବେ ବଡ଼ ମୁସ୍କିଲ କଥା ହେବ । ବରଂ ତତ୍‌ପୂର୍ବରୁ ତାଙ୍କୁ ଏଠାରୁ ଅପସାରଣ କରିନେଲେ ଭଲ ହେବ । ମନୋଭାବ ଗୋପନ ରଖି ସେ କହିଲେ, ‘‘ବର୍ତ୍ତମାନ ମିସ୍‍ ଲିଲିଙ୍କ ଆଡ଼େ ଥରେ ଯିବାହେଉ ।’’

 

‘‘ନା, ନା, ନା ! ଆଜି ଲିଲିକୁ ଛୁଟି ଦିଆଯାଉ । ତେଣେ ବଡ଼ରରେ ଗୋଟାଏ ଗୁରୁତର ବ୍ୟାପାର ଘଟିଯାଇଛି । ଗୋଟାଏ ଆଶ୍ରୟସ୍ଥଳରେ ଆମର ପ୍ରାୟ ଚାରିଶହ ସୈନ୍ୟ ଦୁର୍ଘଟଣାରେ ଜୀବନ ହରାଇଛନ୍ତି । ଗୋଟାଏ ହେଲେ ଉଧୁରି ପାରି ନାହାନ୍ତି ସେଥିରୁ ସେ ସମ୍ପର୍କରେ ରିପୋର୍ଟ କଣ ଆସିଛି, ବର୍ତ୍ତମାନ ଦେଖିବାକୁ ହେବ ।’’

 

‘‘ଆହା, ହା !’’ —ଦୁଃଖରେ ଭାଙ୍ଗି ପଡ଼ିଥିବାର ଅଭିନୟ କଲେ ୟାଂଚାଂ । କିନ୍ତୁ ମନେ ମନେ ତାଙ୍କର ଆନନ୍ଦର ସୀମା ନ ଥିଲା । ଏ ଦୁର୍ଘଟଣାର ଖବର ସେ ବହୁତ ଆଗରୁ ପାଇଥିଲେ ।

 

ଚେନ୍‍-ଲିଙ୍କ ସ୍ମରଣ ଆସିଯିବାକ୍ଷଣି ସେ ଉଠିଲେ । ୟାଂଚାଂ ବୋତଲରେ ଅବଶିଷ୍ଟ ଥିବା ପାନିୟତକ ଗଡ଼ାଇ ତାଙ୍କ ହାତକୁ ବଢ଼ାଇଦେଲେ । ଚେନ୍‍-ଲି ଠିଆ ଠିଆ ସେତକ ପିଇଦେଇ ଆଗକୁ ଟଳ ଟଳ ହୋଇ ପାଦ ପକାଇଲେ ।

 

ଆପାତତଃ ଶିଷ୍ଟତା ଖାତିରରେ ଶୁଭରାତ୍ର ଜଣାଇ ବିଦାୟ ନେବା ସୌଜନ୍ୟ ତାଙ୍କର ସ୍ମରଣରେ ଥିଲା କି ନା ସନ୍ଦେହ ।

 

ତାଙ୍କର ଚାଲିଯିବା ପରେ ୟାଂଚାଂଙ୍କ ଓଠକଣରେ ଟିକିଏ ହସ ଫୁଟିଉଠିଲା । ସେ ବିଜୟୀ ପରି ପାଦ ପକାଇ ଆଗେଇଗଲେ ମିସ୍‍ ଲିଲିଙ୍କ କକ୍ଷ ଆଡ଼େ ।

 

ରାତି ବାରଟା ବାଜୁଥିଲା ପ୍ରାୟ । ଚତୁର୍ଦ୍ଦିଗ ବେଶ୍‌ନିସ୍ତବ୍‌ଧ ହୋଇଯାଇଥିଲା ।

 

ପନ୍ଦର

 

ରାତି ଦୁଇଟାରୁ କିଛି ଅଧିକ ହେବ ।

 

ବାହାରେ ନିରନ୍ଧ୍ର ଅନ୍ଧକାର ସାଙ୍ଗକୁ ପ୍ରଚଣ୍ତ ଶୀତ । ଚାରିଆଡ଼େ ନୀରବ, ନିର୍ଜନ । ବେଳେବେଳେ କେଉଁ ଦୂର ଗଳିରାସ୍ତାରୁ କୁକୁରଟା ଭୋ ଭୋ ରଡ଼ି ଛାଡ଼ିଛି । ପେଚା ଦି’ଟା କଳି କଲାପରି ହୁଁ–ହାଁ କୁହାଟ ଛାଡ଼ିଛନ୍ତି ପାଖ ଗଛଟାରେ ।

 

ସେଇ ବିରାଟ ହୋଟେଲଟା ବି ଗାଢ଼ ଅନ୍ଧାର ଭିତରେ ବୁଡ଼ିଯାଇଚି ଯେମିତି । ସବୁ କୋଠରୀଗୁଡ଼ାକ ଭିତରପଟୁ ବନ୍ଦ । କୌଣସି ଗୋଟିଏ ହେଲେ କୋଠରୀରୁ କାହାରି ଟିକିଏ ସୋରଶବ୍ଦ ଶୁଣାଯାଉନି । କେବଳ ସଦର ଦରଜାରେ ଉଚ୍ଚ ଶକ୍ତିସମ୍ପନ୍ନ ଆଲୋକଟିଏ ଜଳୁଛି । ନହେଲେ ସବୁଆଡ଼ ଅନ୍ଧକାର । ସେଇଠି ପ୍ରହରୀଟିଏ କାନ୍ଧରେ ବନ୍ଧୁକ ପକାଇ ଟହଲ ମାରୁଚି । ଥଣ୍ତାରୁ ରକ୍ଷା ପାଇବାପାଇଁ କେବଳ ଆଖି ଦୁଇଟା ଛଡ଼ା ଦେହର ଅନ୍ୟାନ୍ୟ ଅଂଶ ତାର ଆବୃତ କରି ରଖିଛି ଗରମ ପୋଷାକରେ । ଆଖି ଦୁଇଟି ଟଳମଳ ହେଉଛି ନିଶା ଆଉ ନିଦର ଜୋରରେ ।

 

ହୋଟେଲ ଉପର ମହଲରେ ୟାଂଚାଂଙ୍କ କୋଠରୀର ଦ୍ୱାର ଖୋଲିଲା ଆସ୍ତେ ଆସ୍ତେ । କବାଟଟି ଅଳ୍ପ ଖୋଲିଗଲା ପରେ ଭିତରୁ ବାହାରିଆସିଲେ ୟାଂଚାଂ । ଦେହର ସର୍ବାଙ୍ଗ କଳା ପୋଷାକରେ ଆବୃତ । ଖୁବ୍‍ ସତର୍କରେ ପାଦ ପକାଇ ସେ ଆଗେଇ ଚାଲିଲେ ସବା ଉପର ମହଲା–ରୂପାଜୀବାମାନଙ୍କର କକ୍ଷଆଡ଼େ । ସେ ମହଲାରେ ବି ସବୁ କୋଠରୀଗୁଡ଼ିକ ଭିତରପଟୁ ବନ୍ଦ ଥିଲା । କେବଳ ଗୋଟାଏ ଯୋଡ଼ାଏ କୋଠରୀରୁ ଆଲୋକ ଦିଶୁଥିଲା ଆଉ ଚାପା କଥାବାର୍ତ୍ତା ଶୁଣାଯାଉଥିଲା ।

 

ୟାଂଚାଂ ସେଇ ଅନ୍ଧାର ଭିତରେ କୋଠରୀ ପରେ କୋଠରୀ ଅତିକ୍ରମ କରି ଆଗେଇଯାଉଥିଲେ । ମିସ୍‍ ଲିଲିଙ୍କ କକ୍ଷ ଦ୍ୱାର ପାଖରେ ତାଙ୍କର ଗତିରୋଧ ହେଲା । ସେ କିଛି ସମୟପାଇଁ ଠିଆହେଲେ ସେଇଠି ଚାରିଆଡ଼କୁ ସତର୍କ ଦୃଷ୍ଟି ପକାଇ । ଉଦ୍ଦେଶ୍ୟ—କେହି ତାଙ୍କୁ ଅନୁସରଣ କରୁଛି କି ନାହିଁ ଜାଣିବା । ମାତ୍ର କିଛି ସମୟ ଠିଆ ହେଲାପରେ କିଛିହେଲେ ସୂଚନା ପାଇଲେ ନାହିଁ ସେ । ତା’ପରେ ଖୁବ୍‍ ଧୀରେ ଧୀରେ ଗୋଟାଏ ସାଙ୍କେତିକ ଶବ୍ଦ କଲେ । ମାତ୍ର କେତୋଟି ମୁହୂର୍ତ୍ତ ମଧ୍ୟରେ ଆସ୍ତେ ଖୋଲିଗଲା କବାଟଟି । ୟାଂଚାଂ କକ୍ଷଭିତରେ ପ୍ରବେଶ କଲେ । ସେହି ସଙ୍ଗେ ସଙ୍ଗେ ଦ୍ୱାରଟି ପୁଣି ନିଃଶବ୍ଦରେ ବନ୍ଦ ହୋଇଗଲା ।

 

ମିସ୍‍ ଲିଲିଙ୍କର ସେହି କକ୍ଷଟି ଥିଲା ସଂପୂର୍ଣ୍ଣ ଅନ୍ଧକାର । ୟାଂଚାଂ ଦୁଇପାଦ ଆଗେଇଯାଇ ପକେଟରୁ ପେନ୍‌ସିଲ ଟର୍ଚ୍ଚଟିଏ କାଢ଼ି ଜଳାଇଲେ । ତାର ସାମାନ୍ୟ ଆଲୋକରେ ମିସ୍‍ ଲିଲି ଏବଂ ୟାଂଚାଂ ଆଗେଇ ଯାଉଥିଲେ ଝରକାଆଡ଼କୁ । ଝରକା ପାଖରେ ପହଞ୍ଚି ୟାଂଚାଂ ଆଲୋକଟି କାଢ଼ି ବାହାରକୁ କଣ ସଙ୍କେତ କଲେ । ତାର ପରମୁହୂର୍ତ୍ତରେ ଠିକ୍‍ ସେହିପରି ସଙ୍କେତ ଆସିଲା ତଳୁ ଆଲୋକରେଖା ଦ୍ୱାରା । ୟାଂଚାଂ ଝରକାର ରେଲିଂଗୁଡ଼ିକ ମାତ୍ର କେଇଟି ମିନିଟ୍‌ମଧ୍ୟରେ ବାହାର କରିଦେଲେ । ତା’ପରେ ଗୋଟାଏ ଶକ୍ତ ରେଲିଂ ଦେହରେ ଖୁବ୍‍ ଲମ୍ୱ ଦଉଡ଼ାଟାଏ ବାନ୍ଧି ଝୁଲାଇଦେଲେ ତଳକୁ । ସେଇ ଦଉଡ଼ାକୁ ଧରି ଆସ୍ତେ ଆସ୍ତେ ଓହ୍ଲାଇଗଲେ ସେ-। ତଳେ ପହଞ୍ଚି ସେ ଦଉଡ଼ାଟାକୁ ଥରେ ଟାଣି ହଲାଇଦେଲେ ଜୋରରେ । ସେଇଟା ଥିଲା ମିସ୍‍ ଲିଲିଙ୍କ ପାଇଁ ସଙ୍କେତ । ସଙ୍କେତ ପାଇଲାମାତ୍ରେ ସେ ମଧ୍ୟ ପଛେ ପଛେ ଦଉଡ଼ାକୁ ଧରି ଓହ୍ଲାଇଗଲେ । ତଳେ ସେ ଦୁହେଁ ଯେଉଁଠି ପହଞ୍ଚିଲେ ସେ’ଟା ହୋଟେଲର ପଛପଟ । ଅଳିଆ, ଆବର୍ଜନା, ଭଙ୍ଗା କାଚ ଅରମାରେ ଭର୍ତ୍ତି । ତା’ରି ଉପରଦେଇ ୟାଂଚାଂ ଯେତେ ଶୀଘ୍ର ପାରନ୍ତି ମିସ୍‍ ଲିଲିଙ୍କୁ ଟାଣି ଟାଣି ନେଇ ଚାଲିଗଲେ ସେଇ ଅନ୍ଧାର ଭିତରେ ।

 

ଖଣ୍ତେ ଦୂରରେ ଗୋଟାଏ କାର୍‌ ଅପେକ୍ଷା କରିଥିଲା । ୟାଂଚାଂଙ୍କ କହିବା ଅନୁସାରେ ମିସ୍‍ ଲିଲି ବସିଲେ ତା ଭିତରେ । ତାଙ୍କ ପଛେ ପଛେ ୟାଂଚାଂ ମଧ୍ୟ । କାର୍‌ ଭିତରଟା ପୂରାପୂରି ଅନ୍ଧକାର ଥିଲା । ୟାଂଚାଂ ନିର୍ଦ୍ଦେଶ ଦେଲମାତ୍ରେ ଡ୍ରାଇଭର ଦ୍ରୁତଗତିରେ ଛୁଟାଇଦେଲା କାର୍‌ଟାକୁ ।

 

କାରଟା ରାଜପଥ ଛାଡ଼ି ନିର୍ଜନ ରାସ୍ତାରେ ଛୁଟିଥିଲା ପ୍ରାୟ ଅଶୀ ମାଇଲ ସ୍ପୀଡ଼୍‌ରେ । ବାଟରେ ୟାଂଚାଂ ଖୁବ୍‍ ଚାପା ସ୍ୱରରେ କହିଲେ—‘‘ମୁଁ ତୁମକୁ ଜଣେ ଫରାସୀ ଭଦ୍ରଲୋକଙ୍କ ଜିମାରେ ଛାଡ଼ିଆସିବି ମିସ୍‍ ଲିଲି । ତୁମେ ମୋ ଉପରେ ବିଶ୍ୱାସ ରଖ । ତୁମର ପରବର୍ତ୍ତୀ କାର୍ଯ୍ୟପନ୍ଥା କଣ ହେବ, ତାହା ତାଙ୍କରିଠାରୁ ଜାଣିପାରିବ ।’’

 

ପ୍ରାୟ ସତୁରୀ ଅଶୀ ମାଇଲ ଅବିଶ୍ରାନ୍ତ ଗତିକଲାପରେ କାର୍‌ ଅଟକିଗଲା ଗୋଟାଏ ସ୍ଥାନରେ । ୟାଂଚାଂ ଆଗ ଓହ୍ଳାଇପଡ଼ିଲେ କାର୍‌ରୁ । ତାଙ୍କ ପଛେ ପଛେ ମିସ୍‍ ଲିଲି । ସମୟ ଥିଲ ଖୁବ୍‍ ଅଳ୍ପ । ୟାଂଚାଂ ମିସ୍‍ ଲିଲିଙ୍କ ହାତ ଧରି ଆଗେଇନେଲେ ସେଇ ଅନ୍ଧାର ଭିତରେ । ତିରିଶି ଚାଳିଶି ପାହୁଣ୍ତ ଗଲା ପରେ ବଙ୍ଗ୍‌ଲୋ ଆକାରର ଘରଟିଏ ଝାପ୍‌ସା ଝାପ୍‌ସା ଦିଶିଲା । ଆଗରେ ସୁନ୍ଦର ବଗିଚାଟିଏ ତା’ର । ବଗିଚା ଟପି ୟାଂଚାଂ ଏବଂ ଲିଲି ସଦର ଦରଜାରେ ପହଞ୍ଚିଗଲେ । କଲିଂ ବେଲ୍‌ ଟିପିଦେଇ ପ୍ରାୟ ମିନିଟିଏ ଅପେକ୍ଷା କଲାପରେ ଦରଜା ଫିଟିଲା । ଭିତରୁ ବାହାରିଆସିଲେ ଜଣେ ବୃଦ୍ଧ । ବୟସ ପ୍ରାୟ ସତୁରୀ ଉପରେ ହେବ । ୟାଂଚାଂ ତାଙ୍କ ସହିତ କରମର୍ଦ୍ଦନ କରୁ କରୁ କହିଲେ—‘‘ଏଇ ହେଉଛନ୍ତି ସେଇ ହତଭାଗିନୀ ମୁକ୍ତିକାମୀ ତରୁଣୀ ଯାହାଙ୍କ ବିଷୟ ମୁଁ ଆପଣଙ୍କୁ କହିଥିଲି ମିଷ୍ଟର ଫ୍ରେଡ଼ରିକ୍‌ ! ବର୍ତ୍ତମାନ ଆପଣ ୟାଙ୍କ ଦାୟିତ୍ୱରେ ରହିଲେ; ମୁଁ ଚାଲିଲି । ସମୟ ଅଳ୍ପ ଏବଂ ଦାୟିତ୍ୱ ବେଶି । ଆଚ୍ଛା, ଗୁଡ଼୍‌ନାଇଟ୍‌ ।’’

 

ଝଡ଼ପରି ସେଇ ଅନ୍ଧକାରରେ ମିଳାଇଗଲେ ୟାଂଚାଂ ।

 

ମିସ୍‍ ଲିଲି ସ୍ଥାଣୁଙ୍କ ପରି ଚାହିଁଥିଲେ ୟାଂଚାଂଙ୍କ ଗଲା ବାଟକୁ ।

 

—‘‘ଭିତରକୁ ଆ, ଝିଅ !’’ ମିଷ୍ଟର ଫ୍ରେଡ୍‍ରିକଙ୍କ ଡାକରେ ଚେତନା ଭାଙ୍ଗିଲା ମିସ୍‍ ଲିଲିଙ୍କର । ସେ ଫ୍ରେଡ୍‍ରିକଙ୍କ ପଛେ ପଛେ ଘରଭିତରକୁ ଗଲେ । ଫ୍ରେଡ଼୍‍ରିକ ଦରଜା ଭଲକରି ବନ୍ଦ କରିଦେଇ ଆସିଲେ । ମିଷ୍ଟର ଫ୍ରେଡ୍‍ରିକ ମିସ୍‍ ଲିଲିଙ୍କୁ ବସିବାପାଇଁ ଆସନ ଦେଇ କହିଲେ–‘‘ତୋର ଏଠି କିଛି ଭୟ ନାହିଁ । ଏ ସଂସାରରେ ମୁଁ ବ୍ୟତୀତ ମୋର କିଛି ନାହିଁ । ସ୍ତ୍ରୀ, ପୁତ୍ର, କନ୍ୟା ସମସ୍ତେ ଗୋଟି ଗୋଟି ହୋଇ ଅକାଳରେ ବିଦାୟ ନେଇଛନ୍ତି ମୋ’ଠାରୁ । ଏଇ ୟାଂଚାଂର ସହାୟତାରେ ମୁଁ ବଞ୍ଚିଛି କହିଲେ ଚଳେ । ସେ ଯେ କେଉଁ ଦେଶର ଲୋକ, କ’ଣ ତା’ର ପ୍ରକୃତି, କ’ଣ ତା’ର ଉଦ୍ଦେଶ୍ୟ—ମୁଁ କିଛି ଜାଣିପାରିନାହିଁ ଆଜିପର୍ଯ୍ୟନ୍ତ । ତେବେ ମୋର ଧାରଣା, ସେ ମନୁଷ୍ୟ ନୁହେଁ; ମନୁଷ୍ୟରୂପଧାରୀ ଦେବତା । ତୁ ତା’ର ପରିଚୟ ପାଇବୁ ନିଶ୍ଚୟ । ହଉ, ରାତି ଶେଷ ପ୍ରାୟ, ତୁ ଟିକେ ବିଶ୍ରାମ ନେବା ଦରକାର । ଆ, ମୋ ସାଙ୍ଗରେ ।’’ –ବୃଦ୍ଧ ଚାଲିଲେ ଆଗେ ଆଗେ । ତାଙ୍କ ପଛେ ପଛେ ମିସ୍‍ ଲିଲି ।

 

ବାହାରେ ଅନ୍ଧକାର ଭରି ରହିଥିଲା ଆଗପରି । ତା ସାଙ୍ଗକୁ ଭୀଷଣ ଥଣ୍ତା ଛାତି ଥରାଇଦେଉଥିଲା ।

 

X X X

 

କାର୍‌ରେ ବସି ୟାଂଚାଂ ହାତଘଣ୍ଟାକୁ ଚାହିଁ ଦେଖିଲେ—ତିନିଟା ବାଜି ପନ୍ଦର ମିନିଟ୍‌ । ତାଙ୍କ ଉପରେ ବଜ୍ର ପଡ଼ିଗଲା ଯେମିତି । ଆଉ ସମୟ କାହିଁ ? ସ୍ପଷ୍ଟ ଦିବାଲୋକରେ ଧରାପଡ଼ି ମରିବା କଥା । ଆଉ ହୁଏତ ଦେଢ଼ଘଣ୍ଟା ପରେ ରାତି ପାହିଯିବ । ତେଣିକି—? ତେଣିକି କ’ଣ ହେବ ତାଙ୍କୁ ଜଳ ଜଳ ଦିଶିଗଲା । ସେ ଚିନ୍ତା କରିପାରିଲେ ନାହିଁ ।

 

ପର ମୁହୂର୍ତ୍ତରେ ତାଙ୍କ ମନରେ ସାହସର ସଞ୍ଚାର ଦେଲା । ସେ ଭାବିଲେ ଦୟାମୟ ଈଶ୍ୱର କଠୋର କର୍ତ୍ତବ୍ୟପଥରେ ତାଙ୍କୁ ଏତେଦୂର ପର୍ଯ୍ୟନ୍ତ ଆଗେଇ ଆଣିଛନ୍ତି । ଆଜି ନିଶ୍ଚୟ ସହାୟ ହେବେ । ଉଦ୍ୟମ କଲେ ଅବଶ୍ୟ ସେ କୃତକାର୍ଯ୍ୟ ହେବେ । ତାଙ୍କୁ ଯେକୌଣସି ପ୍ରକାରେ ହେଉ କିଛି ସମୟ ବଳକା କରିବାକୁ ହେବ ।

 

ଡ୍ରାଇଭର ଗାଡ଼ି ଷ୍ଟ୍ରାର୍ଟ କରିବାକୁ ଯାଉଥିଲା, ୟାଂଚାଂଙ୍କ ନିର୍ଦ୍ଦେଶରେ ସେ ନିଜର ଆସନ ଛାଡ଼ି ପଛରେ ବସିଲା । ଚାଳକ ଆସନରେ ସ୍ୱୟଂ ୟାଂଚାଂ ବସି ଷ୍ଟିଅରିଂ ଧରିଲେ । ହୁ’ ହୁ’ ହୋଇ କାର୍‌ର ଗତି ବଢ଼ିବାକୁ ଲାଗିଲା—ଅଶୀ, ପଞ୍ଚାଅଶୀ, ନବେ, ଶହେ ।

 

ରାତିର ଶେଷ ପହର । କୁହୁଡ଼ି ମାଡ଼ିଆସୁଛି ଧୂଆଁ ପରି । କାର୍‌ର ହେଡ଼୍‌ଲଇଟ୍‌ ଦୁଇଟାର ତୀବ୍ର ଆଲୋକରେଖା ଭେଦିଯାଇଛି ତାରି ଭିତରେ । ଗୋଟାଏ ଉଲ୍‌କା ପରି ଛୁଟି ଯାଉଛି କାର୍‌ଟା । ପଛ ସିଟ୍‌ରେ ଡ୍ରାଇଭର ବିଚରା ପ୍ରମାଦ ଗଣୁଛି ପ୍ରତି ମୁହୂର୍ତ୍ତରେ । ଯାହାହେଉ, ନିର୍ଦ୍ଦିଷ୍ଟ ସମୟର ଅଧଘଣ୍ଟାଏ ପୂର୍ବରୁ କାର୍‌ଟା ଆସି ବ୍ରେକ୍‌କଲା ହୋଟେଲଠାରୁ ଖଣ୍ତେ ଦୂରରେ ଯେଉଁଠୁ ସେ ଯାତ୍ରା ଆରମ୍ଭ କରିଥିଲା । କାର୍‌ଭିତରୁ ୟାଂଚାଂ ଓହ୍ଳାଇପଡ଼ିଲେ । ସେହି ସଙ୍ଗେ ସଙ୍ଗେ ଡ୍ରାଇଭର ମଧ୍ୟ । ଅତିରିକ୍ତ ଥଣ୍ତା ଯୋଗୁ ୟାଂଚାଂ ହାତରେ ରବର ଗ୍ଳୋଭସ୍‌ ପିନ୍ଧିଥିଲେ । ନିଜର ପର୍ସ ଖୋଲି ସେ ଗୋଟାଏ ସୁନା ମୋହର ଈଷତ୍‌ ଚାପ ଦେଇ ଥୋଇଦେଲେ ଡ୍ରାଇଭର ହାତରେ । ସୁନା ମୋହରଟାଏ ଦେଖି ଡ୍ରାଇଭର ସ୍ୱର୍ଗରୁ ଖସିପଡ଼ିଲା ଯେମିତି । ଖୁବ୍‍ ବେଶିରେ ଯେତେ ବକ୍‌ସିସ ସେ ଆଶା କରିଥିଲା, ୟେ ତା’ଠାରୁ ବହୁଗୁଣରେ ବେଶି । ବିନା ବାକ୍ୟ ବ୍ୟୟରେ ମୋହରଟାକୁ ପକେଟରେ ପୂରାଇ ସେ କାର୍‌ରେ ଷ୍ଟାର୍ଟ ଦେଇ ଛୁଟିଚାଲିଲା ଆଗକୁ । ୟାଂଚାଂ ହୋଟେଲ ପଛପଟେ ସେଇ ଅରମା ଦେଇ ଆଗେଇ ଚାଲିଲେ ।

 

ଦଉଡ଼ାଟି ଝୁଲୁଥିଲା ପୂର୍ବପରି । ଅଭ୍ୟସ୍ତଙ୍କ ପରି ସେଇଟାକୁ ଧରି ଖପ୍‌ ଖପ୍‌ କରି ଉଠିଗଲେ ସେ ଉପରକୁ । ମିସ୍‍ ଲିଲିଙ୍କର କୋଠରୀରେ ପହଞ୍ଚି ଦଉଡ଼ାଟି ଉଠାଇନେଲେ ଉପରକୁ-। ରେଲିଂ ଗୁଡ଼ିକ ଖୁବ୍‍ କୌଶଳର ସହିତ ସଜାଡ଼ିଦେଲେ ଯେପରି ଥିଲା ଆଗରୁ । ତା ପରେ ପାଦ ଚିପି ଚିପି ସବା ଉପର ମହଲାରୁ ଦ୍ୱିତୀୟ ମହଲାରେ ନିଜ କୋଠରୀକୁ ଚାଲିଆସିଲେ-। କୋଠରୀର ଦ୍ୱାର ଭଲଭାବରେ ଭିତରୁ ବନ୍ଦ କରିଦେଇ ଭଗବାନଙ୍କୁ ମନେ ମନେ ନମସ୍କାର କଲେ-

 

ଏତେ ପ୍ରଚଣ୍ତ ଶୀତରେ ବି ତାଙ୍କର ପୋଷାକପତ୍ର ସବୁ ଝାଳରେ ଓଦା ହୋଇଯାଇଥିଲା-। ସେଗୁଡ଼ାକ ଖୋଲିପକାଇ ରାତ୍ରି ଗାଉନଟା ପିନ୍ଧିପକାଇଲେ । ମାତ୍ର କେତୋଟି ମିନିଟ୍‌ ପରେ ସେ ନିଜକୁ ପୁରା ସଂଯତ ବୋଧକଲେ । ସାଧାରଣ ଭାବରେ ସବୁଦିନେ ସେ ଯେପରି ଭାବରେ ଶୁଅନ୍ତି, ସେଦିନ ବି ଶୋଇଗଲେ ସେହିପରି ।

 

ବାହାରେ ଆକାଶ ଅଳ୍ପ ଅଳ୍ପ ପରିଷ୍କାର ହୋଇ ପାହାନ୍ତି ପହର ସୂଚନା ଦେଉଥିଲା । କିନ୍ତୁ କୁହୁଡ଼ି ଆହୁରି ଜୋର୍‌ରେ ଘନେଇ ଆସିଥିଲା ।

 

X X X

 

ପରଦିନ ଖୁବ୍‍ ସକାଳୁ ଗୋଟାଏ ଚାଞ୍ଚଲ୍ୟକର ଘଟଣାକୁ କେନ୍ଦ୍ର କରି ପେକିଂ ସହରସାର ମହା ହୈ ଚୈ ସୃଷ୍ଟି ହୋଇଥିଲା । ଘଟଣାଏ ହେଉଛି ଯେ—ସେଦିନ ଖୁବ୍‍ ସକାଳୁ ଝାଡ଼ୁଦାରମାନେ ରାସ୍ତା ଝାଡ଼ୁ ଦେବାକୁ ଆସି ଦେଖନ୍ତି ତ ଠିକ୍‍ ମେନ୍‌ରୋଡ଼ର ମଝାମଝିରେ କଳାରଙ୍ଗର କାର୍‌ଟାଏ ଥୁଆ ହୋଇଛି । ପାଖକୁ ଆସି ଦେଖନ୍ତି ତ ଡ୍ରାଇଭର ଷ୍ଟିଅରିଂ ଉପରେ ମୁଣ୍ତଟି ରଖି ବେଶ୍‌ ଆରମରେ ଶୋଇଯାଇଛି । ରାସ୍ତାମଝିରେ ଏପରିଭାବରେ ଗାଡ଼ି ରଖିବା ଅବଶ୍ୟ ବେଆଇନ କଥା । ପୋଲିସ୍‌ ଆସିଲେ ଡ୍ରାଇଭର ବିଚରା ହଇରାଣ ହେବ । ବରଂ ତାକୁ ଉଠାଇଦେଇ କାର୍‌ଟାକୁ ଷ୍ଟାଣ୍ତକୁ ନେବାପାଇଁ କହିବାକୁ ସେମାନେ ଖୁବ୍‍ ଡକାଡକି କଲେ । ମାତ୍ର ଡ୍ରାଇଭର ନିଦ ଭାଙ୍ଗିଲା ନାହିଁ । ଏମାନେ ଭାବିଲେ, ବୋଧହୁଏ ଅତିରିକ୍ତ ମଦ୍ୟହେତୁ ଡ୍ରାଇଭର ବାବୁଙ୍କର ଏ ଅବସ୍ଥା ହୋଇପଡ଼ିଛି । ସେମାନଙ୍କ ଭିତରୁ ଜଣେ ତାକୁ ଟିକିଏ ହଲାଇ ଦେଲା । ହଲଇ ଦେଲାମାତ୍ରେ ସେଇଠି ଡ୍ରାଇଭରର ଦେହଟି ଟଳିପଡ଼ିଲା ତଳକୁ ।

 

ତା’ପରେ ହୈଚୈ ଆରମ୍ଭ ହୋଇଗଲା । ପୋଲିସ୍‌ ଆସିଲେ । ବଡ଼ ବଡ଼ ଅଫିସର ଆସିଲେ । ତନାଘନା ଅନୁସନ୍ଧାନ ଆରମ୍ଭ ହେଲା । ଡ୍ରାଇଭରର ଖାନ୍‌ ତଲସି ହେଲା ଦେଖାଗଲା, ପକେଟରୁ ମାତ୍ର ଗୋଟିଏ ସୁନା ମୋହର ଆଉ କିଛି ଖୁଚୁର ପଇସା ଛଡ଼ା ଆଉ କିଛି ମିଲିଲା ନାହିଁ-। ଏଟା ହତ୍ୟା କି ମୁତ୍ୟୁ କିମ୍ୱା ଅପମୁତ୍ୟୁ, ତାହା କେହି ସ୍ଥିର କରିପାରିଲେ ନାହିଁ । ଶେଷକୁ ପୋଷ୍ଟମର୍ଟମ୍‌ପାଇଁ ଲାସ୍‌ଟାକୁ ପଠାଇଦିଆଗଲା ।

 

ଏହି ଘଟଣାର ପ୍ରାୟ ଦୁଇଘଣ୍ଟା ପରେ ହୋଟେଲ ଭିତରୁ ହୈଚୈର ସୂତ୍ରପାତ ହେଲା । ମିସ ଲିଲି ଅଦୃଶ୍ୟ । ହୋଟେଲର ଅନ୍ଦି, କନ୍ଦି, ବଗିଚା ସବୁଆଡ଼ ଖୋଜାଗଲା । କେଉଁଠି କିଛି ନାହିଁ-। ମିସ ଲିଲି ସ୍ୱଇଚ୍ଛାରେ ପଳାଇଯାଇଛି କିମ୍ୱା ତାକୁ ଅପହରଣ କରି ନିଆଯାଇଛି, ତାହା ହିଁ ହେଲା ବିରାଟ ପ୍ରଶ୍ନ ସମସ୍ତଙ୍କ ନିକଟରେ ।

 

ଘଟଣାସ୍ଥଳରେ କ୍ରମେ ଲୋକଗହଳି ବଢ଼ୁଥିଲା ।

 

ଷୋହଳ

 

‘‘ରହସ୍ୟମୟ ଅପହରଣ ଓ ହତ୍ୟାକାଣ୍ତ !’’

‘‘ଗତକାଲି ପେକିଂ ସହରରେ ଏକ ରହସ୍ୟମୟ ଘଟଣା ଘଟିଯାଇଛି । ବିବରଣୀରୁ ଜଣାଯାଇଥିବା ପ୍ରକାଶ ଯେ, ଗଲା କାଲି ଖୁବ୍‍ ସକାଳୁ ପେକିଂ ପୋଲିସ ରାସ୍ତା ଉପରୁ ଗୋଟାଏ କାର୍‌ ଆବିଷ୍କାର କରିଥିଲେ । କାର୍‌ର ଚାଳକ ନିଜ ଆସନରେ ମୃତ ଅବସ୍ଥାରେ ପଡ଼ିଥିବାର ଲକ୍ଷ୍ୟ କରାଯାଇଥିଲା ।

ମୃତ ଡ୍ରାଇଭରର ପକେଟରୁ ଗୋଟିଏ ସୁନା ମୋହର ଓ କିଛି ଖୁଚୁରା ପଇସା ମିଳିଥିଲା । କୌଣସି କାରଣ ନିର୍ଣ୍ଣୟ କରି ନ ପାରି ଲାସ୍‌ଟିକୁ ଡାକ୍ତରୀ ପରୀକ୍ଷା କରାଯାଇ ଜଣାଯାଇଛି ଯେ, ଡ୍ରାଇଭର ଦେହରେ ଅତି ଉତ୍କଟ ବିଷ ପ୍ରୟୋଗ କରାଯିବା ଫଳରେ ଏପରି ଘଟିଛି । ବିଷ କି ଉପାୟରେ ପ୍ରୟୋଗ କରାଗଲା, ତା’ର କାରଣ ଅନୁସନ୍ଧାନ କରିବା ଦ୍ୱାରା ଜଣାଯାଇଛି ଯେ, ସୁନା ମୋହର ଉପରେ ଅତି ଉତ୍କଟ ବିଷର ପୁଟ ଦିଆଯାଇଥିଲା । ମୋହରର ଧାର କଟାଯାଇ ଛୁଞ୍ଚିମୁନ ପରି ଟିକିଏ ମୁନ ବାହାରିଥିଲା । ଅନୁମାନ କରାଯାଏ, ଡ୍ରାଇଭର ମୋହରଟିକୁ ଧରିବା ସମୟରେ ସେହି ମୁନ ଦ୍ୱାରା ତା ଦେହରେ ବିଷ ପ୍ରବେଶ କରିଛି ।

ଯେଉଁଦିନ ରାତିରେ ଏହିଦିନ ଘଟଣା ଘଟିଛି, ସେହିଦିନ ପେକିଂ ହୋଟେଲରୁ ଜଣେ ରୂପସୀ ତରୁଣୀକୁ ଅପହରଣ କରାଯାଇଛି । ଡ୍ରାଇଭରର ହତ୍ୟାକାଣ୍ତ ସହିତ ଏହି ଘଟଣା ଜଡ଼ିତ ବୋଲି ସନ୍ଦେହ କରାଯାଉଛି । ପୋଲିସ ପକ୍ଷରୁ ତନାଘନା ଅନୁନନ୍ଧାନ ଚାଲିଛି ।’’

ସମ୍ୱାଦଟି ଉପରେ ଆଖି ବୁଲାଇଦେଇ ସେଦିନର ଖବରକାଗଜଟାକୁ ୱେଷ୍ଟପେପ୍‌ର ବାସ୍କେଟ୍‌ ଭିତରକୁ ପକାଇଦେଲେ; ତା ପରେ କିଛି ସମୟ ପାଇଁ ଖୁବ୍‍ ଚିନ୍ତିତ ହୋଇ ଇଜି ଚେୟାରଟାକୁ ଆଉଜି ବସିସଡ଼ିଲେ ୟାଂଚାଂ ।

ସବା ଉପର ମହଲାରେ ପୋଲିସ୍‌ ଏବଂ ଗୋଇନ୍ଦାମାନଙ୍କର ତନାଘନା ତଦନ୍ତ ଆଉ ଖାନ୍‌ ତଲସି ଚାଲିଥିଲା । ହୋଟେଲର ପ୍ରତ୍ୟେକ ବୋର୍ଡ଼ରଙ୍କର କୋଠରୀ ଏବଂ ଜିନିଷପତ୍ର ଖାନତଲାସ କରାଯାଇଥିଲା । ୟାଂଚାଂ ମଧ୍ୟ ବାଦ୍‌ପଡ଼ି ନ ଥିଲେ ସେଥିରୁ । କିନ୍ତୁ ତାଙ୍କର ପରିଚୟପତ୍ର ଦେଖି ଖାନତଲସ କରିବା ତ ଦୂରର କଥା, ବରଂ ଗୋଇନ୍ଦା ଓ ପୋଲିସମାନେ ସସଂଭ୍ରମେ ଅଭିବାଦନ କରି ଆଡ଼େଇଯାଇଥିଲେ । କାରଣ, ତାଙ୍କର ଉଚ୍ଚ ସାମରିକ ଗୁପ୍ତଚର ଅଫିସର ଭାବରେ ପରିଚୟ ପତ୍ର ଥିଲା । ଅଧିକନ୍ତୁ ତଦନ୍ତକାରୀ ଅଫିସରମାନେ ତାଙ୍କର ନିର୍ଦ୍ଦେଶ ଅନୁସାରେ ତଦନ୍ତ ଆରମ୍ଭ କଲେ । ସାରାଦିନ ତଦନ୍ତ କରି ସୁଦ୍ଧା କିଛି ହେଲେ କ୍ଲୁ ମିଳିଲା ନାହିଁ । ସମୁଦାୟ ଘଟଣାଟାର ଚେର କେତେ ଦୂରଯାଏ ଯାଇଛି, ତାହା ରହସ୍ୟାବୃତ ହୋଇ ରହିଲା ସମସ୍ତଙ୍କ ନିକଟରେ ।

କ୍ରମେ ସନ୍ଧ୍ୟା ଉତ୍ତୀର୍ଣ୍ଣ ହେଲା । ସବୁଦିନ ସନ୍ଧ୍ୟା ପରି ସେ ଦିନ ସନ୍ଧ୍ୟାରେ ଜନଗହଳି ନ ଥିଲା ଆଦୌ ହୋଟେଲରେ । କିପରି ଗୋଟାଏ ଗାମ୍ଭୀର୍ଯ୍ୟପୂର୍ଣ୍ଣ ବାତାବରଣ ଘେରି ରହିଥିଲା ହୋଟେଲଟାକୁ ।

ଦୀର୍ଘ ସମୟ ଧରି ଗୋଟାଏ ଜାଗାରେ ବସିରହି ୟାଂଚାଂ ଗଭୀର ଚିନ୍ତାମଗ୍ନ ରହିଲା ପରେ ଆସନ ତ୍ୟାଗ କରି ଉଠିଲେ । ପାଖ ଟେବୁଲ ନିକଟରେ ଠିଆ ହୋଇ ସେ ଫୋନ୍‌ ଡାଏଲ ଘୁରାଇଲେ । କେଇଟି ମୁହୂର୍ତ୍ତ ମଧ୍ୟରେ ରିସିଭରରୁ ଭାସିଆସିଲା ମାର୍ଶାଲ ଚେନ୍‍-ଲିଙ୍କର କଣ୍ଠସ୍ୱର–

‘‘ହାଲେ......... !’’

‘‘ମୁଁ ୟାଂଚାଂ । ଗୁଡ଼୍‌ନାଇଟ୍‌ ।’’

‘‘......................’’

‘‘ନା, ନା, ଆସିପାରନ୍ତି । ମୁଁ ତ ଭାବୁଥିଲି ଆପଣଙ୍କ ବଙ୍ଗ୍‌ଲୋକୁ ଯାଇ ସାକ୍ଷାତ କରିବାପାଇଁ ।’’

‘‘..................’’

‘‘ଆଚ୍ଛା ! ମୁଁ ଅପେକ୍ଷା କରୁଛି’’—ଫୋନ୍‌ ରିସିଭର ରଖି ବୟକୁ ଡାକିବା ଉଦ୍ଦେଶ୍ୟରେ କଲିଂ ବେଲ୍‌ ଟିପିଲେ ୟାଂଚାଂ । ଅଳ୍ପ ସମୟ ମଧ୍ୟରେ ହୋଟେଲ ବୟ ଆସି ହାଜର ହେଲା । ୟାଂଚାଂ ଖୁବ୍‍ ଚାପା ଗଳାରେ ତାକୁ କେତେକ ନିର୍ଦ୍ଦେଶ ଦେଇ ବିଦାୟ ଦେଲେ ।

ୟାଂଚାଂ ଟେଲିଫୋନ ପାଇଲା ପରେ ଆଉ ସ୍ଥିର ହୋଇ ବସିପାରିଲେ ନାହିଁ । ପ୍ରତି ମୁହୂର୍ତ୍ତ ତାଙ୍କୁ ଯୁଗ ପରି ଜଣାଯାଉଥିଲା । ସମୟ କଟାଇବାପାଇଁ ସେ କୋଠରୀର ବାରଣ୍ତାରେ ଏପଟ ସେପଟ ହୋଇ ଟହଲ ମାରିବା ସଙ୍ଗେ ସଙ୍ଗେ ମାର୍ଶାଲଙ୍କୁ ଅପେକ୍ଷା କରିବାକୁ ଲାଗିଲେ ।

ପ୍ରାୟ ପନ୍ଦର ମିନିଟ୍‌ପରେ ମାର୍ଶାଲ ଚେନ୍‍-ଲି ସଶରୀରେ ବିରାଜମାନ ହେଲେ ସେଇ ମହଲାରେ । ତାଙ୍କୁ ଖଣ୍ତେଦୂରରୁ ଯାଇ ୟାଂଚାଂ ପାଛୋଟି ଆଣିଲେ । ୟାଂଚାଂ ସେଦିନ ଚେନ୍‍-ଲିଙ୍କୁ ସନ୍ତୁଷ୍ଟ କରିବା ଦିଗରେ ଖୁବ୍‍ ତତ୍ପର ଥିଲା ପରି ଜଣାଯାଉଥିଲେ ।

 

ୟାଂଚାଂଙ୍କ କୋଠରୀର ଗୋଟିଏ ସୋଫା ଉପରେ ମାର୍ଶାଲ ଆସନ ଗ୍ରହଣ କଲେ । ତାଙ୍କ ମୁଖମଣ୍ତଳରେ ପରାଜୟ ଓ ଅପମାନର ଗ୍ଳାନି ସ୍ପଷ୍ଟ ବାରିହେଉଥିଲା । ହଠାତ୍ ତାଙ୍କର ଦୃଷ୍ଟି ପଡ଼ିଲା ୱେଷ୍ଟପେପର ବାସ୍କେଟର ସେଇ ସମ୍ୱାଦପତ୍ରଟା ଉପରେ । ମିସ୍‍ ଲିଲିର ଅପହରଣ ସମ୍ବାଦର ବଡ଼ ହେଡ଼ିଂଟା ସାମନାଆଡ଼କୁ ଦେଖାଯାଉଥିଲା । ସେ ହାତ ବଢ଼ାଇ କାଗଜଟାକୁ ଟାଣି ଥରେ ଆଖି ବୁଲାଇନେଲେ ତା ଉପରେ । ବିଶଦ ବିବରଣୀ ସେ ଖୁବ୍‍ ଭଲଭାବରେ ଜାଣିଥିଲେ ପୂର୍ବରୁ । ବର୍ତ୍ତମାନ କେବଳ କାଗଜଟା ଦେଖିଲାମାତ୍ରେ ପୂର୍ବ କଥାକୁ ଥରେ ସ୍ମରଣ କଲେ ମାତ୍ର ।

 

ତାଙ୍କର ମନୋଭାବ ଲକ୍ଷ୍ୟ କରି ୟାଂଚାଂ କହିଲେ—‘‘ଘଟଣାଟା ଯେତେ ଜଟିଳ, ସେତିକି ରହସ୍ୟମୟ ମଧ୍ୟ ।’’

 

—‘‘ମୁଁ ସେଥିଲାଗି ଚିନ୍ତିତ ନୁହେଁ । କେବଳ ଲିଲି ପାଇଁ ମୋର ଭାବିବାର କଥା । ମୋର ଆୟତ୍ତରୁ ବାହାରକୁ ବାହାରିଯିବା ତା’ର ସାଧ୍ୟର ଅତୀତ ଥିଲା । କେହି ମଧ୍ୟ ତାକୁ ଏଠୁ ନେଇଯିବାକୁ ସହଜରେ ସାହସ କରନ୍ତା ନାହିଁ । ତେବେ ଯେକୌଣସି ଉପାୟରେ ହେଉ, ତା’ର ଖବର ଯଦି ମୁଁ ପାଆନ୍ତି, ତେବେ ତାକୁ ଏପରି ଦଣ୍ତ ଦିଅନ୍ତି, ଯେଉଁଟା କି କିଛିଦିନ ପାଇଁ ଲୋକଙ୍କର ଭୀତି ସଞ୍ଚାର କରନ୍ତା ।’’ ଚେନ୍‍-ଲି କ୍ରମେ ଉତ୍ତ୍ୟକ୍ତ ହୋଇଉଠୁଥିଲେ ।

 

—‘‘ମିସ୍‍ ଲିଲି ଅପହୃତ ନିଶ୍ଚୟ । ଅବଶ୍ୟ ବର୍ତ୍ତମାନ ସେ ଜୀବିତ ବା ମୃତ, ତାହା ମୁଁ କହିପାରୁନାହିଁ । କାରଣ ଆପଣଙ୍କ ଅନୁଗ୍ରହରେ ମିସ୍‍ ଲିଲି ମହାସୁଖରେ ଥିଲା, ଏକଥା ସେ ମୋତେ ବହୁବାର କହିଛି । ସେପରିସ୍ଥଳେ ସେ ଯେ ସ୍ୱେଚ୍ଛାରେ ଏଠୁ ଚାଲିଯାଇଛି, ତାହା ମୁଁ ବିଶ୍ୱାସ କରିପାରୁନାହିଁ । ସ୍ୱେଚ୍ଛାରେ ଯଦି ସେ ଯାଇଥାନ୍ତା, ତେବେ ତା’ର ଯାବତୀୟ ମୂଲ୍ୟବାନ ଅଳଙ୍କାରାଦି ନେଇଯାଇଥାନ୍ତା । ମାତ୍ର ସେସବୁ ରହିଛି । ପୁନଶ୍ଚ, ଟ୍ୟାକ୍‌ସି ଡ୍ରାଇଭରର ହତ୍ୟା ରହିଛି ଏହା ପଛରେ । ଘଟଣା ସୁସ୍ପଷ୍ଟ ଯେ, ସେହି ଟ୍ୟାକ୍‌ସିରେ ମିସ୍‍ ଲିଲିକୁ ଗତି ରାତିରେ ହରଣଚାଳ କରାଯାଇଛି । ଟ୍ୟାକ୍‌ସିବାଲା ସ୍ଥାନଟା ଦେଖିଥିବ ନିଶ୍ଚୟ । ମାତ୍ର ତାକୁ ସୁନା ମୋହର ବକ୍‌ସିସ୍‌ ଦେବା ବାହାନାରେ ସବୁଦିନ ପାଇଁ ତା’ର ମୁହଁ ବନ୍ଦ କରିଦିଆଯାଇଛି ।’’

 

‘‘ହୁଁ ! ସେଇ ରିପୋର୍ଟ ତ ପୋଲିସ ଦେଉଛି ।’’ –ଗମ୍ଭୀର ଭାବରେ କହିଲେ ମାର୍ଶାଲ ଚେନ୍‍-ଲି ।

 

ଏତିକିବେଳେ ଦୁଇଜଣ ବୟ ଦୁଇଟି ସ୍ୱତନ୍ତ୍ର ଟ୍ରେରେ ଖାଦ୍ୟ ଏବଂ ପାନୀୟ ଆଣି ରଖିଦେଇଗଲେ ଟେବୁଲ ଉପରେ । ୟାଂଚାଂଙ୍କ ଅନୁରୋଧକ୍ରମେ ମାର୍ଶାଲ ଚେନ୍‍-ଲି ଖାଦ୍ୟ ଓ ପାନୀୟର ସଦ୍‌ବ୍ୟବହାର କରିବାରେ ଲାଗିଲେ । ଉଗ୍ର ପାନୀୟ ସେବନ ଫଳରେ ତାଙ୍କର ମାନସିକ ଅବସାଦ ଲୋପ ପାଇଗଲା ମାତ୍ର କେତୋଟି ମିନିଟ୍‌ ମଧ୍ୟରେ । ଭୋଜନ ଶେଷରେ ଚରୁଟଟାଏ ଧରାଇ ବେଶ୍‌ ସୁସ୍ଥ ଭାବରେ ଆସନରେ ବସିଲେ ସେ ।

 

ସୁଯୋଗ ସମୟ ଦେଖି ୟାଂଚାଂ କହିଲେ–‘‘ମିସ୍‍ ଲିଲିର ଯାବତୀୟ ଅଳଙ୍କାର ମୁଁ ସିଲ୍‌ କରାଇ ରଖିଛି । ସେ ସମସ୍ତ ତାକୁ ଉପହାର ସୂତ୍ରରେ ଆପଣ ଦେଇଛନ୍ତି ବୋଲି ମୁଁ ସାକ୍ଷ୍ୟ ଦେଇଛି । ତେଣୁ ଉତ୍ତରାଧିକାରୀ ସୂତ୍ରରେ ସେସବୁର ମାଲିକ ଆପଣ । କାଲି ସେସବୁ ପୋଲିସଠାରୁ ଆପଣ ପାଇଯିବେ ବୋଧହୁଏ ।’’

 

—‘‘ସତେ ? ସେତ ବହୁତଗୁଡ଼ାଏ ମୂଲ୍ୟବାନ ଅଳଙ୍କାର !’’ ଚେନ୍‍-ଲି କହିବା ସଙ୍ଗେ ସଙ୍ଗେ ଚିନ୍ତା କଲେ ସେ ସବୁ ଅନ୍ତତଃ ଲକ୍ଷେ ଟଙ୍କାରୁ ଊଣା ହେବ ନାହିଁ । ସେଥିରୁ ଗୋଟିଏ ହେଲେ କେବେ ମାର୍ଶାଲ ଦେଇନାହାନ୍ତି ତାକୁ । ଜଣେ ବେଶ୍ୟା ହିସାବରେ ବହୁ ଧନୀ ବ୍ୟକ୍ତିଙ୍କ ସହିତ ଲିଲିର ସମ୍ପର୍କ ଥିଲା ଏବଂ ସେମାନଙ୍କଠାରୁ ଏହି ଅଳଙ୍କାରଗୁଡ଼ିକ ସେ ଉପହାର ପାଇଥିଲା-। ବର୍ତ୍ତମାନ ୟାଂଚାଂଙ୍କ ବୁଦ୍ଧିରେ ସେ ଏତେଗୁଡ଼ାଏ ସମ୍ପତ୍ତିର ମାଲିକ ହୋଇପାରିଛନ୍ତି ଭାବି ଆନନ୍ଦରେ କୁରୁଳିଉଠିଲେ ଏବଂ ୟାଂଚାଂଙ୍କ ପ୍ରତି ମନେ ମନେ ଖୁବ୍‍ ସନ୍ତୁଷ୍ଟ ହୋଇଗଲେ-। ୟାଂଚାଂ ଯେ ତାଙ୍କର ଜଣେ ହିତାକାଙ୍‌କ୍ଷୀ ଏହି ଧାରଣା ତାଙ୍କ ମନରେ ଦୃଢ଼ୀଭୂତ ହୋଇଗଲା-। ମନେ ମନେ ସେ ଗୋଟାଏ ବିଳାସବ୍ୟସନପୂର୍ଣ୍ଣ ଭବିଷ୍ୟତ ଜୀବନଯାପନର ସ୍ୱପ୍ନ ଦେଖିବାକୁ ଲାଗିଲେ-। ମିସ୍‍ ଲିଲିର ମୂଲ୍ୟବାନ ଅଳଙ୍କାରଗୁଡ଼ିକ ଉପରେ ତାଙ୍କର ଲୋଲୁପ ଦୃଷ୍ଟି ପଡ଼ିଥିଲା ବହୁଦିନରୁ, ମାତ୍ର ସୁବିଧା ଓ ସୁଯୋଗ ଅଭାବରୁ ଆଶା ତାଙ୍କର ଆଶାରେ ହିଁ ଥିଲା ଏତେ ଦିନ ପର୍ଯ୍ୟନ୍ତ ।

 

ତାଙ୍କର ବିହ୍ୱଳ ଭାବକୁ ଭଲ ଭାବରେ ଲକ୍ଷ୍ୟ କରିନେଇଥିଲେ ୟାଂଚାଂ । ସେ ଆଉ ଗୋଟାଏ ଗ୍ଳାସ୍‌ ଅଜାଡ଼ିଦେଲେ ତାଙ୍କ ଆଗରେ । ମାର୍ଶାଲ ସାହେବ ଗ୍ଳାସଟାକୁ ଉଠାଇନେଇ ପୁଣି ଟେବୁଲ ଉପରେ ରଖିଦେଇ କହିଲେ—‘‘ନା, ଥାଉ ।’’

 

ୟାଂଚାଂଙ୍କର ବିସ୍ମୟର ସୀମା ରହିଲା ନାହିଁ । ସେ ପଚାରିଲେ–‘‘କାହିଁକି ? ଆଜି ନୂଆ କଥା !’’

 

‘‘ଆଜି ବାରୁଦ ଡିପୋଟା ଚେକ୍‌ କରିବା କଥା, ମିଷ୍ଟର ୟାଂଚାଂ ! ହୁଏତ ଦୁଇଚାରି ଦିନ ମଧ୍ୟରେ ଆମର ରେଗୁଲାର ଆର୍ମି ହିନ୍ଦୁସ୍ଥାନ ଉପରେ ଆକ୍ରମଣ ଆରମ୍ଭ କରିଦେବେ । ସେମାନେ ଯିବା ସଙ୍ଗେ ସଙ୍ଗେ ଗୁଳିଗୋଳା ଯିବ । ତେଣୁ ତା’ର ପରିମାଣ ଟିକିଏ ଦେଖିବା ଦରକାର ।’’

 

—‘‘ଆପଣ କାହିଁକି ? ସି:ଆଈ:ଡି: ଅଫିସର ହିସାବରେ ସେ କାମଟା ମୋର । ମୁଁ ଦେଖିଆସି ଆପଣଙ୍କୁ ରିପୋର୍ଟ କରିବି । ଆପଣ ତାକୁ ସୁପାରିଶ କରିବେ ।’’

 

—‘‘ହଁ, ତା ବି ଚଳିପାରେ । ମୁଁ ବି ଖୁବ୍‍ କ୍ଳାନ୍ତି ଅନୁଭବ କରୁଚି ଆଜି । ଆପଣ ତେବେ ଆଜି ଯାଆନ୍ତୁ, ମୁଁ ବର୍ତ୍ତମାନ ଫୋନ୍‌କରି ସେଠିକୁ ଜଣାଇଦେଉଛି ।’’

 

—‘‘କିନ୍ତୁ ଆଉ ଗୋଟିଏ କଥା । ଆପଣଙ୍କୁ ବର୍ତ୍ତମାନ ହିନ୍ଦୁସ୍ଥାନ ଆକ୍ରମଣ ଅନ୍ତତଃ ଦୁଇ ଚାରି ଦିନ ବନ୍ଦ ରଖିବାକୁ ହେବ । ମୁଁ କାଲି ରାତି ବାରଟାରେ ହିନ୍ଦୁସ୍ଥାନ ଯିବି । ଫେରିବି ଠିକ୍‍ ଚାରିଦିନ ପରେ । ଗୋଟାଏ ସାଉଣ୍ତ ପ୍ରୁଫ୍‌ ‌ହେଲିକୋପ୍‌ଟର ନେଇ ଏକା ଯିବି । କିନ୍ତୁ ମୋ ଫେରିବା ପୂର୍ବରୁ ଯଦି ଆପଣ ଆକ୍ରମଣ ଆରମ୍ଭ କରିଦିଅନ୍ତି, ତେବେ ତ ମୁଁ ଫେରିପାରିବି ନାହିଁ !’’

 

—‘‘ତେବେ କ’ଣ କହୁଛନ୍ତି ଆପଣ ?’’ ଅର୍ଦ୍ଧମୁଦ୍ରିତ ଚକ୍ଷୁକୁ ଈଷତ୍‌ଖୋଲି ପଚାରିଲେ ଚେନ୍‍-ଲି ।

 

—‘‘ମୋର ଫେରିବା ପର୍ଯ୍ୟନ୍ତ ଆକ୍ରମଣ ସ୍ଥଗିତ ରଖାଯାଉ । ବରଂ ସବୁପ୍ରକାର ପ୍ରସ୍ତୁତି ଭଲଭାବରେ ହୋଇଯାଉ ୟା ମଧ୍ୟରେ । ଆଉ ମୋ ପାଖରେ ବର୍ତ୍ତମାନ ଛ’ ଖଣ୍ତି ହୀରା ଅଛି । ସେଗୁଡ଼ିକ ମୁଁ ଆପଣଙ୍କ ଜିମା ଦେଉଛି । ଯଦି ଫେରିଲି ତ ଭଲ । ନାଇଁ ଯଦି ଦୈବାତ୍‌ ଧରାପଡ଼ିଲି, ସେ ଆପଣଙ୍କର ।’’

 

—‘‘ଆହା, ଭଗବାନ ତା ନ କରନ୍ତୁ, ମିଷ୍ଟର ୟାଚାଂ !’’

 

ୟାଂଚାଂ ନିଜର ଲେଦର ବ୍ୟାଗ୍ ଖୋଲି ଛଅଖଣ୍ତି ବିଭିନ୍ନ ବର୍ଣ୍ଣର ଉଜ୍ଜ୍ୱଳ ହୀରା ରଖିଲେ ଟେବୁଲ ଉପରେ । ଲୋଲୁପ ଚେନ୍‍-ଲି ତାକୁ ଦେଖିଲାମାତ୍ରେ ଆଖି ଦୁଇଟା ତାଙ୍କର ଚକ୍‍ ଚକ୍‍ କରିଉଠିଲା । ସେ ମନେ ମନେ ଭାବୁଥିଲେ—‘‘ଭଗବାନ ସେୟା କରନ୍ତୁ, ଯାହା ତୁମେ ପଛରେ କହିଲ ।’’

 

ୟାଂଚାଂ କହିଲେ—‘‘ମୁଁ ବର୍ତ୍ତମାନ ପ୍ରସ୍ତୁତ ହୁଏଁ । କାରଣ ଆଉ ସମୟ ଅଧିକ ନାହିଁ ।’’

 

ଚେନ୍‍-ଲି ଥୋଇଦେଇଥିବା ଗ୍ଳାସ୍‍ଟାର ସଦ୍‍ବ୍ୟବହାର କରି ଉଠିଲେ—‘‘ହଁ, ମୁଁ ବି ବଙ୍ଗ୍‌ଲୋରୁ ସେଠାକୁ ଫୋନ୍‍କରି ଦେଉଛି, ଆଉ ମୋର ଡ୍ରାଇଭରକୁ ଗାଡ଼ି ଦେଇ ପଠାଉଛି । ଆଉ ଗୋଟିଏ କଥା–ଆପଣଙ୍କର ପରିଚୟପତ୍ର ନେବାକୁ ଯେପରି ଭୁଲି ନ ଯାଆନ୍ତି ।’’

 

ୟାଂଚାଂ ମୁଣ୍ତ ହଲାଇ ସମ୍ମତି ଜଣାଇଲେ ।

 

ମାର୍ଶାଲ ଚେନ୍‍-ଲି ହୀର କେତେଖଣ୍ତିକୁ ଯତ୍ନର ସହିତ କୋଟ୍‌ ପକେଟରେ ପୂରାଇ ଟଳ ଟଳ ହୋଇ ବାହାରିଗଲେ ।

 

ୟାଂଚାଂ ତାଙ୍କ ଗଲା ବାଟକୁ ଚାହିଁ ଖୁବ୍‍ ଚାପା ହସ ହସିଲେ କିଛି ସମୟ ପର୍ଯ୍ୟନ୍ତ ।

 

ସତର

 

ରାତି ବାର..........

 

ଖୁବ୍‍ ବେଗରେ ଗୋଟିଏ ଜିପ୍‍ ଆସି ବ୍ରେକ୍‌ କଲା ହୋଟେଲ ସାମନାରେ । ଠିକ୍‍ ସେତିକିବେଳେ ସଦର ଦରଜା ଦେଇ ବାହାରି ଆସିଲେ ଆର୍ମି ସି.ଆଇ.ଡି. ଅଫିସର ୟାଂଚାଂ । ଦେହରେ ପୂରା ସାମରିକ ପୋଷାକ । ମୁଣ୍ତରେ ଟୋପି । ଛାତି ଏବଂ ଟୋପିରେ ଚାନ୍ଦୀ ଚକ୍‌ ଚକ୍‌ କରୁଥାଏ । ମୁଖମଣ୍ତଳ ଗମ୍ଭୀର ଆଉ କଠୋର । ହାତବାଡ଼ି ଖଣ୍ତକ କାଖରେ ଜାକି ଜିପ୍‍ ପାଖରେ ପହଞ୍ଚିଲାକ୍ଷଣି ଡ୍ରାଇଭର ସାମରିକ କାଇଦାରେ ସେଲ୍ୟୁଟ୍‌ ବଜାଇ ଜିପ୍‍ ଦରଜା ଖୋଲିଦେଲା । ୟାଂଚାଂ ସାହେବ ବସିଲାମାତ୍ରେ ଡ୍ରାଇଭର ଷ୍ଟାର୍ଟ ଦେଇ ଜିପ୍‍ ଛୁଟାଇ ଦେଲା ଆଗକୁ ଖୁବ୍‍ ବେଗରେ ।

 

ସହର ଛାଡ଼ି ଗୋଟାଏ ପାହାଡ଼ିଆ ରାସ୍ତାରେ ପ୍ରାୟ ସତୁରୀ ମାଇଲ ସ୍ପୀଡ୍‌ରେ ଧାଉଁଥିଲ ଜିପ୍‍ ଟା । ରାସ୍ତା ଥିଲା ଅସମତଳ, ଅନ୍ଧକାର ଆଉ ନିର୍ଜନ । ଜିପ୍‍ ଟା ସେହି ପାହାଡ଼ିଆ ଉଚ୍ଚ ଖାଲ ରାସ୍ତାରେ ନାଚି ଧାଇଁଥିଲା । ରାସ୍ତାର ଦୁଇଧାର ପ୍ରତି ଲକ୍ଷ୍ୟ କରୁଥିଲେ ୟାଂଚାଂ । ଦୁଇ ପଟରେ ଖାଲ ନିବିଡ଼ ଜଙ୍ଗଲ ଛଡ଼ା କିଛି ଆଉ ନାହିଁ । ସେ ଅନୁମାନ କଲେ, ଏପରି ନିଘଞ୍ଚ ଜଙ୍ଗଲ ଯେତେବେଳେ, ହିଂସ୍ରଜନ୍ତୁ ଥିବେ ନିଶ୍ଚୟ ୟା ଭିତରେ । ବିଶେଷ କରି ସହରଠାରୁ ବହୁଦୂରରେ ଗୁଳିଗୋଳା କାରଖାନା ଏବଂ ଡିପୋ କରିବା ଯେ ସାମରିକ ଦୃଷ୍ଟିକୋଣରୁ ଖୁବ୍‍ ଗୁରୁତ୍ୱପୂର୍ଣ୍ଣ, ଏହା ସେ ଚିନ୍ତା କରୁଥିଲେ ।

 

ଏଣିକି ରାସ୍ତା ଆହୁରି ଉଠାଣି ଗଡ଼ାଣି ଏବଂ ବଣୁଆ ଜଣାଗଲା । ଏପରି କି ଦୁଇକଡ଼ରେ ଜଙ୍ଗଲି ଗଛଗୁଡ଼ା ଘଷି ହୋଇଯାଉଥିଲା ଜିପ୍‍ ଦେହରେ । କେତେକ ସ୍ଥାନରେ ଜିପ୍‍କୁ ଅଳ୍ପ କିଛି କିଛି ସମୟ ପାଇଁ ଅଟକିଯିବାକୁ ପଡ଼ୁଥାଏ । ଏଇ ନିଘଞ୍ଚ ଜଙ୍ଗଲ ଭିତରେ ବି ଜଗୁଆଳି ବ୍ୟବସ୍ଥା । ଆଲୋକ ଦ୍ୱାରା କେବଳ ସଙ୍କେତ । ଗୋଟିଏ କ୍ଷୁଦ୍ରାକୃତି ଟର୍ଚ୍ଚଦ୍ୱାରା ସଙ୍କେତ ଦେବାରୁ ୟାଂଚାଂ ଅନୁମାନ କରିପାରୁଥିଲେ ।

 

ପ୍ରାୟ ଦେଢ଼ ଘଣ୍ଟାର ରାସ୍ତା ଅତିକ୍ରମ କରିଗଲା ପରେ ଜିପ୍‍ ବ୍ରେକ୍‌ କଲା ଗୋଟିଏ ଜାଗାରେ । ଡ୍ରାଇଭର ତତ୍‌କ୍ଷଣାତ୍‌ ହେଡ଼୍‌ ଲାଇଟ୍‌ ଲିଭାଇଦେଲା । ଯେଉଁ କେତେକ ସମୟ ପାଇଁ ୟାଂଚାଂଙ୍କ ଦୃଷ୍ଟି ପଡ଼ିଥିଲା, ସେ ଦେଖିପାରିଥିଲେ ଗୋଟାଏ ବିରାଟ ଲୁହା ଫାଟକ । ଆଉ କିଛି ନୁହେଁ । ଜିପ୍‍ ଟା ବ୍ରେକ୍‌କଲା ମାତ୍ରେ ସେ ଓହ୍ଲାଇପଡ଼ିଲେ ଜିପ୍‍ରୁ। ସେହି ସଙ୍ଗେ ସଙ୍ଗେ କେତେଜଣ ସାମରିକ ବ୍ୟକ୍ତି ତାଙ୍କୁ ଅଭିବାଦନ ଜଣାଇଛନ୍ତି ବୋଲି ସେ ଅନୁମାନ କଲେ ଶବ୍ଦରୁ । ଅନ୍ଧାର ଏତେ ଗାଢ଼ ଥିଲା ଯେ, କେତୋଟି ଛାୟା ବ୍ୟତୀତ ଆଉ କିଛି ଦେଖିବାର ଉପାୟ ନ ଥିଲା ତାଙ୍କ ପକ୍ଷରେ ।

 

ମାର୍ଶାଲ ଚେନ୍‍-ଲି ଟେଲିଫୋନ୍‌ ଜରିଆରେ ସବୁ କଥା ଜଣାଇଦେଇଥିଲେ ପୂର୍ବରୁ । ତେଣୁ କିଛି ଅସୁବିଧା ହେଲା ନାହିଁ । ସାମାନ୍ୟ ପଦେ ଦୁଇ ପଦ କଥାବାର୍ତ୍ତା ପରେ ସେ ଫାଟକ ଅତିକ୍ରମ କରି ଭିତରକୁ ଯିବା ସଙ୍ଗେ ସଙ୍ଗେ ତାହା ବନ୍ଦ ହୋଇଗଲା । ୟାଂଚାଂ ଦେଖିଲେ, ସେ ସବୁ ସ୍ୱୟଂଚାଳିତ ବ୍ୟବସ୍ଥା । ବିଜୁଳି ସାହାଯ୍ୟରେ ଆପେ ଆପେ ହୋଇଯାଉଛି ।

 

ଗୋଟାକ ପରେ ଆଉ ଗୋଟାଏ ଦୃଢ଼ ଫାଟକ ଅତିକ୍ରମ କରିବାକୁ ହେଲା ତାଙ୍କୁ । ଏହି ଫାଟକ ଅତିକ୍ରମ କଲା ପରେ ସେ ଦେଖିବାକୁ ପାଇଲେ ବିରାଟ ଗୁଳିଗୋଳା କାରଖାନା । ଏତେ ବିରାଟ ଯେ ତାହା କଳ୍ପନା ସୁଦ୍ଧା କରାଯାଇପାରେ ନା । ସମଗ୍ର କମ୍ୟୁନିଷ୍ଟ ରାଷ୍ଟ୍ରରେ ଏଇ ଗୋଟାଏ ମାତ୍ର କାରଖାନା, ଯାହାକି ଏକ ବିରାଟ ସୈନ୍ୟଶକ୍ତିକୁ ଗୁଳିଗୋଳା ରକେଟ୍‌ ପ୍ରଭୃତି ଯୋଗାଇଦେଉଛି । ସବୁ ଜିନିଷ ସ୍ୱୟାଂଚାଳିତ ଯାନ୍ତ୍ରିକ ପ୍ରକ୍ରିୟାରେ ତିଆରି ହୋଇଯାଉଛି । ପ୍ରତି ମୁହୂର୍ତ୍ତରେ ଅସଂଖ୍ୟ ପ୍ରକାର ମାରାତ୍ମକ ବିସ୍ଫୋରକ ତିଆରି କରାଯାଉଛି । ସେଗୁଡ଼ିକ ସ୍ୱୟଂଚାଳିତ ଟଲି ସାହାଯ୍ୟରେ ଯାଇ ଡିପୋରେ ପହଞ୍ଚିଯାଉଛି । ଶ୍ରେଣୀ ଅନୁଯାୟୀ ସେଗୁଡ଼ିକୁ ସେଠାରେ ରଖିଦିଆଯାଉଛି । ଚତୁର୍ଦ୍ଦିଗରେ କେବଳ ଜଗୁଆଳି ଆଉ ଅଫିସର, ବିଶେଷଜ୍ଞଙ୍କ ବ୍ୟତୀତ ଶ୍ରମିକ ନାହାନ୍ତି କହିଲେ ଚଳେ । ଏସବୁ ଯନ୍ତ୍ରପାତିର ତିଆରି କୌଶଳ ଖୁବ୍‍ ଗୋପନୀୟ । ଅନ୍ୟ କୌଣସି ରାଷ୍ଟ୍ର ଯେପରି ଏ ପ୍ରକାର କଳକବ୍‌ଜାର ତିଆରି କୌଶଳ ନ ପାଇବେ ସେଥିପାଇଁ ସେମାନେ ଖୁବ୍‍ ସତର୍କ । ବିଶେଷ କରି ଚୀନ୍‌ର ଏ ପ୍ରକାର କୂଟନୀତି ସମ୍ୱନ୍ଧରେ ପୃଥିବୀର ସବୁ ଦେଶ ଊଣା ଅଧିକେ ଜାଣନ୍ତି ।

 

ପ୍ରତ୍ୟେକ ମେସିନ୍‌ପାଖରେ ୟାଂଚାଂ ଠିଆ ହୋଇ ତା’ର ନିର୍ମାଣ କୌଶଳ ଦେଖୁଥିଲେ ଏବଂ ପ୍ରତ୍ୟେକର ନକ୍‌ସା ନେଇ ରଖିଥିଲେ । ନକ୍‌ସାଗୁଡ଼ିକ ଖୁବ୍‍ ଗୋପନୀୟ ହେଲେ ସୁଦ୍ଧା ୟାଂଚାଂ ନିଜେ ଗୁପ୍ତଚର ବିଭାଗର ବଡ଼ ଅଫିସର ଏବଂ ମାର୍ଶାଲ ଚେନ୍‍-ଲିଙ୍କର ବିଶେଷ ପ୍ରତିନିଧି ବୋଲି ତାଙ୍କୁ ବାଧା ଦେବାକୁ କେହି ସାହସ କରିପାରୁ ନ ଥିଲେ । ସବୁଆଡ଼େ ବୁଲି ଦେଖି ସେମାନେ ଠିକ୍‍ କେନ୍ଦ୍ରସ୍ଥଳରେ ପହଞ୍ଚିଯାଇଥିଲେ ସେତେବେଳକୁ । ସ୍ଥାନଟା ଖୁବ୍‍ ଅନ୍ଧାରୁଆ । ଚାରିପାଖରେ ମେସିନ୍‌ଗୁଡ଼ା ନାନା ପ୍ରକାର ଶବ୍ଦ କରିଚାଲିଛି । ସାଙ୍ଗରେ ତାଙ୍କର କେବଳ ଜଣେ ବାରୁଦ ବିଶେଷଜ୍ଞଙ୍କ ବ୍ୟତୀତ ଆଉ କେହି ନାହାନ୍ତି ସେତେବେଳେ । ହଠାତ୍‌ ଗୋଟାଏ ବିସ୍ଫୋରକର ନମୁନା ଦେଖିବାକୁ ଚାହିଁଲେ ୟାଂଚାଂ ।

 

ପାଖରେ କେହି ଥିଲେ କିଛି ଭାବିବାର ନ ଥିଲା । ମାତ୍ର ସେତେବେଳକୁ ତୃତୀୟ ବ୍ୟକ୍ତି କେହି ନ ଥିଲେ । ତେଣୁ ଅଗତ୍ୟା ବିଶେଷଜ୍ଞଙ୍କୁ ସେଠା ଛାଡ଼ି ଯିବାକୁ ହେଲା ଟିକିଏ ଦୂରକୁ ନମୁନା ଆଣିବାପାଇଁ । ଏହି ଅବସରରେ ୟାଂଚାଂ ଚାରିଆଡ଼କୁ ସତର୍କ ଭାବରେ ନଜର ଦେଇ ପକେଟରୁ ଗୋଟାଏ ହାତବନ୍ଧା ଘଡ଼ିପରି ଜିନିଷ ବାହାର କରି ଆଣିଲେ । ତା’ର କଣ୍ଟାକୁ ଖୁବ୍‍ ଶୀଘ୍ର ଗୋଟାଏ ନିର୍ଦ୍ଦିଷ୍ଟ ବିନ୍ଦୁରେ ରଖିଦେଇ ସେଇଟିକୁ ପାଖ ମେସିନ୍‌ ତଳେ ରଖିଦେଲେ । ସେଇଟି ଏପରି ସ୍ଥାନରେ ରହିଗଲା ଯେ ଖୁବ୍‍ ନିରିଖିକରି ନ ଦେଖିଲେ ଜିନିଷଟାକୁ ଧରିପାରିବ ନାହିଁ । ଠିକ୍‍ ପରେ ପରେ ବିଶେଷଜ୍ଞ ବାରୁଦର ନମୁନା ନେଇ ପହଞ୍ଚିଗଲେ । ୟାଂଚାଂ ତାକୁ ଭଲରୂପେ କିଛି ସମୟ ଧରି ନିରୀକ୍ଷଣ କଲେ ଉଜ୍ଜ୍ୱଳ ଆଲୋକ ତଳେ । ତା’ପରେ ବିଶେଷଜ୍ଞଙ୍କର ପ୍ରଶଂସା କରି ତାଙ୍କର ତତ୍ତ୍ୱାବଧାନରେ ଯେ କାରଖାନା ଓ ଡିପୋର କାମ ଭଲ ଭାବରେ ଚାଲିଛି ତାହା ମନ୍ତବ୍ୟ କରିଦେଇଗଲେ ।

 

ୟା ପୂର୍ବରୁ ବହୁ ଅଫିସର ଡିପୋ ଏବଂ କାରଖାନା ଯାଞ୍ଚ କରିବାକୁ ଆସିଛନ୍ତି । କିନ୍ତୁ ଏଭଳି ସନ୍ତୋଷଜନକ ମନ୍ତବ୍ୟ କେହି ଦେଇଯାଇ ନ ଥିଲେ । ୟାଂଚାଂ ଦେଇଥିବା ମନ୍ତବ୍ୟରେ ତାଙ୍କର ପଦୋନ୍ନତି ସୁନିଶ୍ଚିତ ଭାବି ସେ ଖୁବ୍‍ ଉତ୍‌ଫୁଲ୍ଲ ହୋଇଉଠିଥିଲେ ଏବଂ ବିଦାୟ ସମୟରେ ଖୁବ୍‍ ଆଦର ଅଭ୍ୟର୍ଥନାର ଆୟୋଜନ କରିଥିଲେ ।

 

ଦୀର୍ଘ ଦୁଇଘଣ୍ଟାକାଳ ସେଠାରେ ଅତିବାହିତ କଲା ପରେ ସେ ଫେରିଲେ । ଫେରିଲାବେଳେ ସେ ଅପେକ୍ଷାକୃତ ପ୍ରଫୁଲ୍ଲ ଓ ସନ୍ତୁଷ୍ଟ ଜଣାପଡ଼ୁଥିଲେ ।

 

ଡିପୋର କାମ ଖୁବ୍‍ ଜୋର୍‌ ସୋରରେ ଚାଲିଥିଲା । ଗୋଟାଏ ଦେଶକୁ ଆକ୍ରମଣ କରିବାର ସମସ୍ତ ଆୟୋଜନ ହେଉଥିଲା ସେଠି ।

 

ଅଠର

 

ପେକିଂ ବିମାନଘାଟୀ ।

 

ରାତି ଗୋଟାଏ ବାଜିଗଲାଣି ଅନେକ ବେଳରୁ ।

 

ବିମାନଘାଟୀର ମାଇଲିଏ ଘେରାଉ ଭିତରେ ଗୋଟିଏ ହେଲେ ଆଲୋକର ବ୍ୟବସ୍ଥା ନାହିଁ । ସବୁ ଅନ୍ଧକାର । ହେଲିକପ୍‌ଟରଠାରୁ ଆରମ୍ଭ କରି ଜେଟ୍‌ ଏବଂ ମିଗ୍‌ବିମାନ ପର୍ଯ୍ୟନ୍ତ ବହୁପ୍ରକାର ବିମାନ ବହୁପରିମାଣରେ ଗଚ୍ଛିତ ରହିଛି ଏଠି । ଏଇଟା ଖୋଦ୍‌ ସାମରିକ ବିଭାଗର ମୁଖ୍ୟ ବିମାନଘାଟୀ । ସର୍ବସାଧାରଣ ବିମାନକୁ ଏଠାରେ ଓହ୍ଲାଇବାପାଇଁ ଅନୁମତି ଦିଆଯାଏ ନାହିଁ-। ସର୍ବସାଧାରଣ ବ୍ୟବହାର ପାଇଁ ଏଠାରେ ଗୋଟିଏ ବିମାନଘାଟୀ ଅବଶ୍ୟ ଅଛି । କିନ୍ତୁ ତାହା ପ୍ରାୟ ପଞ୍ଚମାଇଲ ଦୂରରେ । ବିମାନଘାଟୀର ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ତାକୁ ଅନ୍ଧକାରରେ ରଖାଯାଇଛି । ଚତୁର୍ଦ୍ଦିଗରେ ବିମାନବିଧ୍ୱଂସୀ କମାଣ ଓ ରାଡ଼ାର ଯନ୍ତ୍ରମାନ ଖଞ୍ଜାଯାଇଛି-। ତଳେ ଶକ୍ତିଶାଳୀ ରାଇଫ୍ଳଧାରୀ ବହୁତ ସୈନିକ ପ୍ରହରୀ ବି ସଦାସର୍ବଦା ଜାଗ୍ରତ ହୋଇ ରହିଛନ୍ତି-। ଏଇ ଘୋର ଅନ୍ଧକାର ଭିତରେ କେବଳ ଗୋଟିଏ ମାତ୍ର ନାଲି ରଙ୍ଗର ଆଲୋକ ବିମାନଘାଟୀ ବୋଲି ସତର୍କ କରାଇଦେଉଛି ସର୍ବୋଚ୍ଚ ଗମ୍ୱୁଜ ଉପରେ ।

 

ସେଦିନ ରାତି ଠିକ୍‍ ସାଢ଼େ ବାରଟାରେ ବିମାନଘାଟୀର ଭାରପ୍ରାପ୍ତ ଅଫିସର ସମସ୍ତଙ୍କୁ ସଜାଗ ଓ ସତର୍କ ରହିବାପାଇଁ ସାବଧାନ କରିଦେଇଥିଲେ । କାରଣ ମାର୍ଶାଲ ଆସୁଛନ୍ତି ବୋଲି ତାଙ୍କୁ ଜଣାଇ ଦିଆଯାଇଥିଲା । ମାର୍ଶାଲ କି ପ୍ରକାର ଲୋକ ତାହା ସମସ୍ତେ ଜାଣନ୍ତି । କେଉଁଠି ଟିକିଏ ବ୍ୟତିକ୍ରମ ଦେଖିଲେ ତା’ର ଦଣ୍ତଟା ଯେ କ’ଣ ହେବ, ସେ କଥା ଅଜଣା ନୁହେଁ କାହାକୁ । ତେଣୁ ସମସ୍ତେ ପ୍ରାଣପଣେ ନିଜ ନିଜର କର୍ତ୍ତବ୍ୟ ପାଳନରେ ତତ୍ପର, ଗୋଟିଏ ଅତ୍ୟାଧୁନିକ ମଡ଼େଲର ହେଲିକପ୍‌ଟର ଭଲଭାବରେ ପରୀକ୍ଷା କରାଯାଇ ଅନ୍ତତଃ ହଜାରେ ମାଇଲ ଉଡ଼ିଯାଇ ଫେରିଆସିବା ପାଇଁ ଯଥେଷ୍ଟ ତେଲ ଦିଆଯାଇ ରହିଛି । କିଏ କେଉଁଠିକି ଯିବ ଜାଣିବାପାଇଁ ସମସ୍ତେ ଉଦ୍‌ବିଗ୍ନ । କିନ୍ତୁ କାହାରିକୁ ଜଣାଇଦିଆଯାଇ ନାହିଁ କିଛି । କେବଳ ବିମାନଘାଟୀର ଦାୟିତ୍ୱରେ ଥିବା ଅଫିସରଙ୍କ ବ୍ୟତୀତ କେହି ଜାଣନ୍ତି ନାହିଁ । ଅଧିକ ପଚରା ପଚରି କରି ବୁଝିବାରେ ଆଗ୍ରହ ମଧ୍ୟ କେହି ଦେଖାଉନାହାନ୍ତି । କାରଣ, ସେଥିରେ ବିପଦ ଅଛି ଯଥେଷ୍ଟ ।

 

ଠିକ୍‍ ଗୋଟାଏ ପଚିଶି......

 

ଫାଟକ ଅତିକ୍ରମ କଲା ଖୁବ୍‍ ଦ୍ରୁତଗତିରେ ଗୋଟାଏ ଜିପ୍‍ । କେଉଁଠାରେ ନ ଅଟକି ସିଧା ବିମାନ ଅବତରଣ ପଡ଼ିଆ ଧାରରେ ବ୍ରେକ୍‌ କଲା ସେଟା । ତା ଭିତରୁ ଓହ୍ଲାଇଲେ ମାର୍ଶାଲ ଚେନ୍‍-ଲି । ଭାରପ୍ରାପ୍ତ ଅଫିସର ସେଲ୍ୟୁଟ୍‌ଦେଇ ଆଦେଶରେ ଅପେକ୍ଷାରେ ରହିଲେ । ମାର୍ଶାଲ ଚେନ୍‍-ଲି ବିମାନଘାଟୀର ଚତୁର୍ଦ୍ଦିଗରେ ଘେରିଥିବା ଅନ୍ଧକାର ଭିତରେ ଥରେ ଦୃଷ୍ଟି ଫେରାଇଆଣି ଗମ୍ଭୀର ସ୍ୱରରେ ପଚାରିଲେ—‘‘ସବୁ ରେଡ଼ି ହୋଇଛି ?’’

 

‘‘ସବୁ ରେଡ଼ି, ସାର୍‌ !’’

 

ଚେନ୍‍-ଲି ଆଗକୁ ପାଦ ବଢ଼ାଇଲେ । ତାଙ୍କ ପଛେ ପଛେ ଭାରପ୍ରାପ୍ତ ଅଫିସର । ହେଲିକପ୍‌ଟରଟା ପାଖରେ ଠିଆ ହୋଇଛି । ମାର୍ଶାଲ କିଛି ସମୟ ଅପେକ୍ଷା କଲେ । ତା’ପରେ ତା ଭିତରକୁ ଯାଇ ତେଲ, ଯାନ୍ତ୍ରିକ କ୍ରିୟା ଠିକ୍‍ ଅଛି କି ନାହିଁ ପରୀକ୍ଷା କରି ଦେଖିନେଲେ । ‘ସବୁ ଠିକ୍‍ ଅଛି’—ମନେ ମନେ କହି ସେ ସେଠାରୁ ଫେରିଲେ ।

 

ଠିକ୍‍ ସେତିକିବେଳେ ଆଉ ଗୋଟାଏ କଳା ରଙ୍ଗର ଜିପ୍‍ ଫାଟକ ଅତିକ୍ରମ କଲା । ମାର୍ଶାଲଙ୍କ ଜିପ୍‍ ପାଖରେ ଜିପ୍‍ ଟା ଖୁବ୍‍ ଜୋର୍‌ରେ ବ୍ରେକ୍‌ କଷିଲା । ତା ଭିତରୁ ଓହ୍ଲାଇଆସିଲେ ଜଣେ କାବୁଲୀ ଭଦ୍ରଲୋକ । ଭଦ୍ରବ୍ୟକ୍ତିଙ୍କର ନିଶଦାଢ଼ୀରେ ମୁହଁଟି ସୁନ୍ଦରରୂପେ ସଜ୍ଜିତ । ଜଣେ ଅପରିଚିତ ଏବଂ ବିଦେଶୀୟ ଲୋକଙ୍କୁ ଦେଖି ଚେନ୍‍-ଲି ଏବଂ ବିମାନଘାଟୀର ଭାରପ୍ରାପ୍ତ ଅଫିସର ଆଶ୍ଚର୍ଯ୍ୟ ହୋଇଗଲେ । ଏତିକିବେଳେ ଭଦ୍ରଲୋକ ଚେନ୍‍-ଲିଙ୍କ ଆଡ଼କୁ କରମର୍ଦ୍ଦନ କରିବାକୁ ହାତ ବଢ଼ାଇଦେଇ କହିଲେ—‘‘କାବୁଲୀ ବେଶଧାରୀ ଜଣେ ଚୀନା ସାମରିକ ଗୁପ୍ତଚର ଅଫିସର ।’’

 

ଚେନ୍‍-ଲି ହୋ ହୋ ହୋଇ ହସିଉଠି କରମର୍ଦ୍ଦନ କରୁକରୁ କହିଲେ—‘‘ନିଖିଣ ବେଶ୍ । ଉତ୍ତମ ବ୍ୟବସ୍ଥା । ଆପଣଙ୍କର ସମୟ ହୋଇଗଲା ବୋଧହୁଏ ?’’

 

ବିମାନଘାଟୀର ଭାରପ୍ରାପ୍ତ ଅଫିସର ପରିଚୟ ଜାଣିପାରି ଅଭିବାଦନ ଜଣାଇଲେ ୟାଂଚାଂଙ୍କୁ । ୟାଂଚାଂ ଘଡ଼ିକୁ ଚାହିଁ ଦେଖିଲେ, ଆଉ ମାତ୍ର ଦୁଇ ମିନିଟ୍‌ ବାକି ଅଛି ଯାତ୍ରାରମ୍ଭ ସମୟ-। ତାଙ୍କ ଆଦେଶାନୁସାରେ ଡ୍ରାଇଭର ଜିପ୍‍ ଭିତରୁ ବୋତଲ, ଗ୍ଳାସ୍‌ ନେଇଆସିଲା । ସ୍ୱୟଂ ୟାଂଚାଂ ଗ୍ଳାସ୍‌ରେ ଅଜାଡ଼ିଦେଇ ଅଜାଡ଼ିଦେଇ ବଢ଼ାଇ ଦେଲେ ମାର୍ଶାଲ ଚେନ୍‍-ଲିଙ୍କ ହାତକୁ । ନିଜେ ଗୋଟାଏ ଗ୍ଳାସ୍‌ବି ଅଜାଡ଼ି ଧରିଲେ । ଦୁହେଁ ପରସ୍ପରର ସଫଳତା କାମନା କରି ଗ୍ଳାସ୍‌କୁ ଗ୍ଳାସ୍‌ ଛୁଆଇଁ ସଦ୍‌ବ୍ୟବହାର କଲେ ।

 

ରାତିର ଘୋର ଅନ୍ଧକାରକୁ ବଳି ଅନ୍ଧକାରମୟ ଏବଂ ରହସ୍ୟାବୃତ ଥିଲା ଏହି ଘଟଣା । ୟାଂଚାଂ ବୋତଲରେ ଥିବା ପାନୀୟତକ ସବୁ ଅଜାଡ଼ିଦେଇଥିଲେ ମାର୍ଶାଲ ଚେନ୍‍-ଲିଙ୍କ ଗ୍ଲାସରେ । ନିଜ ଗ୍ଳାସରେ କେବଳ ଶୂନ୍ୟ ବୋତଲଟାକୁ ଅଜାଡ଼ିବାର ଅଭିନୟ କରିଥିଲେ ଏବଂ ପିଇବାର ମଧ୍ୟ-। ଅନ୍ଧକାର ଥିଲା କେବଳ ତାର ସାକ୍ଷୀ ।

 

ସାଢ଼େ ଗୋଟାଏ ବାଜିବାକୁ ଆଉ ମାତ୍ର ଦୁଇ ମିନିଟ୍‌ ବାକି । ୟାଂଚାଂ ଆଉ ଥରେ କରମର୍ଦ୍ଦନ କଲେ ମାର୍ଶାଲ ଚେନ୍‍-ଲିଙ୍କ ସହିତ । ତା’ପରେ ଧୀରେ ଧୀରେ ଆଗେଇଗଲେ ହେଲିକପ୍‌ଟର ଆଡ଼କୁ । ପର ମୁହୂର୍ତ୍ତରେ ନାଲି, ନୀଳ ରଙ୍ଗର ଆଲୋକ ଜଳିଉଠିଲା ହେଲିକପ୍‌ଟରରେ । ତା’ସାଙ୍ଗେ ସାଙ୍ଗେ ପଙ୍ଖାଗୁଡ଼ିକ ଘର୍‌ ଘର୍‌ କରି ଘୁରିବୁଲିଲା ତୋଫାନ ସୃଷ୍ଟି କରି । ଚାହୁଁ ଚାହୁଁ ହେଲିକପ୍‌ରଟି ଉପରକୁ ଉଠିଲା । କ୍ରମେ କ୍ରମେ ତା’ର ଆଲୋକ ନିଷ୍ପ୍ରଭ ହୋଇ ଅଦୃଶ୍ୟ ହୋଇଗଲ । ଚେନ୍‍-ଲି କେତେକ୍ଷଣ ପର୍ଯ୍ୟନ୍ତ ସେଇଆଡ଼କୁ ଚାହିଁ ଫେରିଆସିଲେ ।

 

ବେତାର ସଂଯୋଗାଗାରରେ ବେତାର ଅପରେଟର ସେପର୍ଯ୍ୟନ୍ତ ସଂଯୋଗ ରକ୍ଷା କରିଥିଲା ହେଲିକପ୍‌ଟର ଆଗ୍ରେହୀ ୟାଂଚାଂଙ୍କ ସହିତ । ହଠାତ୍‌ କିପରି ଗୋଟାଏ ଅସ୍ୱାଭାବିକ ଶବ୍ଦ କରି ବେତାର ସଂଯୋଗ ବନ୍ଦ ହୋଇଗଲା । ଅପରେଟରର ଶତ ଚେଷ୍ଟା ସତ୍ତ୍ୱେ ଆଉ ସଂଯୋଗ ରକ୍ଷା କରାଯାଇପାରିଲା ନାହିଁ । ତା’ମନରେ ଆଶଙ୍କା ହେଲା—‘କୌଣସି ଆକ୍‌ସିଡେଣ୍ଟ୍‌ ହେଲା ନା କ’ଣ ?

 

X X X

 

କବାଟରେ ସାମାନ୍ୟ ଶବ୍ଦ ।

 

ତା’ପରେ କବାଟଟା ଖୋଲିଗଲା । ସେଇ ଅନ୍ଧାରରେ ଘର ଭିତରୁ ବାହାରି ଆସିଲେ ମିସ୍‍ ଲିଲି ଆଉ ମି: ଫ୍ରେଡରିକ୍‌ । ୟାଂଚାଂ ଘୋର ଅନ୍ଧକାର ଭିତରେ ଠିଆ ହୋଇଥିଲେ । ସେ କରମର୍ଦ୍ଦନ କଲେ ଫ୍ରେଡ୍‍ରିକ୍‌ଙ୍କ ସହିତ । ତାଙ୍କ ପରେ ମିସ୍‍ ଲିଲି ମଧ୍ୟ ।

 

–‘‘ମୋର କର୍ତ୍ତବ୍ୟ ଶେଷ ହୋଇଛି, ମି: ଫ୍ରେଡ୍‍ରିକ୍‌ ! ଜନ୍ମଭୂମିର ସ୍ୱାଧୀନତା ରକ୍ଷା ପାଇଁ ଯେଉଁ ଉଦ୍ଦେଶ୍ୟ ନେଇ ମୁଁ ଆସିଥିଲି, ତାହା ପୂରଣ କରିପାରିଛି । ମୋତେ ଏଥର ବିଦାୟ ଦିଅନ୍ତୁ । ଆପଣଙ୍କ ମହାନ୍‌ ମାନବିକତା ନିକଟରେ ମୁଁ କୃତଜ୍ଞ । ମୋର ଜାତି ନିକଟରେ ଆପଣଙ୍କର ମହତ୍ତ୍ୱର ପ୍ରଚାର ଅବଶ୍ୟ ମୁଁ କରିବି ।’’

 

ୟାଂଚାଂଙ୍କ କଥା ଶୁଣି ମି:ଫ୍ରେଡ୍‍ରିକଙ୍କ ଆଖିରୁ ଲୁହ ଗଡ଼ିପଡ଼ିଲା । ସେ କୋହ ଚାପି କହିଲେ–‘‘ତୁମକୁ ମୁଁ ବହୁ ପୂର୍ବରୁ ଜାଣେ, ୟାଂଚାଂ ! ଭାରତ ତୁମ ପରି ସନ୍ତାନ ପାଇ ଧନ୍ୟ । ତୁମେ ହିଁ ଭାରତର ଭବିଷ୍ୟତ ବଂଶଧରରଙ୍କର ଆଦର୍ଶ ହୁଅ ।’’

 

ୟାଂଚାଂ ମିସ୍‍ ଲିଲିଙ୍କ ହାତ ଧରି ସେଇ ଅନ୍ଧକାରରେ ଅଦୃଶ୍ୟ ହୋଇଗଲେ । ଖୁବ୍‍ ନିକଟରେ ଦାନବାକୃତି ହେଲିକପ୍‌ଟରଟା ଠିଆ ହୋଇଥିଲା ।

 

ଆକାଶର ବହୁ ଉଚ୍ଚରେ ଉଡ଼ି ଚାଲିଥିଲା ହେଲିକପଟରଟି । ଅତ୍ୟାଧୁନିକ ବୈଜ୍ଞାନିକ କୌଶଳରେ ନିର୍ମିତ ସେଇଟି । ଅତି ବେଗବାନ୍‌ । ବହୁ ଉଚ୍ଚରେ, ଏପରିକି ବିମାନବିଧ୍ୱଂସୀ କମାଣ ଗୁଳିର ଶକ୍ତି ବାହାରେ ଉଡ଼ିବାକୁ ସମର୍ଥ ଏବଂ ଶବ୍ଦହୀନ ।

 

ୟାଂଚାଂ ଆଉ ୟାଂଚାଂ ହୋଇନାହାନ୍ତି ବର୍ତ୍ତମାନ । ସେ ବର୍ତ୍ତମାନ ଦୀପକର ସାଥୀ ରୂପକ ରୂପରେ ହେଲିକପଟରର ଗତି ନିୟନ୍ତ୍ରଣ କରିବାରେ ବ୍ୟସ୍ତ । ହେଲିକପଟରରେ ଥାଇ ବହୁ ଉଚ୍ଚରୁ ସେ ଦିଗ୍‌ବଳୟ ତଳେ ସୂର୍ଯ୍ୟୋଦୟ ଦେଖିପାରିଲେ ।

 

ଆନନ୍ଦର ଆତିଶଯ୍ୟରେ ହୋ ହୋଇ ହସିଉଠିଲେ ରୂପକ । ଏପରି ହସର ଅର୍ଥ କିଛି ବୁଝିପାରିଲେ ନାହିଁ ମିସ୍‍ ଲିଲି । ବିସ୍ମିତ ଭାବରେ ସେ ଚାହିଁରହିଲେ ତାଙ୍କ ଆଡ଼କୁ ।

 

ମିସ୍‍ ଲିଲିଙ୍କର ବିସ୍ମୟ ଲକ୍ଷ୍ୟ କରି ରୂପକ କହିଲେ—‘‘ମୁଁ ଆଜି ମୋର ଦେଶକୋଳକୁ ଫେରିଆସିଛି, ଲିଲି ! ବିଶ୍ୱାସଘାତକ ଚୀନାଙ୍କୁ ଉପଯୁକ୍ତ ଶାସ୍ତି ଦେଇଆସିଛି । ପୁଣି ଭାରତ ଆକ୍ରମଣର ଅପଚେଷ୍ଟା ତାଙ୍କର ଚିରଦିନ ପାଇଁ ବନ୍ଦ କରିଦେଇଛି । ଚୀନର ସବୁ କଳକାରଖାନା, ଯନ୍ତ୍ରପାତିର ନକ୍‌ସା ମୋ ପାଖରେ । ମାର୍ଶାଲ ଚେନ୍‍-ଲିଙ୍କ ପାଇଁ ମନ ମୋର ଖୁବ୍‍ ଦୁଃଖ ହୁଏ କିନ୍ତୁ-। ସାମାନ୍ୟ କେତେଖଣ୍ତି କାଚ ଦେଇ ତାଙ୍କୁ ହୀରା ବୋଲି ପ୍ରତାରିତ କରିଛି ମୁଁ । ତେବେ ମୁଁ ଏତିକି ଆଶ୍ୱାସନା ଅନ୍ତତଃ ପାଉଛି ଯେ, ତୁମ ପରି ଗୋଟିଏ ଅଭାଗିନୀ ଭଉଣୀକୁ ନର୍କପୁରୀ ଭିତରୁ ଉଦ୍ଧାର କରିପାରିଛି ।’’

 

‘‘ଭଉଣୀ ?’’ ମିସ୍‍ ଲିଲି ବିସ୍ମୟରେ ପାଟି କରିଉଠିଲେ ।

 

‘‘ହଁ, ମିସ୍‍ ଲିଲି ! ଏପର୍ଯ୍ୟନ୍ତ ତୁମକୁ ମୁଁ ସେଇ ଦୃଷ୍ଟିରେ ଦେଖିଆସିଛି । କର୍ତ୍ତବ୍ୟ ଅନୁରୋଧରେ ତୁମେ ମୋର ବ୍ୟବହାରରେ ଯାହା କିଛି ବ୍ୟତିକ୍ରମ ଦେଖିଛ, ସେ ସବୁ ମୋର ନିତାନ୍ତ ଅନିଚ୍ଛାରେ, କେବଳ ଉଦ୍ଦେଶ୍ୟ ସାଧନ ପାଇଁ । ସେଥିପାଇଁ ମୋତେ କ୍ଷମା କରିବ ।’’

 

ମିସ୍‍ ଲିଲି ଲଜ୍ଜିତା ହୋଇପଡ଼ିଲେ ।

 

‘‘ଏଇ ସୂର୍ଯ୍ୟୋଦୟ, ଦେଖ, ଲିଲି ! କେଉଁ ଆଦିମ କାଳରୁ ପ୍ରତିଦିନ ସୂର୍ଯ୍ୟୋଦୟ ହେଉଛି; କିନ୍ତୁ ଆଜିର ସୁର୍ଯ୍ୟୋଦୟ ଆମ ପକ୍ଷରେ ଗୋଟିଏ ନୂଆ ଯୁଗର ସନ୍ଧାନ ଦେଉଛି । ଆଜି ସୂର୍ଯ୍ୟୋଲୋକ ପୃଥିବୀ ସ୍ପର୍ଶ କରିବା ସଙ୍ଗେ ସଙ୍ଗେ ଚୀନ୍‌ରେ ଯେଉଁ ଧ୍ୱଂସକାଣ୍ତ ସାଧିତ ହେବ, ସେତିକିରେହିଁ ତା’ର ଅଣ୍ଟା ଭାଙ୍ଗିଯିବ ।’’

 

ହେଲିକପଟରଟି ଚୀନ୍‌ ସୀମା ଅତିକ୍ରମ କରିଯିବାର ସୂଚନା ପାଇଲେ ରୂପକ ମିଟରରୁ-। ଶକ୍ତିଶାଳୀ ଓୟାରଲେସ ରିସିଭରଟି କାନରେ ଲଗାଇ ସେ ସଂଯୋଗ ସ୍ଥାପନ କରିବାକୁ ଚେଷ୍ଟା କଲେ ମାର୍ଶାଲ ଚେନ୍‍-ଲିଙ୍କ ସହିତ ।

 

ମାତ୍ର କେତୋଟି ମିନିଟ୍‌ ମଧ୍ୟରେ ସଂଯୋଗ ସ୍ଥାପିତ ହୋଇପାରିଲା । ରୂପକ ରିସିଭରଟି ମୁହଁ ପାଖରେ ଧରି କହିଲେ—‘‘ଗୁଡ୍‌ମର୍ଣ୍ଣିଂ, ମିଷ୍ଟର ଚେନ୍‍-ଲି ! ମୁଁ ବର୍ତ୍ତମାନ ଭାରତୀୟ ସୀମାରେ ଉଡ଼ୁଛି ।’’

 

ରିସିଭରରେ ବହୁ ଦୂରରୁ ମାର୍ଶାଲ ଚେନ୍‍-ଲିଙ୍କର ଭାରୀ କଣ୍ଠସ୍ୱର ଶୁଣାଯାଉଥିଲା-। –‘‘ଧନ୍ୟବାଦ ! ମୁଁ ତୁମର ସଫଳତା କାମନା କରୁଛି ।’’

 

–‘‘କିନ୍ତୁ ମୋତେ କ୍ଷମା କରିବେ । ମୁଁ ଜଣେ ଭାରତୀୟ ଏବଂ ଗୁପ୍ତଚର !’’

 

ଆହତ ସିଂହ ପରି ଅସ୍ପଷ୍ଟ ଭାବରେ ଚିତ୍କାର କରିଉଠିଲେ ଚେନ୍‍-ଲି ।

 

—‘‘ଠିକ୍‍ ପାଞ୍ଚଟା ବାଳିଲେ ଆପଣ ସବୁ ବୁଝିପାରିବେ ।’’ ରିସଭରଟା ଥୋଇଦେଇ ହେଲିକପ୍‌ଟରକୁ ତଳକୁ ଖସାଇବାକୁ ଲଗିଲେ ରୂପକ ।

 

ପାଞ୍ଚଟା ବାଜିବାକୁ ବାକି ଥିଲା ମାତ୍ର ମିନିଟିଏ ।

 

ଊଣେଇଶ

 

ଆହତ ସିଂହ ପରି ଓୟାରଲେସ ରିସିଭରଟାକୁ ଫିଙ୍ଗିଦେଇ ଟେଲିଫୋନ ପାଖକୁ ଧାଇଁଯାଉଥିଲେ ସେ । କିନ୍ତୁ ସେତିକିବେଳେ ଟେଲିଫୋନ ରିଂ କରିଉଠିଲା । ପାଗଳଙ୍କ ପରି ଗୋଟାଏ ଡିଆଁରେ ସେ ଯାଇ ରିସିଭରଟା କାନରେ ଲଗାଇଲେ ‘‘ହାଲୋ ! ମୁଁ ମାର୍ଶାଲ ।’’

ଖବରଟା ଶୁଣିବାମାତ୍ରେ ତାଙ୍କର ଆଖି ଦୁଇଟାର ଭ୍ରୂଲତା କପାଳ ଉପରକୁ ଉଠିଗଲା । ସେ ଚିତ୍କାର କରିଉଠିଲେ–‘‘ଗୁଳିଗୋଳା କାରଖାନା ଆଉ ଆଉ ଡିପୋ ବିସ୍ଫୋରଣରେ ଧ୍ୱଂସ ହୋଇଯାଇଛି ! କିମିତି; କ’ଣ ହେଲା, କାହିଁକି ?’’ —ସ୍ୱର ତାଙ୍କର ଅସ୍ପଷ୍ଟ ହୋଇଆସୁଥିଲା । କ୍ରମେ ସେ ଅନୁଭବ କରୁଥିଲେ ଯେପରି ତାଙ୍କର କଣ୍ଠ କିଏ ରୋଧ କରିଦେଇଛି; ତା ସଙ୍ଗେ ସଙ୍ଗେ ତାଙ୍କର ହୃତ୍‌ପିଣ୍ତର କ୍ରିୟା ବନ୍ଦ ହୋଇଯାଉଛି । ଗୋଟାଏ ଅସ୍ପଷ୍ଟ ଆର୍ତ୍ତନାଦ କରି ସେ ଟଳିପଡ଼ିଲେ ସେଇଠି । ଟେଲିଫୋନ୍‌ରିସିଭରଟା ଛିଟିକିଯାଇ ଖଣ୍ତେ ଦୂରରେ ପଡ଼ିଲା ।

X X X

ସୀମାନ୍ତରେ ଚୀନାମାନଙ୍କ ପକ୍ଷରୁ ଉତ୍ତେଜନା ଖୁବ୍‍ ବୃଦ୍ଧି ପାଇଛି । ଏଇ ଦିନେ ଦୁଇଦିନ ମଧ୍ୟରେ ଯେ ସ୍ଥାୟୀ ସୈନ୍ୟବାହିନୀ ବହୁ ପରିମାଣ ଗୁଳିଗୋଳା ସହ ଆସି ସୀମାନ୍ତରେ ପହଞ୍ଚିଯାଉଛନ୍ତି, ସେ ଖବର ସେମାନଙ୍କୁ ଜଣାଇଦିଆଗଲାଣି । ତେଣୁ ସେମାନଙ୍କ ପାଖରେ ଯାହାକିଛି ଗୁଳିଗୋଳା ଥିଲା, ସେତକ ଯଥେଚ୍ଛା ବ୍ୟବହାର କରିବାରେ ଆଦୌ କୁଣ୍ଠାବୋଧ କରୁନାହାନ୍ତି । ଲକ୍ଷ୍ୟସ୍ଥଳରେ ପହଞ୍ଚୁ ବା ନ ପହଞ୍ଚୁ ଦିନରାତି ଅଜସ୍ର ଗୁଳିଗୋଲା ବୃଷ୍ଟି ଚାଲିଛି ଭାରତୀୟ ଅଞ୍ଚଳ ଭିତରକୁ । ସୀମାନ୍ତ ବର୍ତ୍ତମାନ ଗୁଳିଗୋଳା ଶବ୍ଦରେ କମ୍ପମାନ ଏବଂ ବାରୁଦର ନିଆଁ ଧୂଆଁରେ ଆଚ୍ଛନ୍ନ । ନିୟମିତ ସୈନ୍ୟବାହିନୀ ଆସିଗଲେ ଯେ ଭାରତର ଆଉ ରକ୍ଷା ନାହିଁ, ଏ ପ୍ରକାର ଧାରଣା ସେମାନଙ୍କୁ ଦେଇଦିଆଯାଇଛି । ତେଣୁ ସେମାନେ ବେପରବାୟ ଭାବରେ କାମ କରିଯାଉଛନ୍ତି ।

ଏପରି ପରିସ୍ଥିତିରେ ମିଷ୍ଟର ସିଂ; ଜେନେରାଲ୍ କପୁର ଏବଂ ଦୀପକଙ୍କୁ ଦଣ୍ତେ ହେଲେ ଫୁରସତ ନାହିଁ । ଦିନରାତି ଲାଗି ସୀମାନ୍ତ ଅଞ୍ଚଳରୁ ଆହତ ସୈନିକମାନଙ୍କର ସେବା କରୁଛନ୍ତି ସେମାନେ । ସେମାନଙ୍କୁ ମିସେସ୍‌ ସିଂ ମଧ୍ୟ ପୂର୍ଣ୍ଣଭାବରେ ସାହାଯ୍ୟ କରୁଛନ୍ତି । ମିଷ୍ଟର କପୂର ସୈନ୍ୟଚାଳନା କରିବା ସଙ୍ଗେସଙ୍ଗେ ଗୋଟାଏ ବିରାଟ ଧରଣର ପ୍ରସ୍ତୁତି ପାଇଁ ଯୋଜନା କରିବାରେ ବ୍ୟସ୍ତ । ୱାଙ୍ଗ୍‌ଲୁ ଏବଂ ତା’ର ଦଳର ଯୁବକମାନେ ବେଳେ ବେଳେ ଗରିଲା ଆକ୍ରମଣ କରି ଘୋର କ୍ଷତି ଘଟାଇଦେଉଛନ୍ତି ଚୀନାମାନଙ୍କର । ଏପରିକି ସ୍ଥାନେ ସ୍ଥାନେ ଚୀନାମାନଙ୍କୁ ବିନା ଅସ୍ତ୍ର, ବିନା ଖାଦ୍ୟରେ ମରିବାକୁ ହେଉଛି ଛଟପଟ ହୋଇ । ଏତେ କାର୍ଯ୍ୟବ୍ୟସ୍ତତା ଭିତରେ କି ଦୀପକ କେବେହେଲେ ଭୁଲିପାରିନାହିଁ ରୂପକକୁ । ଏଇ କେତେଦିନ ହେବ କିଛି ଖବର ମିଳିନି ତା’ଠାରୁ । ଅନିର୍ଦ୍ଦିଷ୍ଟ ଭାବରେ ଖବର ଦେବାର ଉପାୟ ମଧ୍ୟ ନାହିଁ ।

ସେଦିନ ରାତି ତିନିଟା ହେବ ।

ସାରାଦିନଟି ଘୁରି ଘୁରି ସାମାନ୍ୟ ବିଶ୍ରାମ ନେବାକୁ ଯାଉଥିଲା ଦୀପକ ସେତେ ରାତିରେ-। ଠିକ୍‍ ସେତିକିବେଳେ ଓୟାରଲେସ୍‌ଟା ଶବ୍ଦ କରିଉଠିଲା । ଅବଶ୍ୟ ପରିସ୍ଥିତି ଦୃଷ୍ଟିରେ ଏତେ ରାତିରେ ଓୟାରଲେସ୍‌ରେ କିଛି ଖବର ଆସିବା ପଛରେ ନୂତନତ୍ୱ ନ ଥିଲା । ତଥାପି ଦୀପକ ଆଶାୟୀ ହୋଇ ରିସିଭରଟା କାନରେ ଲଗାଇ ସାଙ୍କେତିକ ବାର୍ତ୍ତାଟିକୁ ଲିପିବଦ୍ଧ କରିବାରେ ଲାଗିଗଲା । ସମ୍ୱାଦଟା ଲିପିବଦ୍ଧ କରିବା ସଙ୍ଗେ ସଙ୍ଗେ ତା’ର ହୃଦୟ ଆନନ୍ଦରେ ଉଛୁଳିଉଠିଲା । ସେ ରିସିଭରଟା ଧଡ଼୍‌କରି ଥୋଇଦେଇ ଧାଇଁଗଲା ଭିତରକୁ ମିଷ୍ଟର ଏବଂ ମିସେସ୍‌ ସିଂଙ୍କୁ ଖବରଟା ଦେବାପାଇଁ ।

ମିଷ୍ଟର ଏବଂ ମିସେସ୍‌ ସିଂ—ତାଙ୍କ ସଙ୍ଗରେ ଜେନେରାଲ କପୂର ମଧ୍ୟ ଧାଇଁଆସିଲେ ଓୟାରଲେସ୍‌ପାଖକୁ—ସମ୍ୱାଦଟା ପୂରା ଦେଖିବାପାଇଁ । କିନ୍ତୁ ରାତି ପାହିବାକୁ ଆହୁରି ଦୁଇ ଘଣ୍ଟା । ସେ ଦୁଇ ଘଣ୍ଟା ଶୋଇବା ନ ହେଉ ପଛେ, କିନ୍ତୁ ରୂପକ ଆସୁଛି ବିଜୟୀର ଗୌରବ ନେଇ । ତାକୁ ଅଭ୍ୟର୍ଥନା କରିବାକୁ ହେବ ।

ମିସେସ୍‌ ସିଂ ଥିଲେ ସବୁଠାରୁ ଅଧିକ ଆନନ୍ଦିତା । ସାରାଦିନ କାର୍ଯ୍ୟବ୍ୟସ୍ତ ରହି ଅତିରିକ୍ତ କ୍ଳାନ୍ତ ହୋଇପଡ଼ିଥିଲେ ସୁଦ୍ଧା ଖବରଟା ଶୁଣିଲାବେଳୁ ତାଙ୍କର କ୍ଳାନ୍ତି ହରିଯାଇଥିଲା ଯେମିତି । ଅନିଦ୍ରା ଓ ପ୍ରତୀକ୍ଷାକୁ ଟିକିଏ ଆରାମପ୍ରଦ କରିବାପାଇଁ ସମସ୍ତଙ୍କ ପାଇଁ କଫି ତିଆରି କରିବାରେ ସେ ମନ ଦେଇଥିଲେ ।

ପାଞ୍ଚଟା ବାଜିଲବେଳକୁ ସମସ୍ତେ ବାହାରିଆସିଥିଲେ ବାହାରକୁ । ବାହାରେ ଜମା ହୋଇ ରହିଥିଲା ବରଫ ତୁଳା ପରି । ତଥାପି ସେଥିପ୍ରତି ଟିକିଏ ହେଲେ ଖାତିର ନ ଥିଲା କାହାରି-। ମିଷ୍ଟର ଏବଂ ମିସେସ୍‌ ସିଂ, ଜେନେରାଲ କପୂର, ଦୀପକ ଆଉ ଭାରତୀୟ ସୈନ୍ୟବାହିନୀର କେତେଜଣ ଅଫିସର ସୀମାନ୍ତ ଆକାଶକୁ ବ୍ୟଗ୍ରଭାବରେ ଚାହିଁରହିଥିଲେ ।

କ୍ରମେ ପ୍ରଭାତ ସୂର୍ଯ୍ୟର ପ୍ରଥମ ରକ୍ତରଞ୍ଜିତ କିରଣ ବିଛାଡ଼ିହୋଇ ପଡ଼ୁଥିଲା ବରଫ ଉପରେ ।

ଶକ୍ତିଶାଳୀ ଦୂରବୀନ୍‌ଟା ଆଖିରେ ଲଗାଇ ଆକାଶରେ ବହୁ ଦୂର ପର୍ଯ୍ୟନ୍ତ ଲକ୍ଷ୍ୟ କରୁଥିଲେ ଜେନେରାଲ କପୂର । ହଠାତ୍‌ ତାଙ୍କର ମୁଖମଣ୍ତଳ ଆନନ୍ଦୋଦ୍ଭାସିତ ହୋଇଉଠିଲା । ସେ ଗୋଟାଏ ଖୁବ୍‍ ବେଗଗାମୀ ହେଲିକପ୍‌ଟର ଦେଖିପାରୁଥିଲେ । ତାଙ୍କର ପ୍ରଫୁଲ୍ଲତା ଲକ୍ଷ୍ୟ କରି ଦୀପକ ତାଙ୍କ ହାତରୁ ଦୂରବୀନ୍‌ଟା ଟାଣିନେଇ ଲକ୍ଷ୍ୟ କଲା ସେଇଆଡ଼କୁ । ମାତ୍ର କେତୋଟି ସେକେଣ୍ତ ଦେଖିଲା ପରେ ଆନନ୍ଦରେ ନାଚିଉଠିଲା ସେ—‘‘ଏଇ ରୂପକ, ମୋର ଭାଇ !’’ ଓହ୍ଲାଇବା ପାଇଁ ସ୍ଥାନ ଦେଖାଇଦେବାକୁ ଗୋଟାଏ ସବୁଜ ରଙ୍ଗର ଚଦର ରାଇଫ୍ଳ ଅଗରେ ବାନ୍ଧି ଉପରକୁ ଟେକି ଝୁଲାଇଲା ସେ ।

ହେଲିକପ୍‌ଟରଟା ଖୁବ୍‍ ନିକଟରେ ଏବଂ ଅଳ୍ପ ଉଚ୍ଚରେ ଉଡ଼ୁଥିଲା । ତଳୁ ଦିଆଯାଇଥିବା ସଙ୍କେତ ରୂପକ ଠିକ୍‍ ଦେଖିପାରିଥିଲା ହେଲିକପ୍‌ଟର ଭିତରେ ଥାଇ । ଧୀରେ ଧୀରେ ହେଲିକପ୍‌ଟରକୁ ଖସାଇ ଆଣୁଥିଲା ସେ ତଳକୁ ।

ଜେନେରାଲ କପୂରଙ୍କ ନିର୍ଦ୍ଦେଶରେ ଜଣେ ସୈନ୍ୟବାହିନୀ ଅଫିସର ସାତ ଥର ବନ୍ଧୁକ ଧ୍ୱନି ବିଜୟୀ ବୀରଙ୍କୁ ସାମରିକ ସମ୍ମାନ ଦେଖାଇଲେ । ହେଲିକପ୍‌ଟରଟି ତଳେ ଠିଆ ହୋଇଗଲା-। ତା’ର ପଙ୍ଖାଗୁଡ଼ିକର ଗତି ଧୀରେ ଧୀରେ ମନ୍ଥର ହୋଇ ବନ୍ଦ ହୋଇଗଲା ।

ସର୍ବପ୍ରଥମେ ହେଲିକପଟର ଦରଜା ଖୋଲି ଓହ୍ଲାଇଆସିଲା ବିଜୟୀ ବୀର ରୂପକ । ତଳେ ପାଦ ଦେଲାମାତ୍ରେ ଗାଢ଼ ଆଲିଙ୍ଗନରେ ତାକୁ ଆବଦ୍ଧ କରିପକାଇଲା ଦୀପକ । ତା’ପରେ ମିସେସ୍‌ ସିଂ । ପରେ ପରେ ଚାଲିଲା କରମର୍ଦ୍ଦନ ପର୍ବ ।

ମିସ୍‍ ଲିଲି ଏ ଦୃଶ୍ୟରେ ଅଭିଭୂତା ହୋଇପଡ଼ିଥିଲେ । ମିସେସ୍‌ ସିଂଙ୍କ ଦୃଷ୍ଟି ପ୍ରଥମେ ପଡ଼ିଲା ଲିଲି ଉପରେ । ସେ ପ୍ରଶ୍ନବାଚକ ଦୃଷ୍ଟିରେ ଚାହିଁଲେ ରୂପକ ଆଡ଼େ । ତାଙ୍କର ମନୋଭାବ ବୁଝିପାରି ରୂପକ ହସି ହସି କହିଲା–‘ସେ ଗୋଟିଏ ନିର୍ଯ୍ୟାତିତା ଭଉଣୀ । ଚୀନାମାନଙ୍କ କବଳରୁ ତାକୁ ଉଦ୍ଧାର କରି ଆଣିଚି । ମୋର ଉଦ୍ଦେଶ୍ୟ ସାଧନରେ ତା’ର ସହାୟତା ଉଲ୍ଲେଖଯୋଗ୍ୟ ।

ମିସେସ୍‌ ସିଂ ମିସ୍‍ ଲିଲିଙ୍କୁ କୁଣ୍ଢାଇପକାଇ କହିଲେ—‘‘ଦୀପକ, ରୂପକ ମୋର ଦୁଇ ଭାଇ, ଆଉ ତୁ ମୋର ଭଉଣୀ । ବାଃ, ସଂସାରରେ କେତେ ସୁଖୀ ମୁଁ ସତେ !’’

ତାଙ୍କର ଆନନ୍ଦକୁ ଲକ୍ଷ୍ୟ କରୁଥିଲେ ସମସ୍ତେ ।

Image